Unknown

 

 

 

 

 

 

 

 

 

 

ସାମାଜିକ ସୁମନମାଳା ପଲ୍ଲୀ

ଶ୍ରୀ ଶଶିଭୂଷଣ ରାୟ

 

ପଲ୍ଲୀ

–୧–

 

ବହୁ ମନୀଷିମାନଙ୍କ ବକ୍ତୃତା ଏବଂ ଲେଖାରୁ ଜାଣୁଅଛୁଁ, ଆମ୍ଭମାନଙ୍କୁ ପୁଣି ପୁରାକାଳର ଆଦର୍ଶ ଗ୍ରହଣ କରିବାକୁ ହେବ, ନତୁବା ଆମ୍ଭମାନଙ୍କ ଅସ୍ତିତ୍ୱ ଲୋପର ସମ୍ଭାବନା ଦୂର ହେବନାହିଁ । ପୂର୍ବେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ସାମାଜିକତା ଥିଲା, ପ୍ରତିବେଶୀ ପ୍ରତିବେଶୀ ମଧ୍ୟରେ ଆତ୍ମୀୟତା ଓ ସଦ୍ଭାବ ରହିଥିଲା–ଗୋଟିଏ ଆପଣାର ଭାବ ସର୍ବତ୍ର ବିରାଜିତ ଥିଲା; କିନ୍ତୁ ଆଜି ମନୁଷ୍ୟ ମନୁଷ୍ୟ ମଧ୍ୟରେ, ପ୍ରତିବେଶୀ ପ୍ରତିବେଶୀ ମଧ୍ୟରେ ଚିହ୍ନା ନାହିଁ, ଦେଖା ସାକ୍ଷାତ୍ନାହିଁ–କେହି କାହାରିକୁ ଚିହ୍ନେ ନାହିଁ । ଏ ଆଦର୍ଶ ଆମ୍ଭମାନଙ୍କ ସମାଜର ଆଦର୍ଶ ନୁହେ । ଆଉ ଗୋଟିଏ କଥା,–ଆମ୍ଭେମାନେ ଦିନକୁଦିନ ବିଳାସୀ ହେଉଅଛୁ । ଭାରତର ଯେଉଁମାନେ ସର୍ବଜନ ପରିଚିତ ଧୀଶକ୍ତିସମ୍ପନ୍ନ ଦେଶନାୟକ ବୋଲି ପରିଚିତ, ସମାନେ ସମସ୍ତେ ହିଁ ପ୍ରଦୀପସ୍ଥ ତୈଳାଲୋକରେ ବିଦ୍ୟାଭ୍ୟାସ କରିଥିଲେ–ବର୍ତ୍ତମାନ ସେମାନଙ୍କର ପୁଅନାତିମାନେ ବୈଦ୍ୟୁତିକ ଆଲୋକରେ ବିଦ୍ୟାଭ୍ୟାସ କରି ସୁଦ୍ଧା ସେମାନଙ୍କର ଆଶାନୁରୂପ ବିଦ୍ୟାଲାଭ ହେଉ ନାହିଁ, ଏଭଳି ଆକ୍ଷେପ ଅନେକ ସମାଜପତିଙ୍କ ମୁଖରୁ ଅନେକ ଥର ଶୁଣିଅଛି । ଅଥଚ ପ୍ରତୀଚ୍ୟ ସଭ୍ୟତାରେ ଆମ୍ଭେମାନେ ନିଜ ଇଚ୍ଛାନୁସାରେ ଯେଉଁ ଆଦର୍ଶର ପ୍ରତିଷ୍ଠା କରିଅଛୁଁ, ଆଜି ତାହା ବର୍ଜନ କରିବାକୁ ପ୍ରବୃତ୍ତ ହେଉ ନାହିଁ । ସୁତରାଂ ଉଭୟ ଆଡ଼ରୁ ଆମ୍ଭେମାନେ ଦୁର୍ଦ୍ଦଶାଗ୍ରସ୍ତ । ଭାରତରେ ଯେଉଁମାନେ ଭାରତର ମୁଖୋଜ୍ଜ୍ୱଳକାରୀ ସନ୍ତାନ ବୋଲି ପରିଚିତ, ସେମାନଙ୍କ ଜୀବନକଥାର ଆଲୋଚନା କଲେ ପ୍ରାୟତଃ ଦୃଷ୍ଟ ହୁଏ, ସେମାନେ ଦରିଦ୍ର ଗୃହରେ ଜନ୍ମଗ୍ରହଣ କରି, ଦାରିଦ୍ର୍ୟ ସହିତ ସଂଗ୍ରାମ କରି ଜୟୀ ହୋଇଥିଲେ । ଅଥଚ ଯେଉଁମାନେ ଜୀବନରେ ସାଫଲ୍ୟଲାଭର ଅନ୍ୟ ସମସ୍ତ ଉପାଦାନ ଘେନି ଜନ୍ମଗ୍ରହଣ କରନ୍ତି, ସେମାନେ କେବଳ ପ୍ରାଚୁର୍ଯ୍ୟ ପ୍ରଭାବରୁ ସାଫଲ୍ୟ ଲାଭ କରି ପାରନ୍ତି ନାହିଁ । ବିଳାସରେ ରହି ସେମାନେ କାର୍ଯ୍ୟର ଗଣ୍ଡି ମଧ୍ୟରେ ନ ଥାନ୍ତି ଏବଂ ସେମାନଙ୍କ ପ୍ରତିଭାର ସମ୍ୟକ୍ବ୍ୟବହାର କରିବାର ଉତ୍ସାହ ନ ଥାଏ ।

 

ଆଜିକାଲି ଯୁବକମାନଙ୍କ ମଧ୍ୟରେ ବ୍ୟାୟାମ ନାମରେ ଖେଳର ଯେଉଁ ଅସଂଯତ ଭାବ ପ୍ରବେଶ କରିଅଛି, ତାହା ବାସ୍ତବହିଁ ବିସ୍ମୟକର । ‘‘Dissipation of games’’ (ଖେଳରେ ମତ୍ତତା) ର ସ୍ୱରୂପ ନିର୍ଣ୍ଣୟ କିଏ କରିବ ? କଲିକତାରେ ଦୃଷ୍ଟ ହୁଏ, ଶତକଡ଼ା ୭୦ । ୮୦ ଜଣ ଯୁବକ ଏକାନ୍ତ ପ୍ରୟୋଜନୀୟ ସନ୍ତରଣରେ ଅନିଭିଜ୍ଞ, କିନ୍ତୁ ବିଦେଶୀୟ ଫୁଟବଲ୍ କିମ୍ବା କ୍ରିକେଟ ଖେଳରେ ପଟୁ । ଫୁଟ୍ବଲ୍ଖେଳର ଆଦର ସର୍ବତ୍ର ପରିବ୍ୟାପ୍ତ । ଜଣ କେତେ ଖେଳିଲେ ୫୦ ଜଣ ଦେଖିବାକୁ ଯିବେ । ସ୍କୁଲ କଲେଜର ଛୁଟି ନ ହେଉଣୁ ଦଳ ଦଳ ଛାତ୍ର ଫୁଟବଲ୍ ପଡ଼ିଆକୁ ପ୍ରବଳ ଉତ୍ସାହ ସହକାରେ ଅଗ୍ରସର; ତେଣେ କୁଲୀ ଓ ଗାଡ଼ିବାଲାଙ୍କଠାରୁ ଆରମ୍ଭ କରି ସବୁ ଶ୍ରେଣୀର ଲୋକେ ଖେଳ ଦେଖିବାକୁ ରୁଣ୍ଡ ହୋଇ ପ୍ରକାଣ୍ଡ ଜନତାର ସୃଷ୍ଟି କରନ୍ତି–ଉତ୍ସାହର ଅନ୍ତ ଥାଏ । ବୃଷ୍ଟି ଧାରାରେ ତିନ୍ତି ବୁଡ଼ି କେତେ ଘଣ୍ଟା ଖେଳି ଏବଂ ଖେଳ ଦେଖି ଆସି ସ୍ୱାସ୍ଥ୍ୟ କିପରି ଉନ୍ନତି ଲାଭ କରିଥାଏ, ତାହା ସହଜରେ ଅନୁମେୟ । ଯେଉଁମାନେ ଖେଳନ୍ତି, ସେମାନେ ଫେରି ଆସି କଅଣ ପଢ଼ି ପାରନ୍ତି ? Football season (ଫୁଟ୍ବଲ୍ଖେଳର ଋତୁ) ନାମକ ସମୟରେ ଛାତ୍ରମାନଙ୍କର ପାଠରେ ଆଦୌ ମନ ନ ଥାଏ; ଶିକ୍ଷକମାନେ ମଧ୍ୟ ପ୍ରତ୍ୟହ ଖେଳ ସକାଶେ ଛାତ୍ରଙ୍କୁ ପୂର୍ଣ୍ଣରୂପେ ଉତ୍ସାହ ଦେଇଥାଆନ୍ତି । ପ୍ରତି ବର୍ଷ ହାରାହାରି ୨ । ୩ ମାସ ଏହି ବ୍ୟାପର ଚାଲିଛି । ପୁଣି ଆମ୍ଭମାନଙ୍କ ଖାଦ୍ୟ ସାମଗ୍ରୀ ମାନଙ୍କରେ ମିଶାଣ ରହିଅଛି; ତାହା ଖାଣ୍ଟି ନୁହେଁ, ତାହା ମଧ୍ୟ ଅପୂର୍ଣ୍ଣ; ଆଉ ଏହିପରି ଶ୍ରମସାଧ୍ୟ ଖେଳ ସହିତ ଏହି ଖାଦ୍ୟର ସାମଞ୍ଜସ୍ୟ କେତେଦୂର, ଏହା ମଧ୍ୟ ବିବେଚ୍ୟ । ଯୁବକମାନଙ୍କ ମଧ୍ୟରେ ଯକ୍ଷ୍ମା ଜନିତ କ୍ଷୟରୋଗ କ୍ରମଶଃ ବଢ଼ି ଯାଉଅଛି । ଏହା ଉତ୍ତାରୁ spirit (ତେଜ)–ଏହି ତେଜ କାଢ଼ିବା ପ୍ରାୟଶଃ ଚାକରମାନଙ୍କ ଉପରେ ଏବଂ ଦୋକାନୀ, ଗାଡ଼ିବାଲା, କିମ୍ବା ରେଲ୍, ଷ୍ଟିମର୍ପ୍ରଭୃତିର କର୍ମଚାରୀମାନଙ୍କ ପ୍ରତି ପ୍ରଯୁକ୍ତ ହୋଇଥାଏ ।

 

ଉତ୍ସବାନୁଷ୍ଠାନରେ କୌଣସି ଘରକୁ ଗଲେ ଦୃଷ୍ଟ ହୁଏ, ଯୁବକମାନଙ୍କ ବନ୍ଧୁମାନେ ସଭା ମଣ୍ଡନ କରି ରହିଅଛନ୍ତି । ସେହି ଘରେ ଯୁବକମାନଙ୍କର ଅଭିଭାବକମାନେ ଅଛନ୍ତି, ଏହା କେହି ଯୁବକ ସୁଦ୍ଧା ସ୍ମରଣ ରଖନ୍ତି ନାହିଁ । ସେମାନଙ୍କ ଗୀତ, ବାଦ୍ୟ, ହାସ୍ୟ ଏବଂ ସିଗାରେଟ୍ର ଧୂମୋଦ୍ଗିରଣରେ ଅଭିଭାବକବର୍ଗ ଉଦ୍ବାସ୍ତୁ ହୋଇ ଗୃହାନ୍ତରରେ ଆଶ୍ରୟ ନେଇଥିବା କଥା ଲେଖକ ସ୍ୱଚକ୍ଷୁରେ ଏକାଧିକ ଥର ଦେଖିଅଛି । ଅଥଚ ଏହି ସମସ୍ତ ‘‘ବନ୍ଧୁ’’ ଙ୍କ ବନ୍ଧୁତ୍ୱରେ ଆମ୍ଭମାନଙ୍କ ସମାଜରେ ପୂର୍ବକାଳର ଅମୃତ–ସ୍ୱାଦ ନାହିଁ । ସେତେବେଳେ ବନ୍ଧୁଙ୍କ ପିତା ମାତା ନିଜର ପିତା ମାତା ଭଳି ଭକ୍ତି ଓ ଶ୍ରଦ୍ଧାର ପାତ୍ର ବୋଲି ବିବେଚିତ ହେଉଥିଲେ–ଏକ ପକ୍ଷରେ ଅନାବିଳ ଶ୍ରଦ୍ଧା ଏବଂ ଅପର ପକ୍ଷରେ ଅକୃତ୍ରିମ ସ୍ନେହଦ୍ୱାରା ସଂସାର ସୁଖମୟ ବୋଧ ହେଉଥିଲା । ବର୍ତ୍ତମାନ ବନ୍ଧୁ କହିଲେ ବିଲାତୀ ଅର୍ଥରେ ‘ଫ୍ରେଣ୍ଡ’ ବୁଝାଏ; ବନ୍ଧୁଙ୍କ ଘନିଷ୍ଠତା ଚା–ପାନର ମଜଲିସରେ, ବିଦ୍ୟାଳୟରେ କିମ୍ବ ଉତ୍ସବରେ । ବିପଦରେ ସେ ସମସ୍ତ ବନ୍ଧୁଙ୍କ ଦେଖା ମିଳେ ନାହିଁ–ସାହାଯ୍ୟ ତ ଦୂରରକଥା । ଏ ପ୍ରକାର ବନ୍ଧତ୍ୱରେ ଆନ୍ତରିକତା ନାହିଁ–ଏହା ପରକୁ ଆପଣାର କରି ନ ପାରେ; ଆତ୍ମୀୟ କରି ପାରିବ କାହୁଁ ?

 

ଆଜି କାଲି ସମାଜରେ ସର୍ବତ୍ର ଆନ୍ତରିକତାର ଅଭାବ ସୁପ୍ରକାଶିତ–ସମସ୍ତହିଁ କୃତ୍ରିମ l ସ୍ୱାର୍ଥ ନିକଟରେ ଆଜିକାଲି ଅନ୍ୟ ସମସ୍ତ ପରାଜିତ ଓ ଅବଜ୍ଞାତ । ମନୁଷ୍ୟ ତ ସ୍ୱାର୍ଥସିଦ୍ଧିକୁ ଚରମ ଏବଂ ପରମ ଲକ୍ଷ୍ୟ ବୋଲି ଜ୍ଞାନ କରୁଅଛି । ଆମ୍ଭମାନଙ୍କ ଦେଶରେ ଯେଉଁ ଆଦର୍ଶ ନ ଥିଲା, ଠିକ ସେହି ଆଦର୍ଶ ହିଁ ଆଜିକାଲି ଆଦୃତ । ଦାରିଦ୍ର୍ୟ ଯେଉଁ ଦେଶରେ କୌଣସି ପ୍ରକାର ଅପମାନର କାରଣ ସ୍ୱରୂପ ବିବେଚିତ ହେଉନଥିଲା, ପରନ୍ତୁ ଯେଉଁ ଦେଶର ଜ୍ଞାନ ଭଣ୍ଡାରର ଅଧିକାରୀମାନେ ସ୍ୱେଚ୍ଛାରେ ଦାରିଦ୍ର୍ୟକୁ ବରଣ କରି ନେଉଥିଲେ, ଆଜି ସେହି ଦେଶରେ ଧନିକତାହିଁ ସାମାଜିକ ସମ୍ମାନର ମାପକାଠି ହୋଇଅଛି । କେହି କାହାରି ଜମା ଖରଚର ଖାତା ଦେଖେ ନାହିଁ, ଏହି ହେତୁରୁ ଅର୍ଥର ବାହ୍ୟ ବିକାଶରେ, ଲୁଗା, କୋଟ ଓ ଯୋତା ପ୍ରଭୃତିର ବିଳାସରେ ଅର୍ଥର ପ୍ରାଚୁର୍ଯ୍ୟ ଦେଖାଇବା ସକାଶେ ପ୍ରାଣାନ୍ତ ଚେଷ୍ଟା ପରିଲକ୍ଷିତ ହୋଇଥାଏ । ଯେଉଁ ଦେଶରେ ଲୋକର ବାର୍ଷିକ ଆୟ ହାରାହାରି ଟ ୨୫୧, ସେହି ଦେଶରେ ଦରିଦ୍ର ପିତାର ଉଦୟାସ୍ତ ଶ୍ରମଲବ୍ଧ ଅର୍ଥ ଶୋଷଣ କରି ଯୁବକ ପୁତ୍ର ବିଳାସୀ ହେଉଥିବା ଦେଖାଯାଏ । ନତୁବା ତାହାର ସମବୟସ୍କ ବନ୍ଧୁମାନଙ୍କ ନିକଟରେ ଅପମାନ ହେବ–ବିଦେଶୀ ‘‘Prestige’’ (ମହତ) ଚାଲିଯିବ । ଯେଉଁ ବନ୍ଧୁତ୍ୱ କେବଳ ଅର୍ଥର ଅଧିକାର ଉପରେ ପ୍ରତିଷ୍ଠିତ, ତାହା କିପରି ଆଘାତସହ ହୁଏ, ତାହା କାହାରିକୁ କହିଦେବାକୁ ହେବ ନାହିଁ । ବର୍ତ୍ତମାନ ବସନର ଅପ୍ରଚୁର୍ଯ୍ୟ ପ୍ରକାଣ୍ଡ ‘‘disqualification’’ (ଅଯୋଗ୍ୟତା) ବୋଲି ପରିଗଣିତ ଓ ତାହା ସମାଜରେ ବିରାଟ ଲଜ୍ଜାର କଥା । ଆମ୍ଭମାନଙ୍କର ବର୍ତ୍ତମାନ ଶିକ୍ଷା ଓ ଦୀକ୍ଷା ଏ ଭାବରେ ଆମ୍ଭମାନଙ୍କର ସାମାଜିକ ଆଦର୍ଶକୁ ଚୂର୍ଣ୍ଣକରି ପ୍ରାଚ୍ୟ ଆଦର୍ଶ ସ୍ଥାନରେ ପ୍ରତିଚ୍ୟ ଆଦର୍ଶକୁ ପ୍ରତିଷ୍ଠିତ କରୁଅଛି ସିନା !

 

ମୁଖରେ ଆମ୍ଭେମାନେ ଜାତୀୟ ସ୍ୱାତନ୍ତ୍ର୍ୟ ଓ ବୈଶିଷ୍ଟ୍ୟ ରକ୍ଷାର ଅନେକ ଲମ୍ବା ଲମ୍ବା କଥା କହି ସୁଦ୍ଧା ଆମ୍ଭମାନଙ୍କ ଆଚାର ବ୍ୟବହାରରେ ଦେଶର ଅନ୍ୟ ସମସ୍ତଙ୍କୁ ପଦଦଳିତ କରୁଅଛୁଁ । କେବଳ ସେତିକି ନୁହେଁ, ଆମ୍ଭେମାନେ ଯାହା ପରିତ୍ୟାଗ କରି ଯାହା ଗ୍ରହଣ କରୁଅଛୁଁ, ତହିଁରେ କାଞ୍ଚନ ତ୍ୟାଗ କରି କାଚହିଁ କରଣ କରୁଥାଇଁ । ସରଳତା, ସୁବିଧା ଓ ସୌନ୍ଦର୍ଯ୍ୟରେ ଆମ୍ଭମାନଙ୍କ ଜାତୀୟ ବେଶ ଅପରାଜେୟ–ସେହି ବେଶହିଁ ଏ ଦେଶ ପକ୍ଷରେ ସର୍ବତୋଭାବରେ ଉପଯୋଗୀ; ମାତ୍ର ଏହାର ଯାଥାର୍ଥ୍ୟ ଆମ୍ଭେମାନେ ସମ୍ୟକ୍ ଅନୁଭବ କରୁଥାଇଁ କି ? ଆମ୍ଭେମାନେ ବିଦେଶୀୟ ବେଶାନୁକରଣର ସର୍ବଦା ପକ୍ଷପାତୀ ! ଆମ୍ଭେମାନେ ସର୍ବଦା ଦେଖାଇବାକୁ ଆଗ୍ରହାନ୍ୱିତ ଯେ, ଆମ୍ଭେମାନେ ପ୍ରତିଚ୍ୟ ଭାବରେ ଅନୁପ୍ରାଣିତ । ଏହି ଦୌର୍ବଲ୍ୟହିଁ ଆମ୍ଭମାନଙ୍କ ସମାଜର ସର୍ବନାଶ କରୁଅଛି । ଯେଉଁ ସଭ୍ୟତା ଶତ ଶତ ବର୍ଷର ବିଜୟବାତ୍ୟାର ଓ ପରିବର୍ତ୍ତନପ୍ଳାବନର ତୋଡ଼ ସହ୍ୟ କରି ସୁଦ୍ଧା ଅବିଚଳିତ ରହିଅଛି, ସେ ସଭ୍ୟତା ଯେ ଅଭିଜ୍ଞତାର ଫଳ ନୁହେ, ପରନ୍ତୁ ଅକାରଣରେ ଉଦ୍ଭୁତ ହୋଇଥିଲା, ଯେଉଁମାନେ ଏହା ଜ୍ଞାନ କରନ୍ତି, ସେମାନଙ୍କର ଶିକ୍ଷା ବ୍ୟର୍ଥ ହୋଇଅଛି, ଏ କଥା କହିବା ବ୍ୟତୀତ ଅନ୍ୟୋପାୟ ନାସ୍ତି ।

 

ଆମ୍ଭମାନଙ୍କ ଦେଶର ଆଚାର ବ୍ୟବହାରରେ plain living and high thinking (ବିଳାସବର୍ଜିତ ଭାବରେ ଜୀବନଯାତ୍ରା ନିର୍ବାହ ଓ ଉଚ୍ଚଚିନ୍ତା) କରି ମାନସିକ ଉନ୍ନତିର ଉପାୟ କରିବାର ଆଦର୍ଶ ସର୍ବତ୍ର ସୁପ୍ରକାଶିତ । ଏହା ପରିବର୍ତ୍ତରେ ଆମ୍ଭେମାନେ ଆଜିକାଲି High living and low thinking (ବିଳାସପୂର୍ଣ୍ଣ ଭାବରେ ଜୀବନଯାତ୍ରା ନିର୍ବାହ ଓ ନୀଚ ଚିନ୍ତା) ରେ ଅଭ୍ୟସ୍ତ ହେଉଅଛୁଁ ସିନା ! ଆମ୍ଭେମାନେ ଆମ୍ଭମାନଙ୍କ ପକ୍ଷରେ ପ୍ରାଚୀନ ଆଦର୍ଶର ଉପଯୋଗିତା ଉପଲବ୍ଧି କରି ସୁଦ୍ଧା ସେହି ଆଦର୍ଶ ଗ୍ରହଣ କରି ପାରୁ ନାହୁଁ କାହିଁକି ? ଏହାର ପ୍ରକୃତ କାରଣ, ସହରବାସର ବିଳାସଲାଳସା । ସହରବାସର ମୋହକୁ ଏଡ଼ି ପଲ୍ଳୀବାସ କରିବା ଆଜିକାଲି ଶିକ୍ଷିତ ସମ୍ପ୍ରଦାୟ ପକ୍ଷରେ କଠିନ ହେଲାଣି । ମାତ୍ର ପଲ୍ଲୀର ପନର୍ଗଠନ ନ ହେଲେ ଆମ୍ଭମାନଙ୍କର ରକ୍ଷା ନାହିଁ ପରା ?

 

ଉତ୍କଳର ସାମାଜିକ ଏବଂ ଅର୍ଥନୀତିକ ଜୀବନ ପଲ୍ଲୀଗ୍ରାମକୁ କେନ୍ଦ୍ର କରି ଗଢ଼ା ହୋଇଥିଲା । ବର୍ତ୍ତମାନ ସୁଦ୍ଧା ତାହାର ଅବଶେଷ ରହିଅଛି । କିନ୍ତୁ ଯେତିକି ଅଛି, ତାହା ସଂସ୍କାର ଅଭାବରେ ଜୀର୍ଣ୍ଣ ହୋଇ ବିପଜ୍ଜନକ ହୋଇ ଉଠିଲାଣି । ପାଶ୍ଚାତ୍ୟ ଶିକ୍ଷାର ପ୍ରବାହ ଅଧିକାଂଶ ଶିକ୍ଷିତ ଉତ୍କଳୀୟଙ୍କୁ ପଲ୍ଲୀତ୍ୟାଗୀ କରିଅଛି । ଯେଉଁମାନେ ଅନନ୍ୟଗତିକ, କେବଳ ସେମାନେ ଗ୍ରାମରେ ପଡ଼ି ରହିଅଛନ୍ତି । ପୈତୃକ ବାସ୍ତୁ (ଘରଡିହ) ପଡ଼ିଆରେ ପରିଣତ ହୋଇଅଛି, ଜଳାଶୟ ଅପରିଷ୍କୃତ ହୋଇ ତହିଁର ଜଳ ଅପେୟ ହୋଇଅଛି, ଗ୍ରାମ ଜନାକୀର୍ଣ୍ଣ ହେଲାଣି । ଯେଉଁମାନେ ଗ୍ରାମରେ ଅଛନ୍ତି, ସେମାନଙ୍କର ରୋଗ ଏବଂ ଚିକତ୍ସାର ବ୍ୟୟରେ, କାର୍ଯ୍ୟକାରିତାରେ ଅକ୍ଷମତା ଯୋଗୁଁ ଆୟଠାରୁ ବ୍ୟୟ ଚତୁର୍ଗଣ ଅଧିକ ହେଉଅଛି । ଏ ଅବସ୍ଥାର ପୂର୍ଣ୍ଣ ପ୍ରତୀକାର ନ ହେଲେ ପଲ୍ଲୀର ଅଧିକାଂଶ ଲୋକେ ଜନାକୀର୍ଣ୍ଣ ସହରକୁ ପଳାଇ ଆସିବେ ଓ ଫଳତଃ ପଲ୍ଲୀର ଡିହଗୁଡ଼ିକ ଗୋମାୟୁଙ୍କ ଲୀଳାଭୂମି ହେବ । ଏହା ହେଲେ ଜାତିର ପ୍ରକୃତ ଉନ୍ନତିର ସମ୍ଭାବନା ନାହିଁ, କିନ୍ତୁ ଅବନତି ଅନିବାର୍ଯ୍ୟ । ଏ ଅବସ୍ଥାରେ ସମଗ୍ର ଦେଶରେ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ହୋଇ ନ ପାରେ; ଶିଳ୍ପ ବାଣିଜ୍ୟର ସମୃଦ୍ଧି ସାଧିତ ହୋଇ ପାରିବ ନାହିଁ–ଦେଶର ଧନ ବୃଦ୍ଧି ହେବା ଅସମ୍ଭବ ହେବ; ସୁତରାଂ ଦେଶରେ ଅସନ୍ତୋଷର ବିସ୍ତାର ଅନିବାର୍ଯ୍ୟ ହୋଇଉଠିବ ଏବଂ ଶେଷରେ ଏହି ଅସନ୍ତୋଷ ଅଶାନ୍ତିରେ ପରିଣତ ହେବ–ଏଥିରେ ସନ୍ଦେହ ନାହିଁ ।

 

ପାଶ୍ଚାତ୍ୟ ସଭ୍ୟତା ଆମ୍ଭମାନଙ୍କ ପଲ୍ଲୀ ସମ୍ବନ୍ଧରେ ସେହିଭଳି ହୋଇଅଛି । ଯାହା ଗଢ଼ା ଥିଲା, ତାହା ଭାଙ୍ଗି ଯାଇଅଛି, ପୁନଶ୍ଚ ଗଢ଼ା ହୋଇ ପାରୁ ନାହିଁ । କିନ୍ତୁ, ପୁନର୍ଗଠନ ନ ହେଲେ ଆମ୍ଭମାନଙ୍କର ଆଉ ଉପାୟ ନାହିଁ । ଗଠନ କରିବାକୁ ହେଲେ ଆମ୍ଭମାନଙ୍କର ସମାଜର ପୁରାତନ ଭିତ୍ତି ଉପରେ ଗଠନ କରିବାହିଁ ଏକାନ୍ତ ସଙ୍ଗତ । ଏ ଭିତ୍ତି ବୃଷ୍ଟି, ବାୟୁ, ଭୂମିକମ୍ପ ସହ୍ୟ କରିଅଛି ଓ ଏହାର ଦୃଢ଼ତା ବିଶେଷରୂପେ ପ୍ରତିପାଦିତ ହୋଇଅଛି । ତେବେ ଯେତିକି ଗଢିବାକୁ ହେବ, ତାହା ଠିକ ପୁରାକାଳର ଅନୁକରଣରେ କଲେ ଚଳିବ ନାହିଁ–ତାହା ଦେଶକାଳ–ପାତ୍ରର ଉପଯୋଗୀ କରି ଗଢ଼ିବାକୁ ହେବ ।

 

ଆମ୍ଭମାନଙ୍କ ଗ୍ରାମସମୂହକୁ କୌଣସି କୌଣସି ବିଦେଶୀୟ ଲେଖକ ସ୍ୱାବଲମ୍ବନଦଶୀଳ ପ୍ରଜାତନ୍ତ୍ରଶାସିତ ଅନୁଷ୍ଠାନ ବୋଲି ନିର୍ଦ୍ଦେଶ କରିଅଛନ୍ତି । ଏ କଥାଟି ଏକ ହିସାବରେ ନିରୋଳା ସତ୍ୟ । ଗ୍ରାମବାସୀମାନେ ରାଜାଙ୍କୁ କେବଳ କରଦାନ କରି ପ୍ରକୃତ ରାଜଭକ୍ତ ପ୍ରଜାରୂପେ ପରିଗଣିତ ହେଉଥିଲେ ସତ୍ୟ; କିନ୍ତୁ ଗ୍ରାମର ସମସ୍ତ କାର୍ଯ୍ୟ ସେମାନେ ସ୍ୱଂୟ ସମ୍ପନ୍ନ କରୁଥିଲେ; ବାହାରର, ଏମନ୍ତ କି ରାଜା କିମ୍ବା ରାଜକର୍ମଚାରୀ ମାନଙ୍କର, ସେ ସମସ୍ତ ବିଷୟରେ ହସ୍ତକ୍ଷେପ କରିବାର କୌଣସି ପ୍ରୟୋଜନ ମଧ୍ୟ ହେଉ ନ ଥିଲା । ଗ୍ରାମର ସାମାଜିକ, ଶିକ୍ଷା ସମ୍ବନ୍ଧୀୟ ଓ ସ୍ୱାସ୍ଥ୍ୟ ବିଷୟକ ସମସ୍ତ ବ୍ୟବସ୍ଥା ଗ୍ରାମର ଲୋକମାନଙ୍କଦ୍ୱାରା ସମ୍ପନ୍ନ ହେଉଥିଲା । ଗ୍ରାମରେ ଜଳସଂସ୍ଥାନର କର୍ମ କରି ଗ୍ରାମର ଧନୀ ଏବଂ ଅବସ୍ଥାପନ୍ନ ବ୍ୟକ୍ତିମାନେ ପୁଣ୍ୟସଞ୍ଚୟ କରୁଥିଲେ–ନିଜକୁ ଧନ୍ୟ ଓ କୃତାର୍ଥ ମଣୁଥିଲେ । ଯେଉଁ ଗ୍ରାମରେ ସେଭଳି ଅବସ୍ଥାପନ୍ନ ବ୍ୟକ୍ତିଙ୍କର ଅଭାବ ଥିଲା, ସେ ଗ୍ରାମରେ ଗ୍ରାମବାସୀଙ୍କ ସମବେତ ଚେଷ୍ଟା ଦ୍ୱାରା ପୁଷ୍କରିଣୀ ଖନନ, ମାର୍ଗ ଗଠନ ଏବଂ ଜଳ ନିର୍ଗମନର ସୁବିଧା ସକାଶେ ନାଳ ଖୋଳାଇବା ପ୍ରଭୃତି ଗ୍ରାମ–ହିତକର କାର୍ଯ୍ୟ ଗୁଡ଼ିକ ସମ୍ପାଦିତ ହେଉଥିଲା । ଯାହାର ଯେଉଁ ଭଳି ଶକ୍ତି ଥିଲା, ଅର୍ଥ ଓ ସାମର୍ଥ୍ୟ ପ୍ରଦାନ କରି ସମବାୟ ନୀତିରେ ଦେଶର କାର୍ଯ୍ୟକୁ ଦଶ ଜଣ ମିଳି ମିଶି ସମ୍ପନ୍ନ କରୁଥିଲେ । ଧନୀ କିମ୍ବା ଅବସ୍ଥାପନ୍ନ ଲୋକଙ୍କ ବାହାର ଘରେ (ଚଉପାଢ଼ୀରେ) ଚାଟଶାଳୀ ବସୁଥିଲା; ଗୁରୁ ଶିଷ୍ୟ ମଧ୍ୟରେ ଟଙ୍କା ନେବା ଦେବା ସମ୍ବନ୍ଧ ନ ଥିଲା; ଛାତ୍ରମାନେ ନିଜ ନିଜ ଶକ୍ତି ଅନୁସାରେ ଗୁରୁଙ୍କର ଅଭାବ ମୋଚନରେ ରତ ଥିଲେ, ଗୁରୁ ନିଶ୍ଚିନ୍ତ ହୋଇ ଶିକ୍ଷାଦାନ କରୁଥିଲେ । ଲୋକଙ୍କର ଅଳ୍ପ ଅଭାବ ଥିଲା; ସେତେବେଳେ ଆଶା, ଆକାଙ୍କ୍ଷା ଓ ଅଭାବର ସୀମା ଅତିରିକ୍ତ ମାତ୍ରାରେ ବର୍ଦ୍ଧିତ ହୋଇ ନ ଥିଲା । ଗ୍ରାମବାସୀମାନଙ୍କ ବିବାଦ ଓ କଳହର ମୀମାଂସା ଗ୍ରାମର ମୁଖିଆ ଲୋକଙ୍କ ନିଶାପରେ ହେଉଥିଲା । କୌଣସି ପକ୍ଷର ମିଥ୍ୟା ସାକ୍ଷ୍ୟ ସଜାଇ ମାମଲା ଜିତିବାର ଆଶା ନ ଥିଲା । ଏହା ଉତ୍ତାରୁ ଗ୍ରାମର ଉତ୍ସବ ଆନନ୍ଦର ବ୍ୟବସ୍ଥା ମଧ୍ୟ ଗ୍ରାମର ଲୋକମାନଙ୍କ ଦ୍ୱାରା ହେଉଥିଲା । ଉତ୍ସବ ଆନନ୍ଦ ବ୍ୟତୀତ ମନୁଷ୍ୟର ତିଷ୍ଠିବା ଅସମ୍ଭବ । ଗ୍ରାମର ଧନୀଙ୍କ ଗୃହର କ୍ରିୟାକର୍ମରେ ଗ୍ରାମର ସମସ୍ତ ଲୋକେ ନିଜ ଘରକାମ ଭଳି କାର୍ଯ୍ୟ କରୁଥିଲେ । ସେଦିନ ଗ୍ରାମବାସୀ କାହାରି ଘରେ ଚୁଲି ଜଳିଲେ କ୍ରିୟାକର୍ତ୍ତା ଅଭିମାନ କରି କହୁଥିଲେ, ‘‘ମୋତେ ପର ମନେ କଲ !’’ ଏହା ବ୍ୟତୀତ ଅନ୍ୟାନ୍ୟ ଯାତ୍ରା ପ୍ରଭୃତିରେ ଗ୍ରାମ୍ୟଲୋକେ ଚାନ୍ଦା କରି ଉତ୍ସବରେ ବ୍ୟବସ୍ଥା କରୁଥିଲେ । ଗ୍ରାମବାସୀ ସମସ୍ତଙ୍କର ସାଧାରଣ ଉତ୍ସବରେ ଯାତ୍ରା ପ୍ରଭୃତି ସହିତ ସମ୍ବନ୍ଧ ଥିଲା । ଏହିପରି ଗ୍ରାମର ସମସ୍ତ କାର୍ଯ୍ୟରେ ସମବାୟ ନୀତି ଅନୁସୃତ ହେଉଥିଲା । ଆମ୍ଭମାନଙ୍କ ସମାଜିକ ବ୍ୟବସ୍ଥାରେ ନାନା ଅଂଶରେ ଏହି ନୀତିର ଅନୁସରଣ ଲକ୍ଷିତ ହୋଇଥାଏ । ବିବାହ, ଅନ୍ନପ୍ରାଶନ, ଶ୍ରାଦ୍ଧ ପ୍ରଭୃତିରେ ‘ବେଭାର’ ଦେବାର ବ୍ୟବସ୍ଥା ମଧ୍ୟ ଏହି ସମବାୟ ନୀତିର ସମ୍ପ୍ରସାରଣ–ଜଣକର କାର୍ଯ୍ୟ ଦଶ ଜଣଙ୍କ ସାହାଯ୍ୟରେ ସମ୍ପନ୍ନ ହେବାର ବ୍ୟବସ୍ଥା ।

 

ଏ କଥା ଗୁଡ଼ିକ ଏପରିଭାବରେ କହିବାର ଉଦ୍ଦେଶ୍ୟ ଏହି ଯେ, ଯେଉଁ ଭିତ୍ତି ଉପରେ ପୁନର୍ବାର ଆମ୍ଭମାନଙ୍କ ପଲ୍ଲୀ ଗଠିତ ହେବ, ସେ ଭିତ୍ତି ସମବାୟ ନୀତି । ଆମ୍ଭମାନଙ୍କୁ ସେହି ଭିତ୍ତି ଉପରେ ପଲ୍ଲୀ ଗଢ଼ିବାକୁ ହେବ–ଗ୍ରାମ୍ୟସମିତି ପ୍ରଭୃତିକୁ ବର୍ତ୍ତମାନ ଅବସ୍ଥାର ଉପଯୋଗୀ କରିବାକୁ ହେବ । ଗଠନ କଳ୍ପନା ପୂର୍ବରୁ ଆମ୍ଭମାନଙ୍କ ପୂର୍ବର ଅବସ୍ଥା କିପରି ଥିଲା, ତାହା ଭଲ କରି ଦେଖିବାକୁ ହେବ ।

 

ଯେ କୌଣସି ପ୍ରାଚୀନ ଗ୍ରାମ ଲକ୍ଷ୍ୟ କଲେ ଦୃଷ୍ଟ ହୁଏ, ଗ୍ରାମଟି ସର୍ବତୋଭାବରେ ସ୍ୱାବଲମ୍ବୀ ଥିଲା । ଭାରତବର୍ଷ ବିଷୟରେ ଅଭିଜ୍ଞ ଜଣେ ଇଂରେଜଙ୍କ ଲେଖାରୁ କିୟଦଂଶ ଉଦ୍ଧୃତ କରୁଅଛି:–"Every village is a sort of tiny republic, administering its own municipal affairs by means of rude but perfectly effective institutions." (ପ୍ରତି ଗ୍ରାମ ଗୋଟିଏ ଛୋଟ ସାଧାରଣତନ୍ତ୍ର ରାଜ୍ୟ । ପ୍ରତି ଗ୍ରାମ ଆପଣା ଆପଣାର ଗ୍ରାମ କାର୍ଯ୍ୟମାନଙ୍କୁ ସାଦା ସିଧା ଅଥଚ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ ଅନୁଷ୍ଠାନମାନଙ୍କ ଦ୍ୱାରା ଚଳାଉଥିଲା) ।

 

ଗ୍ରାମରେ ଭିନ୍ନ ଭିନ୍ନ ଜାତିଙ୍କର ଭିନ୍ନ ଭିନ୍ନ ସାହି ଥିଲା । ଯେଝା ସାହିରେ ଯେ ନିଜ ନିଜର କାର୍ଯ୍ୟ କରୁଥିଲେ । ଜାତି କହିଲେ, ଆମ୍ଭେମାନେ ଆଜିକାଲି Nation (ନେସନ୍) ବୋଲି ଯାହା ବୁଝିଥାଉଁ, ତାହା ନୁହେ । ବିଲାତରେ ମଧ୍ୟ ବ୍ୟବସାୟ ହିସାବରେ ଜାତିବିଭାଗ ହେଉଅଛି । ଏହି ବର୍ଣ୍ଣଭେଦରେ କେବଳ ଯେ ଶିଳ୍ପନୈପୁଣ୍ୟ ପୁରୁଷାନୁକ୍ରମରେ ଉନ୍ନତ ହୋଇ ଶେଷକୁ ସ୍ୱଭାବର ଅଙ୍ଗୀଭୂତ ହୁଏ, ଏହା ନୁହେ–ଏଥିରେ ଲୋକଙ୍କ ମନରେ ସନ୍ତୋଷ ମଧ୍ୟ ବିଦ୍ୟମାନ ରହିଥାଏ । ଏଥିରେ ଶଳ୍ପ ଓ ଅର୍ଥନୀତିର ହିସାବରେ ଯେପରି ଲାଭ, ସମାଜର ମଧ୍ୟ ସେହିପରି ଲାଭ । ଇଉରୋପର ମଧ୍ୟଯୁଗରେ ମଧ୍ୟ ଏହି ବ୍ୟବସ୍ଥା ରହିଥିଲା, ବୋଲି ଜଣେ ଲେଖକଙ୍କ ଲେଖନୀରୁ ପ୍ରକାଶ–‘‘Each trader was placed under a guild with powers of self–management and internal control.’’ (ପ୍ରତ୍ୟେକ ବ୍ୟବସାୟୀ ନିଜର ଜାତିଭାଇଙ୍କ ସଂଘର ଅଧୀନ ଥିଲା, ସେ ସଂଘ ସେହି ଜାତିର ସବୁ ସାମାଜିକ ସମସ୍ୟା ମୀମାଂସା କରି ଜାତିକୁ ଚଳାଉଥିଲା ।) ଏହା ଉତ୍ତାରୁ ଉଟଜ ଶିଳ୍ପର ସ୍ଥାନ କାରଖାନାସମୂହ ଅଧିକାର କରିବାରୁ ଏହି ସବୁ ‘‘Guild’’ ଜାତି ଭାଇଙ୍କ ଗଠିତ ବହିର୍ବାଣିଜ୍ୟ ସଂଘ (corporations for foreign trade) ରେ ପରିଣିତ ହୋଇଗଲା । ଏଥିରେ ଭଲ ହେଲା, କି ମନ୍ଦ ହେଲା, ଏ ସମସ୍ତର ବିଚାରରେ ଆଜି କଥା କହିବା ଅସଙ୍ଗତ । ବର୍ତ୍ତମାନ କ୍ଷେତ୍ରରେ ଏହାର ଆଲୋଚନା ଲେଖକର ଅଭିପ୍ରାୟ ବହିର୍ଭୂତ । କେବଳ ପ୍ରାଚୀନ ‘‘ପଲ୍ଲୀଗ୍ରାମର ଗଠନପ୍ରଣାଳୀ’’ ହିଁ ବର୍ତ୍ତମାନ ଆଲୋଚ୍ୟ । ଗ୍ରାମର କମାରସାହିରେ କର୍ମକାରମାନେ ଲୌହକୁ ଅଗ୍ନିରେ ଉତ୍ତପ୍ତ କରି ଗ୍ରାମବାସୀଙ୍କ ନିତ୍ୟ ପ୍ରୟୋଜନୀୟ କଟୁରି, ଗୁଆକାତି, ଦାଆ, ପନିକି, ଲଙ୍ଗଳଲୁହା ପ୍ରଭୃତି ଗଢ଼ୁଥିଲେ; ତନ୍ତିସାହିରେ ତନ୍ତୁବାୟକୁଳ ସୂତା ପରିଷ୍କାର କରିବାଠାରୁ ଲୁଗାବୁଣା ପର୍ଯ୍ୟନ୍ତ ସବୁ କରି ଗାମୁଛା, ପିନ୍ଧା ପ୍ରଭୃତି ସମସ୍ତ ପ୍ରସ୍ତୁତ କରି ଦେଉଥିଲେ; ସୁନାରୀ ମାନେ ତାଙ୍କର ଚାରିଆଡ଼ର ଲତା, ପତ୍ର, ଫୁଲ ପ୍ରଭୁତିରୁ ଆଦର୍ଶ ଘେନି ଅଳଙ୍କାର ପ୍ରସ୍ତୁତ କରୁଥିଲେ; କୁମ୍ଭାରସାହିରେ କୁମ୍ଭାରମାନେ ଚକ ବୁଲାଇ ହାଣ୍ଡି, ମାଠିଆ ପ୍ରଭୃତି ଗଢ଼ୁଥିଲେ–ଗ୍ରାମର ଜଙ୍ଗଲଗୁଡ଼ିକ ସଫା କରି କିମ୍ବା କାଟିନେଇ ଉହାରେ ଏହି ସବୁ ମୃତ୍ପାତ୍ର ପୋଡ଼ୁଥିଲେ । ଗ୍ରାମବାସୀଙ୍କର ନିତ୍ୟ ପ୍ରୟୋଜନୀୟ ପ୍ରାୟ ସମସ୍ତ ଦ୍ରବ୍ୟ ଗ୍ରାମରେହିଁ ମିଳୁଥିଲା । କୌଣସି ଗ୍ରାମଜାତ କୌଣସି ଦ୍ରବ୍ୟ ପ୍ରସିଦ୍ଧି ଲାଭ କଲେ ଅନ୍ୟାନ୍ୟ ଗ୍ରାମରେ ତାହାର ଗ୍ରାହକ ହେଉଥିଲେ; ସୁତରାଂ ବ୍ୟବସାୟର ପ୍ରସାର ମଧ୍ୟ ବୃଦ୍ଧି ଲଭୁଥିଲା ।

 

ଆମ୍ଭମାନଙ୍କ ପୁରାତନ ଗ୍ରାମସମୂହର ପରିଚିତ ଆଦର୍ଶ ଏହିପରି ଥିଲା ଏବଂ ଆଜିକାଲି ମଧ୍ୟ ଦୂର ଗଡ଼ଜାତର କୌଣସି କୌଣସି ଅଂଶରେ ଏହା ଦୃଷ୍ଟ ହୋଇଥାଏ । ଗ୍ରାମ୍ୟଲୋକଙ୍କର ପରସ୍ପର ମଧ୍ୟରେ ସେତେବେଳେ ଯେଉଁ ଆତ୍ମୀୟତାର ବନ୍ଧନ ରହିଥିଲା, ତାହା ବିସ୍ତୃତି ଲାଭ କଲେ ଜାତି (Nation) ଗଠିତ ହୋଇ ପାରନ୍ତା ।

 

ଜାତିଗଠନର ପ୍ରକୃତ ଉପାଦାନ ଆମ୍ଭମାନଙ୍କ ଗ୍ରାମ୍ୟସମାଜରେ ଥିଲା–ସ୍ୱାୟତ୍ତଶାସନର କ୍ଷମତା ସେହି ସମାଜରେହିଁ ପରିଚାଳନ ଫଳରୁ ପରିଣତି ଲାଭ କରନ୍ତା, ଏଥିରେ ସନ୍ଦେହ ନାହିଁ । ବର୍ତ୍ତମାନ ଆମ୍ଭେମାନେ ସ୍ୱାୟତ୍ତଶାସନର ଆଦର୍ଶ ବିଦେଶାଗତ ବୋଲି ଜ୍ଞାନ କରୁଁ; ପୁସ୍ତକରୁ କିମ୍ବା ବିଦେଶୀ ବକ୍ତାଙ୍କ ବକ୍ତୃତାରୁ ଉପଦେଶ ଗ୍ରହଣ କରିଥାଉଁ ମାତ୍ର । ଅଥଚ ଏ ସମସ୍ତର ଉପକରଣ ଆମ୍ଭମାନଙ୍କ ଘରେ ରହିଅଛି ଏବଂ ଏହା ଠିକ୍ ଯେ, ଘରର ଦ୍ରବ୍ୟ ଯେତେ ମନୋହର, ପରର ଦ୍ରବ୍ୟ ସେପରି ରମ୍ୟ ହୁଏ ନାହିଁ । ଏହି ସମସ୍ତ ଭାବର ଉପକରଣ ଆମ୍ଭମାନଙ୍କ ଜାତିର ଅସ୍ଥି ମଜ୍ଜାରେ ବର୍ତ୍ତମାନ ସୁଦ୍ଧା ରହିଅଛି । ଏଗୁଡ଼ିକର ପୁଷ୍ଟି ସାଧନ କରି ଆମ୍ଭମାନଙ୍କୁ ଆଜି ପୁଣି ପୁରାତନ ଆଦର୍ଶରେ କାଳୋପଯୋଗୀ ପରିବର୍ତ୍ତନ କରି ପଲ୍ଲୀର ପୁନର୍ଗଠନ କରିବା ଆବଶ୍ୟକ ହୋଇଅଛି । ଉତ୍କଳର ପଲ୍ଲୀଗୁଡ଼ିକ ସାସ୍ଥ୍ୟମୟ ଓ ସୁଖମୟ କରି ପଲ୍ଲୀରେ ପଲ୍ଲୀବାସିଙ୍କ ଜୀବନୋପାୟ ଅର୍ଜନର ବ୍ୟବସ୍ଥା କରି ଶିକ୍ଷିତ ଉତ୍କଳୀୟଙ୍କୁ ପ୍ରକୃତ ପଲ୍ଲୀବାସୀ କରିବା ବିହିତ ନୁହେ କି ? ଏହାହିଁ ବର୍ତ୍ତମାନ ଆମ୍ଭମାନଙ୍କର ପ୍ରକୃତ କାର୍ଯ୍ୟ–ଏହାହିଁ ବର୍ତ୍ତମାନ ଆମ୍ଭମାନଙ୍କ ଦେଶରେ Problem of reconstruction (ପୁନର୍ଗଠନ ସମସ୍ୟା) । ଏହି କାର୍ଯ୍ୟରେ ଶିକ୍ଷିତ ଉତ୍କଳୀୟଙ୍କୁ ଆତ୍ମନିୟୋଗ କରିବାକୁ ହେବ–ପଲ୍ଲୀବାସୀଙ୍କୁ ନୂତନ ଆଦର୍ଶ ଦେଖାଇବାକୁ ହେବ ।

 

(୨)

 

ବିଲାତର ଲୋକେ ପଲ୍ଲୀ ତ୍ୟାଗ କରି ସହରକୁ ଯାଉଅଛନ୍ତି ପଲ୍ଲୀ ଶ୍ରୀହୀନ ଓ କୃଷି ଅବଜ୍ଞାତ ହେଉଅଛି । ପୂର୍ବେ, ବିଲାତର ଲୋକମାନଙ୍କର ପଲ୍ଲୀ ପ୍ରତି କିଭଳି ଆକର୍ଷଣ ଥିଲା, ଲୋକେ ପଲ୍ଲୀ ତ୍ୟାଗ କଲେ କେତେ ଅସୁବିଧାରେ ପଡ଼ୁଥିଲେ ଏବଂ ପଲ୍ଲୀତ୍ୟାଗପାଇଁ କିପରି ଅନିଚ୍ଛୁକ ଥିଲେ, ବିଖ୍ୟାତ ଔପନ୍ୟାସିକ ‘ଜଜ୍ ଇଲିୟଟ୍’’ ଙ୍କ ଉପନ୍ୟାସ ସମୂହରୁ ତହିଁର ସ୍ପଷ୍ଟ ପରିଚୟ ମିଳେ । ସେଥିରୁ ମନେ ହୁଏ, ପୂର୍ବେ ବିଲାତର ଲୋକେ ଆମ୍ଭମାନଙ୍କ ଭଳି ପଲ୍ଲୀକୁ ବାସଭୂମି ବୋଲି ଜ୍ଞାନ କରୁଥିଲେ; ପିତୃପୁରୁଷଙ୍କ ସ୍ମୃତିପୂତ ପଲ୍ଲୀଗୃହରେ ବାସ କରି ଶାନ୍ତିଲାଭ କରିବାହିଁ ସେମାନଙ୍କର କାମ୍ୟ ଥିଲା । ବର୍ତ୍ତମାନ ବିଲାତରେ ସେ ଅବସ୍ଥାର ପରିବର୍ତ୍ତନ ହୋଇଅଛି–ଲୋକମାନେ ପଲ୍ଲୀ ତ୍ୟାଗ କରି କର୍ମକେନ୍ଦ୍ର ସହରକୁ ଯାଉଅଛନ୍ତି; ନିଜର ଗୃହତ୍ୟାଗ କରି ଭଡ଼ା ଗୃହର କେତୋଟି କକ୍ଷ ଘେନି ଦଶ ଜଣଙ୍କ ସହିତ ଏକତ୍ର ବାସ କରୁଅଛନ୍ତି । ବିଲାତର କୌଣସି କୌଣସି ଲୋକଙ୍କ ମତରେ ପଲ୍ଲୀର ଜନସ୍ରୋତ ସହର ଆଡ଼କୁ ବୋହି ଯାଉଅଛି । ଏହି କଥା ଘେନି ବିଲାତର ସୁବିଖ୍ୟାତ ଔପନ୍ୟାସିକ ଟମାସ୍ ହାର୍ଡି କହିଅଛନ୍ତି, ଜନସ୍ରୋତ ସହରଆଡ଼କୁ ବୋହି ଯାଉଅଛି ସତ୍ୟ, ମାତ୍ର ତାହା ଅସ୍ୱାଭାବିକ ପ୍ରତିକୂଳ ବେଗର ତାଡ଼ନାରେ ସିନା । ଏ ଦେଶରେ ମଧ୍ୟ ତାହାହିଁ ଦୃଷ୍ଟ ହେଉଅଛି । ବିଲାତଭଳି ଏ ଦେଶରେ ଦାରିଦ୍ର୍ୟହିଁ ପଲ୍ଲୀବାସୀଙ୍କ ପଲ୍ଲୀତ୍ୟାଗର କାରଣ ନୁହେ–ଆଦର୍ଶବିକାରହିଁ ଏହାର କାରଣ ।

 

ଏ ଦେଶର ଶାସ୍ତ୍ରକାରକମାନେ ବୁଝିଥିଲେ, ପ୍ରବୃତ୍ତିର ତାଡ଼ନାରୁ ମନୁଷ୍ୟର ନିସ୍ତାର ନାହିଁ; ପ୍ରବୃତ୍ତି ଅନଳରେ ବିଳାସର ଇନ୍ଧନ ଜଳା ହେଲେ ମନୁଷ୍ୟର ସର୍ବନାଶ ହୋଇଥାଏ । ଏହି ହେତୁରୁ ସେମାନେ ପ୍ରବୃତ୍ତିକୁ ପ୍ରଶ୍ରୟ ଦେଉ ନ ଥିଲେ–ନିବୃତ୍ତି ଦ୍ୱାରା ହିଁ ମାନବ ଜୀବନକୁ ନିୟନ୍ତ୍ରିତ କରିବାକୁ ଉପଦେଶ ଦେଇଥିଲେ । ଇହକାଳ ସର୍ବସ୍ୱ ନ ହୋଇ ପରକାଳ ପ୍ରତି ଦୃଷ୍ଟି ଦେବାକୁ ସେମାନେ ଲୋକଙ୍କୁ ଶିଖାଇଥିଲେ । ସେମାନେ ମନୁଷ୍ୟ ସମାଜକୁ ବୁଝାଇ ଦେଇଥିଲେ, ସୁଖ ଅପେକ୍ଷା ଶାନ୍ତିହିଁ ମନୁଷ୍ୟର ଈପ୍ସିତ ।

 

ଏହି ଆଦର୍ଶ ବହୁକାଳ ଏ ଦେଶରେ ଅକ୍ଷୁର୍ଣ୍ଣ ରହିଥିଲା । ମନୁଷ୍ୟର ଅଭାବ ଅନିବାର୍ଯ୍ୟ; ସଂସାରରେ ରହିବାକୁ ହେଲେ, ସମାଜରେ ବାସ କରିବାକୁ ହେଲେ, ଗୃହୀ ହେଲେ, ସର୍ବୋପକାରକ୍ଷମ ଗୃହସ୍ଥାଶ୍ରମର ସକଳ କର୍ତ୍ତବ୍ୟ ପାଳନ କରିବାକୁ ହେଲେ, ଅଭାବରୁ ନିଷ୍କୃତି ଲାଭ ଅସମ୍ଭବ । କିନ୍ତୁ ଅଭାବ ଯଥାସମ୍ଭବ ଯେତିକି ଅଳ୍ପ ହୋଇ ପାରେ, ସେତିକି କରିଦେଇ ସେମାନେ ଗ୍ରାମରେ ଗ୍ରାମବାସୀମାନଙ୍କ ଅଭାବ ପୂରଣର ଉପାୟ ଉଦ୍ଭାବନ କରିଥିଲେ; ସ୍ୱଚ୍ଛନ୍ଦ ବନଜାତ ଶାକରେ ଯେଉଁ ଉଦର ପୂର୍ଣ୍ଣ ହୁଏ, ମନୁଷ୍ୟକୁ ସେହି ଉଦରପୂର୍ତ୍ତି ସକାଶେ ଜୀବହିଂସା ଓ ପାପ କରିବାକୁ ନିଷେଧ କରିଥିଲେ । ଗ୍ରାମରେ ଗ୍ରାମବାସୀଙ୍କ ଅଭାବ ପୂରଣର ବ୍ୟବସ୍ଥା ମଧ୍ୟ ସେମାନେ କରିଥିଲେ । ଗ୍ରାମ୍ୟସମାଜ ଗ୍ରାମରେ ସମ୍ପୂର୍ଣ୍ଣ ଅଥଚ ସ୍ୱାବଲମ୍ବନଶୀଳ ଥିଲା । ଆଜି ଆମ୍ଭେମାନେ ଯେଉଁ ସ୍ୱାୟତ୍ତଶାସନ ସକାଶେ ଲାଳାୟିତ, ତାହାର ଭିତ୍ତି ଏ ଦେଶରେ ଯେପରି ଦୃଢ଼ ରହିଥିଲା, ସେପରି ଆଉ କୁତ୍ରାପି ନ ଥିଲା । ସମସ୍ତେହିଁ ବିରାଟ ସମାଜରୂପକ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଥିଲେ, କାହାକୁ ତ୍ୟାଗ କରି କାହାରି ଚଳୁ ନ ଥିଲା । ଏ ଦେଶର ପଲ୍ଲୀର ବ୍ୟବସ୍ଥା ବିବେଚନା କରି ଦେଖିଲେ, ପଲ୍ଲୀର ଚିତ୍ର ମନୋଯୋଗ ସହକାରେ ଦେଖିଲେ ବୁଝାଯାଏ, ଏ ଭଳି ବ୍ୟବସ୍ଥା ଅନେକ ଅଭିଜ୍ଞତାର ଫଳ ମାତ୍ର । ଏହି automony (ସ୍ୱାୟତ୍ତ–ଶାସନ) ନାମକ ପଦାର୍ଥ ଯେବେ ବିସ୍ତାର ଲାଭ କରେ, ତେବେ ଆଉ ସ୍ୱାୟତ୍ତଶାସନ ସକାଶେ ଆମ୍ଭମାନଙ୍କୁ ବିଦେଶରୁ ବୁଦ୍ଧି ଶିଖିବାକୁ ହେବ ନାହିଁ ।

 

ବର୍ତ୍ତମାନ ସୁଦ୍ଧା ଭାରତବାସୀଙ୍କ ଅସ୍ଥିମଜ୍ଜାରେ ପୁରାତନ ଆଦର୍ଶ Plain living and high thinking (ସରଳ ଜୀବନ ଯାପନ ଓ ଉଚ୍ଚ ଚିନ୍ତା) ର ପୂର୍ଣ୍ଣ ଆଦର୍ଶ ବିଦ୍ୟମାନ; ଭାରତବାସୀଙ୍କ ରକ୍ତ ସହିତ ନିବୃତ୍ତ ମନୋଭାବ ମିଶି ରହିଅଛି । ଏହି ହେତୁରୁ ଆଜି ଭାରତରେ ବର୍ଣ୍ଣାଶ୍ରମର ବିରାଟ ବ୍ୟବସ୍ଥା ଚୂର୍ଣ୍ଣ ହୋଇ ଏକାକାରରୂପ ଅର୍ଣ୍ଣବରେ ବିଲୁପ୍ତ ହୋଇ ଆଉ ନାହିଁ–ଏହି ହେତୁରୁ ଆଜି ଭାରତବାସୀ ନିଜର ବୈଶିଷ୍ଟ୍ୟ ରଖି ଜୀବିତ ରହି ପାରିଅଛି ।

 

ଆମ୍ଭେମାନେ ଯେ ଜୀବିତ ରହିଅଛୁଁ, ତାହା କେବଳ ଆମ୍ଭମାନଙ୍କ ପୂର୍ବବର୍ତ୍ତୀ ବ୍ୟକ୍ତିମାନଙ୍କର ବ୍ୟବସ୍ଥା ପ୍ରସାଦରୁ । କିନ୍ତୁ ଆମ୍ଭେମାନେ ଜୀବିତ ରହି ଆମ୍ଭମାନଙ୍କ ପରବର୍ତ୍ତୀ ବ୍ୟକ୍ତିମାନେ ଯେପରି ଜୀବିତ ରହି ପାରିବେ, ତାହାପାଇଁ କଅଣ କରୁଥାଇଁ ? ବରଂ ମନେ ହୁଏ, ଆମ୍ଭେମାନେ ଇଚ୍ଛା କରି ଆପଣାର ବିଲୋପ ସାଧନରେ ଅଗ୍ରସର ଏବଂ ନିଜର ଓ ନିଜ ବଂଶଧରମାନଙ୍କ ଆତ୍ମହତ୍ୟାର ପଥ ରଚନାରେ ଅଭ୍ୟସ୍ତ ହେଉଅଛୁଁ । ଏହାର ପ୍ରଥମ ସୋପାନ ଆମ୍ଭମାନଙ୍କର ପଲ୍ଲୀତ୍ୟାଗ ।

 

ନଗରରଚନା କଥା ଯେ ଏ ଦେଶର ଶାସ୍ତ୍ରକାରମାନଙ୍କ କଳ୍ପନାରେ ଉଦିତ ହୋଇ ନ ଥିଲା, ଏଭଳି ଯେଉଁ ମାନେ ଭାଳିଥାଆନ୍ତି, ସେମାନଙ୍କ ସହିତ ତର୍କ କରିବା ବୃଥା । କାରଣ, ସେମାନେ ଶାସ୍ତ୍ରକାରମାନଙ୍କ ବ୍ୟବସ୍ଥାର ସ୍ୱରୂପ ବୁଝି ସେମାନଙ୍କ ଦୂରଦର୍ଶିତାର ବିଷୟ ବୁଝି ପାରନ୍ତି ନାହିଁ । ଆମ ଶାସ୍ତ୍ରକାରମାନେ ବୁଝିଥିଲେ, ପଲ୍ଲୀତ୍ୟାଗଦ୍ୱାରା ସମାଜର ପ୍ରକୃତ ଶୃଙ୍ଖଳା ନଷ୍ଟ ହୁଏ । ପଲ୍ଲୀରେ ପ୍ରକୃତିଙ୍କ ସୌନ୍ଦର୍ଯ୍ୟ ଅକ୍ଷୁର୍ଣ୍ଣ–ନଗରରେ ତାହା କ୍ଷୁର୍ଣ୍ଣ; ପଲ୍ଲୀରେ ମନୁଷ୍ୟର ଆଶାର ଓ ଆକାଙ୍କ୍ଷାର ଅସ୍ୱାଭାବିକ ବିସ୍ତାର–ବିକାର ଅସମ୍ଭବ, ନଗରରେ ତାହା ଅନିବାର୍ଯ୍ୟ । ନଗରର ସ୍ୱାର୍ଥସଂଘାତରେ, ଇର୍ଷାଦ୍ୱେଷରେ ସମାଜ ବିକୃତ ହୁଏ–ମନୁଷ୍ୟ ତାହାର ମନୁଷ୍ୟତ୍ୱ ହରାଇ ଇହଲୋକ ସର୍ବସ୍ୱ ହୋଇ ପଡ଼େ । ଫଳରେ ସେ ଅନନ୍ତ ଦୁଃଖ ଭୋଗ କରି ଥାଏ; ତାହାର ସ୍ୱାସ୍ଥ୍ୟ କ୍ଷୁର୍ଣ୍ଣ ହୁଏ, ଆଦର୍ଶ ବିକୃତ ହୁଏ, ଆକାଙ୍କ୍ଷା ଅସ୍ୱାଭାବିକତା ଲାଭ କରେ, ନୀତିର ପ୍ରକୃତ ବନ୍ଧନ ବିଚ୍ଛିନ୍ନ ହୋଇଯାଏ ।

 

ଆମ୍ଭମାନଙ୍କର ଆଜି ଏହାହିଁ ହୋଇଅଛି । ଏହି ହେତୁରୁ ଆମ୍ଭେମାନେ ଆମ୍ଭମାନଙ୍କର ନିଜର ବୈଶିଷ୍ଟ୍ୟହରାଇ ତାହା ସକାଶେ ପୁଣି ପରର ମୁଖାପେକ୍ଷୀ ହେଉଅଛୁଁ । ଯେଉଁ ପଲ୍ଲୀ ଏ ଦେଶରେ ସମାଜର କେନ୍ଦ୍ର ଥିଲା, ଯେଉଁ ପଲ୍ଲୀର ଉତ୍ସରୁ ଉତ୍କଳର ଭାବ ମନ୍ଦାକିନୀ ପ୍ରବାହିତ ହୋଇ ଜାତୀୟ ଜୀବନକୁ ସରସ ଓ ତେଜସ୍କର କରି ରଖୁଥିଲା–ଯେଉଁ ପଲ୍ଲୀରେ ଉତ୍କଳର ନ୍ୟାୟ, କାବ୍ୟ, ଗୀତ, ଏ ସମସ୍ତର ଉଦ୍ଭବ–ଯେଉଁ ପଲ୍ଲୀର ଶାନ୍ତ ସ୍ନିଗ୍ଧ ତପୋବନରେ ସାଧନାରୂପ କଳ୍ପତରୁରେ ଧର୍ମଫଳ ଫଳିଥିଲା–ସେହି ପଲ୍ଲୀ ଆଜି ପରିତ୍ୟକ୍ତ । ଯେଉଁ ପଲ୍ଲୀର ସ୍ନେହସରସ ବକ୍ଷର ଅମୃତଧାରା ଶସ୍ୟ ଓ ଫଲରେ ପରିଣତି ଲାଭ କରି, ଉତ୍କଳୀୟଙ୍କୁ ଅମର କରି ରଖୁଥିଲା, ଯାହାର ସ୍ଫଟିକ ଜଳଧାରାରେ ଉତ୍କଳୀୟର ଦେହିକ ତୃଷ୍ଣା ଏବଂ ଭାବର ଧାରାରେ ତାହାର ମନର ତୃଷ୍ଣା ମେଣ୍ଟି ଯାଉଥିଲା–ଯାତନାର ଦାବଦାହ କିମ୍ବା ନୀରସତା ଅୁନଭବ କରିବାକୁ ତାକୁ ଅବସର ହେଉ ନ ଥିଲା–ସେ ପଲ୍ଲୀ ଆଜି ଜନହୀନ ଏବଂ ଧନହୀନ ।

 

ପ୍ରତୀଚୀରେ ନଗରର ବାହୁଲ୍ୟ–କଳ କାରଖାନାସମୂହ ଉଟଜଶିଳ୍ପକୁ ଗ୍ରାସ କରିଅଛି–ବ୍ୟବସାୟର ଚାଞ୍ଚଲ୍ୟରେ ନଗର ସର୍ବଦା ସ୍ପନ୍ଦିତ–ଆକାଶ ଧୂମାଚ୍ଛନ୍ନ–ପବନ ଧୂଳିପୂର୍ଣ୍ଣ–ଜଳାଧାର ଆବିଳ; ପ୍ରତୀଚୀର ନଗରରେ ସମାଜର ଅବନତି ବ୍ୟତୀତ ଉନ୍ନତି ହୋଇ ନାହିଁ–ପ୍ରାଚୁର୍ଯ୍ୟ ପାର୍ଶ୍ୱରେ ଦାରିଦ୍ର୍ୟ–ଆଲୋକ ପାର୍ଶ୍ୱରେ ଘନୀଭୂତ ଅନ୍ଧକାର–ଭଜନାଳୟ ପାର୍ଶ୍ୱରେ ପାପର ପଙ୍କିଳ ପ୍ରବାହ; ସମାଜ ନାହିଁ, ଶାସନ ନାହିଁ, ସଂଯମ ନାହିଁ; ପଶୁ–ପ୍ରକୃତି ଅବାଧରେ ପ୍ରାଧାନ୍ୟ ଲାଭ କରି ସମାଜର ସର୍ବନାଶ ସାଧନ କରୁଅଛି । ଶତାବ୍ଦୀ ଉତ୍ତାରୁ ଶତାବ୍ଦୀ ଚାଲି ଯାଇଅଛି, ଏପର୍ଯ୍ୟନ୍ତ ପ୍ରତୀଚୀ ସହରକୁ ଶାନ୍ତିର ଅଗାର କରିବାର କୌଣସି ଉପାୟ କରି ପାରି ନାହିଁ । ପ୍ରତୀଚୀରେ ମଧ୍ୟ ସହରର ଅସ୍ୱାସ୍ଥ୍ୟ, ଦୁର୍ନୀତି, ଅସ୍ୱାଭାବିକତା ସମାଜର ସଜ୍ଜିତ ପୁଷ୍ପ ଉଦ୍ୟାନକୁ ଶ୍ମଶାନରେ ପରିଣତ କରିବାପାଇଁ ନିରନ୍ତର ପ୍ରୟାସୀ । ଏହାହିଁ ପ୍ରତୀଚୀର ଅଭିଜ୍ଞତା ।

 

ଏହି ଅଭିଜ୍ଞତା ଅର୍ଜନ କରି ସୁଦ୍ଧା ଆମ୍ଭେମାନେ–ପଲ୍ଲୀ ପ୍ରାଣ ଉତ୍କଳୀୟମାନେ–କଅଣ ପଲ୍ଲୀ ତ୍ୟାଗ କରିବା ? ପଲ୍ଲୀକୁ ପ୍ରତ୍ୟାବର୍ତ୍ତନର ପଥ ଥାଉଁ ଥାଉଁ ସେ ପଥର ପଥିକ ନ ହୋଇ ନଗରରେ ବାସ କରୁଥିବା ? ବିଗତ ମହାଯୁଦ୍ଧ ପୂର୍ବରୁ ପୁନଶ୍ଚ ପଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବାକୁ–ଲୋକଙ୍କୁ ପଲ୍ଲୀବାସ ପ୍ରତି ଆକୃଷ୍ଟ କରିବା ସକାଶେ ବିଲାତରେ ଅନେକ ପ୍ରସ୍ତାବ ଆଲୋଚିତ ହୋଇଥିଲା, ଲୋକଙ୍କର ପଲ୍ଲୀ ପ୍ରତି ଦୃଷ୍ଟି ପଡ଼ିଥିଲା । ଏହା ଉତ୍ତାରୁ ମହା ଯୁଦ୍ଧପରେ ବିଲାତର ସମାଜ ମଧ୍ୟରେ ପଲ୍ଲୀ ପ୍ରତି ଯେଉଁ ଆକର୍ଷଣର ସୃଷ୍ଟି ହୋଇଅଛି, ତହିଁରୁ ମନେ ହୁଏ, ବିଲାତର ଜନସ୍ରୋତ ଧୀରେ ଧୀରେ ପଲ୍ଲୀରୁ ସହରକୁ ଆସିଥିଲା, ମାତ୍ର ଏଣିକି ବେଗରେ ପଲ୍ଲୀଆଡ଼କୁ ଫେରିଯିବ ।

 

ଆମ୍ଭମାନଙ୍କ ସମାଜରେ ଆଦର୍ଶର ଅସ୍ୱାଭାବିକତା କେବଳ ପ୍ରତିଚ୍ୟ ଶିକ୍ଷାରେ ଶିକ୍ଷିତମାନଙ୍କୁ ଆକ୍ରମଣ କରିଅଛି ଏବଂ ସେମାନଙ୍କ ଦୃଷ୍ଟାନ୍ତରୁ ସେ ବିକୃତି ସମାଜର ଅନ୍ୟାନ୍ୟ ଅଂଶରେ ବ୍ୟାପ୍ତ ହେଉଅଛି । ଯେବେ ବର୍ତ୍ତମାନ ସେମାନେ ପ୍ରତୀଚୀ ଆଡ଼କୁ ଚାହିଁ ଏବଂ ନିଜର ଅତୀତ ଓ ବର୍ତ୍ତମାନ ଦେଖି ପଲ୍ଲୀ ଆଡ଼କୁ ପ୍ରତ୍ୟାବର୍ତ୍ତନରେ ମନ ବଳାନ୍ତି, ତେବେ କାଳକ୍ରମରେ ପ୍ରକୃତ ସୁଖ ଓ ଶାନ୍ତିର ଦିନ ଫେରି ଆସନ୍ତା, ଏହା ବିଚିତ୍ର ନୁହେ ।

 

ପଲ୍ଲୀ ଆମ୍ଭମାନଙ୍କର ଚିରାଶ୍ରୟ । ଏହି ପଲ୍ଲୀରେହିଁ ଉତ୍କଳର ସଭ୍ୟତା ଓ ସାହିତ୍ୟ, ଉତ୍କଳର ଶିଳ୍ପ ଓ ଧର୍ମ ବିକଶିତ ହୋଇ ଅଛି–ସେହି ସଭ୍ୟତା, ସାହିତ୍ୟ, ଶିଳ୍ପ ଓ ଧର୍ମରେ ଉତ୍କଳର ଗୌରବ ଅକ୍ଷୁର୍ଣ୍ଣ । ବର୍ତ୍ତମାନ ସେ ଦିନ ନାହିଁ, ଆମ୍ଭେମାନେ ମରୀଚିକାଲୁବ୍ଧ ହୋଇ ସେହି ପଲ୍ଲୀ ତ୍ୟାଗ କରି ଚାଲି ଆସୁଅଛୁଁ ।
 

ପଲ୍ଲୀ ଦୁର୍ଗତିର ଅନ୍ତ ନାହିଁ–ପଲ୍ଲୀତ୍ୟାଗ ଫଳରୁ ପଲ୍ଲୀ ପ୍ରକୃତରେ ବାସର ଅଯୋଗ୍ୟ ହୋଇଅଛି । ଜମିଦାରବର୍ଗ ସର୍ବପ୍ରଥମେ ପଲ୍ଲୀତ୍ୟାଗ କରି ସହରର ଆଶ୍ରୟ କରୁଥିଲେ ଏବଂ ପଲ୍ଲୀରୁ ଉତ୍ପନ୍ନ ଲଭ୍ୟାଂଶ ନିଜର ବିଳାସବାସନା ପରିତୃପ୍ତି ସକାଶେ ସହରରେ ବ୍ୟୟ କରିଥିଲେ ଏବଂ କରୁଅଛନ୍ତି । ଜମିଦାରବର୍ଗ ଅଧିକ ସମୟ ପଲ୍ଲୀଭବନରେ ବାସ କଲେ ଗ୍ରାମରେ ବିଦ୍ୟାଳୟର ପ୍ରତିଷ୍ଠା ହେବ, ପାନୀୟ ଜଳର ବ୍ୟବସ୍ଥା, ଚିକିତ୍ସାର ବନ୍ଦୋବସ୍ତ ଓ ମାର୍ଗମାନ ଭଲ ହେବ, ଏହା ସୁନିଶ୍ଚିତ । ପ୍ରଜାଙ୍କ ଉନ୍ନତି ସାଧନକୁ ଯେଉଁମାନେ ପବିତ୍ର କର୍ତ୍ତବ୍ୟ ବୋଲି ବୁଝିଥାଆନ୍ତି, କେବଳ ସେହି ଜମିଦାରମାନେ ପଲ୍ଲୀଭବନରେ ଅଧିକାଂଶ ସମୟ ଯାପନ କରିବାକୁ କୁଣ୍ଠିତ ହୁଅନ୍ତି ନାହିଁ ।

 

ଉତ୍କଳ ବର୍ତ୍ତମାନ କୃଷିପ୍ରାଣ; ସୁତରାଂ ଉତ୍କଳର ଉନ୍ନତି ଉପାୟ କରିବାକୁ ହେଲେ ସର୍ବପ୍ରଥମେ କୃଷିର ଉନ୍ନତି ସାଧନ ଆବଶ୍ୟକ । ଆମେରିକା ଯେପରି ସର୍ବପ୍ରଥମରେ କୃଷିଜ ପଣ୍ୟର ବ୍ୟବସାୟକରି କ୍ରମେ ସଞ୍ଚିତ ଅର୍ଥରେ ବିବିଧ ବ୍ୟବସାୟର ପ୍ରତିଷ୍ଠା କରିଥିଲା, ଉତ୍କଳରେ ସେପରି କଳ୍ପନା ଅସମ୍ଭବ ନୁହେ । ସହସା ଉତ୍କଳରେ ବିବିଧ ଶିଳ୍ପପ୍ରତିଷ୍ଠାର ସ୍ୱପ୍ନ ସଫଳ ହୋଇ ନ ପାରେ–ସେ କାର୍ଯ୍ୟ କାଳର ଏବଂ ଅର୍ଥର ସାପେକ୍ଷ । କେତେ ଦିନ ଆମ୍ଭମାନଙ୍କୁ ପ୍ରଧାନତଃ କୃଷି ଉପରେହିଁ ନିର୍ଭର କରିବାକୁ ହେବ ଏବଂ ଧନପାଇଁ ମଧ୍ୟ ଆମ୍ଭମାନଙ୍କୁ ପ୍ରଧାନତଃ କୃଷି ଉପରେହିଁ ନିର୍ଭର କରିବାକୁ ହେବ ଏବଂ ସେହି ଧନ ମଧ୍ୟ ଆମ୍ଭମାନଙ୍କୁ ପ୍ରଧାନତଃ କୃଷିରୁ ସଂଗ୍ରହ ଓ ସଞ୍ଚୟ କରିବାକୁ ହେବ । ମାତ୍ର ଏହି କୃଷିର ଉନ୍ନତି ନ ହୋଇ କ୍ରମଶଃ ଅବନତି ହେଉଅଛି, ଏହା ସମସ୍ତେହିଁ ସ୍ୱୀକାର କରିବେ । ପୂର୍ବବତ୍ ଚାଷ ପ୍ରଣାଳିରେ ଓ ପୂର୍ବର ସାର ଦେବା ପ୍ରଥାରେ ଆଉ ଏଣିକି ଚଳିବ ନାହିଁ, ଏହା ସମସ୍ତେ ବୁଝୁଅଛୁଁ; ସୁତରାଂ ଭୂମିରେ ଫସଲ କମ୍ହେଉଅଛି । ମାତ୍ର ପତ୍ରୀକାରର ଉପାୟ ଆମ୍ଭେମାନେ କରୁ ନାହୁଁ । ନ କରିବାର ପ୍ରଧାନ କାରଣ–କୃଷି ବିଷୟରେ ଅନଭିଜ୍ଞତା; ଯେଉଁମାନେ କୃଷି ଘେନି ରହିଅଛନ୍ତି, ସେମାନେ ଅଜ୍ଞତାର ଅନ୍ଧକାରରେ ଚିରାଚରିତ ରୀତିରେ କୃଷି କାର୍ଯ୍ୟ କରୁଅଛନ୍ତି । ସରକାରୀ କୃଷିବିଭାଗର କର୍ମଚାରୀମାନେ ସବୁବେଳେ କହୁଅଛନ୍ତି, ଏ ଦେଶରେ ଆମ୍ଭେମାନେ ଜମି ସକାଶେ ଓ କୃଷି ସକାଶେ ପ୍ରୟୋଜନାନୁରୂପ ଅର୍ଥ ଓ ବୁଦ୍ଧି ବ୍ୟୟ କରୁ ନାହୁଁ । ଏହି କଥାଟିକୁ ଆମ୍ଭମାନଙ୍କୁ ଭଲରୂପେ ବୁଝିବାକୁ ହେବ । ଆମାରିକାରେ କୃଷିର ଯେଉଁ ଉନ୍ନତି ହେଉଅଛି, ତାହା ସ୍ମରଣ କଲେ କବିକଳ୍ପନା ବୋଲି ମନେ ହୁଏ । ମନୁଷ୍ୟକୁ ଯେପରି ଟୀକା ଦେଇ ନିର୍ବ୍ୟାଧି କରିବାକୁ ହୁଏ, ଜମିରେ ସେପରି ଟୀକା ଦେଇ ତାହାର ପ୍ରକୃତି ପରିବର୍ତ୍ତିତ କରି ଇଚ୍ଛାନୁରୂପ ଫସଲ ଉତ୍ପାଦନ କରିବାକୁ ହୁଏ । ଆମେରିକରରେ ଭିନ୍ନ ଭିନ୍ନ ଶସ୍ୟକୁ ବାଛି ଓ ମିଶାଇ ନୂତନ ନୂତନ ପ୍ରକାର ଶସ୍ୟ ସୃଷ୍ଟ ହେଉଅଛି । ଆମେରିକାରେ ଯାହା ହୋଇଅଛି ଏ ଦେଶରେ ମଧ୍ୟ ତାହା ହୋଇ ପାରିବ । ମାତ୍ର କରିବ କିଏ ? ଏଥିସକାଶେ ବୁଦ୍ଧିମାନ୍ବ୍ୟକ୍ତିଙ୍କର କୃଷିକାର୍ଯ୍ୟ ଆତ୍ମନିୟୋଗ ଆବଶ୍ୟକ । ସରକାରୀ କୃଷିବିଭାଗର ଅନେକ ତ୍ରୁଟି ଅଛି, ସ୍ୱୀକାର କରୁଁ; କିନ୍ତୁ ସେ ବିଭାଗ ଯେଉଁ ସାହାଯ୍ୟ ଦିଅନ୍ତି ଅଥବା ଦେଇ ପାରନ୍ତି, ଆମ୍ଭେମାନେ ତାହାର କେଉଁ ସଦବ୍ୟବହାର କରୁଥାଇଁ ? ଉତ୍କଳ ପଲ୍ଲୀର ରୋଗଜୀର୍ଣ୍ଣ, ସାହାଯ୍ୟ ଅଭାବରୁ ଶୀର୍ଣ୍ଣ, ନିରକ୍ଷର କୃଷକ ସେ ସବୁ ସାହାଯ୍ୟର ସନ୍ଧାନ ଜାଣେ ନାହିଁ–ଜାଣି ପାରେ ନାହିଁ । କୃଷିବିଭାଗଙ୍କ ପ୍ରଦତ୍ତ ବୀଜରେ ଧାନର ଫସଲ ଭଲ ହୋଇଅଛି, ଏହା ଅନେକେ ଅବଗତ; ମାତ୍ର ଏ ସୁଯୋଗ କେତେ ଜଣ ଅବଲମ୍ବନ କରିଅଛନ୍ତି ? ଯେତେଦିନ ଉତ୍କଳର ଶିକ୍ଷିତ ସମ୍ପଦ୍ରାୟ ହାଇକୋର୍ଟରେ ଜଜ ଅଥବା ଓକିଲ ବାରିଷ୍ଟର ହେବାର ସ୍ୱପ୍ନ ଦେଖି ଶେଷରେ କୋଡ଼ିଏ ଟଙ୍କାର କିରାଣିଗିରିରେ ଜୀବନ କଟାଇବା ଅସ୍ୱାଭାବିକ ବିବେଚନା କରି ପୁନଶ୍ଚ ପଲ୍ଲୀବାସକୁ ଫେରି ନ ଯିବେ, ତେତେଦିନ ଏହାର କୌଣସି ଉପାୟ ଅଥବା ପ୍ରତୀକାର ହେବ ନାହିଁ ।

 

କେବଳ କୃଷିରେ ନୁହେ, ନାନା ଆଡ଼େ ପଲ୍ଲୀରେ ବର୍ତ୍ତମାନ ସୁଦ୍ଧା ଉତ୍କଳୀୟଙ୍କର ସ୍ୱଚ୍ଛନ୍ଦରେ ଜୀବନଯାପନ କରିବାର ଉପାୟ ବିଦ୍ୟମାନ ରହିଅଛି । ଆମ୍ଭମାନଙ୍କ ଦେଶରେ ଯେ ସାମାଜିକ ବ୍ୟବସ୍ଥା ଶତ ଶତ ବର୍ଷର ଅଭିଜ୍ଞତାରେ ରଚିତ ହୋଇଥିଲା, ତାହା ଆମ୍ଭେମାନେ ଚେଷ୍ଟା କରି ସୁଦ୍ଧା ନଷ୍ଟ କରି ପାରୁନାହୁଁ । ଯେଉଁ ପଲ୍ଲୀସମାଜର ବ୍ୟବସ୍ଥା ଦେଖି ବିଦେଶର ସୁଧୀବର୍ଗ ଶ୍ରଦ୍ଧା ଓ ପ୍ରଶଂସା କରିଅଛନ୍ତି, ଓ ଆମ୍ଭେମାନେ ଯାହାକୁ ବର୍ବରତାର ନିଦର୍ଶନ ବୋଲି ଉପାହସ କରୁଅଛୁଁ, ସେହି ପଲ୍ଲୀସମାଜର ସୁଦୃଢ଼ ଭିତ୍ତି ଉପରେ ଆମ୍ଭମାନଙ୍କର ସମାଜସୌଧ ଦଣ୍ଡାୟମାନ । ସେ ସୌଧ ଆଜି ଜୀର୍ଣ୍ଣ–ତାହାର ଅଧିବାସୀମାନେ ତାହା ପ୍ରତି ଅନାଦର ଦେଖାଇ ତାହାକୁ ତ୍ୟାଗ କରି ଚାଲିଗଲେଣି । ସୌଧ ଅଙ୍ଗରେ ବୃକ୍ଷ ଜନ୍ମିଲାଣି–ତାହାର ସ୍ଥାନବିଶେଷରେ ପ୍ରାଚୀର ଭଗ୍ନ ହେଲାଣି । କିନ୍ତୁ ବର୍ତ୍ତମାନ ସୁଦ୍ଧା ତାହାର ସଂସ୍କାର ସମ୍ଭବ–ସଂସ୍କୃତ ହେଲେ ତାହା ପୁଣି ବାସୋପଯୋଗୀ ହୋଇ ପାରେ । ଆମ୍ଭମାନଙ୍କ ଚିରାଶ୍ରୟରେ ଆମ୍ଭେମାନେ ପୁଣି ପୂର୍ବବତ୍ ଆଶ୍ରୟଲାଭ କରିବାକୁ ସମର୍ଥ ହୋଇ ପାରିବୁଁ ।

 

କିନ୍ତୁ ଏଥିପାଇଁ ଆମ୍ଭମାନଙ୍କର ଆଗ୍ରହ କାହିଁ ? ଆମ୍ଭମାନଙ୍କର ଆଗ୍ରହ କିମ୍ବା ଚେଷ୍ଟା ନ ଥିଲେ କିଏ ଆମ୍ଭମାନଙ୍କର ଉନ୍ନତିର ଉପାୟ କରି ଦେଇ ପାରେ ?

 

ବର୍ତ୍ତମାନ ସୁଦ୍ଧା ପଲ୍ଲୀର ସଂସ୍କାର ସମ୍ଭବ । ଯେବେ ଆମ୍ଭେମାନେ ପ୍ରତୀଚ୍ୟ ଦେଶର ଅଭିଜ୍ଞତାର ସଦ୍ବ୍ୟବହାର କରି ଏ ଦେଶର ପଲ୍ଲୀସମୂହର ସଂସ୍କାର କରୁଁ–ଯେବେ ଗ୍ରାମ୍ୟ ପଥଘାଟ ପ୍ରଭୃତି ଭଲ କରାଇ, ପାନୀୟ ଜଳ ସକାଶେ ସ୍ୱତନ୍ତ୍ର ପୁଷ୍କରିଣୀର ପ୍ରତିଷ୍ଠା କରି, ଗ୍ରାମରେ ବିଦ୍ୟାଳୟ ଓ ଚିକିତ୍ସାଳୟର ବ୍ୟବସ୍ଥା କରିପାରୁଁ ଏବଂ ଗ୍ରାମର ଜଙ୍ଗଲ କଟାଇ, ଗାଡ଼ିଆସମୂହ ପୋତିବାର ବ୍ୟବସ୍ଥା କରୁଁ–ଗୋଟିଏ କଥାରେ, ଯେବେ ଗ୍ରାମକୁ ପୁଣି ପୂର୍ବବତ୍ ବାସଯୋଗ୍ୟ ଓ ସୁଖଦ କରି ପାରୁ, ତେବେ ଓଡ଼ିଆଙ୍କର ଜାତି ହିସାବରେ ପରମାୟୁ ବଢ଼ିଯିବ–ଓଡ଼ିଆ ପୁଣି ତାହାର ମରଣାହତ ଦେହରେ ନବୀନ ଜୀବନ–ସଞ୍ଚାର ଅନୁଭବ କରି ଆନନ୍ଦରେ କାର୍ଯ୍ୟକ୍ଷେତ୍ରକୁ ଅଗ୍ରସର ହୋଇ ନିଜର ଇସ୍ପିତ ଫଳଲାଭ କରି ପାରିବ–ଓଡ଼ିଆ ପୁଣି ସାହିତ୍ୟ, ଶିଳ୍ପ ଓ ସମୃଦ୍ଧିରେ ନିଜର ବିଜୟବୈଜୟନ୍ତୀ ଉଡ଼ାଇ ପାରିବ–ଶୌର୍ଯ୍ୟ ଓ ବୀର୍ଯ୍ୟରେ ଓଡ଼ିଆଙ୍କର ନାମ ସର୍ବତ୍ର କୀର୍ତ୍ତିତ ହେବ । ଯେଉଁ ଦିନ ପୁଣି ଉତ୍କଳର ପଲ୍ଲୀସମୂହରେ ସ୍ୱାସ୍ଥ୍ୟଲାବଣ୍ୟସୁନ୍ଦର ନରନାରୀଙ୍କର ଆନନ୍ଦକୋଳାହଳ ଶ୍ରୁତ ହେବ–ଦେବାୟତନରେ ଆରତ୍ରିକର ସମାରୋହ ହେବ–ପାଠଗୋଷ୍ଠୀରେ ପାଠରତ ବାଳକ ବାଳିକାଙ୍କର ସଂଖ୍ୟା ବର୍ଦ୍ଧିତ ହେବ–ସେହି ଦିନ ବୁଝାଯିବ, ଓଡ଼ିଆଙ୍କ ଜୀବନର ନୂତନ ଅଙ୍କରେ ନୂତନ ଦୃଶ୍ୟପଟ ଉତ୍ତୋଳିତ ହେଲା–ପୁଣି ତାହାର ଉନ୍ନତିର ପ୍ରକୃତ ମାର୍ଗ ଫିଟିଗଲା ଏବଂ ଯାତ୍ରା ଆରମ୍ଭ ହେଲା ।

 

ଏହି ଶୁଭଯାତ୍ରାର ଆୟୋଜନ ଶିକ୍ଷିତ ଉତ୍କଳୀୟଙ୍କୁ କରିବାକୁ ହେବ । ଯେଉଁମାନେ ଓଡ଼ିଶାର ପୂର୍ବ ଗୌରବ ରକ୍ଷା କରିବେ–ଯେଉଁମାନେ ଜୀବନଯୁଦ୍ଧରେ ଜୟୀ ହୋଇ ପୁଣି ଉତ୍କଳରେ ବିଜୟ–ଶଙ୍ଖ ନିନାଦିତ କରିବେ, ଯେଉଁମାନେ ଉତ୍କଳର ଶ୍ମଶାନରେ ଶବସାଧନା କରି ସିଦ୍ଧି ଲାଭ କରିବେ, ଯେଉଁମାନେ ଉତ୍କଳର ନବଜାଗରଣର ଅଗ୍ରଦୂତରୂପେ ଦେଶର ଲୋକଙ୍କୁ ବାଟ କଢ଼ାଇ ନେବେ, ଉତ୍କଳର ସେହି ଶିକ୍ଷିତ ଯୁବକମାନଙ୍କୁ ଏହି କାର୍ଯ୍ୟ କରିବାକୁ ହେବ । ଶିକ୍ଷାର ପ୍ରକୃତ ଦାୟିତ୍ୱ ବିବେଚନା କରି, ଆତ୍ମରକ୍ଷାର କର୍ତ୍ତବ୍ୟ ସ୍ମରଣ କରି, ଜାତିର କଲ୍ୟାଣକାମନା ହୃଦୟରେ ବହନ କରି, ଜଗତରେ ଆତ୍ମପ୍ରତିଷ୍ଠା କରି ଜୟୀ ହେବାର ବାସନାରେ ଉଦ୍ବୁଦ୍ଧ ଓ ଉତ୍ଫୁଲ୍ଲ ହୋଇ ସେମାନେ ଯେଉଁ ଦିନ କାର୍ଯ୍ୟରେ ପ୍ରବୃତ୍ତ ହେବେ, ସେହି ଦିନରୁ ଉତ୍କଳର ପ୍ରକୃତ ଶୁଭଯୁଗର ଆରମ୍ଭ ହେବ ।

 

(୩)

 

ଆମ୍ଭମାନଙ୍କ ଦେଶରେ ଯେଉଁମାନେ ଲକ୍ଷ୍ମୀ ଓ ସରସ୍ୱତୀଙ୍କର ଅନୁଗ୍ରହଭାଜନ–ଯେଉଁମାନେ ଦେଶର ଆଶା ଭରସାର ସ୍ଥଳ, ସେମାନେ ଆଜି ନାନା କାରଣରୁ ପଲ୍ଲୀଗ୍ରାମ ଉପରେ ବିରକ୍ତ ହୋଇ ଦେଶ ଛାଡ଼ିଅଛନ୍ତି । ପଲ୍ଲୀରେ ସେମାନଙ୍କର ମନ ଲାଗି ରହୁନାହିଁ, ପ୍ରାଣ ବ୍ୟାକୁଳ ହେଉଅଛି । ସେଠାରେ ସଭାସମିତି ନାହିଁ; ବକ୍ତୃତା ନାହିଁ, ଥିଏଟର୍, ସର୍କସ୍, ବାୟସ୍କୋପ୍ପ୍ରଭୃତି ଆମୋଦ ପ୍ରମୋଦର କୌଣସି ଉପାୟ ନାହଁ–ଜୀବନ କେବଳ ବୈଚିତ୍ର୍ୟହୀନ ଭାବରେ କଟେ; ଏହି ହେତୁରୁ ସେମାନେ ପଲ୍ଲୀ ଗ୍ରାମରେ ରହିବାକୁ ରାଜି ହୁଅନ୍ତି ନାହିଁ । ଏହା ବ୍ୟତୀତ ପଲ୍ଳୀଗ୍ରାମରେ ଭିନ୍ନ ଭିନ୍ନ ଦଳର ସଂଘର୍ଷ ଓ ଦଳାଦଳି ହେତୁରୁ ମାଲିମକଦ୍ଦମା, ହିଂସା, ଦ୍ୱେଷ ଲାଗି ରହିଅଛି, ଏହି ସକାଶେ ସେଠାରେ ରହିବାକୁ ମନ ଲାଗୁ ନାହିଁ । ଏ ସସସ୍ତ ମିଥ୍ୟା ନୁହେ, ସ୍ୱୀକାର କରୁଅଛି, ତଥାପି କହୁଅଛି, ପଲ୍ଲୀଗ୍ରାମ ହିଁ ଭଲ ।

 

ଉତ୍କଳର ବାଲେଶ୍ୱର ଜିଲ୍ଲାରେ ମାଲେରିଆ ଜ୍ୱରର ପ୍ରକୋପ ପରିବ୍ୟାପ୍ତ ହେବାକୁ ବସିଲାଣି–କ୍ରମଶଃ କଟକ ଓ ପୁରୀ ଅଞ୍ଚଳର କେତେକ ଗ୍ରାମ ମଧ୍ୟ ଏହି ଦୋଷରେ ଦୂଷିତ ହେବା ଶୁଣା ଗଲାଣି । ମାତ୍ର ପଲ୍ଲୀସମୂହରୁ ଏହି ମାଲେରିଆ ବିଷକୁ ନିର୍ବାସିତ କରିବାର ପ୍ରକୃତ ଉପାୟ କଅଣ ? ଏହା କିପରି ନିବାରିତ ହେବ ? ଛଅ ମାସ ବର୍ଷକେ ଥରେ ଥରେ ଡାକ୍ତର ଆସି ପଲ୍ଲୀ ଭ୍ରମଣ କରିଗଲେ କଅଣ ମାଲେରିଆର ପ୍ରତୀକାର ହେବ ? ଦେଶର ଯେଉଁମାନେ ଭାଗ୍ୟବାନ୍, ଲକ୍ଷ୍ମୀମନ୍ତ ଓ ବିଦ୍ୱାନ୍, ସେମାନେ ଯେବେ ବର୍ଷକେ ଅନ୍ତତଃ ୩ । ୪ ଥର ଗ୍ରାମକୁ ଯାଇ ସେଠାରେ କେତେକାଳ ବାସ କରି ଗ୍ରାମର ଉନ୍ନତି ସାଧନରେ ଆତ୍ମନିୟୋଗ କରନ୍ତେ, କି ଉପାୟରେ ଦେଶର ଶ୍ରୀବୃଦ୍ଧି ସାଧିତ ହୋଇ ପାରେ, ତାହାର ପରାମର୍ଶ କରନ୍ତେ, ମଧ୍ୟେ ମଧ୍ୟେ ନିଜର ବନ୍ଧୁ ବାନ୍ଧବଙ୍କୁ ପଲ୍ଲୀଗ୍ରାମକୁ ନେଇ ସେମାନଙ୍କ ସହିତ ଗ୍ରାମର ଉନ୍ନତି ସାଧନ ବିଷୟରେ ପରାମର୍ଶ କରନ୍ତେ, ତାହା ହେଲେ ମାଲେରିଆ ଏବଂ ଅନ୍ୟାନ୍ୟ ରୋଗ ଗ୍ରାମରୁ ନିର୍ବାସିତ ନ ହେଉ ପଛକେ, ତହିଁ ର ପ୍ରଭାବ ଅନେକ ପରିମାଣରେ କମିଯାଆନ୍ତା । ଲୋକ ଅଭାବରେ ଗ୍ରାମରେ ଯେତେ ଜଙ୍ଗଲ ବୃଦ୍ଧି ପାଉଅଛି, ତେତିକି ପରିମାଣରେ ନାନାବିଧ ରୋଗ ବିକଟ ବଦନ ବ୍ୟାଦାନ କରି ଲୋକ ସଂହାର କରୁଅଛି । ଜଣେ ପ୍ରବୀଣ ଡାକ୍ତର କହିଥିଲେ, ଗ୍ରାମରୁ ଲୋକସଂଖ୍ୟା କମିଗଲେ ମାଲେରିଆ ପ୍ରଭୃତି ନାନା ରୋଗ ସଂଖ୍ୟା ବଢ଼ିଯାଏ । ଏ କଥା ସତ୍ୟ ହେଲେ ଏହା ନିଶ୍ଚିତ ଯେ, ପଲ୍ଲୀପରିତ୍ୟାଗୀ ବିଳାସୀ ନାଗର ବାବୁପୁଙ୍ଗବମାନଙ୍କ ଦୋଷରୁହିଁ ପଲ୍ଲୀଗୁଡ଼ିକ ରୋଗଭାରାକ୍ରାନ୍ତ । ଦ୍ୱିତୀୟତଃ ଯେଉଁମାନେ ପଲ୍ଲୀଜନନୀଙ୍କର କୃତୀ ସନ୍ତାନ, ସେମାନେ ଯେବେ ପଲ୍ଲୀଗ୍ରାମରେ ବାସ କରି ସମସ୍ତେ ଏକବାକ୍ୟରେ ଏହି ସମସ୍ତ ରୋଗର ପ୍ରତୀକାର ସକାଶେ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବେ, ତେବେ ସରକାର ମଧ୍ୟ ଏ ସବୁର ବିହିତ ପ୍ରତୀକାର କରିବେ–ଏହା ନିଶ୍ଚିତ । ଏହା ନ କରି, ଯାହାଙ୍କର ଟିକିଏ କୃତିତ୍ୱ ରହିଅଛି, ସେ ଯେବେ ପଲ୍ଲୀଜନନୀଙ୍କ କ୍ରୋଡ଼ ପରିତ୍ୟାଗ କରି ‘‘ଯାଃ ପଳାୟତି ସ ଜୀବତି’’ କହି ସହରକୁ ଚାଲି ଆସନ୍ତି ଏବଂ ନିରକ୍ଷର, ମୂର୍ଖ, ଅଳସୁଆ ଓ ଅକର୍ମଣ୍ୟ ଲୋକେ ଯେବେ ଗ୍ରାମରେ ରହନ୍ତି, ତେବେ ଗ୍ରାମର ପ୍ରକୃତ ଉନ୍ନତି ସୁଦୂରପରାହତ । ସୁତରାଂ ଯେଉଁମାନେ ଗ୍ରାମରେ ପଡ଼ି ରହିଛନ୍ତି, ସେମାନେ କିପରି ସେମାନଙ୍କର ମନକଥା କର୍ତ୍ତୃପକ୍ଷଙ୍କୁ ଜଣାଇବେ, କି ପ୍ରକାରରେ ସଂଘବଦ୍ଧ ହୋଇ କାର୍ଯ୍ୟ କରିବାକୁ ହେବ, ଏହା ସବୁ ଜାଣନ୍ତି ନାହିଁ; ସୁତରାଂ ସେମାନେ ନୀରବରେ ରୋଗ ଭୋଗ କରି ମରଣରେ ଅଭ୍ୟସ୍ତ ହୋଇଯାଆନ୍ତି, ସେମାନଙ୍କର ମର୍ମଭେଦୀ କ୍ରନ୍ଦନଧ୍ୱନି ଉପରକୁ ଉଠିପାରେ ନାହିଁ ।

 

ଅନେକ କହିଥାଆନ୍ତି, ପଲ୍ଲୀଗ୍ରାମରେ ହିଂସା ଦ୍ୱେଷ ପ୍ରଭୃତି ବଡ଼ ପ୍ରବଳ, ଏହି ହେତୁରୁ ସେଠାରେ ବାସ କରିବା ନିରାପଦ ନୁହେଁ । ପଲ୍ଲୀଗ୍ରାମରେ ମାମଲା ମକଦ୍ଦମା ବେଶି ହୁଏ, ସୁତରାଂ ପ୍ରକୃତ ଭଦ୍ରବ୍ୟକ୍ତିଙ୍କର ସେଠାରେ ତିଷ୍ଠିବା ଅସମ୍ଭବ, ଏହା ମଧ୍ୟ ଅନେକଙ୍କର ମତ । ଏ ସବୁ କଥା ଅନେକ ପରିମାଣରେ ସତ୍ୟ, ଏହା ସ୍ୱୀକାର କରୁଅଛି । କିନ୍ତୁ ପକ୍ଷାନ୍ତରରେ ପଲ୍ଲୀଗ୍ରାମରେ ଯେପରି ପ୍ରଗାଢ଼ ବନ୍ଧୁତ୍ୱ, ଐକାନ୍ତିକ ହୃଦ୍ୟତା ଏବଂ ପରସ୍ପର ମଧ୍ୟରେ ପ୍ରକୃତ ସହାନୁଭୂତି ଦୃଷ୍ଟ ହୁଏ, ସହରରେ ଏଗୁଡ଼ିକ ଏକାବେଳକେ ଦୁର୍ଲଭ । ସହରର ଲୋକେ ମୁହଁରେ ସୌଜନ୍ୟ ଓ ଶିଷ୍ଟାଚାରର ପରାକାଷ୍ଠା ଦେଖାଇ ସୁଦ୍ଧା ଭିତରେ ପ୍ରକୃତ ଆତ୍ମୀୟତାର ବିଶେଷ ଅଭାବ ପ୍ରଦର୍ଶନ କରନ୍ତି, ଏହା ଲେଖକ ବହୁ ସ୍ଥାନରେ ଅନୁଭବ କରିଅଛି । ସହରରେ ଆତ୍ମୀୟତା ଓ ବନ୍ଧୁତ୍ୱର ସୀମା ଅତି ସଂକୀର୍ଣ୍ଣ–ମାତ୍ର ପଲ୍ଲୀଗ୍ରାମରେ ସେପରି ନୁହେ । ପ୍ରକୃତ ଶିକ୍ଷିତ ଓ ଉଦାରପ୍ରକୃତିକ ଲୋକ ପଲ୍ଲୀଗ୍ରାମରେ ଯାଇ ବାସ କଲେ, ସେଠାର ବର୍ତ୍ତମାନ ଅନୁଭୂତ ନାନା ଅସୁବିଧା କ୍ରମଶଃ ଦୂର ହୋଇ ପାରିବ, ଏଥିରେ ସନ୍ଦେହ ନାହିଁ ।

 

ଆଧୁନିକ ସହରଗୁଡ଼ିକରେ ନାଗରିକତାର ଶିକ୍ଷା ହୁଏ ନାହିଁ–ଆତ୍ମୀୟତା ବିକାଶ ଲାଭ କରିପାରୁ ନାହିଁ । ଆଧୁନିକ ସହରଗୁଡ଼ିକ କେତେଗୁଡ଼ିଏ ଇଷ୍ଟକାଳୟର ସମଷ୍ଟି; ପ୍ରତ୍ୟେକ ପ୍ରତ୍ୟେକ ଘରେ ଭିନ୍ନ ଭିନ୍ନ ଲୋକଙ୍କର ବାସ । ଅନେକ ସ୍ଥଳରେ ପ୍ରତିବାସୀଙ୍କ ମଧ୍ୟରେ ଜଣା ଶୁଣା, ଚିହ୍ନା ପରିଚୟ, କଥାଭାଷା ନ ଥାଏ । ଯେଉଁମାନେ ପୁରାତନ ବାସିନ୍ଦା, ସେମାନଙ୍କର ଆତ୍ମୀୟ ସ୍ୱଜନ ପରସ୍ପର ମଧ୍ୟରେ ଆଳାପ ପରିଚୟାଦି ଥାଏ ସତ୍ୟ, କିନ୍ତୁ ତାହା ବାହ୍ୟ ସୌଜନ୍ୟରେ ଯେତେ ପରିମାଣରେ ଆତ୍ମପ୍ରକାଶ କରିଥାଏ, ପ୍ରକୃତ ଆନ୍ତରିକତାରେ ତେତେ କରେ ନାହିଁ । ପଲ୍ଲୀଗ୍ରାମରେ ଠିକ୍ଏଭଳି ନୁହେ । ସେଠାରେ ଆତ୍ମୀୟତା ଯେପରି ପ୍ରଗାଢ଼, ବିଦ୍ୱେଷ ମଧ୍ୟ ସେପରି ପ୍ରବଳ । ସେଠାରେ ଆଲୋକ ଯେପରି ଉଜ୍ଜ୍ୱଳ, ଅନ୍ଧକାର ମଧ୍ୟ ସେହିଭଳି ଘନ । ଏହି ହେତୁରୁ ପଲ୍ଲୀଗ୍ରାମ ମନୁଷ୍ୟକୁ ଯେପରି ମନୁଷ୍ୟତ୍ୱ ଶିକ୍ଷା ଦିଏ–ସହରରେ ସେପରି ଶିକ୍ଷା ମିଳେ ନାହିଁ । ସୁତରାଂ ପଲ୍ଲୀଗ୍ରାମରେ ବାସ କରିବା ଅଧିକାତର ବାଞ୍ଛନୀୟ । ପଲ୍ଲୀଗ୍ରାମର ପ୍ରତିବାସିବର୍ଗ ପରସ୍ପର ସହିତ ନ ମିଶି ରହି ପାରନ୍ତି ନାହିଁ–ସହରରେ ନ ମିଶି ରହି ପାରନ୍ତି; ଏହି ସକାଶେ ହୃଦୟରେ ପ୍ରକୃତ ଜାତୀୟ ଭାବର ଉଦ୍ରେକ କରିବାକୁ ହେଲେ ପଲ୍ଲୀବାସ ଏକାନ୍ତ ଆବଶ୍ୟକ ଓ ଏହା ସହିତ ପଲ୍ଲୀଜୀବନର ସଂସ୍କାର ସାଧନ ମଧ୍ୟ ନିତାନ୍ତ ପ୍ରୟୋଜନୀୟ ।

 

ଯେଉଁମାନେ କହନ୍ତି, ପଲ୍ଲୀଗ୍ରାମରେ ଆମୋଦପ୍ରମୋଦ ନାହିଁ–ସେମାନେ ଭ୍ରାନ୍ତ । ପଲ୍ଲୀଗ୍ରାମର ଆମୋଦ ପ୍ରମୋଦ ନିର୍ମଳ ଏବଂ ଐକାନ୍ତିକ । ତହିଁରେ ସହରର କୃତ୍ରିମତା ନାହିଁ । ସେଠାରେ ଲୋକଚକ୍ଷୁରେ ଧୂଳି ପକାଇ କେହି କିଛି କରି ପାରନ୍ତି ନାହିଁ । ସହରରେ ଯେପରି ନିତାନ୍ତ ଭୋଗବିଳାସୀ ଓ ଇନ୍ଦ୍ରିୟପରାୟଣ ବ୍ୟକ୍ତି ସଭାରେ ଠିଆହୋଇ ସଂଯମ ବିଷୟରେ ବକ୍ତୃତା ଦେଇଥାଏ, ଘୋର ଅସାଧୁ ସାଧୁତ୍ୱର ଅଭିନୟ କରେ, ପଲ୍ଲୀଗ୍ରାମରେ ତାହା କରିବାର ଉପାୟ ନାହିଁ । ସେଠାରେ ଭଣ୍ଡ ପକ୍ଷରେ ବାହାରେ ସାଧୁତ୍ୱ ଦେଖାଇବାର ସୁବିଧା ଅତ୍ୟଳ୍ପ–ଏହି ହେତୁରୁ ମଧ୍ୟ ପଲ୍ଲୀବାସ ପ୍ରାର୍ଥନୀୟ । ଅଧୁନା ଆମ୍ଭମାନଙ୍କ ଜାତୀୟ ଅବନତି ସହିତ ଆମ୍ଭମାନଙ୍କ ପଲ୍ଲୀଜୀବନ ଅବନତ ହୋଇ ଯାଉଅଛି, ସାମାଜିକ ଶାସନ ଶିଥିଳ ହେଉଅଛି ପଲ୍ଲୀଜୀବନରେ ମଧ୍ୟ ପାପର ପ୍ରଭାବ ପ୍ରବଳ ହେଉଅଛି; ତଥାପି ସେଠାରେ ସମାଜିକ ଶାସନ କିୟତ୍ ପରିମାଣରେ ରହିଥିବାରୁ ପାପ–ପ୍ରବାହ ନଗର ତୁଳନାରେ ଅଳ୍ପ । ଯେବେ ଜାତୀୟ ଜୀବନକୁ ସଂସ୍କୃତ କରିବାକୁ ହୁଏ, ଜାତୀୟ ଭାବର ଓ ଧର୍ମବୁଦ୍ଧିର ସଜୀବତା ରକ୍ଷା କରିବାର ପ୍ରୟୋଜନ ହୁଏ, ତେବେ ପଲ୍ଲୀଗ୍ରାମହିଁ ଆମ୍ଭମାନଙ୍କର କର୍ମକେନ୍ଦ୍ର ହେବା ବାଞ୍ଛନୀୟ । ପଲ୍ଲୀଗ୍ରାମରେ ଯେଉଁ ଦଳାଦଳି–ବିଦ୍ୱେଷ ଅଛି, ସେ ଦଳ–ବିଦ୍ୱେଷ ଅନେକ ସମୟରେ ଅତ୍ୟନ୍ତ ଲଜ୍ଜାଜନକଭାବରେ ଆତ୍ମପ୍ରକାଶ କରେ, କିନ୍ତୁ ଏହା ହେଲେହେଁ ଏଥିରେ ପଲ୍ଲୀବାସୀଙ୍କ ଜୀବନୀ ଶକ୍ତିର ସଙ୍କେତ ମିଳିଥାଏ; ମାତ୍ର ସହରର ଅନେକ କ୍ଷେତ୍ରରେ ଏହା ମିଳେ ନାହିଁ । ଏ ଦୃଷ୍ଟିରେ ମଧ୍ୟ ପଲ୍ଲୀବାସ ବାଞ୍ଛନୀୟ ।

 

ପୂର୍ବେ କହିଅଛି, ଆର୍ଥିକ ହିସାବରେ ପଲ୍ଲୀବାସହିଁ ଲାଭଜନକ; ଖାଦ୍ୟାଦି ହିସାବରେ ମଧ୍ୟ ପଲ୍ଲୀବାସ ପ୍ରୟୋଜନୀୟ । ଜାତୀୟତା ହିସାବରେ ପଲ୍ଲୀବାସ ସ୍ଫୃହଣୀୟ । ପଲ୍ଲୀଗ୍ରାମରେ ଚିକିତ୍ସାଳୟ. ବିଦ୍ୟାଳୟ ପ୍ରଭୃତି ନାହିଁ । କିନ୍ତୁ ସମସ୍ତ ଶିକ୍ଷିତ ବ୍ୟକ୍ତି ଯେବେ ପଲ୍ଲୀଗ୍ରାମ ସହିତ ସମ୍ବନ୍ଧ ଅକ୍ଷୁର୍ଣ୍ଣ ରଖନ୍ତି, ତାହା ହେଲେ ଏ ସମସ୍ତ ଅସୁବିଧା ସହଜରେ ଦୂର ହେବ ନାହିଁକି ? ଇଂରେଜ କବି କହିଥିଲେ, ‘‘England ! with all thy faults,I love thee still’’ (ହେ ଜନ୍ମଭୂମି ବିଲାତ୍‌ ! ତୋର ସବୁ ଦୋଷ ଥାଇ ସୁଦ୍ଧା ମୁଁ ତୋତେ ସ୍ନେହ କରେଁ)–ଆମ୍ଭେମାନେ ମଧ୍ୟ ସେହିପରି କହିବୁ–ଗ୍ରାମରେ ହିଂସା ବିଦ୍ୱେଷ ଯେତେ ଥାଉ ପଛକେ, ଗ୍ରାମହିଁ ଭଲ ।

 

ଅନେକେ ଆଜିକାଲି କହୁଅଛନ୍ତି, ଆଜିକାଲି ପଲ୍ଲୀଗ୍ରାମ ବାସର ଏକାନ୍ତ ଅଯୋଗ୍ୟ କାରଣ–

 

(୧) ପଲ୍ଲୀଗ୍ରାମ ଅସ୍ୱ୍ୟାସ୍ଥ୍ୟକର, (୨) ପଲ୍ଲୀ ସମାଜ କଳୁଷିତ (୩) ପଲ୍ଲୀରେ ଶିକ୍ଷାର ଓ ଚିକିତ୍ସାର ସୁବ୍ୟବସ୍ଥା ନାହିଁ, (୪) ପଲ୍ଲୀରେ ଉପାର୍ଜନର ଉପାୟ ଅତି ଅଳ୍ପ ।

 

ଏ ସମସ୍ତ ବିଷୟ ଅବଶ୍ୟ ପ୍ରତୀକାରସାପେକ୍ଷ । ପ୍ରଥମ କଥା ସ୍ୱ୍ୟାସ୍ଥରକ୍ଷା । ଆଜିକାଲି ବାଲେଶ୍ୱର ଜିଲ୍ଲାର ଅବସ୍ଥା ଏପରି ହୋଇଅଛି ଯେ, ଅନେକ ଲୋକଙ୍କଠାରୁ ଶୁଣିଥାଏଁ, ୧୦ । ୧୫ ଦିନ ସକାଶେ ଗ୍ରାମକୁ ଗଲେ ମାଲେରିଆ ଜ୍ୱର କରେ ଓ ତାହା ଛାଡ଼ିବାକୁ ୬ ମାସ କିମ୍ବା ବର୍ଷେ ଲାଗେ । ମୁଁ ମଧ୍ୟ ମୋହର ପୂର୍ବପୁରୁଷଙ୍କର ପବିତ୍ର ସ୍କୃତିବିଜଡ଼ିତ ସ୍ୱଗ୍ରାମର ଅବସ୍ଥା ଆଜି ସ୍ୱଚକ୍ଷୁରେ ଏହିପରି ଦେଖୁଅଛି । ମାଲେରିଆ ଜ୍ୱର ପ୍ରତିକାରସାପେକ୍ଷ ନୁହେଁ କି ? ଅନ୍ୟାନ୍ୟ ଦେଶରେ ମାଲେରିଆପୀଡ଼ିତ ସ୍ଥାନରୁ ମାଲେରିଆ ବିତାଡ଼ିତ ହୋଇଅଛି; ଏ ଦେଶରୁ ନ ହେବ ଅବା କାହିଁକି ? ଦେଶର ସମବେତ ଚେଷ୍ଟା ସହିତ ସରକାରୀ ସାହାଯ୍ୟ ମିଳିତ ହେଲେ ପ୍ରତିକାରର ସମୁଚିତ ବ୍ୟବସ୍ଥା ହୋଇ ପାରେ । ଗ୍ରାମବାସୀମାନେ ଗ୍ରାମ ତ୍ୟାଗ କରିଥିବାରୁ ମାଲେରିଆ ବଢ଼ିଅଛି ଓ ବଢ଼ୁଅଛି । ପୁଷ୍କରିଣୀର ସଲିଳ ପଙ୍କମାତ୍ରରେ ପର୍ଯ୍ୟବସିତ ଓ ଶୈବାଳରେ ଅବଶିଷ୍ଟ ଜଳ ଆଚ୍ଛାଦିତ । ଗ୍ରାମରେ ପ୍ରବେଶ କଲେ ମନେହୁଏ, ଗଛଗୁଡ଼ିକର ମଧ୍ୟଦେଇ ସୂର୍ଯ୍ୟାଲୋକ ଭୂମିସ୍ପର୍ଶ କରିପାରିବ ନାହିଁ । ଏଭଳି ଗ୍ରାମସମୂହରେ ଯେବେ ମାଲେରିଆର ଚାଷ ଆବାଦ ନ ହେବ, ତେବେ ଆଉ ହେବ କେଉଁ ଠାରେ ? ଯେଉଁ ମାନେ ଗ୍ରାମ ଛାଡ଼ି ବିଦେଶରେ ଅଛନ୍ତି, ସେମାନେ ଗ୍ରାମର ସର୍ବନାଶର ପଥ ପ୍ରଶସ୍ତ କରି ଦେଉଅଛନ୍ତି । ଏମାନଙ୍କ ମଧ୍ୟରେ ମୁଁ ମଧ୍ୟ ଜଣେ । ଯେତେଦିନ ପର୍ଯ୍ୟନ୍ତ ଶିକ୍ଷିତ ବ୍ୟକ୍ତିମାନେ ମାଲେରିଆ ଭୟରେ ଗ୍ରାମରେ ରାତ୍ରିବାସ କରିବାକୁ ଭୟ କରୁଥିବେ, ଗ୍ରାମକୁ ଯାଇ ଜଳ ପରିବର୍ତ୍ତରେ ପଇଡ଼ ପାଣି କିମ୍ବା ରେଳଷ୍ଟେସନରୁ ସଙ୍ଗରେ ନେଇଥିବା ସୋଡ଼ାପାଣି ପିଉଥିବେ, ତେତେଦିନଯାକେ ଏସବୁ ପଲ୍ଲୀ କଦାପି ବାସୋପଯୋଗୀ ହେବ ନାହିଁ । ‘‘ମୁଁ କଅଣ କରିବି ?’’ ଏ କଥା କହି ଯେବେ ପ୍ରତ୍ୟେକେ ନିଜ କର୍ତ୍ତବ୍ୟରୁ ନିରସ୍ତ ହୁଅନ୍ତି, ତାହାହେଲେ ଦୁର୍ଦଶା କେବେହେଁ ଘୁଞ୍ଚିବ କି ? ପ୍ରତ୍ୟେକେ ସ୍ୱ ସ୍ୱ ଶକ୍ତି ଅନୁସାରେ ଗ୍ରାମର ଅଭାବର କିଛି କିଛି ପ୍ରତିକାର କଲେ ସମବେତ ଚେଷ୍ଟା ଦେଖି ସରକାର ମଧ୍ୟ ନିଶ୍ଚୟ ସାହାଯ୍ୟ କରିବେ । ବର୍ତ୍ତମାନ ଗ୍ରାମସମୂହର ଯେପରି ଅବନତି ହୋଇଅଛି, ତହିଁରେ ସମବେତ ଚେଷ୍ଟା ବ୍ୟତୀତ ସେ ଅବନତିର ପ୍ରତୀକାର ଅନେକ ସ୍ଥଳରେ ଅସମ୍ଭବ । କିନ୍ତୁ ସେ ଚେଷ୍ଟା, ଉଦ୍ୟମ, ଉତ୍ସାହ ଓ ଆୟୋଜନ ପ୍ରଭୃତି ଆମ୍ଭମାନଙ୍କର କିଛି ନାହିଁ । ପ୍ରକୃତ କଥା, ଆକାଙ୍କ୍ଷାର ପୂର୍ଣ୍ଣ ଅଭାବ । ଆମ୍ଭେମାନେ ନିଜ ନିଜର ସ୍ୱାର୍ଥର ସୀମାକୁ ଏଭଳି ସଙ୍କୀର୍ଣ୍ଣ କରି ଦେଇଅଛୁଁ ଯେ, ପୂର୍ବ ପୁରୁଷଙ୍କର କୀର୍ତ୍ତିସ୍ମୃତି ମଧ୍ୟ ଆଉ ଆମ୍ଭମାନଙ୍କୁ ଆକୃଷ୍ଟ କିମ୍ବା ଉତ୍ସାହିତ କରିପାରୁ ନାହିଁ । ନୋହିଲେ ଆଜି ପଲ୍ଲୀର ଦେବାଳୟଗୁଡ଼ିକ ବନାକୀର୍ଣ୍ଣ କିମ୍ବା ପଲ୍ଲୀର ପୁଷ୍କରିଣୀସମୂହ ଶୈବାଳଦାଛନ୍ନ ହୁଅନ୍ତା ନାହିଁ । ଯେଉଁ ଦେବାଳୟ ଓ ପୁଷ୍କରିଣୀର ପ୍ରତିଷ୍ଠା କରି ପ୍ରତିଷ୍ଠାତାମାନେ ନିଜକୁ ଧନ୍ୟ ଓ କୃତାର୍ଥ ଜ୍ଞାନ କରିଥିଲେ, ଆଜି ସେହି ଦେବାଳୟ ଓ ପୁଷ୍କରିଣୀର ଦୁର୍ଦଶା ଦେଖି ସେମାନଙ୍କ ଉତ୍ତରାଧିକାରୀମାନେ ବିଚଳିତ ହେଉ ନାହାନ୍ତି । ଏକ ସମୟରେ ଜଙ୍ଗଲ କାଟି, ଜମି ଉଚ୍ଚ କରି, ମାର୍ଗ ରଚନା କରି, ପୁଷ୍କରିଣୀ ଖନନ କରି ଗ୍ରାମର ପ୍ରତିଷ୍ଠା କରିବାକୁ ହୋଇଥିଲା, ମାତ୍ର ବର୍ତ୍ତମାନ ସେହି ସମସ୍ତ ଗ୍ରାମର ସଂସ୍କାର କରିବା ଅସମ୍ଭବ ବିବେଚିତ ହେଉଅଛି । କେଉଁ ମାନେ ଅକ୍ଷମ ? ଗ୍ରାମପ୍ରତିଷ୍ଠାତାମାନେ କିମ୍ବା ଗ୍ରାମତ୍ୟାଗୀମାନେ ? ସ୍ୱସ୍ଥ୍ୟର ସମସ୍ତ ନିୟମ ପଦଦଳିତ କଲେ ସ୍ୱାସ୍ଥ୍ୟହାନି ଅନିବାର୍ଯ୍ୟ । ଯେବେ ପୃଷ୍କରିଣୀର ପଙ୍କୋଦ୍ଧାର ନ ହୁଏ, ଗ୍ରାମର ଲୋକେ ପୁଷ୍କରିଣୀର ପାଣି କଳୁଷିତ କରନ୍ତି, ଗ୍ରାମର ପଲ୍ୱଳସମୂହର ପାଣି ଶୈବାଳରେ ସଢ଼ୁଥାଏ, ଗ୍ରାମର ଖାଲ, ବିଲଗୁଡ଼ିକରେ ଅବାଧରେ କାଉଁରିଆ ସଢ଼ାଇ ଝୋଟ ତିଆରି କରାଯାଉଥାଏ, ଗ୍ରାମର ଜଙ୍ଗଲଗୁଡ଼ିକ ପରିଷ୍କୃତ ନ ହୁଏ, ତେବେ ଗ୍ରାମ ନିଶ୍ଚୟ ଅସ୍ୱାସ୍ଥ୍ୟକର ହେବ । ମନୁଷ୍ୟ ରହିଲେ ଜଙ୍ଗଲ ରହିବ ନାହିଁ । ଘରର ଆଲୁଅ ଓ ପବନ ସକାଶେ ଲୋକେ ଜଙ୍ଗଲ ସଫା କରିଥାଆନ୍ତି; ଜାଳିବା କାଠ ସକାଶେ ଲୋକେ ଜଙ୍ଗଲ କାଟନ୍ତି । ହାଣ୍ତି, ମାଠିଆ, ସରା ପ୍ରଭୃତି ପୋଡ଼ିବା ସକାଶେ କୁମ୍ଭାରମାନେ ଅନାବଶ୍ୟକ ଜଙ୍ଗଲଗୁଡ଼ିକ କାଟି ନିଅନ୍ତି–ସୃତରାଂ ଗ୍ରାମ୍ୟ ଜଙ୍ଗଲ ସଫା ହୋଇଯାଏ । ମନୁଷ୍ୟ ନ ଥିଲେ ଜଙ୍ଗଲ ବଢ଼ିଯାଏ–କ୍ରମେ ଗ୍ରାମ ଜଙ୍ଗଲରେ ପରିଣତ ହୁଏ, ପଥ ଘାଟ ଠିକ୍ ରହେ ନାହିଁ, ପୁଷ୍କରିଣୀ ପ୍ରତିଷ୍ଠା ତ ଦୂରର କଥା, ତହିଁର ସଂସ୍କାର ମଧ୍ୟ ଅସମ୍ଭବ ହୁଏ । ଗ୍ରାମର ଉନ୍ନତିକର ଅନୁଷ୍ଠାନସମୁହ ଗ୍ରାମର ଶିଷିତ ଓ ଅବସ୍ଥାପନ୍ନ ଅଧିବାସୀମାନଙ୍କ ଦ୍ୱାରା ସମ୍ପନ୍ନ ହେଉଥିଲା–ସମସ୍ତେ ତାହାର ସୁଫଳ ଭୋଗ କରି ଧନ୍ୟ ହେଉଥିଲେ । ବର୍ତ୍ତମାନ ଯେବେ ଗ୍ରାମର ଶିକ୍ଷିତ ଏବଂ ଧନବାନ୍ଗ୍ରାମତ୍ୟାଗୀମାନେ ଗ୍ରାମବାସୀ ହୋଇ ଗ୍ରାମର ଭନ୍ନତିସାଧନତତ୍ପର ହୁଅନ୍ତି ତେବେ ଅସ୍ୱାସ୍ଥ୍ୟକର ଗ୍ରାମ ସ୍ୱାସ୍ଥ୍ୟନିବାସ ପାଲଟିବାକୁ ବିଳମ୍ବ ହେବନାହିଁ । ମନୁଷ୍ୟର ଚେଷ୍ଟାରେହିଁ ଅରଣ୍ୟ ଏବଂ ଝିଲଗୁଡ଼ିକରେ ସମୃଦ୍ଧ ନଗରର ପ୍ରତିଷ୍ଠା ହୋଇଥାଏ–ଜନଶୂନ୍ୟ ମରୂଭୂମିରେ ମଧ୍ୟ ସମୃଦ୍ଧ ଗ୍ରାମ ସ୍ଥାପିତ ହୁଏ । ଆମ୍ଭମାନଙ୍କର ସେ ଚେଷ୍ଟା କାହିଁ ? ଗ୍ରାମ ଯେ ଅସ୍ୱାସ୍ଥ୍ୟକର, ତହିଁ ସକାଶେ ଆମ୍ଭେମାନେ ଦାୟୀ ନୋହୁଁ କି ?

 

ଏହି ଉତ୍ତାରୁ ପଲ୍ଲୀ ସମାଜ । ଯେଉଁ ମାନଙ୍କୁ ଘେନି ସମାଜ, ଗ୍ରାମର ସେହି ଶିକ୍ଷିତସମ୍ପ୍ରଦାୟହିଁ ଗ୍ରାମତ୍ୟାଗୀ; ସୁତରାଂ ପଲ୍ଲୀ ସମାଜ ପଲ୍ଲୀ ପୁଷ୍କରିଣୀ ଭଳି ପଙ୍କପୂର୍ଣ୍ଣ ଓ ଆବିଳ । ଯେଉଁ ମାନଙ୍କୁ ଘେନି ଗ୍ରାମର ଗୌରବ, ସେମାନେ ଗ୍ରାମ ତ୍ୟାଗ କରିଛନ୍ତି–ଯେଉଁ ମାନେ କେବଳ ଅକଳରେ ପଡ଼ି ରହିବାକୁ ବାଧ୍ୟ, କେବଳ ସେହିମାନେ ରହିଅଛନ୍ତି । ଯେଉଁ ମାନଙ୍କ ଆଦର୍ଶ ଓ ଉପଦେଶରେ ସମାଜ ସଂସ୍କୃତ ହେବ, ସେମାନଙ୍କର ଅଭାବରେ ସମାଜ କଳୁଷିତ । ସବଳ ଦୁର୍ବଳ ଉପରେ ଅତ୍ୟାଚାର କରେ, ଅଥଚ ଆମ୍ଭମାନଙ୍କ ସମାଜରେ ଏହା ଏକପ୍ରକାର ଅସମ୍ଭବ ଥିଲା । ଗ୍ରାମର ବାସିନ୍ଦା ଅଧିକାଂଶସ୍ଥଳରେ ହିନ୍ଦୁ ଏବଂ ମୁଷଲମାନ୍ । ମୁଷଲମାନ୍ଧର୍ମ ସର୍ବତୋଭାବରେ ସାମ୍ୟବାଦମୂଳକ । ହିନ୍ଦୁ ସମାଜରେ ମଧ୍ୟ କ୍ରିୟାକର୍ମ ଅଥବା ସାମାଜିକ ବ୍ୟାପାରରେ ଗ୍ରାମର ଧନୀ କିମ୍ବା ଜମିଦାରଙ୍କୁ ଦରିଦ୍ର ସ୍ୱଜାତୀୟଙ୍କ ସକାଶେ ଗଳବସ୍ତ୍ର ହୋଇ ଅପେକ୍ଷା କରିବାକୁ ହୋଇଥାଏ । ଏ ଦେଶରେ ସମାଜର ଶାସନ ସର୍ବାପେକ୍ଷା ପ୍ରବଳ ଶାସନ ଥିଲା, ସେହି ଶାସନରେହିଁ ଦୁଷ୍କୃତୀର ଓ ଗର୍ବିତର ସର୍ବାପେକ୍ଷା ଅଧିକ ଭୟ ରହିଥିଲା । ସମାଜ ଗୋଟିଏ ମାତ୍ର କଥାରେ ଲୋକଙ୍କୁ ‘‘ଏକଘରିଆ’’ କରି ଯେପରି ଲାଞ୍ଛିତ କରୁଥିଲା, ସେଭଳି ଲାଞ୍ଛିତ କରିବାର କ୍ଷମତା ଆଉ କାହାରି ନ ଥିଲା । ପରସ୍ପରର ସୁଖ ଦୁଃଖର ଅଂଶ ଘେନି, ପରସ୍ପରକୁ ସାହାଯ୍ୟ କରି ଲୋକେ ଗ୍ରାମ୍ୟ ସମାଜରେ ବାସ କରିବାର ଅଧିକାରୀ ହୋଇଥିଲେ । ଯେ ଏତିକି କରୁ ନ ଥିଲେ, ସେ ନିଜର ସ୍ୱାତନ୍ତ୍ର୍ୟରେ ଗ୍ରାମସମାଜରୁ ବିଛିନ୍ନ ରହି ନିଜେ ପୀଡ଼ିତ ହେଉଥିଲେ । ସମାଜର ଯେଉଁମାନେ ଶାସକ ଓ ଚାଳକ–ଯେଉଁ ମାନଙ୍କ ଆଦର୍ଶରେ ସମାଜ ଉନ୍ନତ ହେବ, ସେମାନେ ଗ୍ରାମ ତ୍ୟାଗ କରି, ସମାଜ ଅଙ୍କରୁ ବିଚ୍ଛିନ୍ନ ହୋଇ ସହରକୁ ଚାଲି ଯାଇଅଛନ୍ତି ବୋଲି ଆଜି ପଲ୍ଲୀ ସମାଜ କଳୁଷିତ । ସେମାନଙ୍କ ପ୍ରତ୍ୟାବର୍ତ୍ତନ, ସେମାନଙ୍କ ଆଦର୍ଶ ଓ ଚେଷ୍ଟା ବ୍ୟତୀତ ସେ ସମାଜ ପୁନଶ୍ଚ ସଂସ୍କୃତ ହୋଇପାରିବ ନାହିଁ । ପଲ୍ଲୀ ସମାଜର ଏହି ଦୁରବସ୍ଥାର ପ୍ରତୀକାର ପଲ୍ଲୀତ୍ୟାଗରେ ନୁହେ–ପଲ୍ଲିବାସରେ ।

 

ପଲ୍ଲୀଗ୍ରାମରେ ଯେ ଶିକ୍ଷା ଓ ଚିକିତ୍ସାର ସୁବ୍ୟବସ୍ଥା ନାହିଁ, ତାହାର କାରଣ ମଧ୍ୟ ସମୃଦ୍ଧ ବ୍ୟକ୍ତିଙ୍କର ଗ୍ରାମତ୍ୟାଗ । ଯେଉଁମାନେ ପୁତ୍ରକନ୍ୟାଙ୍କ ଶିକ୍ଷା ସକାଶେ, ପରିଜନବର୍ଗଙ୍କ ଚିକିତ୍ସା ସକାଶେ ଅର୍ଥବ୍ୟୟ କରିବାକୁ ସମର୍ଥ, ସେମାନେ ଯେବେ ଗ୍ରାମରେ ନ ରହିଲେ, ତେବେ ବିଦ୍ୟାଳୟର ବ୍ୟୟ ନିର୍ବାହ ହେବ କେଉଁ ଠାରୁ ? ଚିକିତ୍ସକ କେଉଁ ଆଶାରେ ଗ୍ରାମରେ ଆସି ରହିବେ ? ପୂର୍ବେ ଗ୍ରାମର ଅବସ୍ଥାପନ୍ନ ବ୍ୟକ୍ତିମାନଙ୍କ ସାହାଯ୍ୟରେ ବିଦ୍ୟାଳୟ ଚାଲୁଥିଲା–ଧନୀଙ୍କ ଆଶ୍ରୟରେ ଅବସ୍ଥାନ କରି ଚିକିତ୍ସକ ସ୍ୱୀୟ ବ୍ୟବସାୟ ଚଳାଉଥିଲେ । ବର୍ତ୍ତମାନ ଆଉ ସେ ସବୁ ନାହିଁ–ପଲ୍ଲୀ କେବଳ ଅଶିକ୍ଷିତ ଓ ଦରିଦ୍ରଙ୍କ ବାସଭୂମି ହୋଇଅଛି । ଯେବେ ଶିକ୍ଷିତ ଓ ଧନୀମାନେ ପୁନଶ୍ଚ ଗ୍ରାମବାସୀ ହୁଅନ୍ତି, ତେବେ ଗ୍ରାମରେ ଶିକ୍ଷା ଓ ଚିକିତ୍ସାର ସୁବ୍ୟବସ୍ଥା ହୋଇ ପାରିବ ।

 

ପଲ୍ଲୀରେ ଉପାର୍ଜନର ଉପାୟ ନାହିଁ, ଏ କଥା ଯେଉଁମାନେ କହନ୍ତି, ସେମାନଙ୍କୁ ପଚାରିବାକୁ ସ୍ୱତଃପ୍ରବୃତ୍ତ ହୋଇଥାଏ–ସହରରେ ଉପାର୍ଜନର ଦ୍ୱାର ମୁକ୍ତ ରହିଅଛି କି ? ସହରରେ ସପରିବାର ବାସର ବ୍ୟୟ ତୁଳନାରେ ପଲ୍ଲୀଗ୍ରାମରେ ବାସବ୍ୟୟ ଅଳ୍ପ ନୁହେଁ କି ? ସହରରେ ଆକାଙ୍କ୍ଷାର ବିସ୍ତାର ବୃଦ୍ଧିରେ ନିରାଶାର ଯାତନା ଅଧିକ ନୁହେଁ କି ? କେହି ଏପରି କଥା କହୁନାହିଁ ଯେ, ସମସ୍ତେ ସହର ଛାଡ଼ି ଗ୍ରାମକୁ ଚାଲିଯାଆନ୍ତୁ । ଶିକ୍ଷା, ବ୍ୟବସାୟ, ଚାକରୀ ଓ ବାଣିଜ୍ୟ ସକାଶେ ସହରରେ ବହୁ ଲୋକ ଅବସ୍ଥାନ କରିବାକୁ ବାଧ୍ୟ । ଆମ୍ଭେମାନେ ଏହି କଥା କହୁଅଛୁଁ ଯେ, ସହରକୁ ଆକୃଷ୍ଟ ହୋଇ ପଲ୍ଲୀବାସୀମାନେ ଯେପରି ପଲ୍ଲୀତ୍ୟାଗ କରିବା କର୍ତ୍ତବ୍ୟରୂପେ ବିବେଚନା ନ କରନ୍ତି । ପଲ୍ଲୀଗ୍ରାମରେ ବାସ କଲେ ମଧ୍ୟ ଅର୍ଥାର୍ଜନର ଉପାୟ ହୋଇ ପାରେ–ଶିକ୍ଷିତମାନେ ପଲ୍ଲୀବାସକୁ ପ୍ରତ୍ୟାବର୍ତ୍ତନ କଲେ ଉପାୟ ଉଦ୍ଭାବିତ ହେବ । ବର୍ତ୍ତମାନ ପ୍ରୟୋଜନ ନାହିଁ, ଏହି ହେତୁରୁ ଉପାୟ ମଧ୍ୟ ସୁଚିନ୍ତିତ ହୋଇ ନାହିଁ ।

 

ଅସଲ କଥା–ପହଁରି ନ ଶିଖିଲେ ପାଣିକୁ ଓହ୍ଲାଇବି ନାହିଁ, କହିବା ଯେପରି ନିର୍ବୋଧତାର ପରିଚାୟକ, ପଲ୍ଲୀର ସ୍ୱାସ୍ଥ୍ୟ, ଶିକ୍ଷା ଓ ଚିକିତ୍ସାର ବ୍ୟବସ୍ଥା ଓ ଉନ୍ନତି ନ ହେଲେ ପଲ୍ଲୀଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିବି ନାହିଁ କହିବା ମଧ୍ୟ ସେହିଭଳି ନିର୍ବୋଧତାର ପରିଚାୟକ । ଏଭଳି ‘‘ହେର୍ଫେର୍’’ ନ କଲେ ଆଦୌ ଚଳିବ ନାହିଁ ।

 

ଉତ୍କଳର ପଲ୍ଲୀସମୂହକୁ ଛାଡ଼ିଦେଲେ ଆଉ କଅଣ ବାକି ରହିଲା ? ସେହି ପଲ୍ଲୀସମୂହର ଅବସ୍ଥା ଯେବେ ଶୋଚନୀୟ ହୁଏ, ପଲ୍ଲୀ ଯେବେ ବାସର ଅଯୋଗ୍ୟ ହୁଏ, ସେହି ପଲ୍ଲୀରେ ଯେବେ ଶିକ୍ଷାର ଆଲୋକ ବିକୀର୍ଣ୍ଣ ନ ହୁଏ, ସେହି ପଲ୍ଲୀରେ ଯେବେ ଜାତୀୟ ଉନ୍ନତିର ଅରୁଣବିକାଶ ସୂଚିତ ନହୁଏ, ତେବେ ଓଡ଼ିଆଙ୍କର ଉନ୍ନତି ହେବ କିପରି ? ସମାଜର ଅଧିକାଂଶ ଲୋକଙ୍କୁ ସ୍ୱସ୍ଥ୍ୟହୀନ, ସୁଖହୀନ, ଶିକ୍ଷାହୀନ କରି ରଖି କୌଣସି ଜାତି ଉନ୍ନତି ଲାଭ କରିପାରିବ ନାହିଁ । ଏହାହିଁ ଇତିହାସର ଉପଦେଶ ଏବଂ ଏହାହିଁ ଅନେକ ବହୁଦର୍ଶୀ ପ୍ରବୀଣଙ୍କର ବହୁ ଅଭିଜ୍ଞତାର ଫଳ । ଏହି ସମସ୍ତ ସ୍ମରଣ କରି ଶିକ୍ଷିତ ଉତ୍କଳୀୟଙ୍କୁ ଏହି କର୍ମର ଭାର ନେବାକୁ ହେବ–କାର୍ଯ୍ୟର ବିପୁଳତା ଦେଖି ଭଗ୍ନୋତ୍ସାହ ଅଥବା ପଶ୍ଚାତ୍ପଦ ହେଲେ ଚଳିବ ନାହିଁ–ଏଥି ସକାଶେ ଉତ୍ସାହ ବର୍ଦ୍ଧନ କରି କାର୍ଯ୍ୟରେ ପ୍ରବୃତ୍ତ ହେବାହିଁ ପରମ ପୁରୁଷାର୍ଥ ।

 

(୪)

 

ମାନ୍ଦ୍ରାଜର ଶିଳ୍ପପ୍ରଦର୍ଶନୀରେ ଆଦର୍ଶ ପଲ୍ଲୀଗ୍ରାମ ପ୍ରତିଷ୍ଠାର ଗୋଟିଏ ଚିତ୍ର ବିସ୍ତୃତ ଭାବରେ ପ୍ରଦର୍ଶିତ ହୋଇଥିଲା । ମାନ୍ଦ୍ରାଜ ସରକାର ତହିଁରେ ଆଧୁନିକ ବିଜ୍ଞାନସମ୍ମତ ପ୍ରଣାଳୀରେ ପଲ୍ଲୀ ଗ୍ରାମର ଆଦର୍ଶ ଦେଖାଇଥିଲେ । ସେଥିରେ ପଥ, ଜଳସଂସ୍ଥାନ ଓ ଜଳନିର୍ଗମନର ବନ୍ଦୋବସ୍ତ, ଆବର୍ଜନା ଦୂର କରିଦେବାର ଉପାୟ ପ୍ରଭୃତି ଆଧୁନିକ ବିଜ୍ଞାନସମ୍ମତ ପ୍ରଣାଳୀରେ ପ୍ରଦର୍ଶିତ ହୋଇଥିଲା । ମାନ୍ଦ୍ରାଜ ସରକାରଙ୍କର ଏହି ଉଦ୍ୟମ ସର୍ବତୋଭାବରେ ପ୍ରଶଂସନୀୟ । କାରଣ, ପଲ୍ଲୀର ପ୍ରତିଷ୍ଠାରେହିଁ ଏ ଦେଶର ଉନ୍ନତିର ପ୍ରକୃତ ପନ୍ଥା ରହିଅଛି । ଏ ଦେଶରେ ପଲ୍ଲୀବାସହିଁ ସ୍ୱାସ୍ଥ୍ୟ ପକ୍ଷରେ ଅନୁକୂଳ–ସାମାଜିକ ହିସାବରେ ମଧ୍ୟ ବାଞ୍ଛନୀୟ । ଅଥଚ ବର୍ତ୍ତମାନ ସମୟରେ ନାନା କାରଣରୁ ପଲ୍ଲୀର ସର୍ବନାଶ ହେଉଅଛି ଏବଂ ପଲ୍ଲୀର ସର୍ବସ୍ୱ ଲୁଣ୍ଠନ କରି ସହର ସମୃଦ୍ଧ ହେଉଅଛି । ଏହି ସବୁ କାରଣର ପ୍ରତିକାର କରିବାକୁ ହେବ । ନୂତନ ଭାବରେ ପଲ୍ଲୀ ପ୍ରତିଷ୍ଠାରେ ଅବଶ୍ୟ ସେ ସମସ୍ତ କାରଣ ଦୂରୀକୃତ ହେବାର ବ୍ୟବସ୍ଥା ରହି ପାରେ । ମାତ୍ର ଇତିହାସରୁ ଯେପରି ଦେଖାଯାଏ, ଅମ୍ବର ତ୍ୟାଗ କରି ଜୟପୁର ସ୍ଥାପନ ଯେଉଁ ଭଳି ଜୟସିଂହଙ୍କ ପକ୍ଷରେ ସମ୍ଭବ ହୋଇଥିଲା, ସେହିଭଳି ପୁରାତନ ପଲ୍ଲୀଗ୍ରାମ ତ୍ୟାଗ କରି ନୂତନ ପଲ୍ଲୀ ସ୍ଥାପନ ଅତ୍ୟଳ୍ପ ଲୋକଙ୍କ ପକ୍ଷରେ ସମ୍ଭବ । ବହୁଦିନର ଚେଷ୍ଟାରେ ଲୋକ ଗ୍ରାମରେ ଗୃହ ନିର୍ମାଣ କରିଥାଏ–ଭୂମିକୁ କର୍ଷଣୋପଯୋଗୀ କରେ–ଅମାର ତିଆରି କରେ ଅଥବା ଉଦ୍ୟାନ ରଚନ କରେ । ସହସା ଏଗୁଡ଼ିକ ପରିତ୍ୟାଗ କରି ଅନ୍ୟତ୍ର ଗମନ ଦରିଦ୍ର ପଲ୍ଲୀବାସୀ ପକ୍ଷରେ ସମ୍ଭବ ନୁହେଁ–କେବେହେଁ ସମ୍ଭବପର ହେବ ନାହିଁ । ମହାନଦୀ, ବ୍ରାହ୍ମଣୀ, ବୈତରଣୀର ପ୍ରବଳ ବନ୍ୟାରେ ଲୋକେ ସର୍ବସ୍ୱାନ୍ତ ହୋଇ ସୁଦ୍ଧା ଜମିର ମମତା ତ୍ୟାଗ କରି ନିରାପଦ ବିଦେଶକୁ, ଅର୍ଥାତ୍ ଉଚ୍ଚସ୍ଥାନ ଗଡ଼ଜାତ ଅଞ୍ଚଳକୁ, ଯାଇ ପାରନ୍ତି ନାହିଁ । ଏ ଦେଶର ପଲ୍ଲୀବାସୀ ପକ୍ଷରେ ଗ୍ରାମାନ୍ତର ଗମନ ପ୍ରବାସଗମନ ତୁଲ୍ୟ । ସେଥିରେ ତାହାକୁ ଯାହା ତ୍ୟାଗ କରି ଚାଲିଯିବାକୁ ହୋଇଥାଏ, ତାହା ଆଉ ସେ ପାଇବ ନାହିଁ–ଅନ୍ୟ ଗ୍ରାମକୁ ଉଠିଗଲେ ସେ ଜଳହୀନ ସ୍ଥାନରେ ପଡ଼ିବା ମତ୍ସ୍ୟର ଦଶା ଅନୁଭବ କରିବ । ଏ କଥା ହଣ୍ଟର୍ସାହେବ ତାଙ୍କ ଓଡ଼ିଶାର ବିବରଣ ଗ୍ରନ୍ଥରେ ବିଶେଷରୂପେ ବୁଝାଇ ଅଛନ୍ତି । ଆର୍ଥିକ କାରଣ ମଧ୍ୟ ଏ ଦେଶରେ ଲୋକଙ୍କ ପକ୍ଷରେ ପଲ୍ଲୀତ୍ୟାଗାର୍ଥ ଅକ୍ଷମତାର ଏକମାତ୍ର କାରଣ ନୁହେ । ଏ ଦେଶରେ ପୂର୍ବର ପଲ୍ଲୀସମାଜ ବର୍ତ୍ତମାନ ବିଶୃଙ୍ଖଳ ହୋଇଥିଲେହେଁ ଏକାବେଳକେ ବିଲୁପ୍ତ ହୋଇ ନାହିଁ । ସୁତରାଂ ଗ୍ରାମର ଲୋକମାନେ ପରସ୍ପର ସହିତ ଘନିଷ୍ଠ ସାମାଜିକ ସମ୍ବନ୍ଧରେ ଆବଦ୍ଧ–ଯେପରି ସମସ୍ତେହିଁ ଶୃଙ୍ଖଳର ଗୋଟିଏ ଗୋଟିଏ କଡ଼ା (ring); ଯେ ସ୍ୱସ୍ଥାନଚ୍ୟୁତ ହୁଏ, ସେ ଆଉ କେଉଁଠାରେ ବଦ୍ଧ ହେବାର ସୁଯୋଗ ପାଏ ନାହିଁ । ସମାଜ ତ୍ୟାଗ କରିଯିବା ଏ ଦେଶର ପଲ୍ଲୀଲୋକଙ୍କ ପକ୍ଷରେ କିପରି ଅସୁବିଧାଜନକ, ତାହା ସହରର ଲୋକେ ସହଜରେ ଅନୁମାନ କରି ପାରିବେ ନାହିଁ ।

 

ଯେଉଁ ସ୍ଥାନରେ ସମ୍ଭବ, ନୂତନ ଗ୍ରାମର ପ୍ରତିଷ୍ଠା କରିବାକୁ ହେଲେ–ଗ୍ରାମ ମଧ୍ୟରେ ସରଳ ଓ ବିସ୍ତୁତ ପଥ ରଖି ସ୍ନାନ, ପାନାର୍ଥ ଜଳ ସକାଶେ ସ୍ୱତନ୍ତ୍ର ସ୍ୱତନ୍ତ୍ର ପୁଷ୍କରିଣୀ ଅଥବା କୂପ ଖନନ କରି, ଗ୍ରାମର ଜଳନିର୍ଗମନର ସୁବ୍ୟବସ୍ଥା କରି, ଗ୍ରାମ୍ୟ ବାଳକବାଳିକାଙ୍କ ପାଇଁ କ୍ରୀଡ଼ାକ୍ଷେତ୍ର ରଖି, ଆବର୍ଜନା ନଷ୍ଟ ଅଥବା ଦୂର କରିବାର ବ୍ୟବସ୍ଥା କରି ଆଦର୍ଶପଲ୍ଲୀଗ୍ରାମ ପ୍ରତିଷ୍ଠିତ କରାଯାଇ ପାରେ, କିନ୍ତୁ ସର୍ବତ୍ର ତାହା ଆସମ୍ଭବ । ସେ ସମସ୍ତ ସ୍ଥାନରେ ପୁରାତନ ପଲ୍ଲୀକୁ ସଂସ୍କୃତ କରିବାକୁ ହେବ । ମୁକ୍ତ ପବନ ଏବଂ ଅନାହତଗତି ସୂର୍ଯ୍ୟକିରଣ ଅନେକ ବ୍ୟାଧିର ବୀଜ ନଷ୍ଟ କରେ । ପ୍ରାୟ ସମସ୍ତ ଗ୍ରାମରେ ଜଳାଶୟ ରହିଅଛି–ସେଗୁଡ଼ିକର ସଂସ୍କାର କଲେ ଗ୍ରାମ୍ୟ ଲୋକଙ୍କର ପାନୀୟ ଜଳର ଅଭାବ ଦୂର ହେବ । ସମସ୍ତ ଗ୍ରାମରେ ଜଳନିର୍ଗମନପାଇଁ ନାଳ ଅଳ୍ପବିସ୍ତର ରହିଅଛି–ସେଗୁଡ଼ିକ ପରିଷ୍କୃତ ହେଲେ ସବୁଦିଗରେ ସୁବିଧା; କିନ୍ତୁ ଏଥିପାଇଁ ସମବେତ ଚେଷ୍ଟାର ପ୍ରୟୋଜନ । ବର୍ତ୍ତମାନ ଅଧିକାଂଶ ଗ୍ରାମରେ ପ୍ରବେଶ କଲେ ମନେ ହେବ, ସେଗୁଡ଼ିକ ଶ୍ମଶାନବିଶେଷ । ଗ୍ରାମର ଦେବାୟତନରେ ପୂଜା ହେଉ ନାହିଁ, ପାଠଗୋଷ୍ଠୀରେ ଛାତ୍ର ନାହାନ୍ତି, ଗ୍ରାମର ପୁଷ୍କରିଣୀ ସମୂହ ଶୈବାଳ ଦଳରେ ଆଚ୍ଛନ୍ନ–ଗ୍ରାମର ଜନହୀନ ଗୃହର କାନ୍ଥ ଭାଙ୍ଗି ପଡ଼ୁଅଛି, ତହିଁରେ ସର୍ପ ଓ ଶୃଗାଳ ଆଶ୍ରୟ ନେଇଅଛନ୍ତି । ଘନବନ ଓ ବାଉଁଶ ବୁଦା ଯୋଗୁଁ ସୂର୍ଯ୍ୟକିରଣର ପ୍ରବେଶପଥ ରୁଦ୍ଧ, ଲୋକଙ୍କର ଶ୍ୱାସରୋଧର ଉପକ୍ରମ ଅନୁଭୂତ ହୋଇଥାଏ । ଏ ଅବସ୍ଥାରେ ଗ୍ରାମ ଯେ ଅସ୍ୱାସ୍ଥ୍ୟକର ହେବ, ଏଥିରେ ବିସ୍ମୟର କାରଣ କିଛି ନାହିଁ । ମନୁଷ୍ୟ ଯେତେବେଳେ ଗ୍ରାମ ତ୍ୟାଗ କରିଛନ୍ତି, ସେତେବେଳେ ଗ୍ରାମ ମନୁଷ୍ୟବାସର ଅଯୋଗ୍ୟ ହେବା ବିଚିତ୍ର ନୁହେ–କିନ୍ତୁ ଯେଉଁ ମାନେ ଗ୍ରାମ ଛାଡ଼ି ସହରରେ ରହିଅଛନ୍ତି, ସେମାନେ କଅଣ ସେଠାରେ ସୁଖରେ ଅଛନ୍ତି ?

 

ସହରରେ ଲୋକେ ପ୍ରତ୍ୟହ ଆଣି ପ୍ରତ୍ୟହ ଖାଆନ୍ତି–ସୁଦିନରେ କେହି ଦୁର୍ଦ୍ଦିନ ପାଇଁ ସଞ୍ଚୟ କରି ପାରନ୍ତି ନାହିଁ । ଆକସ୍ମିକ ବିପଦ କିମ୍ବା ଅତର୍କିତ ପୀଡ଼ାରେ କୌଣସି ଅତିରିକ୍ତ ବ୍ୟୟ କରିବାକୁ ହେଲେ ଋଣ ନିଶ୍ଚିତ; ମାତ୍ର ସେ ଋଣପରିଶୋଧ ଦୁଃସାଧ୍ୟ । ସହରରେ ଲୋକେ ଜମି ପାଆନ୍ତି ନାହିଁ–ପର ଜମିରେ, ପର ଘରେ ଭଡ଼ା ଦେଇ ରହନ୍ତି । ଯେତେ ଲୋକସଂଖ୍ୟା ବଢ଼ୁଛି, ତେତେ ଦୋମାହାଲା, ଚାରିମାହାଲା, ପାଞ୍ଚମାହାଲା କୋଠା ନିର୍ମିତ ହେଉଅଛି । ଏ ଗଗନସ୍ପର୍ଶୀ ସୌଧର କୋଠିରୀଗୁଡ଼ିକ ପାରାଭାଡ଼ିର ଖୋପ ପରି, ସୁତରାଂ ସହରରେ ପାରାବତ ଭଳି ମନୁଷ୍ୟକୁ ବାସ କରିବାକୁ ହୁଏ । କଲିକତାରେ ଅତ୍ୟୁଚ୍ଚ ସୌଧମାଳା ଦେଖି ଦିନେ ଏହି ଲେଖକର ଜଣେ ବନ୍ଧୁ କହିଥିଲେ, ତଳକୁ ବଢ଼ିବାର ଉପାୟ ନାହିଁ–ମାତ୍ର ସ୍ୱର୍ଗରାଜ୍ୟ ଆକ୍ରମଣର ଉପାୟ ହେଉ ଅଛି (attacking the dominions of Heaven) ଅଥଚ ଯେଉଁ ଇଉରୋପରେ ସହରରେ ଆଧିକ୍ୟ ଏବଂ ଏହିରୂପ ଗୃହର ପ୍ରାଚୁର୍ଯ୍ୟ, ସେହି ଇଉରୋପର ଚିକିତ୍ସକମାନେ କହୁଅଛନ୍ତି, ଏହିପରି ଗୃହରେ ବାସ କଲେ ସ୍ୱାସ୍ଥ୍ୟ କ୍ଷୁର୍ଣ୍ଣ ହେବାହିଁ ନିଶ୍ଚିତ । ସହରର ପବନ ଧୂଳିରେ ପୂର୍ଣ୍ଣ–ରୋଗବୀଜାଣୁର ଆବାସ; ମନୁଷ୍ୟ ଶ୍ୱାସ ସହିତ ରୋଗର ବୀଜ ଦେହ ମଧ୍ୟକୁ ଗ୍ରହଣ କରି ମୃତ୍ୟୁକୁ ଆହ୍ୱାନ କରିଥାଏ । ଧୂଳି ପ୍ରାୟ ସମସ୍ତ ରୋଗର ବିକାଶସ୍ଥାନ । ସହରରେ, ବିଶେଷତଃ କଲିକତା, ବୋମ୍ବାଇ, ଦିଲ୍ଲୀ, କାଶୀ ପ୍ରଭୃତି ବଡ଼ ବଡ଼ ସହରରେ ସୂର୍ଯ୍ୟାଲୋକ ପ୍ରବେଶର ପଥ ଅନେକ ସ୍ଥଳରେ ରୁଦ୍ଧ ଏବଂ ଆକାଶ ଧୂମମଳିନ । ବର୍ତ୍ତମାନ ଏହି ବଡ଼ ସହରମାନଙ୍କରେ ସଂସ୍କାର–ସମିତି ପ୍ରତିଷ୍ଠା କରି, ଘର ଭାଙ୍ଗି, ପ୍ରଶସ୍ତପଥ ବାହାର କରି, ମୁକ୍ତସ୍ଥାନମାନ ରଖି ସହରର ସ୍ୱାସ୍ଥ୍ୟ ସୁଧାରିବାର ଚେଷ୍ଟା ହେଉଅଛି; ଏଥିରୁ ସହରର ସ୍ୱାସ୍ଥ୍ୟର ଅବସ୍ଥା ଉତ୍ତମରୂପେ ବୁଝାଯାଉଅଛି । କଲିକତାରେ ପ୍ରଥମେ ପ୍ଲେଗ ଆକ୍ରମଣ ସମୟରେ ବଡ଼ବଜାରର ଘରଗୁଡ଼ିକ ସଫା ହେଲାବେଳେ ଏହି ଲେଖକ କେତେ ଥର ଯାଇ ଦେଖିଅଛି, ଗୋଟିଏ ଗୋଟିଏ ଘର ମଧ୍ୟରୁ ୩୦ । ୪୦ ଗାଡ଼ି ଲେଖାଏଁ ଆବର୍ଜନ ବାହାରିଥିଲା । ଏହାକୁ କୌଣସି ଇଂରାଜୀ ଖବର ବିଦ୍ରୂପ କରି ଲେଖିଥିଲେ; ancestral filth ଅର୍ଥାତ୍ପୁରୁଷାନୁକ୍ରମରେ ସଞ୍ଚିତ ଆବର୍ଜନାରାଶି; ମାତ୍ର ଏହି ଆବର୍ଜନାରାଶି କେତେ ଜୀବନନାଶର କାରଣ ହୋଇଥିବ ।

 

ସହରରେ ପ୍ରତ୍ୟେକ ପଦାର୍ଥ ଦୁର୍ମୂଲ୍ୟ । ନିଜର ବୋଲି କହିବାକୁ ଘର ନାହିଁ–ପ୍ରତି ପଦବିକ୍ଷେପରେ ରୋଗର ସମ୍ଭାବନା–ଅବରୋଧପ୍ରଥାର କଠୋରତା ହେତୁରୁ ମହିଳାବର୍ଗର ସ୍ୱାସ୍ଥ୍ୟହାନି ଅନିବାର୍ଯ୍ୟ; ଅଳ୍ପାହାର ଅଥବା କଦର୍ଯ୍ୟାହାରରେ ଦୈହିକ ଶକ୍ତିକ୍ଷୟର ଅବଶ୍ୟମ୍ଭାବିତା, ଏହି ସମସ୍ତହିଁ ସହରର ପୂର୍ଣ୍ଣ ସୁଖ ! ଏହା ଉପରେ ସହରରେ ସମାଜ ନାହିଁ, ସୁତରାଂ ସମାଜରେ କାହାରି ନିର୍ଦ୍ଦିଷ୍ଟ ସ୍ଥାନ ନାହିଁ–ସମାଜର ପ୍ରକୃତ ଶାସନ ନାହିଁ, ସୁତରାଂ ଯଥୋଚ୍ଛାଚାରର ପୂର୍ଣ୍ଣବିକାଶ ।

 

ଏହି ସବୁ ଅବସ୍ଥା ସ୍ୱାସ୍ଥ୍ୟପକ୍ଷରେ ଯେପରି ପ୍ରତିକୂଳ, ମନୁଷ୍ୟର ମନୁଷ୍ୟତ୍ୱବିକାଶ ପକ୍ଷରେ ସେପରି କଣ୍ଟକ ଏବଂ ସମାଜର ପ୍ରକୃତ ଉନ୍ନତି ପକ୍ଷରେ ସେଭଳି ଅନ୍ତରାୟ । ସୁତରାଂ ଆମ୍ଭମାନଙ୍କୁ ଏହାର ସମୁଚିତ ପ୍ରତୀକାର କରିବାକୁ ହେବ । ଆମ୍ଭେମାନେ ସେହି ପୁରାତନ ଆଦର୍ଶ ଗ୍ରହଣ କରି ପାରିବୁଁ ନାହିଁ କି ? ଅଋଣୀ, ଅପ୍ରବାସୀ, ସୁଖ–ସ୍ୱାସ୍ଥ୍ୟ–ଶାନ୍ତି ସମ୍ଭୋଗତୃପ୍ତ, ସ୍ୱଳ୍ପସନ୍ତୁଷ୍ଟ ଆଦର୍ଶ ଘେନି ପାରିବୁଁ ନାହିଁ କି ? ନିଜେ ନିଜର ଗ୍ରାମକୁ ଫେରି, ପରକୁ ନିଜଭଳି କରି ଉପଦେଶ ଓ ଆଦର୍ଶରେ ଆକୃଷ୍ଟ କରି ଅନ୍ୟମାନଙ୍କୁ ଗ୍ରାମକୁ ଫେରାଇ ପାରିବୁଁ ନାହିଁ କି ? ଅଭାବପକ୍ଷରେ ପଲ୍ଲୀବାସରେ ମନ ବଳାଇ ସହରବାସରୁ ମନ ଫେରାଇ ନେବା କଅଣ ଦୁଃସାଧ୍ୟ ? ଅଭାବ କେବଳ ଉଦ୍ୟମର, ଅଭାବ କେବଳ ସମବେତ ଚେଷ୍ଟାର । ପ୍ରତ୍ୟେକେ ନିଜର ଗୃହଦାଣ୍ତ ପରିଷ୍କାର ରଖିଲେ ସମସ୍ତ ଗ୍ରାମର ଦାଣ୍ତ ପରିଷ୍କୃତ ହୋଇ ଗ୍ରାମ ଗୋଟିକ ପରିଚ୍ଛନ୍ନ ରହିବ । ବାମଣ୍ତାର ମହାଯଶା ମହାରାଜ ସାର୍ ୰ ବାସୁଦେବ ସୁଢ଼ଳଦେବ ଏହି ନିୟମ ସମଗ୍ର ବାମଣ୍ତାରାଜ୍ୟରେ ପ୍ରବର୍ତ୍ତିତ କରିଥିଲେ, ସୃତରାଂ ବାମଣ୍ତାର ପ୍ରତ୍ୟେକ ଗ୍ରାମରେ ଗୋଟିଏ ଲେଖାଁଏ କ୍ଷୁଦ୍ର ମ୍ୟୁନିସିପାଲିଟି ଥିବା ପ୍ରତୀୟମାନ ହେଉଥିଲା । ଏହି କଥାଟି ସମସ୍ତଙ୍କୁ ସ୍ମରଣ ରଖିବାକୁ ହେବ । ଗ୍ରାମର ଲୋକ ଯେବେ ଯଥାସମ୍ଭବ ଗ୍ରାମ୍ୟପଣ୍ୟରେ, ଗ୍ରାମ୍ୟଦ୍ରବ୍ୟରେ ସମସ୍ତ ଅଭାବ ଦୂର କରିବାପାଇଁ କୃତସଂକଳ୍ପ ହେବେ, ତେବେ ସେହି ସମସ୍ତ ଅଭାବ ଦୂର କରିବା ପାଇଁ ଗ୍ରାମରେ ଶିଳ୍ପର ପ୍ରତିଷ୍ଠା ହେବ–ଏହାରି ଫଳରେ ଗ୍ରାମରେ ବସତି ବଢ଼ିଯିବ । ବସତି ବଢ଼ିଲେ ଜଙ୍ଗଲ କମିବ; ଗ୍ରାମର କଲ୍ୟାଣକର କାର୍ଯ୍ୟଗୁଡ଼ିକ ସହଜସାଧ୍ୟ ହେବ । ଏ ସମସ୍ତହିଁ ପରସ୍ପରସାପେକ୍ଷ–ଏକ ଅନ୍ୟ ଉପରେ ନିର୍ଭର କରେ ।

 

ପ୍ରତୀଚ୍ୟ ସଭ୍ୟତା ଫଳରୁ ସହର ଥିବ ଏବଂ ବଢ଼ିବ, କିନ୍ତୁ ଏଥି ସକାଶେ ପଲ୍ଲୀ ବିଲୁପ୍ତ ହେବ, ଏଭଳି କୌଣସି ନିୟମ ନାହିଁ । ସହରଗୁଡ଼ିକ ବାଣିଜ୍ୟର କେନ୍ଦ୍ର–ଶାସନଯନ୍ତ୍ରର ଯନ୍ତ୍ରାଗାର । କଳକାରଖାନା ପ୍ରଭୃତି ସହରରେ ହେବ, ମାତ୍ର ପଲ୍ଲୀ ଶ୍ମଶାନ ହେବ କାହିଁକି ? ସୁଖଶାନ୍ତିସମ୍ଭୋଗର ଅଗାର ତ୍ୟାଗ କରି ଶିକ୍ଷିତ ଉତ୍କଳୀୟମାନଙ୍କର ଅଶାନ୍ତି ଓ ଅସନ୍ତୋଷର କେନ୍ଦ୍ର ଆଶ୍ରୟ କରିବାରେ କେଉଁ ଲାଭ ? ଅସଲ କଥା, ଶିକ୍ଷିତ ଉତ୍କଳୀୟ ତାହାର ଆଶା ଓ ଆକାଙ୍କ୍ଷାର ପ୍ରସାର ଅସ୍ୱାଭାବିକରୂପେ ବର୍ଦ୍ଧିତ କରି–ସନ୍ତୋଷର ସ୍ଥାନରେ ଅସନ୍ତୋଷର ପ୍ରତିଷ୍ଠା କରି–ଉତ୍କଳର ପ୍ରକୃତ ଭାବ ପରିହାର କରି–ଦେଶ ଛାଡ଼ି ପରବାସରେ ଲାଞ୍ଛନା ଭୋଗ କରୁଥିବେ କାହିଁ କି ? ଯେଉଁ ଇଉରୋପ, ବିଶେଷତଃ ଇଂଲଣ୍ତ, ଏକସମୟରେ ଅବଜ୍ଞାରେ ଗ୍ରାମ ତ୍ୟାଗ କରି ସହରରେ ଜନାରଣ୍ୟ ରଚନା କରିଥିଲା, ସେହି ଇଂଲଣ୍ତର ଭ୍ରମ ଆଜିକାଲି ବିଦୂରିତ ହେଉଅଛି–ବର୍ତ୍ତମାନ ତାହାର ମୁଖରୁ ବାକ୍ୟ ନିର୍ଗତ ହେଉଅଛି ‘‘Back to lane’’ ଆମ୍ଭେମାନେ ଏହା ଦେଖି ଏବଂ ସ୍ୱୟଂ ଠିକି କଅଣ ଶିଖିବୁଁ ନାହିଁ ?

 

ବର୍ତ୍ତମାନ ସୁଦ୍ଧା ପଲ୍ଲୀ ବିଲୁପ୍ତ ହୋଇ ନାହିଁ–ତାହାର ଜୀର୍ଣ୍ଣପଞ୍ଜର ଅନେକ ସ୍ଥଳରେ ବିଦ୍ୟମାନ । ବର୍ତ୍ତମାନ ସେହି ପଞ୍ଜରର ପ୍ରାଣ ପ୍ରତିଷ୍ଠା କରିବାକୁ ହେବ । ସେହି ହେତୁରୁ ଦେଶର ଲୋକମାନଙ୍କ ଆଗ୍ରହ, ଦେଶାତ୍ମବୋଧ–ଦେଶର ପ୍ରୟୋଜନବୋଧ–ସମବେତ ଚେଷ୍ଟା ଆବଶ୍ୟକ । ସେହି ଆଗ୍ରହ ଓ ସମବେତ ଚେଷ୍ଟା ବ୍ୟତୀତ ଏ କାର୍ଯ୍ୟ ସମ୍ପନ୍ନ ହୋଇ ପାରିବ ନାହିଁ ।

 

କଥାରେ କହନ୍ତି, ଅତି ମନ୍ଦରୁ ଶୁଭର ଉଦ୍ଭବ ହୋଇଥାଏ । ଆମ୍ଭେମାନେ ନ ବୁଝି ଉଦ୍ଭ୍ରାନ୍ତ ହୋଇ ନିଜର ସର୍ବନାଶ ନିଜେ କରିଅଛୁଁ, ପଲ୍ଲୀପ୍ରାଣ ଉତ୍କଳୀୟ ପଲ୍ଲୀସମୂହର ସୁସଜ୍ଜିତ ଉଦ୍ୟାନ ଗୁଡ଼ିକ ଶ୍ମଶାନରେ ପରିଣତ କରି, ନଗରର ବିଳାସମୃଗତୃଷ୍ଣାମୁଗ୍ଧ ହୋଇ କେବଳ ଯନ୍ତ୍ରଣା ଭୋଗ କରିଅଛୁ ଓ କରୁଅଛୁଁ । ଆଜି ପୁଣି ଦେଶର ଶିକ୍ଷିତମାନଙ୍କ ମୁଖରୁ ପଲ୍ଲୀରକ୍ଷାର ବିଷୟ ଶୁଣୁଅଛୁ; ଆଜି ପୁଣି ବିଳାସବିଭବବଧିର କର୍ଣ୍ଣରେ ପଲ୍ଲୀଗ୍ରାମର ଜଳକଷ୍ଟପୀଡ଼ିତର ଆର୍ତ୍ତନାଦ ପ୍ରବେଶ କରୁଅଛି, ଆଜି ପୁଣି ପଲ୍ଲୀର ସ୍ୱାସ୍ଥ୍ୟୋନ୍ନତିର ପ୍ରସ୍ତାବ ବ୍ୟବସ୍ଥାପକ ସଭାରେ ଉପସ୍ଥାପିତ ହେଉଅଛି । ଏ ସମସ୍ତ କଅଣ ମେଘାନ୍ଧାକାର ଅମାନିଶାନ୍ତର ପୁଞ୍ଜୀଭୂତ ଅନ୍ଧକାର ଦୂର କରି ଦିବାଲୋକବିକାଶର ସୂଚନା ?

 

ଗ୍ରାମରାଜମିଦାରମାନେ ବର୍ଷର ଅର୍ଦ୍ଧେକ ସମୟ ଗ୍ରାମରେ ନ ରହିଲେ ଗ୍ରାମର ଉନ୍ନତି ଅସମ୍ଭବ ଏବଂ ସୁଦୂରପରାହତ । ଜିଲ୍ଲା ବୋର୍ଡ଼ ପୁଷ୍କରିଣୀ ଖୋଳାଇ ଦେଲେ ପ୍ରକୃତ ଊଦ୍ଦେଶ୍ୟ ସିଦ୍ଧ ହେବ ନାହିଁ । ପ୍ରଥମତଃ ଗ୍ରାମର ଜନବହୁଳ ସ୍ଥାନରେ ଜିଲ୍ଲାବୋର୍ଡ଼ଖନିତ ପୁଷ୍କରିଣୀ ପୁରମହିଳାଗଣଙ୍କ ପକ୍ଷରେ ଅନଧିଗମ୍ୟ, ସୁତରାଂ ପ୍ରତି ସାହିରେ ପୁଷ୍କରିଣୀ ଆବଶ୍ୟକ । ଏହାଉତ୍ତାରୁ ଲୋକଶିକ୍ଷାର ବିସ୍ତାର ବ୍ୟତୀତ ଗ୍ରାମର ପାଠଗୋଷ୍ଠୀରେ ସ୍ୱାସ୍ଥ୍ୟରକ୍ଷା ବିଷୟକ ଶିକ୍ଷାଦାନ ବ୍ୟତିରେକେ ଜିଲ୍ଲାବୋର୍ଡ଼ର ବିଜ୍ଞାପନାନୁସାରେ ଗ୍ରାମସ୍ଥ ପୁଷ୍କରିଣୀସମୂହର ପବିତ୍ରତାରକ୍ଷା ଅସମ୍ଭବ; ସୁତରାଂ ଜିଲ୍ଲାବୋର୍ଡ଼ ଉପରେ ଭାର ପକାଇ ଦେଇ ନିଶ୍ଚିନ୍ତ ରହିଲେ ପଲ୍ଲୀସ୍ୱାସ୍ଥ୍ୟର ଉନ୍ନତିସାଧନ ହେବ ନାହିଁ । ଜମିଦାରମାନେ ଯେବେ ବର୍ଷର କେତେକ ମାସ ଗ୍ରାମରେ ବାସ କରି, ପ୍ରତିବର୍ଷ ଆନନ୍ଦୋତ୍ସବର କେତେକାଂଶ ଯେବେ ପଲ୍ଲୀସଂସ୍କାରରେ ବ୍ୟୟ କରନ୍ତେ, ତେବେ ଗ୍ରାମର ପ୍ରକୃତ ଉନ୍ନତି ସମ୍ଭବପର ହୁଅନ୍ତା ।

 

ଆଜିକାଲି ରାଜା ଏବଂ ପ୍ରଜା ଉଭୟଙ୍କ ମନରେ ଭାରତର ଶିଳ୍ପୋନ୍ନତି ବିଷୟ ଜାଗ୍ରତ ହୋଇଅଛି; ମାତ୍ର କୃଷିହିଁ ଭାରତର ସର୍ବପଧାନ ଶିଳ୍ପ ଏବଂ ଭାରତରେ କୃଷିର ଉନ୍ନତିହିଁ ସର୍ବବିଧ ଶିଳ୍ପର ଉନ୍ନତିର ମୂଳ–ଏ ବିଷୟ ପ୍ରତି ସମସ୍ତଙ୍କର ମନ ଆକୃଷ୍ଟ ହେବା ଉଚିତ ।

 

କୃଷକର ଉନ୍ନତି ବ୍ୟତୀତ ଭାରତରେ ଶିଳ୍ପୋନ୍ନତି ସମ୍ଭବପର ନୁହେଁ । ଏହି ହେତୁରୁ ଏବଂ ପ୍ରଜାପୁଞ୍ଜର ଉନ୍ନତି ସକାଶେ ସର୍ବପ୍ରଯତ୍ନରେ କୃଷିର ଉନ୍ନତିସାଧନ ପାଇଁ ବ୍ୟବସ୍ଥା କରିବା ଜମିଦାର ମାନଙ୍କର ଏକାନ୍ତ କର୍ତ୍ତବ୍ୟ । କିପରି ନୂତନ ଫସଲସମୂହର ଚାଷ କରି ଲାଭବାନ୍ହେବାକୁ ହେବ, କୃଷକମାନଙ୍କୁ ତାହା ଦେଖାଇ ଉତ୍ସାହିତ କରିବା ସକାଶେ ପ୍ରତି ଜମଦାରଙ୍କ ଜମିଦାରୀରେ ଆଦର୍ଶ କୃଷିକ୍ଷେତ୍ର ପ୍ରତିଷ୍ଠାର ପ୍ରୟୋଜନ । ଯେଉଁ ପରି ପ୍ରଜାମାନେ ଉତ୍କୃଷ୍ଟ ବୀଜ ପାଇ ପାରିବେ, ତହିଁ ସକାଶେ ଜମିଦାରଙ୍କ ଅମାରରେ ସ୍ୱତନ୍ତ୍ର ଭାବରେ ଉତ୍କୃଷ୍ଟ ବୀଜସମୂହ ପୃଥକ୍ ପୃଥକ୍ ହୋଇ ସଂଗୃହୀତ ଥିବା ଆବଶ୍ୟକ । ବାମଣ୍ତାର ଭୂତପୂର୍ବ ରାଜା ୰ ସଚ୍ଚିଦାନନ୍ଦ ସ୍ୱୟଂ ଏହିଭଳି କୃଷିକ୍ଷେତ୍ର ପ୍ରତିଷ୍ଠା କରି ୩୦୨ ପ୍ରକାର ବିଭିନ୍ନ ଧାନ୍ୟର ବୀଜ ସ୍ୱତନ୍ତ୍ର ଭାବରେ ରଖାଇ ପ୍ରଜାମାନଙ୍କୁ ବିତରଣ କରିଥିବାର ଲେଖକ ସ୍ୱଚକ୍ଷୁରେ ଦେଖିଥିଲା । ଯେଉଁ ସ୍ଥାନରେ ଜଳର ଅଭାବ ଥିଲା, ସେ ସ୍ଥାନରେ Well–Pump (କୂଅ–ନଳୀ) ବସାଇ ଜଳସେଚନର ବ୍ୟବସ୍ଥା ଜମିଦାରଙ୍କୁ କରିବାକୁ ହେବ । ଯେଉଁ ପରି ସମବାୟମସିତିର ପ୍ରତିଷ୍ଠା ଫଳରୁ ପ୍ରଜାର ଋଣଭାର ଲଘୁ ହେବ ଏବଂ ପ୍ରଜାମାନେ ଦାରକାର ସମୟରେ ଆବଶ୍ୟକ ମୂଳଧନ ପାଇବେ, ଜମିଦାର ତାହାର ବନ୍ଦୋବସ୍ତ କରନ୍ତୁ । ଜମିଦାରଙ୍କ ଗୋଶାଳାରେ ଉତ୍କୃଷ୍ଟ ଦୁଗ୍ଧବତୀଗାଭୀ ଓ ବଳିଷ୍ଠ ଜାତିଆ ଷଣ୍ଢ ରକ୍ଷିତ ହେଉ, ଯହିଁରେ ପ୍ରଜାମାନେ ସେହିସବୁ ପଶୁପାଳନ ଓ ପ୍ରଜନନ ସମ୍ବନ୍ଧରେ ଅଭିଜ୍ଞତା ଅର୍ଜନ କରି ପାରିବେ । ଜମିଦାରମାନଙ୍କ ପକ୍ଷରେ ପ୍ରଜାଙ୍କର ପିତା ବୋଲି ପରିଗଣିତହେବା ମହାଗୌରବର ବିଷୟ । ଜମିଦାରମାନେ ଏହି ସମସ୍ତ କାର୍ଯ୍ୟକରି ସେ ଗୌରବର ଅଧିକାରୀ ହେଉନ୍ତୁ । ପ୍ରତିବର୍ଷ ଯେତେବେଳେ ଉତ୍ସବର ଅନୁଷ୍ଠାନ ଜମିଦାରମାନଙ୍କ ଗୃହରେ ହୋଇଥାଏ, ତହିଁର ଖରଚରୁ କିୟଦଂଶ ଏହି ସବୁ କାର୍ଯ୍ୟ ସକାଶେ ସ୍ୱତନ୍ତ୍ର ଭାବରେ ସଞ୍ଚିତ ରହୁଥିଲେ ସୁଫଳ ଫଳିବ, ଏହା ନିଶ୍ଚିତ । ଗ୍ରାମରେ ପ୍ରଜାବର୍ଗ ମଧ୍ୟରେ ବାସ କରି ସେମାନଙ୍କଠାରୁ ଯେଉଁ ସମ୍ମାନ ଓ ସମାଦର ଜମିଦାରମାନଙ୍କର ପ୍ରାପ୍ୟ, ସେ ସବୁ ତ୍ୟାଗ କରି, ସେଠାରେ ନାନାବିଧ ଉନ୍ନତିସାଧନର ସୁଯୋଗକୁ ହରାଇ ସେମାନେ ଗ୍ରାମ ତ୍ୟାଗ କରି ସହରବାସ କରନ୍ତି କାହିଁକି ? ଜମିଦାର ଗ୍ରାମରେ ଅବସ୍ଥାନ କଲେ ଜଳସଂସ୍ଥାନ ଓ ଜଳନିର୍ଗମନର ଉପାୟ ନିର୍ଦ୍ଧାରିତ ହୋଇଥାଏ–ମାରୀଭୟ ସମୟରେ ଲୋକଙ୍କୁ ସାବଧାନ କରାଇବାର ଓ ସଦୁପଦେଶ ଦେବାର ବନ୍ଦୋବସ୍ତ ହୁଏ–ଉତ୍ସବ ଆନନ୍ଦରେ ଗ୍ରାମ୍ୟ ଲୋକମାନେ ସମୟ ସମୟରେ ଆନନ୍ଦଲାଭ କରିଥାଆନ୍ତି–ଗ୍ରାମର ସାମାନ୍ୟ ମାମଲା ମକଦ୍ଦମା ଗ୍ରାମରେ ନିଷ୍ପତ୍ତି ହୋଇଥାଏ । ଏ ସମସ୍ତ ସୁବିଧା ସାମାନ୍ୟ ନୁହେ–ଉପେକ୍ଷଣୀୟ ନୁହେ । ସୁଖର କଥା, ଓଡ଼ିଶାରେ ଅନେକସ୍ଥଳରେ ଜମିଦାରମାନେ ସ୍ୱଗ୍ରାମରେ ଅଧିକାଂଶ ସମୟ ରହିଥାଆନ୍ତି–ମାତ୍ର ଏଣିକି ଶିକ୍ଷିତ ଜମିଦାରମାନେ ସ୍ୱଗ୍ରାମରେ ରହିବାକୁ କୁଣ୍ଠାବୋଧ କଲେଣି । ଆଦର୍ଶ–ବିକୃତିହିଁ ଏଥିର କାରଣ ନୁହେ କି ? ବଙ୍ଗ ଜମିଦାରମାନଙ୍କ ଆଦର୍ଶରେ ଉତ୍କଳୀୟ ଜମିଦାରମାନଙ୍କୁ ଅନୁପ୍ରାଣିତ ହେବା ଏଣିକି ଦେଖା ଗଲାଣି ।

 

ଆମ୍ଭେମାନେ ସଭା ଆହ୍ୱାନ କରି ବିଦେଶୀ ଛାଞ୍ଚରେ ସ୍ୱାୟତ୍ତ ଶାସନ ପାଇବା ସକାଶେ ରାଜନୀତିକ ଆନ୍ଦୋଳନ କରୁଥାଇଁ, କିନ୍ତୁ ନିଜ ଘରର ମୌରସୀ ସ୍ୱାୟତ୍ତଶାସନକୁ ତ୍ୟାଗ କରୁଥାଇଁ । ଭିତ୍ତି ଦୃଢ଼ ନ ହେଲେ ସୌଧ ସ୍ଥାୟୀ ହୁଏ ନାହିଁ । ଗ୍ରାମରେ ଉପଯୁକ୍ତ ଲୋକର ଅଭାବରେ ନବପ୍ରତିଷ୍ଠିତ ପଞ୍ଚାୟତ ପ୍ରଥାର ଫଳ ଭଲ ହେଉ ନାହିଁ–ଅଥଚ ଆମ୍ଭେମାନେ ପାଶ୍ଚାତ୍ୟ–ପାର୍ଲାମେଣ୍ଟ୍ ପାଇବା ଆଶାରେ ଲାଳାୟିତ ।

 

କିନ୍ତୁ ଏହି ସମସ୍ତ କର୍ତ୍ତବ୍ୟ ଏକା ଜମିଦାରଙ୍କର ନୁହେଁ, ଶିକ୍ଷିତ ବ୍ୟକ୍ତିମାତ୍ରଙ୍କୁହିଁ ଶିକ୍ଷାର ପ୍ରକୃତ ଦାୟିତ୍ୱ ବୁଝିବାକୁ ହେବ–ସେମାନଙ୍କୁ ବୁଝିବାକୁ ହେବ, ସେମାନେ ଯେଉଁ ଶିକ୍ଷା ପାଇଅଛନ୍ତି, ତହିଁର ଫଳରେ ଦେଶର ଲୋକଙ୍କର ଉନ୍ନତି ସାଧନହିଁ ସେମାନଙ୍କର କର୍ତ୍ତବ୍ୟ । ଯାହାଙ୍କର ଗ୍ରାମ–ଗୃହରେ ସନ୍ଧ୍ୟାଦୀପ ଜଳୁ ନାହିଁ–ଯାହାଙ୍କ ଗ୍ରାମର ସରୋବର ଅତଡ଼ା ଖାଉଅଛି–ଯାହାଙ୍କ ଗ୍ରାମରେ ପାଠଶାଳା ନାହିଁ, ତାହାଙ୍କୁ ଅପରାଧୀ ବୋଲି ମନେ କରିବାକୁ ହେବ । ଯହିଁରେ ଗ୍ରାମରେହିଁ ବହୁ ଭଦ୍ରସନ୍ତାନଙ୍କର, ଶିକ୍ଷିତ ଲୋକଙ୍କର ଅନ୍ନସଂସ୍ଥାନ ହୋଇ ପାରେ, ତାହାର ଉପାୟ କରିବାକୁ ହେବ । ଗ୍ରାମେ ଗ୍ରାମେ ଉଟଜଶିଳ୍ପର ପ୍ରତିଷ୍ଠା କରି ସହରରେ ପଣ୍ୟ ବିକ୍ରୟ କରିବାର ବନ୍ଦୋବସ୍ତ କରିବାକୁ ହେବ ଏବଂ ପ୍ରତି ଗ୍ରାମରେ ସମବାୟ ସମିତି ପ୍ରତିଷ୍ଠିତ କରି ଶିଳ୍ପ ସକାଶେ ମୂଳଧନ ଯୋଗାଇବାକୁ ହେବ । କୃଷିର ଉନ୍ନତି କରି ଗାର୍ହସ୍ଥ୍ୟ ବ୍ୟୟ କମାଇ ପ୍ରାଚୀନ ଆଦର୍ଶର ପ୍ରତିଷ୍ଠା କରି ଗ୍ରାମ୍ୟ ସମାଜକୁ ପୁଣି ପୂର୍ବପ୍ରାୟ ପବିତ୍ର କରିବାକୁ ହେବ । ଯେଉଁ ମାନେ ଅଜ୍ଞତାର ଅନ୍ଧକାରରେ ରହି ଲାଞ୍ଛନା ଭୋଗ କରୁଅଛନ୍ତି, ସେମାନଙ୍କୁ ଶିକ୍ଷା ଦେବାକୁ ହେବ–ଯେଉଁ ମାନେ ସ୍ୱାସ୍ଥ୍ୟ ହରାଇ ଜାତିର ସର୍ବନାଶର ସୋପାନ ରଚନା କରୁଅଛନ୍ତି, ସେମାନଙ୍କୁ ସୁସ୍ଥ କରିବାକୁ ହେବ–ଯେଉଁ ମାନେ ନିରାନନ୍ଦରେ ରହିଅଛନ୍ତି, ସେମାନଙ୍କୁ ନିର୍ମଳ ଆନନ୍ଦ ଦେବାକୁ ହେବ ।

 

(୫)

 

ଶରତର ପ୍ରଚଣ୍ତ–ମାର୍ତ୍ତଣ୍ତ–କର–ପ୍ରାପୀଡ଼ନରେ ଶ୍ରାନ୍ତ କ୍ଲାନ୍ତ ଦେହରେ ବିହଙ୍ଗ–କୁଳ–ମୁଖରିତ, ଊର୍ଦ୍ଧ୍ୱବାହୁ, ବହୁଯୁଗାନ୍ତର ସାକ୍ଷୀସ୍ୱରୂପ ବାପୀତୀରସ୍ଥ ଗୋଟିଏ ବଟବିଟପୀ ପଦରେ ଉପବେଶନ କରି ମୁଁ ଆଜି ପଲ୍ଲୀଶୋଭା ଦେଖୁ ଅଛି । ବର୍ତ୍ତମାନ ବର୍ଷା–ବାରି–ରାଶି ପଲ୍ଲୀପଥକୁ ଶୁଷ୍କ କରିଅଛି, କିନ୍ତୁ ନିଷ୍ଠୁର ନିଦାଘ ଭଳି ପରିହାର କରି ନାହିଁ । ପଡ଼ିଆ ପ୍ରଭୃତିରେ ଅସଂଖ୍ୟ ଶସ୍ପର ସମାବେଶ, କେଉଁଠାରେ ଅର୍ଦ୍ଧସ୍ଫୁଟ କାନକୋଳି ଫୁଲ ସମୀରଣରେ ନର୍ତ୍ତନନୈପୁଣ୍ୟ ପ୍ରକାଶ କରୁଅଛି । ସେହି ଗ୍ରାମ୍ୟ ପୁଷ୍କରିଣୀର ଘାଟ ସନ୍ନିକଟରେ ଗୋଟିଏ ଆମ୍ରବୃକ୍ଷ ମୂଳରେ ଘନ ଛାୟାରେ ଯୋଡ଼ିଏ କାଷ୍ଠଭାରବାହୀ ତାଙ୍କର କାଷ୍ଠଗୁଚ୍ଛକୁ ସଙ୍ଗୀନ୍କଣ୍ଟକିତ–ବନ୍ଧୁକସମୂହ ଏକତ୍ର ରଖିବା ଭଳି ଡେରିଦେଇ ନିଜର ଗାମୁଛା ସଞ୍ଚାଳନରେ କ୍ଲାନ୍ତି ଅପନୋଦନ କରୁଅଛନ୍ତି ଏବଂ ଏହି ସଞ୍ଚାଳନ ଫଳରୁ ମକ୍ଷିକାକୁଳ ମଧ୍ୟ ବିତାଡ଼ିତ ହେଉଅଛନ୍ତି । ଯୋଡ଼ିଏ ସନ୍ତରଣନିପୁଣ ପାଣିକୁଆ ପୁଷ୍କରିଣୀ ପାଣିରେ ଗ୍ରୀବା ନିମନ୍ତ୍ରିତ କରି ଇଚ୍ଛାନୁରୂପ ଆହାରାନ୍ୱେଷଣରେ ବ୍ୟସ୍ତ ।

 

ମୁଁ ଗ୍ରାମର ଗୃହସ୍ଥମାନଙ୍କ ଗୃହାବଳୀକୁ ଏକଦୃଷ୍ଟିରେ ଚାହିଁ ରହିଥିଲି, ଏହି ସମୟରେ କେତେକ ପଲ୍ଲୀବଧୂ କଳସୀକକ୍ଷରେ ଘାଟକୁ ଆସିଲେ । ସେମାନଙ୍କ ହୃଦୟର ଉଚ୍ଛ୍ୱାସମମ୍ଭୂତ ମନର କଥାଗୁଡ଼ିକ କହି କହି ସେଠାରେ ଆସି ଉପସ୍ଥିତ ହେଲେ ସତ୍ୟ, କିନ୍ତୁ ହଠାତ୍ବୃକ୍ଷତଳସ୍ଥିତ ମୋ ଭଳି ଅପରିଚିତ ପଥିକର ସନ୍ଦର୍ଶନ ଫଳରୁ ସେମାନଙ୍କର ଗଳ୍ପର ପ୍ରଖର ପ୍ରବାହ ରହିତ ହୋଇଗଲା । ଶରତ୍କାଳର ମେଘ ଭଳି ଗୋଟିଏ ଗୋଟିଏ ଆସ୍ତରଣ ସେମାନଙ୍କ ମୁଖଚନ୍ଦ୍ରକୁ ଘୋଡ଼ାଇ ଦେଲାଭଳି ହଠାତ୍ ଅନୁମିତ ହେଲା ।

 

ସେମାନଙ୍କର ଆଲୋଚ୍ୟ ବିଷୟ–ଗତରାତ୍ରିରେ ପଧାନ–ଘର ଭୋଜି !

 

ଜଣେ କହି ପକାଇଲେ–‘‘ନଟିଆବାପା କାଲି ପଧାନ ଘରେ ପାଣି ଟୋପାଏ ପିଇଲେ ନାହିଁ, ପଧାନର ଏଡ଼େ ଗରବ ଯେ, ସେ ବାଉରି ଲେଙ୍କାକୁ ଡାକି ଆଣି ସଭାରେ ବସାଇଲା । ଏ ରାଇଜରେ ମାନ ମହତ କିଛି ନାହିଁ ।’’

 

ଏହିଭଳି ସାମାଜିକ ଗ୍ରାମ୍ୟନୀତି ସେମାନଙ୍କ ଆଲୋଚନାର ବିଷୟ ଥିଲା । ମୁଁ ଏକାନ୍ତ ଆଗ୍ରହସହକାରେ ସେମାନଙ୍କର ବାକ୍ୟାବଳୀ ଶ୍ରବଣ କରି ଭାଳୁଥିଲି, ଉତ୍କଳର ପ୍ରତି ପଲ୍ଲୀର ଶକ୍ତି, ସ୍ୱାସ୍ଥ୍ୟ ଓ ସାଧନା କି ଏପରି ଭାବରେ କ୍ଷୁଦ୍ର କ୍ଷୁଦ୍ର କର୍ମ ଓ ଅନର୍ଥ ମଧ୍ୟରେ, ସାମାଜିକ ଦୁର୍ନୀତି ମଧ୍ୟରେ ବ୍ୟୟ ହେଉ ନାହିଁ ? ଯେଉଁମାନେ ଦେଶନାୟକ, ସେମାନେ ପଲ୍ଲୀ ପରିତ୍ୟାଗ କରି ସହରରେ ଆଶ୍ରୟ ଗ୍ରହଣ କରିଅଛନ୍ତି, ସେମାନଙ୍କ ପକ୍ଷରେ ପଲ୍ଲୀର କର୍ଦ୍ଦମ–ପଙ୍କିଳ–ଜଳ–କଳୁଷିତ ପୁଷ୍କରିଣୀ ଓ ଲତାଗୁଳ୍ମକଣ୍ଟକିତ ଅପ୍ରଶସ୍ତ ବର୍ତ୍ତତ୍ମ ପ୍ରଭୃତି ନିତାନ୍ତ କ୍ଳେଶକର । ୩୦ । ୪୦ ବର୍ଷ ପୂର୍ବେ ଏହି ସମସ୍ତ ପଲ୍ଲୀ ଏଭଳି ନ ଥିଲା । ସେତେବେଳେ ଜନ୍ମଭୂମି ପ୍ରତି ଲୋକଙ୍କର ପ୍ରକୃତ ଆଗ୍ରହ ରହିଥିଲା, କାର୍ଯ୍ୟ ଅଥବା ଚାକିରୀ ଉପଲକ୍ଷରେ କେତେ ଲୋକ ସହରରେ ଅବସ୍ଥାନ କରୁଥିଲେ ହେଁ ଅଧିକାଂଶଙ୍କର ସ୍ୱୀୟ ଗ୍ରାମ ପ୍ରତି ପ୍ରଗାଢ଼ ମମତା ଥିଲା ଏବଂ ପ୍ରତ୍ୟେକ ଅବସର ପାଇଲାକ୍ଷଣି ଗ୍ରାମକୁ ଆସି ସ୍ୱୀୟ ପଲ୍ଲୀ ସମାଜର ଆନନ୍ଦ ବର୍ଦ୍ଧନରେ ରତ ହେଉଥିଲେ । ଶିକ୍ଷାହିଁ ସଭ୍ୟତାର ମୂଳ–ଏହା ସର୍ବଜନବାଦୀ ସାର ସତ୍ୟ । ଆଜି ତୁମ୍ଭେ ଶିକ୍ଷିତ ହୋଇ ଯେବେ ନବ–ଶକ୍ତି ପ୍ରାପ୍ତ ପକ୍ଷିଶାବକ ଭଳି ପଲ୍ଲୀଜନ୍ମଭୂମିରୂପ ବୃକ୍ଷ ପରିତ୍ୟାଗ କରି ବୃଥା ଯଶ ଓ ସମ୍ମାନ ଆଶାରେ ସହରର ଅଙ୍କ ଆଶ୍ରୟ କରିବାକୁ ପ୍ରସ୍ତୁତ ହୁଅ, ତେବେ ତୁମ୍ଭର ଶିକ୍ଷା, ଦୀକ୍ଷା ଓ ସାଧନାର ପ୍ରକୃତ ମୂଲ୍ୟ ନିରୂପଣ କିପରି ହେବ ?

 

ସହରବାସୀ ସୁଶିକ୍ଷିତ ଲୋକମାନଙ୍କୁ ପଲ୍ଲୀବାସୀ ସରଳପ୍ରାଣ ଲୋକମାନେ ଗୋଟିଏ ସ୍ୱତନ୍ତ୍ର ଶ୍ରେଣୀର ଜୀବ ବୋଲି ମନେ କରିଥାଆନ୍ତି ଏବଂ ଏହା କରିବାର ଯଥେଷ୍ଟ କାରଣ ମଧ୍ୟ ରହିଅଛି । ସେମାନେ ଇଂରାଜୀମିଶ୍ରିତ ଭାଷାରେ କଥା କହନ୍ତି ଏବଂ ପଲ୍ଲୀର ପୁଷ୍କରିଣୀ, ଘାଟ, ହାଟ, ବାଟ ପ୍ରଭୃତି ସେମାନଙ୍କ ଚକ୍ଷୁରେ ନଗଣ୍ୟ ପ୍ରତିଭାତ ହୋଇଥାଏ; ପଲ୍ଲୀବାସୀ ଜନସମୂହ ସେମାନଙ୍କ ଚକ୍ଷୁରେ ହେୟ । ଏହିରୂପେ ସହରବାସୀ ମନୁଷ୍ୟଫଳସମୂହ ମହାକାଳଫଳରୂପେ ଅତି ଦୂରରୁ ଆତ୍ମଶୋଭା ବିସ୍ତାର ଓ ବିକାଶ ପୂର୍ବକ ଅତ୍ୟୁଚ୍ଚ ବୃକ୍ଷରେ ଝୁଲୁଥାଆନ୍ତି ସତ୍ୟ, ମାତ୍ର ସେମାନେ କେବଳ ଡାମରା କାଉଙ୍କର ଉପଭୋଗରେ ଲାଗନ୍ତି ସିନା ?

 

ବର୍ତ୍ତମାନ ଦେଶଯାକ ଶିକ୍ଷିତ ବ୍ୟକ୍ତିମାନଙ୍କ ମନରେ ଗୋଟିଏ, ଭାବଲହରୀ ଖେଳୁଅଛି, କି ପ୍ରକାରେ ଦେଶର ହିତ ସାଧନ କରିବୁଁ । ବାସ୍ତବିକ ଯେବେ କାହାରି ଦେଶ–ହିତ–ସାଧନ ସଙ୍କଳ୍ପ ମନରେ ହୋଇଥାଏ, ତେବେ ତାଙ୍କର ପ୍ରଧାନ କର୍ତ୍ତବ୍ୟ ବକ୍ତୃତାରୁ ବିରତ ହେବା । ମହାପ୍ରାଣ ଯୀଶୁଙ୍କର ସେହି ସାର ଉପଦେଶ ‘‘ଡାହାଣ ହସ୍ତ ଯାହା ଦେବ, ବାମ ହସ୍ତ ଯେପରି ଜାଣି ନ ପାରେ’’ ଏତିକି ସ୍ମରଣ ରଖିବାକୁ ହେବ । ଏହିପରି ତୁମ୍ଭେ ଦେଶକୁ ଯେଉଁ ପ୍ରୀତି ଅଥବା ସ୍ନେହ ଦାନ କରିବ, ତାହା ଅପରକୁ ଜଣାଇବ ନାହିଁ, ତାହାହେଲେ ସ୍ନେହ ଦାନ ଯଥାର୍ଥ ।

 

ତୁମ୍ଭର ଜୀବନର ଶିକ୍ଷା, ଦୀକ୍ଷା ଓ ସାଧନାର ଫଳରୁ ଯେବେ ଗୋଟିଏ ନଷ୍ଟ ଓ ହତଶ୍ରୀ ପଲ୍ଲୀ ନବଶୋଭାରେ ଶୋଭିତ ହୋଇପାରେ, ଯେବେ ସେହି ସ୍ଥାନର ନରନାରୀଗଣ ବାସ୍ତବିକହିଁ ସମୁନ୍ନତ ହୁଅନ୍ତି, ତେବେ ସମଗ୍ର ପୃଥିବୀରେ ସ୍ୱୀୟ ସାମୟିକ ନାମରେ ଯେ ପ୍ରଚାରିତ ହୋଇଅଛନ୍ତି, ତାହାଙ୍କ ଅପେକ୍ଷା ତୁମ୍ଭର ଆସନ ଅନେକ ଉର୍ଦ୍ଧ୍ଵରେ ସ୍ଥାପିତ ହେବ ଏବଂ ତୁମ୍ଭ କାର୍ଯ୍ୟଫଳରୁ ଦେଶର ଯଥାର୍ଥ ଉପକାର ହେବ ।

 

ଆମ୍ଭମାନଙ୍କର ବକ୍ତୃତାବାହୁଲ୍ୟ ବହୁ ଅନିଷ୍ଟର ହେତୁସ୍ୱରୂପ ହୋଇଅଛି–ବକ୍ତାମାନଙ୍କର ନାମ ଯେଡ଼େ ଶୀଘ୍ର ପ୍ରଚାରିତ ହୁଏ, ଆଉ କୌଣସି ଲୋକ ତେଡ଼େ ଶୀଘ୍ର ପରିଚିତ ହୋଇ ପାରନ୍ତି ନାହିଁ । ସମ୍ବାଦପତ୍ରିକାର ସ୍ତମ୍ଭରେ ବକ୍ତାଙ୍କ ନାମ ପ୍ରକାଶିତ ହେବା ମାତ୍ରକେ ବକ୍ତା ମହାଶୟ ଆତ୍ମପ୍ରସାଦ ଲାଭ କରି ମନରେ ଭଳନ୍ତି, ‘‘ବାସ୍ତବିକ ସ୍ୱଦେଶ–ହିତୈଷଣାର ଜ୍ଜ୍ୱଳନ୍ତ ଉତ୍ସାହରେ ଉଦ୍ଦୀପିତ ହୋଇ ମୁଁ କଅଣ ନ କଲି !’’ କିନ୍ତୁ ଏହି ଅଧମ ଲେଖକର ଅଖଣ୍ଡ ବିଶ୍ୱାସ ଏହି ଯେ, ପବନରେ ବକ୍ତୃତାର ଶବ୍ଦ ଲୁପ୍ତ ହୋଇ ଯାଉଅଛି, ବକ୍ତାଙ୍କ କର୍ତ୍ତୃକ ଦେଶର କୌଣସି କାର୍ଯ୍ୟ ହେଉ ନାହିଁ ଏବଂ ସ୍ଥାୟୀ କାର୍ଯ୍ୟ ଏ ଦେଶରେ ବକ୍ତୃତାଦ୍ୱାରା ଅସମ୍ଭବ । ପକ୍ଷାନ୍ତରରେ ତୁମ୍ଭର ଅସ୍ଥାୟୀ ନାମରେ ସ୍ଥାୟୀ କାର୍ଯ୍ୟକାରୀ କ୍ଷମତା ଲୁପ୍ତ ହୋଇ ଯାଉଅଛି । ସମଗ୍ର ପୃଥିବୀରେ ଏହି ଏକ ସାର୍ବଜନୀନ ସତ୍ୟ ରହିଅଛି ଯେ, ଦୃଷ୍ଟାନ୍ତହିଁ କଥା ସମୂହ ଅପେକ୍ଷା ବେଶି କାର୍ଯ୍ୟ କରିଥାଏ । ଇଉରୋପ, ଆମେରିକା ପ୍ରଭୃତି ଅଞ୍ଚଳରେ ଯେଉଁଠାରେ ଲୋକର ଅଗାଧ କାର୍ଯ୍ୟକାରୀ ଉତ୍ସାହ, କେବଳ କାର୍ଯ୍ୟ କରିବାପାଇଁ ସହସ୍ର ସହସ୍ର ନରନାରୀ ବ୍ୟସ୍ତ ଭାବରେ ବୁଲୁଅଛନ୍ତି, ସେ ଦେଶରେ ଭାବପ୍ରଚାରକ ବକ୍ତା ମାନଙ୍କର ଦ୍ୱାରା ଅବଶ୍ୟ ଉପକାରର ଆଶା । କିନ୍ତୁ ଯେଉଁ ଦେଶ ବାକ୍ୟବୀରପରିପୂର୍ଣ୍ଣ, ସେ ଦେଶର ବାଳକ, ଯୁବକ, ବୃଦ୍ଧ, ସମସ୍ତେହିଁ ବକ୍ତୃତାରେ କରତାଳି ନେବାର ଓ ଦବାରେ ବ୍ୟସ୍ତ ହେଉଥିବେ ଏବଂ କଠିନ କଠୋର କାର୍ଯ୍ୟଭାର ଗ୍ରହଣରେ ବିମୁଖ ହୋଇ ଘୁଞ୍ଚିଯିବେ, ଏଥିରେ ବୈଚିତ୍ର୍ୟ କଣ ? ସହଜସାଧ୍ୟ ଦେଶହିତୈଷୀ ହେବାର ଏକମାତ୍ର ଉପାୟ ବକ୍ତୃତା ।

 

ଆମ୍ଭମାନଙ୍କ ମଧ୍ୟରୁ ଯେ ପ୍ରକୃତ ଦେଶହିତସାଧନର ବାସନା ରଖିଥାଆନ୍ତି, ତାଙ୍କୁ ସନ୍ନ୍ୟାସୀ ହେବାକୁ ହେବ; ଜଗତରେ ଅପରିଚିତ ରହି କାର୍ଯ୍ୟରେ ବ୍ରତୀ ହେବାକୁ ହେବ । ଯେତେ ଗୋପନରେ କାର୍ଯ୍ୟ କରୁଥିବ, ତେତିକି ଜଗତ୍ ତୁମ୍ଭର ଶକ୍ତି ସନ୍ଦର୍ଶନରେ ମୁଗ୍ଧ ହେଉଥିବ, ମାତ୍ର ଏହା ମନରେ ଭାଳିବ ନାହିଁ ଯେ, ତୁମ୍ଭର ଦୃଷ୍ଟାନ୍ତ ବୃଥା ହୋଇଯିବ । ଆମ୍ଭମାନଙ୍କର ବର୍ତ୍ତମାନ ଲୋଡ଼ା–ଗୋପନରେ ଦେଶର ଉନ୍ନତିସାଧକ ସନ୍ନ୍ୟାସୀ ।

 

ଏହିପରି ଦେଶହିତ ବ୍ରତର ଦୀକ୍ଷା ଗ୍ରହଣ କରିବାକୁ ହେବ । ଭାରତରେ ଯେତେ ଧର୍ମପ୍ରଚାର, ଯେତେ କାର୍ଯ୍ୟ, ସମସ୍ତ ଦୀକ୍ଷା ପ୍ରଭାବରୁ ହୋଇଥିଲା । ପ୍ରାଣର ଗଭୀର ସାଧନା ସକାଶେ ଭାରତର ନରନାରୀ ଗୁରୁବକ୍ତଗମ୍ୟ ମନ୍ତ୍ରର ଆଶ୍ରୟ ଗ୍ରହଣ କରୁଥିଲେ । ଗୁରୁମନ୍ତ୍ର ବ୍ୟତୀତ, ସ୍ୱଦେଶହିତର ଦୀକ୍ଷା ବ୍ୟତୀତ, ଦେଶହିତ ସାଧନ ସୁକଠିନ ।

 

ଦେଶର ଯେଉଁମାନେ ପ୍ରକୃତ ଉନ୍ନତି କାମନା କରନ୍ତି, ସେମାନଙ୍କୁ ସନ୍ନ୍ୟାସୀ ହେବାକୁ ହେବ । ଯଥାର୍ଥ ହୃଦୟରେ ଦେଶର ମଙ୍ଗଳକାମୀ ଏବଂ ଦେଶ ସକାଶେ ସର୍ବପ୍ରକାର ସ୍ୱାର୍ଥ ବଳି ଦେବା ଯେ କୌଣସି ବ୍ୟକ୍ତିଙ୍କୁ ଆମ୍ଭମାନଙ୍କ ଅଭିଧାନରେ ସନ୍ନ୍ୟାସୀ ଆଖ୍ୟା ଦେବାହିଁ ସଙ୍ଗତ । ଏହିପରି ସନ୍ନ୍ୟାସ ଏବଂ ଦୀକ୍ଷା ଗ୍ରହଣ ବ୍ୟତୀତ ନିଜର ସ୍ୱାର୍ଥ ଅକ୍ଷୁର୍ଣ୍ଣ ରଖି କେହି ଦେଶର ପ୍ରକୃତ ମଙ୍ଗଳ ସାଧନ କରି ପାରିବେ ନାହିଁ । ଦେଶ–ହିତ–ବ୍ରତଧାରୀଙ୍କର ଅନ୍ୟ ଗୋଟିଏ ସାଧନା ରହିଅଛି, ତାହା ଧର୍ମନିଷ୍ଠା । ଏକାନ୍ତ ଭଗବତ୍ପ୍ରୀତିକୁ ଧରି ନ ପାରିଲେ ମନୁଷ୍ୟର ମନୁଷ୍ୟତ୍ୱ ବିକାଶ ଅସମ୍ଭବ । ପ୍ରକୃତ ସ୍ୱଦେଶହିତୈଷଣା ଗଭୀର ଭଗବନ୍ନିଷ୍ଠାରୁହିଁ ବାହାରିଥାଏ । ଜଗତରେ ବିମଳ ଚରିତ୍ରର ଅମୂଲ୍ୟ ପ୍ରଭାବ । ଯେବେ ଦେଶନାୟକରୂପେ ଖ୍ୟାତ ଲୋକଙ୍କଠାରେ ଚରିତ୍ରହୀନତା ଏବଂ ବୈରାଗ୍ୟର ଅଭାବ ପରିଲକ୍ଷିତ ହୁଏ, ତେବେ ଦେଶ ସେମାନଙ୍କୁ ଯଥାର୍ଥ ସମ୍ମାନ ଦେଇ ପାରିବ କି ? ନାଁ, ସେମାନଙ୍କ ଆଦର୍ଶରେ ଦେଶରେ ସୁଫଳ ଫଳିବ କି ?

 

କହିଲେ ଦୁଃଖ ଓ କ୍ଷୋଭର ଯୁଗପତ୍ ଆବିର୍ଭାବ ହୁଏ ଯେ–ବିଦେଶୀୟ ଶିକ୍ଷା ଓ ଦୀକ୍ଷା ସହିତ ଆମ୍ଭେମାନେ ଆମ୍ଭମାନଙ୍କର ଚରିତ୍ର ଭିନ୍ନ ପ୍ରକାରରେ ଗଠନ କରିଅଛୁଁ ଏବଂ ଅନେକ ନଷ୍ଟ କରି ଦେଇଅଛୁଁ । ଯେଉଁମାନଙ୍କର ଚରିତ୍ର ନଷ୍ଟ ହୋଇଅଛି, ସେମାନେ ଯେ ଯଥାର୍ଥ ଦେଶହିତ ବୋଲି କିଛି କରି ପାରିବେ, ତାହା କଳ୍ପନାରେ ଧାରଣା ହେବା କଠିନ । ଅପାତତଃ ସେମାନଙ୍କ ବକ୍ତୃତା ଶ୍ରୁତିସୁଖକର ହୋଇ ପାରେ, ସେମାନଙ୍କ ଲିଖିତ ପ୍ରବନ୍ଧାବଳୀ ନାନା ପ୍ରକାରରେ ଚିତ୍ତାକର୍ଷକ ହୋଇ ପାରେ, ମାତ୍ର ଇନ୍ଦ୍ରଧନୁର ରଙ୍ଗ ଭଳି ମୁହୂର୍ତ୍ତ ମଧ୍ୟରେ ସେ ସୌନ୍ଦର୍ଯ୍ୟ ଗଗନ ଅଙ୍କରେ ମିଶିଯିବ ସିନା !

 

ମୁଁ ଅନେକ ଥର କଂଗ୍ରେସ, କନ୍ଫରେନ୍ସ ପ୍ରଭୃତିକୁ ଯାଇ କୌଣସି କୌଣସି ଦେଶନାୟକ ଲୋକଙ୍କ ଆଚରଣ ଦେଖି ଲଜ୍ଜିତ ହୋଇଅଛି । ମାତ୍ର ସେତିକି ବେଳେ ଭାଳିଅଛି, ଏମାନଙ୍କର ପ୍ରକୃତ ସାଧନାର ଅଭାବ, ଯଶୋବାସନାହିଁ ଏମାନଙ୍କର କ୍ଷୁଦ୍ରତାର ମୂଳ । କଂଗ୍ରେସ, କନ୍ଫରେନ୍ସରେ ବକ୍ତୃତାଠାରୁ ମୁଁ ପଲ୍ଲୀ ସଂସ୍କାରକୁ ବଡ଼ କାର୍ଯ୍ୟ ବୋଲି ମନେ କରିଥାଏଁ, ଏହି ସଂସ୍କାର ପ୍ରଭାବରୁ ସମଗ୍ର ଉତ୍କଳର କାହିଁକି ସମଗ୍ର ଭାରତର ପ୍ରକୃତ ଉନ୍ନତିର ଦୃଢ଼ଭିତ୍ତି ପ୍ରତିଷ୍ଠିତ ହେବ ।

 

ଏହି ଉପଲକ୍ଷରେ ପ୍ରଧାନ ବକ୍ତବ୍ୟ ଏତିକି ଯେ, ଆଦର୍ଶ ଚରିତ୍ର ଶିକ୍ଷିତ ବ୍ୟକ୍ତି ପଲ୍ଲୀଗ୍ରାମର ଗ୍ରାମ୍ୟ ନିକେତନ ପରିତ୍ୟାଗ ନ କରନ୍ତୁ । ବିଶିଷ୍ଟ ପଲ୍ଲୀରେ ଗୋଟିଏ ଗୋଟିଏ ଲୋକର ଉତ୍ଥାନକୁ ଜଗଦୀଶ୍ୱରଙ୍କର ବିଶେଷ ଆଶୀର୍ବାଦ ବୋଲି ମନେ କରିବାକୁ ହେବ । ଈଶ୍ୱର ଯେପରି ସମଗ୍ର ଏସିଆକୁ ଉନ୍ନତ କରିବା ସକାଶେ ପୂର୍ବପ୍ରାନ୍ତରେ ଜାପାନକୁ ଜାଗ୍ରତ କରିଅଛନ୍ତି ଏବଂ ଜାପାନର ଆଦର୍ଶରେ ଚୀନକୁ ମଧ୍ୟ ଗଢ଼ୁଅଛନ୍ତି, ସେହିପରି ପ୍ରତି ଗ୍ରାମର ଶିକ୍ଷିତ ଓ ବୁଦ୍ଧିମାନ୍ ଲୋକଙ୍କୁ ସେହି ଗ୍ରାମ ଏବଂ ନିକଟବର୍ତ୍ତୀ ଗ୍ରାମର କଲ୍ୟାଣ କାମନାରେ ଉନ୍ନତ କରିବାହିଁ ଜଗଦୀଶ୍ୱରଙ୍କର ଅଭିପ୍ରାୟ ନୁହେ କି ? ସୁତରାଂ ଗ୍ରାମ ସକାଶେ ପ୍ରତ୍ୟେକ ଶିକ୍ଷିତ ବ୍ୟକ୍ତିଙ୍କର ଭଗବନ୍ନିର୍ଦ୍ଧିଷ୍ଟ କର୍ତ୍ତବ୍ୟ ରହିଅଛି, ଏହା ସ୍ୱୀକାର କରିବାକୁ ସମସ୍ତେହିଁ ବାଧ୍ୟ ।

 

ଦେଶର ଅପାମର ସର୍ବସାଧାରଣ ଯେପରି ଶିକ୍ଷିତ ହେବେ, ସେଥିପ୍ରତି ପ୍ରକୃତ ଦେଶହିତୈଷୀ ମାତ୍ରେହିଁ ଲକ୍ଷ୍ୟ କରନ୍ତୁ । ବିଦ୍ୟାଶିକ୍ଷା ମଧ୍ୟରେ ଯେପରି ବାଳକ ବାଳିକାମାନେ ସ୍ୱସ୍ୱ ଚରିତ୍ର ସୁଗଠନ କରି ପାରନ୍ତି, ତଦ୍ବିଷୟରେ ଦୃଷ୍ଟି ରଖିବା ଏକାନ୍ତ କର୍ତ୍ତବ୍ୟ । ଗ୍ରାମର ଶିକ୍ଷକ ଧୀର, ସ୍ଥିର, ଚରିତ୍ରବାନ୍ ଏବଂ ସାଧୁପ୍ରକୃତି ହେବା ଆବଶ୍ୟକ ଏବଂ ଶିକ୍ଷାପ୍ରଚାରହିଁ ତାଙ୍କ ଜୀବନର ଲକ୍ଷ୍ୟ ହେବା ଉଚିତ । ମଧ୍ୟେ ମଧ୍ୟେ ଗ୍ରାମର ଉଚ୍ଚ ଇଂରାଜୀ ଶିକ୍ଷିତ ଯୁବକବର୍ଗ ଗ୍ରାମର ବିଦ୍ୟାଳୟକୁ ଯାଇ ବାଳକ ବାଳିକାମାନଙ୍କର ଏବଂ କୃଷକ ଶିକ୍ଷାର୍ଥୀମାନଙ୍କର ଉତ୍ସାହବର୍ଦ୍ଧନରେ ବ୍ୟାପୃତ ରହନ୍ତୁ । ଏହି ସ୍ଥଳରେ ଏହା ମଧ୍ୟ କହିବା ଉଚିତ ଯେ, ସାମାଜିକ ଦୁର୍ନୀତି ଯେପରି ଗ୍ରାମକୁ ସ୍ପର୍ଶ ନ କରି ପାରେ, ତଦ୍ବିଷୟରେ ସମସ୍ତଙ୍କର ସାବଧାନ ରହିବା ଉଚିତ । ଯାହାଙ୍କ ଉପରେ ଗ୍ରାମ–ସଂସ୍କାର ଭାର ରହିବ, ତାଙ୍କର ପ୍ରଧାନ କର୍ତ୍ତବ୍ୟ ହେବ, ଗ୍ରାମ୍ୟଦୁର୍ନୀତି ସର୍ବାଦୌ ନଷ୍ଟ କରିବା ।

 

ଗ୍ରାମ ସଂସ୍କାର ଉଦ୍ଦେଶ୍ୟରେ ଗ୍ରାମର ସମସ୍ତ ଶ୍ରେଣୀର ଲୋକମାନଙ୍କୁ ଘେନି ଗୋଟିଏ ପରାମର୍ଶ–ସଭା ଗଢ଼ାଯିବା ଉଚିତ । ଏହି ସଭା କେବଳ ପରାମର୍ଶ ସକାଶେ, ବକୃତା ସକାଶେ ଅଭିପ୍ରେତ ନୁହେ, ଏହା ସମସ୍ତଙ୍କର ମନେ ରଖିବା କର୍ତ୍ତବ୍ୟ । ନିଷ୍ପତ୍ତିଦ୍ୱାରା ସମସ୍ତ ସମସ୍ୟା ମୀମାଂସା କରିବାହିଁ ଏହାର ଲକ୍ଷ୍ୟ । ନିଷ୍ପତ୍ତିର ନାୟକମାନଙ୍କୁ ଉକ୍ତ ସଭା ମନୋନୀତ କରି ରଖିଥିବେ । ଯେବେ କୌଣସି ପକ୍ଷର ଅପରାଧ ସାବ୍ୟସ୍ତ ହୁଏ, ତାହାହେଲେ ଅର୍ଥଦଣ୍ଡ କରି ଗ୍ରାମର କୌଣସି ହିତ କାର୍ଯ୍ୟରେ ସଭା ବ୍ୟୟ କରି ପାରିବେ ।

 

ଗ୍ରାମ୍ୟ ପଥଗୁଡ଼ିକ, ପୁଷ୍କରିଣୀ, ଦେବାଳୟ ଓ ମସଜିଦ୍ପ୍ରଭୃତିର ସଂସ୍କାର ଭାର ଏହି ସଭା ଗ୍ରହଣ କରିବେ । ଗ୍ରାମରେ ପୁସ୍ତକାଗାର ଓ ଧର୍ମସଭା ରହିବା ମଧ୍ୟ ଉଚିତ । ଗ୍ରାମବାସୀଙ୍କର ଅବସର ସମୟରେ ପୁସ୍ତକପାଠ ଓ ଧର୍ମଚର୍ଚ୍ଚା ସବୁବେଳେ ଲାଗି ରହିଥିବ । ଗ୍ରାମର ପ୍ରସ୍ତକାଗାରକୁ ମାସିକ ଓ ସାପ୍ତାହିକ ପତ୍ରିକା ପ୍ରଭୃତି ରୀତିମତେ ଆସିବା ଉଚିତ ।

 

ପ୍ରତି ଗ୍ରାମରେ ଧର୍ମସଭାର ବିଶେଷ ଉପଯୋଗିତା ଦୃଷ୍ଟ ହୁଏ । ପୂର୍ବର ବୃଦ୍ଧମାନେ ରାମାୟଣ ମହାଭାରତର ଚରିତ୍ର ଆଦର୍ଶରେ ସ୍ୱୀୟ ଜୀବନ ଗଠନ କରୁଥିଲେ, ମାତ୍ର ଆଜିକାଲି ଅର୍ଦ୍ଧଶିକ୍ଷିତା ଗ୍ରାମ୍ୟ ବଧୂମାନେ ସେ କାଳର ପୁସ୍ତକ ବୋଲି ଉକ୍ତ ଶ୍ରେଣୀର ଗ୍ରନ୍ଥସମୂହକୁ ଏକପ୍ରକାର ପରିହାର କରିଅଛନ୍ତି । ସଙ୍ଗେ ସଙ୍ଗେ ଜୀବନକୁ ନାନାରୂପ ଜଳ୍ପନା ଓ କଳ୍ପନାର କ୍ଷେତ୍ରରୂପେ ପରିଣତ କରିବାରୁ ଅନେକ ସ୍ଥାନରେ କୁଫଳ ମଧ୍ୟ ଫଳି ଯାଉଅଛି । ଏହି ରୂପେ ଗ୍ରାମରୁ ଧର୍ମଭାବ ତିରୋହିତ ହେବାରୁ ମାନବଜୀବନ ନିତାନ୍ତ ଅସାର ବୋଲି ପ୍ରତିପନ୍ନ ହେଉଅଛି । ବ୍ରତ, ଉପବାସ କିମ୍ବା ପୂଜା ପ୍ରତି ଗୃହରେ ଅନୁଷ୍ଠିତ ହେଲେହେଁ ସେଗୁଡ଼ିକ ଦୁଇଓଳି ଭାତ ଖାଇବା ଭଳି ରୁଟୀନ୍ (ନିୟମବଦ୍ଧ) କର୍ଯ୍ୟରୂପେ ଅନୁଷ୍ଠିତ ହେଉଅଛି ସିନା । ଏଥିରେ ଆତ୍ମାର ପ୍ରକୃତ ଉନ୍ନତି କିମ୍ବା ଉତ୍କର୍ଷ–ବିଷୟକ କୌଣସି ଅନୁଷ୍ଠାନ ମିଶି ରହିଲେ ସିନା ପ୍ରକୃତ ଧର୍ମଭାବର ଅବତାରଣା ହେବ !

 

ଗ୍ରାମର କ୍ରୀଡ଼ାକ୍ଷେତ୍ରଗୁଡ଼ିକ ଅପୂର୍ବ ମିଳନସ୍ଥଳ । ଏଠାରେ ଶୈଶବ–ପ୍ରୀତି, ଯୁବକ–ବନ୍ଧୁତ୍ୱ ସ୍ଥାପିତ ହୁଏ । ଏହି ସ୍ଥାନର ମିଳନ–କେନ୍ଦ୍ରରେ ଯେଉଁ ସୌହାର୍ଦ୍ୟ ଓ ବନ୍ଧୁତାର ସୂତ୍ରପାତ ହୁଏ, ତାହା ଦୀର୍ଘ କାଳସ୍ଥାୟୀ ହୋଇଥାଏ । ଅନ୍ୟୂନ ୩୦ । ୪୦ ବର୍ଷ ପୂର୍ବେ ଓଡ଼ିଆମାନେ ‘ବାବୁ’ ନ ଥିଲେ, ସେମାନଙ୍କ ଶରୀରରେ ଅସାଧାରଣ ବଳ ଥିଲା । ଆଜିକାଲିର ବୃଦ୍ଧମାନେ ମଧ୍ୟ ଏଥିର ଜୀବନ୍ତ ସାକ୍ଷୀ । ବାଉଁଶ ବାଡ଼ିକୁ ତେଲ ଲଗାଇ ରୋଷାଇ ଘରେ ରଖିଦେଲେ ଯେପରି ତାହା ଧୂଆଁରେ ପାଚିଯାଇ ଟାଣ ହୋଇଯାଏ, ଏହି ବୃଦ୍ଧମାନଙ୍କର ହାଡ଼ ବର୍ତ୍ତମାନ ସୁଦ୍ଧା ତଦ୍ରୂପ । ବର୍ତ୍ତମାନ ଶାରୀରିକ ଉନ୍ନତିସାଧନପାଇଁ ପ୍ରତି ପଲ୍ଲୀରେ ସେଭଳି କ୍ରୀଡ଼ାକେନ୍ଦ୍ର ନାହିଁ ବୋଇଲେ ଅତ୍ୟୁକ୍ତି ହେବ ନାହିଁ । ବର୍ତ୍ତମାନ ସ୍କୁଲ କଲେଜର କ୍ରୀଡ଼ାକେନ୍ଦ୍ରରେ କିମ୍ବା ଗ୍ରାମ୍ୟ ସ୍କୁଲର କ୍ରୀଡ଼ାସ୍ଥାନରେ ବାଳକମାନେ ମିଳିତ ହୋଇ ଲମ୍ପଝମ୍ପ କରୁଅଛନ୍ତି ସତ୍ୟ, କିନ୍ତୁ ସାଧାରଣଙ୍କପାଇଁ କ୍ରୀଡ଼ାକ୍ଷେତ୍ର ଗ୍ରାମଗୁଡ଼ିକରେ ନ ଥିବାରୁ ଗ୍ରାମରୁ ପ୍ରକୃତ ଆନନ୍ଦ ଅନ୍ତର୍ହିତ ହୋଇଅଛି ।

 

ଗ୍ରାମ ସଂସ୍କାରକଙ୍କର କର୍ତ୍ତବ୍ୟ–ପ୍ରତିଗ୍ରାମର ଲୋକମାନଙ୍କର ପାରିବାରିକ ଇତିବୃତ୍ତ ସଂଗ୍ରହ କରିବା ଓ ଧୋବା, ଭଣ୍ଡାରି, କୁମ୍ଭାର, ସୁନାରୀ, ଚଷା, କରଣ, ବ୍ରାହ୍ମଣ ପ୍ରଭୃତିଙ୍କର ଜାତି ଓ ବର୍ଣ୍ଣନିର୍ବିଶେଷରେ ପାରିବାରିକ ଇତିବୃତ୍ତ ସଂଗ୍ରହପାଇଁ ଚେଷ୍ଟା କରିବା । ଏଥିଦ୍ୱାରା ନିମ୍ନଶ୍ରେଣୀର ଲୋକମାନେ ଉଚ୍ଚଶ୍ରେଣୀର ଲୋକମାନଙ୍କ ସହିତ ଏକ ଆଡ଼େ ଯେପରି ପ୍ରୀତି–ବନ୍ଧନରେ ଆବଦ୍ଧ ହେବେ, ଅନ୍ୟ ଆଡ଼େ ସ୍ୱୀୟ ସ୍ୱୀୟ ଉତ୍କର୍ଷସାଧନ ସକାଶେ ଯତ୍ନଶୀଳ ହେବେ । କୌଣସି କୁମ୍ଭକାର ପରିବାରର ଇତିହାସ ସଂଗୃହୀତ ହେଲେ ଦୃଷ୍ଟ ହେବ, ଏହି ବଂଶରେ ୫୦ ବର୍ଷ ପୂର୍ବେ ମଣି ନାମରେ ଜଣେ କୁମ୍ଭାର ଥିଲା, ତାହା ଭଳି ଭଲ ହାଣ୍ଡି, ମାଠିଆ କେହି ଗଢ଼ି ପାରୁ ନ ଥିଲେ; ସେ ଯେଉଁ ମାଟି ପିତୁଳା ତିଆରି କରୁଥିଲା, କୋଡ଼ିଏ କୋଶ ମଧ୍ୟରେ ତାହାର ସମକକ୍ଷ କେହି ନ ଥିଲା । ଅପର ଜଣେ ସେହି ବଂଶୀୟ ଲୋକ ଯେତେବେଳେ ତାହାର ପୂର୍ବପୁରୁଷଙ୍କ ଯଶଃଖ୍ୟାତି ଶୁଣିବ, ସେତେବେଳେ ସେ ମଧ୍ୟ ଉନ୍ନତ ହେବାକୁ ଚେଷ୍ଟା କରିବେ । ସଚରାଚର ଅବସ୍ଥାପନ୍ନ ବ୍ୟକ୍ତିମାନେ ଅନ୍ତ୍ୟଜ ଜାତିମାନଙ୍କୁ ନଗଣ୍ୟ ଜ୍ଞାନ କରି ସେମାନଙ୍କର କୌଣସି ଇତିବୃତ୍ତ ରଖିବାକୁ କୁଣ୍ଠିତ ହୋଇଥାଆନ୍ତି–ସୁତରାଂ ଏହାର ଫଳ ମନ୍ଦ ହୁଏ ।

 

ଏହା ଉତ୍ତାରୁ ଗ୍ରାମର ପୂଜକ ବ୍ରାହ୍ମଣ ଏବଂ ମୌଲବୀ ପ୍ରଭୃତିଙ୍କର ସଂସ୍କାର ସାଧନ କରିବା ମଧ୍ୟ ସମସ୍ତଙ୍କର କର୍ତ୍ତବ୍ୟ । ସେମାନେ ସୁଶିକ୍ଷିତ ଓ ସଚ୍ଚରିତ୍ର ନ ହେବାରୁ ବହୁ ଲୋକଙ୍କର ଯଥେଷ୍ଟ କ୍ଷତି ହେଉଅଛି । ସେମାନେ ଯହିଁରେ ପ୍ରକୃତ ହିତୈଷୀରୂପେ କାର୍ଯ୍ୟ କରୁଥିବେ, ଏଥି ପ୍ରତି ସମସ୍ତଙ୍କର ଦୃଷ୍ଟି ଆକୃଷ୍ଟ ହେବା ଉଚିତ ।

 

କୃଷିର ଉନ୍ନତିପାଇଁ ଗ୍ରାମର ପ୍ରତ୍ୟେକଙ୍କର ସୁଦୃଷ୍ଟି ରହିବା ଆବଶ୍ୟକ । ସଂସ୍କୃତ ପ୍ରବାଦ ବାକ୍ୟ ‘‘ଧାନ୍ୟଂ ଧନାନ୍ୱିତଂ ନାନ୍ୟଧନଂ’’ ଅର୍ଥାତ୍ ଧାନ୍ୟ ଭଳି ଧନ ନାହିଁ, ଏହା ପତ୍ୟେକଙ୍କର ସ୍ମରଣ ରଖିବା କର୍ତ୍ତବ୍ୟ । ଗ୍ରାମର କୌଣସି ସୁଶିକ୍ଷିତ ଲୋକ ଯେପରି ଆଦର୍ଶ କୃଷକ ହୋଇ ପାରନ୍ତି, ଏ ବିଷୟରେ ଗ୍ରାମ୍ୟ ସମିତିର ଚେଷ୍ଟା କରିବା ଆବଶ୍ୟକ । ସେମାନଙ୍କ ମଧ୍ୟରୁ କେହି କୃଷି ବିଷୟରେ ଶିକ୍ଷା କରି ଆସିଲେ ଗ୍ରାମର କୃଷିକ୍ଷେତ୍ରଗୁଡ଼ିକ ଉନ୍ନତ ହେବ, ଲୋକେ ଭଲରୂପେ ଚାଷ କରିବାକୁ ଶିଖିବେ । ଏ ଦେଶରେ ଗୋବର ଭଳି ଉତ୍କୃଷ୍ଟ ସାର ନାହିଁ, ଅଥଚ ଏହି ଗୋବରଗୁଡ଼ିକର ରକ୍ଷା ଓ ସଦ୍ବ୍ୟବହାର ବିଷୟରେ ଅନେକ ଲୋକେ ଅନଭିଜ୍ଞ ।

 

ଓଡ଼ିଶାରେ ଗୋଟିଏ ପ୍ରାଚୀନ ପ୍ରବାଦ ବାକ୍ୟ ରହିଅଛି–‘‘କୁଟି ଖାଇବ, କାଟି ପିନ୍ଧିବ ।’’ ଏହି ବାକ୍ୟରେ କୃଷି ଓ ଶିଳ୍ପ ଏକାଧାରରେ ସମାବିଷ୍ଟ । ଏହି ବାକ୍ୟର ସାର୍ଥକତା ପ୍ରତ୍ୟେକ ପରିବାରରେ ଅନୁଭୂତ ହେଲେ ଯଥେଷ୍ଟ ହେଲା; ମାତ୍ର ଆଜି କାଲି ଏହି ପ୍ରାଚୀନ ମୂଲ୍ୟବାନ୍ ବାକ୍ୟର ଆଦର ନାହିଁ ।

 

ଗ୍ରାମର ସମୃଦ୍ଧିରେ ଗ୍ରାମ୍ୟ ଜୀବନ ପ୍ରକୃତ ସୁଖକର ହେବ ଏବଂ ଗ୍ରାମକୁ ଲକ୍ଷ୍ମୀ ସରସ୍ୱତୀଙ୍କର ଆଗମନ ପ୍ରଭାବରୁ ପଲ୍ଲୀଗୁଡ଼ିକ ଯେତେବେଳେ ଆନନ୍ଦମୁଖର ହେବ, ସେତେବେଳେ ଦେଶର ଯଥାର୍ଥ କଲ୍ୟାଣ ହେବ ।

 

(୬)

 

ପ୍ରାୟ ୨୯ବର୍ଷ ପୂର୍ବେ (୧୮୯୨ ସାଲରେ) ମୁଁ ସମୁଦ୍ର ପଥରେ ଯେତେବେଳେ ସର୍ବପ୍ରଥମେ କଲିକତା ଯାଇଥିଲି, ସେଠାରେ ମାର୍ଗପାର୍ଶ୍ୱସ୍ଥିତ ଜଳକଳର ଖୁଣ୍ଟମାନଙ୍କରେ ନିମ୍ନଲିଖିତ କଥାଗୁଡ଼ିକ ଲିଖିତ ଥିବାର ଦେଖିଥିଲି–‘‘ଅପଚୟ କର ନାହିଁ, ଅଭାବ ହେବ ନାହିଁ ।’’ ଆଜି ଏତେ ଦିନ ଉତ୍ତାରୁ ଏହି ଅମୂଲ୍ୟ ଉପଦେଶ ମନେ ପଡ଼ୁଅଛି । ସବୁ କ୍ଷେତ୍ରରେ ଏହା ପାଳନ କରି ଚଳିଲେ ଅନେକ ଅଭାବ ହାତରୁ ନିଷ୍କୃତି ସୁନିଶ୍ଚିତ । କିନ୍ତୁ ଦରିଦ୍ର ପକ୍ଷରେ ଏହି ଉପଦେଶ କେବଳ ଜପମାଳା କରିବା ଭଳି ସିନା । ଅଥଚ ବିଳାସଲାଳସାମୋହ–ମୁଗ୍ଧ ଦରିଦ୍ର ଓଡ଼ିଆ ଏହି ଉପଦେଶ ଭୁଲି ଗଲାଣି । ଓଡ଼ିଆ ଯେତେବେଳେ ସରଳଭାବରେ ବିଳାସବିହୀନ ଜୀବନ ଯାପନ କରୁଥିଲା–ପଲ୍ଲୀବାସରେ ଅଋଣୀ ଓ ଅପ୍ରବାସୀ ହୋଇ ସମାଜର କେନ୍ଦ୍ରରୂପ ସଂସାରରେ ସଂସାରୀ ହୋଇ ରହୁଥିଲା–ବାବୁ ହେବାର ବାସନାରେ ପଲ୍ଲୀଜୀବନ ତ୍ୟାଗ କରୁ ନ ଥିଲା ସେତେବେଳେ ଓଡ଼ିଆ ଅପଚୟ କରୁ ନ ଥିଲା, ସୁତରାଂ ତାହାର ଅଭାବ ମଧ୍ୟ ନ ଥିଲା । ସେତେବେଳେ ଓଡ଼ିଆର ‘‘ନିତିଆଣେ, ନିତି ଖାଏ’’ ଚିନ୍ତାର ଚିତାନଳରେ ଦଗ୍ଧ ହେବାର ଦୁର୍ଯ୍ୟୋଗ ଘଟି ନ ଥିଲା; ଅତିଥି ଆସିଲେ ଅନ୍ଧକାର ଦିଶୁ ନ ଥିଲା, ପକ୍ଷକାଳ ଚାକିରି ନ ଥିଲେ ଘର ବନ୍ଧକ ଦେବାର ଉପକ୍ରମ ହେଉ ନ ଥିଲା । ବର୍ତ୍ତମାନ ସେହି ଅବସ୍ଥା ପରିବର୍ତ୍ତିତ; ବର୍ତ୍ତମାନ ଆମ୍ଭେମାନେ ବିଳାସୀ ହୋଇଅଛୁଁ–ଘଡ଼ି, ଚେନ୍, ଗାଡ଼ି ଘୋଡ଼ା, ‘ଚୁନଟ୍’ କୁଞ୍ଚିତ ଚାଦର ଓ କମିଜର ଶୋଭା ଦେଖାଇବା ବାବୁ–ଗିରିରେ ଆମ୍ଭେମାନେ ପ୍ରକୃତ ଅନ୍ତଃସାରଶୂନ୍ୟ ହୋଇଅଛୁଁ । ବଙ୍ଗୀୟ କବି ଯଥାର୍ଥ କହିଅଛନ୍ତି–

 

‘‘ଯେ ଜନ ଦିବସେ ମନେର ହରଷେ

ଜ୍ୱାଲାୟ ମୋମେର ବାତି,

ଆଶୁ ଗୃହେ ତାର ନା ଦେଖିବେ ଆର

ନିଶିତେ ପ୍ରଦୀପଭାତି ।’’

 

ଏହା ଆମ୍ଭେମାନେ ବୁଝି ସୁଦ୍ଧା ଅବୁଝା ରହିଅଛୁଁ । ଆମ୍ଭମାନଙ୍କର ଏହି ଅପଚୟ ସମାଜର ସମସ୍ତ ସ୍ତରରେ ସଞ୍ଚାରିତ ହେଉଅଛି–ବଡ଼ର ଦେଖାଦେଖି ସାନ ମଧ୍ୟ ବିଳାସରେ ମଜ୍ଜି ଯାଉଅଛି–ଶିକ୍ଷିତର ଆଦର୍ଶରେ ଅଶିକ୍ଷିତ ବିକୃତ ହେଉଅଛି । କୃଷିଜ ପଣ୍ୟର ମୂଲ୍ୟ ଅସମ୍ଭବ ବୃଦ୍ଧି ଲଭିଅଛି, କୋଡ଼ିଏ ବର୍ଷ ମଧ୍ୟରେ ଧାନର ମୂଲ୍ୟ ପାଞ୍ଚଗୁଣ ହୋଇଅଛି, ପରିବା ପ୍ରଭୃତି ଅଗ୍ନିମୂଲ୍ୟ,–ଅଥଚ କୃଷକର ଅବସ୍ଥାର ପରିବର୍ତ୍ତନ ହୋଇ ନାହିଁ । ଆୟର ରଜ୍ଜୁ ବ୍ୟୟକୁ ବେଢ଼ି ଯାଇ ରଜ୍ଜୁର ଉଭୟ ମୁହଁ ଏକତ୍ର ହେଉ ନାହିଁ । ଏହି କୃଷିର ମଧ୍ୟ ଉତ୍କଳରେ ଯେଉଁ ଅପଚୟ ହେଉଅଛି, ତାହା ସ୍ମରଣ କଲେ ବେଦନା ରଖିବାର ସ୍ଥାନ ନାହିଁ । ବାଲେଶ୍ୱର ଜିଲ୍ଲାର ପୂର୍ବାଂଶରେ ଯେଉଁମାନେ ବେଣାବନରେ ୨ । ୩ ବର୍ଷ ଚାଷ କରି ପୁଣି ଅନ୍ୟ ସ୍ଥାନରେ ବଣ ପୋଡ଼ି ବର୍ଷେ ଦୁଇ ବର୍ଷ ଚାଷ କରନ୍ତି, ଏ ଜମିକୁ ଉଠିଆ କରି ପୁଣି ପଡ଼ିଆ ପକାଇ ଅନ୍ୟତ୍ର ଗମନ କରନ୍ତି, ସେମାନଙ୍କୁ ଆମ୍ଭେମାନେ ଅସଭ୍ୟ ମୂର୍ଖ କହିଥାଉଁ, ମାତ୍ର ଏହି ଅସଭ୍ୟ ମୂର୍ଖଙ୍କର ଅପଚୟଠାରୁ ଆମ୍ଭମାନଙ୍କର ଅପଚୟ କୌଣସି ଅଂଶରେ କମ୍ ନୁହେଁ ।

 

ଭୂମିର ଶକ୍ତି ହରଣ କରି ଶସ୍ୟ ଜନ୍ମିଥାଏ–ଏହି ହେତୁରୁ କ୍ରମାଗତ ଚାଷରେ ଭୂମିର ଉର୍ବରତାର ହ୍ରାସ ଅନିବାର୍ଯ୍ୟ । ପୃଥିବୀର ସମସ୍ତ ସଭ୍ୟଦେଶରେ ଏହି କ୍ଷତିପୂରଣ କରିବାର ବ୍ୟବସ୍ଥା ଅବଲମ୍ବିତ ହୁଏ–ଜମିରେ ଖତ ଦିଆଯାଉ ଥାଏ ଓ ମଧ୍ୟେ ମଧ୍ୟେ ଭିନ୍ନଜାତୀୟ ଉଦ୍ଭିଦର ଚାଷ ହେଉଥାଏ । ଓଡ଼ିଶା ଯେତେକାଳ ପ୍ରକୃତିର ପ୍ରିୟ ନିକେତନ ଥିଲା, ଅର୍ଥାତ୍ ସୁଜଳା ରହିଥିଲା, ତେତେଦିନ ଚାଷ ସକାଶେ ଜମିର ଯେଉଁ କ୍ଷତି, ତାହା ପ୍ରକୃତିହିଁ ପୂର୍ଣ୍ଣକରି ଦେଉଥିଲେ । ବର୍ତ୍ତମାନ ଓଡ଼ିଶା ସୁଜଳା ନୁହେ ନଦୀଗୁଡ଼ିକ ପଠାପରିପୂର୍ଣ୍ଣ ହୋଇ ପଠାରେ ଚାଷ ହେଉଅଛି–ନଦୀବୃଦ୍ଧି ହେଲାବେଳେ କ୍ଷେତରେ ଅନେକ ଦିନ ଆବିଳ ପାଣି ଜମି ରହି ଧାନ୍ୟକ୍ଷେତ୍ରର ସର୍ବନାଶ କରୁଅଛି–ସମୟ ସମୟରେ କ୍ଷେତ୍ରଗୁଡ଼ିକ ଉପରେ ବାଲିସ୍ତର ପକାଇ ଦେଇ କ୍ଷୁଦ୍ର ମରୁଭୂମିର ସୃଷ୍ଟି କରୁଅଛି । ଅଥଚ ପ୍ରକୃତି ଯେଉଁ କାର୍ଯ୍ୟ ବନ୍ଦ କରିଅଛନ୍ତି, ଉତ୍ତାରୁ ପଡ଼ିଆରେ ଘାସ ପାଇ ଟିକିଏ ତାଜା ହୋଇ ପୁଣି ଚାଷ କାର୍ଯ୍ୟ ଉତ୍ତାରୁ ପଡ଼ିଆରେ ଘାସ ପାଇ ଟିକିଏ ତାଜା ହୋଇ ପୁଣି ଚାଷ କାର୍ଯ୍ୟରେ ଲାଗନ୍ତି । ଅନେକ କୃଷକଙ୍କୁ ପ୍ରତିବର୍ଷ ଗୋରୁ କିଣି ପୁଣି ଲଙ୍ଗଳ ଯୋଚିବାକୁ ହୋଇଥାଏ । ଏହି ଅପଚୟ କେବଳ ଅର୍ଥର ନୁହେଁ; ଏଥିରେ ପଶୁର ମଧ୍ୟ ସର୍ବନାଶ ହୋଇଥାଏ । କେବଳ ଟଙ୍କା ଖରଚ କଲେ ସହଜରେ ଯେ ଗୋରୁ ବଳଦ ମିଳିଯିବେ, ଏହା ମଧ୍ୟ ନୁହେ । ଏହିପରି କିଛିଦିନ ଉତ୍ତାରୁ ଦେଶରେ କୃଷିକାର୍ଯ୍ୟ ପାଇଁ ଆବଶ୍ୟକ ପଶୁ ଦୁଷ୍ପ୍ରାପ୍ୟ ହେବ ଏବଂ ବର୍ତ୍ତମାନ ସମୟରୁ ମଧ୍ୟ ସେଗୁଡ଼ିକ ଅଗ୍ନିମୂଲ୍ୟ ହେଲେଣି ।

 

ପଶୁଗୁଡ଼ିକର ଅବନତି ଉତ୍କଳର ସର୍ବତ୍ର ସୁପ୍ରକାଶ । ଅନେକ ସ୍ଥାନରେ ୮ । ୧୦ ଖଣ୍ଡି ଗ୍ରାମରେ ସୁଦ୍ଧା ଗୋଟିଏ ବୃକ୍ଷ ନାହିଁ । ଶ୍ରାଦ୍ଧ ସମୟରେ ଅବସ୍ଥାପନ୍ନ ବ୍ୟକ୍ତିମାନଙ୍କର ଯେଉଁ ବୃଷୋତ୍ସର୍ଗର ରୀତି ଥିଲା, ସେହି ବୃଷ ମୁକ୍ତଭାବରେ ସର୍ବତ୍ର ବିଚରଣ କରୁଥିଲା, କେହି ତାହାକୁ କିଛି କହୁ ନ ଥିଲେ । ଆଜିକାଲି ମହାଦେବଙ୍କ ନାମରେ ଷଣ୍ଢ ଛାଡ଼ି ଦେଲେ ସୁଦ୍ଧା ଅଳ୍ପଦିନ ମଧ୍ୟରେ ଲୋକେ ତାକୁ ବଳଦ କରି ନେବାକୁ ଅଭ୍ୟସ୍ତ ହେଲେଣି ଏବଂ ଲେଖକ ଏହି ଘଟନା ପରିପୂର୍ଣ୍ଣ ମାତ୍ରାରେ କେତେକ ସ୍ଥଳରେ ଦେଖି ସାରିଲାଣି । ଷଣ୍ଢମାନଙ୍କର ସ୍ୱଚ୍ଛନ୍ଦ ଓ ଅବାଧ ବିଚରଣରେ ଶସ୍ୟର ଯେଉଁ କ୍ଷତି ହେଉଥିଲା, ଗୋଜାତିର ଉନ୍ନତିରେ ସେଥିର ପୂରଣ ମଧ୍ୟ ହେଉଥିଲା । ବର୍ତ୍ତମାନ ଆଉ ତାହା ହେଉ ନାହିଁ । ଅବାଧ ବିଚରଣକାରୀ ବୃଷ ଆଜିକାଲି ଶୀତଦିନର କୋଳିଗଛ ଭଳି କେବଳ ଟେକାବୃଷ୍ଟି ସହ୍ୟ କରିବାର ଅଧିକାରୀ । ଗ୍ରାମସମୂହରେ ବୃଷ ନାହିଁ, ସୁତରାଂ ଅନେକ ଗୋରୁ ଗର୍ଭବତୀ ହୁଅନ୍ତି ନାହିଁ l ମନୁଷ୍ୟ ଆଜି ଆଉ ତାହା କରୁ ନାହିଁ । ଅନ୍ୟ ସମସ୍ତ ଦେଶରେ ମନୁଷ୍ୟ ଯାହା କରିଥାଆନ୍ତି ଆମ୍ଭେମାନେ ତାହା କରୁ ନାହିଁ, ସୁତରାଂ ଜମିରେ ଫସଲ କମି ଯାଉଛି ।

 

କେନ୍ଦ୍ରାପଡ଼ା ଓ କୁଜଙ୍ଗ ଅଞ୍ଚଳରେ କ୍ଷୁଦ୍ର ନାଳ, ନଦୀ ପ୍ରଭୃତିରେ କାଉଁରିଆ ସଢାଇ ସେଥିରୁ ଝୋଟ ବାହାର କରନ୍ତି, ସେଥି ଲାଗି ପାଣି କଳୁଷିତ ହୁଏ; ଏହି କଳୁଷିତ ଜଳ ପାନ କରି ଲୋକେ ପୀଡ଼ିତ ହୁଅନ୍ତି । ଅଥଚ ଝୋଟର ଯେଉଁ ଅଂଶ ସାର ରୂପେ ବ୍ୟବହୃତ ହେବାର ସମ୍ଭବ, ସେ ଅଂଶ ଜମିକୁ ଫେରାଇ ଦେଲେ ଜମିର ଶକ୍ତିର ଜମା–ଖରଚ ମିଳିଯାଆନ୍ତା । ଗର୍ତ୍ତରେ କାଉଁରିଆ ସଢ଼ାଇଲେ ଗର୍ତ୍ତ ମଧ୍ୟରେ ଯେଉଁ ସଢ଼ା ପଟୁ ଜମି ଯାଏ, ତହିଁରେହିଁ ପ୍ରକୃତ ସାର ଥାଏ–ସେହି ପଟୁକୁ ନେଇ ଜମିରେ ଦେଲେ ଜମିର ଶକ୍ତି କ୍ଷୟ ହେବ ନାହିଁ । ମଧ୍ୟପ୍ରଦେଶ ଓ ଜବଲପୁର ପ୍ରଭୃତି ଅଞ୍ଚଳର କେତେକ ଅଂଶରେ ପୁଷ୍କରିଣୀର ଜଳ ଓ ପଙ୍କ ବିକ୍ରୟ ହେବା ଲେଖକ ସ୍ୱଚକ୍ଷୁରେ ଦେଖିଅଛି । ଓଡ଼ିଶାରେ ତାହା ହୁଏନାହିଁ । ଏହି ଅପଚୟ କଥା କୃଷକଙ୍କୁ କେହି ସୁଦ୍ଧା ବୁଝାଇ ଦିଏ ନାହିଁ । ଏଥି ସକାଶେ ଆମ୍ଭେମାନେ କେବଳ ସରକାରଙ୍କ ନିନ୍ଦା କରି ନିଶ୍ଚିନ୍ତ ହେଉଁ । ଆମ୍ଭମାନଙ୍କ ଶିକ୍ଷିତ ସମ୍ପ୍ରଦାୟ ମଧ୍ୟରେ ଏହା ରାଜନୀତିକ ଆନ୍ଦୋଳନର ଗୋଟିଏ ଅଙ୍ଗ ହୋଇ ପାରନ୍ତା ! କିନ୍ତୁ ଶିକ୍ଷିତମାନେ ସହରରେ ବସି ଲେଖି କିମ୍ବା ବକ୍ତୁତା ଦେଇ ଖଲାସ୍ l ପଲ୍ଲୀବାସତ୍ୟାଗୀ ଓଡ଼ିଆ ସେ ବିଷୟରେ ନିଜର କର୍ତ୍ତବ୍ୟ ଅନୁଭବ କରନ୍ତି ନାହିଁ । ଏ ସମସ୍ତ କାର୍ଯ୍ୟରେ ଯେଉଁମାନେ ପରମୁଖାପେଷୀ, ସେମାନେ ସ୍ୱୟତ୍ତଶାସନ ପାଇଁ ଆନ୍ଦୋଳନ କରିବାକୁ ଏଡ଼େ ଚିତ୍କାର କରନ୍ତି କାହିଁକି ?

 

ପୁଣି ଯେଉଁ ସମସ୍ତ ସ୍ଥାନରେ ନଦୀବୃଦ୍ଧିର ଜଳ ଜମି ଉପରେ ମାଡ଼ିଯାଏ, ସେ ସମସ୍ତ ସ୍ଥାନରେ ଲୋକେ ଦିଓଟି ଫସଲ କରିବାକୁ ମଙ୍ଗନ୍ତି ନାହିଁ–ଗୋଟିଏ ଫସଲରେ ସନ୍ତୁଷ୍ଟ ରହନ୍ତି । ଯେତେବେଳେ ଧାନ୍ୟ ସ୍ଥାନନ୍ତରକୁ ପ୍ରେରଣର ଅସୁବିଧା ଥିଲା ଏବଂ ଧାନ୍ୟ ଶସ୍ତା ଥିଲା, ସେତେବେଳେର ପ୍ରଥାହିଁ ଚାଲି ଆସୁଅଛି । ଧନୁସଂକ୍ରାନ୍ତିରୁ ଲୋକେ ବିଲକୁ ଗୋରୁ, ମହିଷି ଛାଡ଼ି ଦିଅନ୍ତି, ସୁତରାଂ କ୍ଷେତରେ ଆଉ କୌଣସି ପ୍ରକାର ରବିଶସ୍ୟ କରିବାର ଉପାୟ ନାହିଁ । କୃଷକମାନେ ଦଳବଦ୍ଧ ହୋଇ ଏହାର ପ୍ରକୃତ ପ୍ରତୀକାର କରନ୍ତି ନାହିଁ–କେହି ସେମାନଙ୍କୁ ଏହି ପ୍ରତୀକାରର ଉପଦେଶ ଦେବାକୁ ସୁଦ୍ଧା କୁଣ୍ଠିତ !

 

କଟକ ଜିଲ୍ଲା ଓ ଗଡ଼ଜାତର କେତେକ ଅଂଶରେ ପ୍ରତିବର୍ଷ ଜଳପ୍ଳାବନ ସକାଶେ କୌଣସି କୌଣସି ସ୍ଥଳରେ ଗୋରୁ ବଳଦ ଚରିବାର ସ୍ଥାନ ନ ଥାଏ–ସେମାନଙ୍କର ଆହାରର ମଧ୍ୟ କୌଣସି ବ୍ୟବସ୍ଥା ନ ଥାଏ; କୌଣସି କୌଣସି କୃଷକର ମଧ୍ୟ ଗୋଶାଳା ନାହିଁ । ଧାରାଶ୍ରାବଣ ସମୟରେ ବଳଦଗୁଡ଼ିକ ପାଣିକାଦୁଅରେ ଲଙ୍ଗଳ ବୁଲାଉଥାନ୍ତି–ଏହା ଉତ୍ତାରୁ ବାକି ସମସ୍ତ ସମୟରେ ଗୃହପ୍ରାଙ୍ଗଣର କର୍ଦମରାଶିରେ ନଡ଼ା କିମ୍ବା ପାଳର ଗଦା ରହିଥାଏ, ସେଥିରୁ ଟାଣି ଓଟାରି ଖାଆନ୍ତି । ଏହିପରି ଅଳ୍ପଦିନ ମଧ୍ୟରେ ସେଗୁଡ଼ିକ ଅସ୍ଥିଚର୍ମସାର ହୁଅନ୍ତି–ଅନେକଗୁଡ଼ିଏ ମରନ୍ତି; ଯେଉଁ ଗୁଡ଼ିକ ବଞ୍ଚି ରହନ୍ତି, ସେଗୁଡ଼ିକ ମାଘ ମାସ ହୁଅନ୍ତି ନାହିଁ । ଯେଉଁମାନେ ଗର୍ଭଧାରଣ କରନ୍ତି, ସେମାନେ କେବଳ ଅପ୍ରାପ୍ତବୟସ୍କ ଷଣ୍ଢଦ୍ୱାରା । କ୍ରମଶଃ ଏହି ହେତୁରୁ ଗୋଜାତିର ଅବନତି ହେଉଅଛି, ଏହି ଅପଚୟ ନିବାରିତ ନ ହେଲେ କେବଳ ଅନ୍ୟପ୍ରଦେଶରୁ ଗୋରୁ ଆଣି କେତେଦିନ କାମ ଚଳିବ ? ଏ ସମସ୍ତ କାର୍ଯ୍ୟ ର ତତ୍ତ୍ୱ ନେବା କଅଣ ଶିକ୍ଷିତ ଲୋକମାନଙ୍କ ପକ୍ଷରେ ଅସମ୍ମାନକର କିମ୍ବା ଘୃଣାଜନକ ? ଶିକ୍ଷାର କି କୌଣସି ଦାୟିତ୍ୱ ନାହିଁ ?

 

ଯାଜପୁର ଏବଂ ଭଦ୍ରଖ ହାଟରୁ ଉତ୍ତରଞ୍ଚଳକୁ ସହସ୍ର ସହସ୍ର ଗୋ ମହିଷ ପ୍ରେରିତ ହୁଅନ୍ତି । ବାଙ୍କି, କଳାପଥର, ନିଶ୍ଚିନ୍ତକୋଇଲି ପ୍ରଭୃତି ସ୍ଥାନରୁ ମଧ୍ୟ ଅସଂଖ୍ୟ ଗୋରୁ ଓ ବଳଦ ବିଦେଶକୁ ଚଲାଣ ହୁଅନ୍ତି । ଚାଷର କିଛିଦିନ ପୂର୍ବରୁ ବେପାରିମାନେ ଗୋରୁ, ବଳଦ ଘେନି ନାନାସ୍ଥାନରେ ଉପସ୍ଥିତ ହୁଅନ୍ତି । ଏଗୁଡ଼ିକ ମଧ୍ୟରେ ଅନେକ ଭଲ ଗାଈ ମଧ୍ୟ ଥାଆନ୍ତି, ମାତ୍ର ଷଣ୍ଢ ଅଭାବରୁ ଅନେକ ସ୍ଥଳରେ ଗୋବତ୍ସ ପ୍ରଦାନରେ ଏମାନେ ଅକ୍ଷମ ହୁଅନ୍ତି । ଷଣ୍ଢ ଥିଲେ ଲୋକଙ୍କୁ ବିଦେଶରୁ ବହୁମୂଲ୍ୟରେ ବଳଦ କିଣିବାକୁ ହୁଅନ୍ତା ନାହିଁ ବହୁ ଗର୍ଭଧାରଣକ୍ଷମା ଗାଭୀ ମଧ୍ୟ ବନ୍ଧ୍ୟାତ୍ୱ ପ୍ରାପ୍ତ ହୋଇ ଦେଶରେ ଗୋରୁ ବଳଦର ସଂଖ୍ୟାବୃଦ୍ଧିର ଅନ୍ତରାୟ ହୁଅନ୍ତେ ନାହିଁ ।

Unknown

 

ଏପରି ଅନେକ କଥାର ଅବତାରଣା ହୋଇ ପାରେ । ମାତ୍ର ଏ ସମସ୍ତ ବ୍ୟାପାର ପ୍ରତୀକାରସାପେକ୍ଷ, କିନ୍ତୁ ପ୍ରତୀକାର କରୁଛି କିଏ ? ଦେଶର ଅଶିକ୍ଷିତ ବ୍ୟକ୍ତିମାନେ ଶିକ୍ଷାର ଅଭାବରୁ ପଶୁବତ୍ ଜୀବନ ଯାପନ କରିବାକୁ ବାଧ୍ୟ ହୁଅନ୍ତି । ସେମାନେ ବୁଦ୍ଧି ଚାଳନା କରି କୌଣସି କାର୍ଯ୍ୟରେ ଅଗ୍ରଣୀ ହୁଅନ୍ତି ନାହିଁ, କୌଣସି ପରିବର୍ତ୍ତନରେ ମଧ୍ୟ ସାହସୀ ହୋଇ ନ ଥାନ୍ତି; ବିଶେଷ ପ୍ରତୀକାର କରିବା କାହାରି ଜଣକର ସାଧ୍ୟାତୀତ ହୋଇଥାଏ । ସେମାନେ ପୂର୍ବପୁରୁଷାନୁସୃତ ପଥରେ ଚାଲନ୍ତି–ଦୁର୍ଦ୍ଦଶା ସକାଶେ ଅଦୃଷ୍ଟକୁ ଦୋଷ ଦିଅନ୍ତି–ଅଭାବ ହେଲେ ଅନାହାର ଓ ଅଳ୍ପାହାରଜନିତ ବ୍ୟାଧିସମୂହରେ ମରିବାକୁ ବାଧ୍ୟ ହୁଅନ୍ତି ସିନା ?

 

କିନ୍ତୁ ଦେଶରେ ଯେଉଁ ଶିକ୍ଷିତସମ୍ପ୍ରଦାୟ ସ୍ୱାୟତ୍ତଶାସନ ସକାଶେ ଚିତ୍କାର କରୁଛନ୍ତି, ଯେଉଁମାନେ ଦେଶର ବକ୍ତୁତା ଦେବାବେଳେ ଜନସାଧାରଣଙ୍କ ଦୁଃଖରେ କ୍ରନ୍ଦନ କରିଥାଆନ୍ତି, ସେମାନେ କଅଣ ଏ ସମସ୍ତ ସକାଶେ କୌଣସି କାର୍ଯ୍ୟ କରିଅଛନ୍ତି ? ଯେ ଯାହା ଗ୍ରାମକୁ ଯାଇ ଗ୍ରାମ୍ୟ ଲୋକଙ୍କୁ ଘେନି ମଣ୍ଡଳୀ ଗଠନ କରି ଏଭଳି ଅନୁଷ୍ଠାନର ସୂଚନା କରିବାକୁ କଅଣ ସେମାନେ ସମୟର ନିତାନ୍ତ ଅପଚୟ ବୋଲି ବିବେଚନା କରନ୍ତି ? ଯେତେଦିନଯାଏ ଦେଶର ଶିକ୍ଷିତ ବ୍ୟକ୍ତିମାନେ ଏତିକି ସ୍ୱାର୍ଥତ୍ୟାଗ ନ କରି ପାରିବେ, ତେତେଦିନଯାଏ ସେମାନେ ଦେଶର ପ୍ରକୃତ ଉପକାର ସାଧନା କରି ପାରିବେ ନାହିଁ–ସେତେକାଳ ଦେଶର ଜନସାଧାରଣଙ୍କ ଉପରେ ସେମାନଙ୍କର ପ୍ରଭାବ ବିସ୍ତୃତ ହେବ ନାହିଁ । ସେତେକାଳ ପର୍ଯ୍ୟନ୍ତ ଦେଶର ଶିକ୍ଷିତ ଓ ଅଶିକ୍ଷିତ ସମ୍ପ୍ରଦାୟ ତେଲ ଓ ଜଳ ଭଳି ମିଶ୍ରିତ ହୋଇ ରହିଥିବେ । ଶିକ୍ଷିତ ବ୍ୟକ୍ତିମାନେ ଗ୍ରାମର ଅଶିକ୍ଷିତ ବାଉରି ଓ ଶଅରମାନଙ୍କ ପିଣ୍ଢାରେ ବସି ସେମାନଙ୍କ ସୁଖଦୁଃଖରେ ବାକ୍ୟତଃ ଓ କାର୍ଯ୍ୟତଃ ସହାନୁଭୂତି ନ ଦେଖାଇବା ପର୍ଯ୍ୟନ୍ତ ଦେଶର ପ୍ରକୃତ ଉନ୍ନତିର ଅବକାଶ ଅସମ୍ଭବ ମାତ୍ର ।

 

ରାଜନୀତିକ ଅଧିକାର ବ୍ୟତୀତ ଅନ୍ୟ କୌଣସି ବିଷୟର ଆଲୋଚନା କିଛିଦିନ ପୂର୍ବେ ଶିକ୍ଷିତସମାଜରେ ଶୁଣାଯାଉ ନ ଥିଲା । ଶୁଣାଇବାର ଚେଷ୍ଟା କଲେହେଁ କେହି ଶୁଣୁ ନ ଥିଲେ । ବର୍ତ୍ତମାନ ଅବସ୍ଥାର ତାଡ଼ନାରୁ ଶିକ୍ଷିତ ସମାଜର ସେ ଭାବ ନାହିଁ ।

 

ଓଡ଼ିଶାର ଏବଂ ଓଡିଆଙ୍କର ଉନ୍ନତି ସାଧନ କଥା ଆଜିକାଲି ଅନେକଙ୍କ ମୁଖରେ–ସଭା ସମିତି, ସାମୟିକ ସମ୍ବାଦପତ୍ର ଏବଂ ପୁସ୍ତକସମୂହରେ–ଆଲୋଚିତ ହେଉଥିଲେହେଁ, ପ୍ରକୃତ ଉନ୍ନତି ଅନେକ ପଶ୍ଚାତରେ ପଡ଼ି ରହିଅଛି । ଏହି ହିସାବରେ ଓଡ଼ିଆ ଦିନକୁଦିନ ମୃତ୍ୟୁ ଆଡ଼କୁ–ବିନାଶର ବାଟକୁ ଅଗ୍ରସର ହେଉଅଛି । ଓଡ଼ିଶାର ଏକାଧିକ ଅଞ୍ଚଳରେ ପ୍ରତି ବର୍ଷ ଜନସଂଖ୍ୟା ବର୍ଦ୍ଧିତ ନ ହୋଇ କମିଯାଉଅଛି ବୋଲି ସୁପ୍ରକାଶ । ଯେ କୌଣସି ପ୍ରଦେଶରେ ହେଉ ପଛକେ, ଏହି ଅବସ୍ଥା ପ୍ରକୃତରେ ଆଶଙ୍କାଜନକ । ଏହି ଆଶଙ୍କାର କାରଣ ନିବାରଣ ସକାଶେ ଆମ୍ଭେମାନେ ସ୍ୱୟଂ ତାଦୃଶ ଚେଷ୍ଟା ନ କରି ମଧ୍ୟେ ମଧ୍ୟେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା କଥା କହି ନିଶ୍ଚିନ୍ତ ରହିଥାଉଁ । ଓଡ଼ିଶାର ପଲ୍ଲୀଗୁଡ଼ିକର ସଂସାର ବ୍ୟତୀତ ଏହି ଶୋଚନୀୟ ଅବସ୍ଥାର ପ୍ରତୀକାର ହେବ ନାହିଁ–ହୋଇ ନ ପାରେ । ଆଜି ମଧ୍ୟ ଓଡ଼ିଶା ପଲ୍ଲୀପ୍ରାଣ–ଓଡ଼ିଆର ଯହିଁରେ ବୈଶିଷ୍ଟ, ଓଡ଼ିଆର ଯାହା ବିଳାସ ଓ ଆଦର୍ଶ, ସେସବୁ ପଲ୍ଲୀର । ସେ ବୈଶିଷ୍ଟ୍ୟ–ସେ ସମାଜବନ୍ଧନ ଓ ବିଳାସ–ପରାର୍ଥରେ ସ୍ୱାର୍ଥତ୍ୟାଗ; ସେ ଆଦର୍ଶ–ପରସ୍ପର ହିତସାଧନ । ଆଜି ଆମ୍ଭେମାନେ ବିଦେଶୀୟ ଦୃଷ୍ଟାନ୍ତରେ ଅନୁପ୍ରାଣିତ ହୋଇ ପ୍ରଜାତନ୍ତ୍ର ଅଥବା ଡିମୋକ୍ରାସୀର (Democracy) ପ୍ରଶଂସା କରିଥାଉଁ, ମାତ୍ର ପ୍ରାଚୀନ ଉତ୍କଳସମାଜରେ ସେହି ଜନତନ୍ତ୍ର–ଶାସନର ଯେପରି ଉନ୍ନତି ସାଧିତ ହୋଇଥିଲା, ତାହା କେବଳ ଆମ୍ଭେମାନେ ଶିକ୍ଷାର ଦୋଷରୁ ଜାଣି ପାରୁ ନାହୁଁ । ଉତ୍କଳର ଜନତନ୍ତ୍ରଶାସନ କେତେବେଳେ ରକ୍ତସିକ୍ତ ରାଜନୀତିକ ପଥର ପଥିକ ହୋଇ ନାହିଁ, ତାହା କେବଳ ଅଭିଜ୍ଞତା ଓ ଦୂରଦର୍ଶିତାଦ୍ୱାରା ନିୟନ୍ତ୍ରିତ ହୋଇ ସମ୍ପୂର୍ଣ୍ଣତା ଲାଭ କରିଥିଲା । ଏଭଳି ସାମାଜିକ ନିୟମ କୌଣସି ସମାଜରେ ନ ଥିଲା । ସାମାଜିକ କ୍ରିୟା କର୍ମରେ ଏହି ଦେଶରେ ଆହାର୍ଯ୍ୟ ଶୁଷ୍କ ଓ ଶୀତଳ ହୋଇଗଲେ ମଧ୍ୟ ଧନୀଙ୍କୁ ଦରିଦ୍ରର ପ୍ରତୀକ୍ଷାରେ ଅପେକ୍ଷା କରି ରହିବାକୁ ହେଉଥିଲା–ସମାଜର ସମସ୍ତ ପ୍ରତିନିଧି, ସମସ୍ତ ସଦସ୍ୟ ସମବେତ ନ ହେଲେ କାହାରି ଆହାର କରିବାର ଅଧିକାର ନ ଥିଲା । ଏହି ଲେଖକ ପ୍ରାୟ ୨୦ ବର୍ଷ ପୂର୍ବେ କୌଣସି ରାଜବିବାହରେ ଏହା ସ୍ୱୟଂ ପ୍ରତ୍ୟକ୍ଷ କରିଅଛି । ସାମାଜିକ ଉତ୍ସବର ଆରମ୍ଭରେ ଗୃହକର୍ତ୍ତାଙ୍କର କର୍ଯ୍ୟାରମ୍ଭ ପୂର୍ବରୁ ସମବେତ ସମସ୍ତଙ୍କ ଅନୁମତି ଗ୍ରହଣର ପ୍ରଥା ଥିଲା । ନୋହିଲେ ତାଙ୍କର ନିନ୍ଦା ହେଉଥିଲା, ଲୋକମତ ତାଙ୍କ ଔଦ୍ଧତ୍ୟ ଓ ଅବିନୟର ଦଣ୍ଡବିଧାନ କରୁଥିଲା, ସାମାଜିକତାକୁ ସମାଜଶାସନ କ୍ଷୁର୍ଣ୍ଣ କରିବାକୁ ଛାଡ଼ି ଦେଉ ନ ଥିଲା । ଲୋକମତ ଆଉ କେଉଁ ଦେଶରେ ଏପରି ଭାବରେ ମନୁଷ୍ୟକୁ ସର୍ବ କାର୍ଯ୍ୟରେ ନିୟନ୍ତ୍ରିତ କରି ଏଭଳି ପ୍ରବଳ ହୋଇଥିଲା ? ଏହି ସମାଜ ଶାସନହିଁ ଅନାଚାରରୁ ସମାଜକୁ ମୁକ୍ତ ରଖିଥିଲା–ଔଦ୍ଧତ୍ୟ ଓ ଅବିନୟରେ ମନୁଷ୍ୟର ବ୍ୟବହାରକୁ କଳଙ୍କିତ ହେବାକୁ ଛାଡି ଦେଇ ନ ଥିଲା । ଏକଆଡ଼େ ଯେପରି ଧର୍ମର ଶାସନ ଓ ଆଚାର ବିଧାନ, ଅନ୍ୟଆଡ଼େ ସେହିପରି ସମାଜର ଶାସନ ମନୁଷ୍ୟଙ୍କୁ ସଂଯମୀ କରୁଥିଲା । ଏହାହିଁ ଉତ୍କଳୀୟ ସମାଜର ବୈଶିଷ୍ଟ୍ୟ ଏବଂ ଏହି ବୈଶିଷ୍ଟ୍ୟହିଁ ଉତ୍କଳର ପଲ୍ଲୀଗ୍ରାମର ଓଡ଼ିଆ ସମାଜରେ ବିକଶିତ ହୋଇଥିଲା ଏବଂ ଆଜିକାଲି ସୁଦ୍ଧା ବିଶିଷ୍ଟ ବିଶିଷ୍ଟ ଗ୍ରାମରେ ଏହି ନିୟମ ଅକ୍ଷୁର୍ଣ୍ଣ ରହିଅଛି । ସହରଗୁଡ଼ିକ ଉତ୍କଳ ସାମାଜିକ–ଜୀବନ ସହିତ କାହିଁରେ ସୁଦ୍ଧା ସାମଞ୍ଜସ୍ୟ ସନ୍ଧାନ କରି ପାଇ ପାରୁ ନାହିଁ । ଯେଉଁ ସ୍ଥାନରେ ପ୍ରତିବେଶିଗଣ ପରସ୍ପର ସମ୍ପୂର୍ଣ୍ଣରୂପେ ଅପରିଚିତ, ଶତ ଶତ ଲୋକ କେବଳ ସ୍ୱ ସ୍ୱ ସ୍ୱାର୍ଥର ସନ୍ଧାନ ଓ ସାଧନାରେ ବ୍ୟସ୍ତ, ସେ ସ୍ଥାନରେ ଓଡ଼ିଶାର ସେହି ଆଦର୍ଶ ସାମାଜିକ ଜୀବନ ଅକ୍ଷୁର୍ଣ୍ଣ ରହିବ କିପରି ? ସେ ଜୀବନ ସକାଶେ ଉତ୍କଳର ଶାନ୍ତିସ୍ନିଗ୍ଧ, ସରସ ଓ ସୁନ୍ଦର ପଲ୍ଲୀର ସାମାଜିକ ବ୍ୟବସ୍ଥାର ପ୍ରୟୋଜନ । ୪୦ । ୫୦ ବର୍ଷ ପୂର୍ବ ପର୍ଯ୍ୟନ୍ତ ଏହି ବୈଶିଷ୍ଟ୍ୟ ବିଦ୍ୟମାନ ଥିଲା । ସେତେବେଳେ ଓଡ଼ିଆ ମନେ କରୁଥିଲେ, ସହରରେ ଅର୍ଥାର୍ଜନ କରି–କାର୍ଯ୍ୟ ଶେଷ କରି ପଲ୍ଲୀସମାଜକୁ ଫେରିଯିବାକୁ ହେବ–ସହର କେବଳ କାର୍ଯ୍ୟସକାଶେ, ବାସପାଇଁ ନୁହେ । ସେତେବେଳେ ଓଡ଼ିଆର ହୃଦୟ ଶୁଷ୍କ ମରୁମୟ ହୋଇ ନାହିଁ; ଓଡିଆ ବିଳାସବାହୁଲ୍ୟରେ ଦାରିଦ୍ର୍ୟ ସ୍ୱରୂପ ରାବଣର ଚିତାକୁ ସ୍ୱ ଅଙ୍ଗରେ ଜାଳି ନାହିଁ, ସମାଜଭ୍ରଷ୍ଟ ଓଡ଼ିଆ ଅନାଚାରରେ ନିଜର ସର୍ବନାଶପଥ ଅବଲମ୍ବନ କରି ନାହିଁ । ୫୦ ବର୍ଷ ମଧ୍ୟରେ ସେ ସବୁ ଚାଲି ଯାଇଅଛି । ବର୍ତ୍ତମାନ ସହର ଅସ୍ୱାସ୍ଥ୍ୟ–କେନ୍ଦ୍ର, ଦୁର୍ନୀତିପ୍ରଲୋଭନସଙ୍କୁଳ; ସମାଜ–ସମ୍ପର୍କଶୂନ୍ୟ ସହରହିଁ ଓଡ଼ିଆର ଆଜିକାଲି କାମନାର କାମଧେନୁ ଭଳି ବିଦ୍ୟମାନ । ପଲ୍ଲୀ ବର୍ତ୍ତମାନ ପରିତ୍ୟକ୍ତ ପ୍ରାୟ । ଏହା ସହିତ ଓଡ଼ିଆର ଯେତିକି ବୈଶିଷ୍ଟ୍ୟ, ସେତିକି ତାହା ଜୀବନରୁ ଅନ୍ତର୍ହିତ–ଦିନେ ଯାହା ସାଧନାର ଧନସ୍ୱରୂପ ରହିଥିଲା, ଆଜିକାଲି ତାହା ଅବହେଳାର ପଙ୍କରେ ଲୁଣ୍ଠିତ । ଆମ୍ଭେମାନେ ବିଦେଶୀୟ ଅନୁକରଣରେ ଆମ୍ଭମାନଙ୍କ ସମାଜ ସହିତ ସମ୍ପୂର୍ଣ୍ଣରୂପେ ସମ୍ପର୍କଶୂନ୍ୟ ଜନତନ୍ତ୍ରଶାସନର ମହିମା କୀର୍ତ୍ତନ କରୁଥିବୁଁ–ଏହା ସକାଶେ ଫମ୍ପା ଆନ୍ଦୋଳନରେ ସମୟ ଓ ଉତ୍ସାହ ନଷ୍ଟ କରୁଥିବୁଁ, କିନ୍ତୁ ଯେଉଁ ଜନତନ୍ତ୍ର–ଶାସନ ଆମ୍ଭମାନଙ୍କ ସମାଜର ଅଭିଜ୍ଞତାର ଫଳରେ ପୁଷ୍ଟ ଓ ପୂର୍ଣ୍ଣ ହୋଇଥିଲା, ଯାହା ଓଡ଼ିଆର ଜୀବନକୁ ସ୍ନିଗ୍ଧ ଓ ସରସ କରି ରଖିଥିଲା, ଯାହାର ଅନୁଶୀଳନରେ ଓଡ଼ିଆର ପ୍ରକୃତ ଉନ୍ନତିର ସିଂହଦ୍ୱାର ମୁକ୍ତ ହୋଇ ଯାଉଥିଲା, ସେହି ସାମାଜିକ ଜନତନ୍ତ୍ରଶାସନ ଅନାୟାସରେ ପରିହାର କରିଅଛୁଁ : ଯେଉଁ ପଲ୍ଲୀରେ ତାହାର ଉତ୍ପତ୍ତି ଓ ସ୍ଥିତି, ସେହି ପଲ୍ଲୀ ପରିତ୍ୟାଗ କରିଅଛୁଁ । ଯେଉଁମାନେ ଶିକ୍ଷିତ ବୋଲି ଗର୍ବ କରିଥାଆନ୍ତି, ସେମାନେ ପଲ୍ଲୀତ୍ୟାଗ କରିଅଛନ୍ତି ବୋଲି ପଲ୍ଲୀସ୍ୱାସ୍ଥ୍ୟ କ୍ଷୁର୍ଣ୍ଣ–ପଲ୍ଲୀସମାଜ ମଧ୍ୟ ପଲ୍ଲୀ ପୁଷ୍କରିଣୀ ଭଳି ଆବିଳ ହୋଇଅଛି ।

 

ପୂର୍ବେ ବିଳାସ ପରାର୍ଥରେ ପ୍ରଯୁକ୍ତ ହେଉଥିଲା, ସ୍ୱାର୍ଥ ରହିଥିଲା ତ୍ୟାଗରେ । ଏହି ବିଳାସ ସକାଶେ ଏ ଦେଶରେ ବିଦେଶୀୟ ଦରିଦ୍ରାବାସ ଡ଼ାକ୍ତରଖାନା ପ୍ରଭୃତି (Poor house, Hospital) ପ୍ରୟୋଜନ ହେଉ ନ ଥିଲା । ଆତ୍ମୀୟତା ସଙ୍କୀର୍ଣ୍ଣ ସୀମାରେ ଆବଦ୍ଧ ନ ଥିଲା–ପରନ୍ତୁ ଲୋକସେବାରେ ପରିଣତି ଲାଭ କରି ସମାଜର ସର୍ବବିଧ କଲ୍ୟାଣରେ ପ୍ରଯୁକ୍ତ ହେଉଥିଲା । ସେତେବେଳେ କେହି ବିଭବଶାଳୀ ହେଲେ ସମାଜିକ ଅନୁଷ୍ଠାନରେ ତାଙ୍କର ଅର୍ଥ ସମାଜର ସର୍ବସ୍ତରରେ ପ୍ରବାହିତ ହେଉଥିଲା, ଅଥଚ ତହିଁରେ ଗର୍ବ କିମ୍ବା ଆଡ଼ମ୍ବର ନ ଥିଲା । ଅତି ସହଜ ଓ ସ୍ୱାଭାବିକ ନିୟମରେ ସେ ସବୁ କାର୍ଯ୍ୟ ହେଉଥିଲା । ବ୍ରାହ୍ମଣ ପଣ୍ଡିତଙ୍କ ବିଦାକିରେ ପଣ୍ଡିତମାନେ ଯେପରି ଦେଶରେ ଶିକ୍ଷାର ସାଧନା କରି ଶିକ୍ଷା ପ୍ରଚାର କରିବାକୁ ସୁଯୋଗ ପାଉଥିଲେ, ସେହିପରି ନାନା ଅଂଶରେ ସମାଜର ଅନ୍ୟାନ୍ୟ ସ୍ତରରେ ଧନୀର ଅର୍ଥ ଖେଳେଇ ହୋଇ ଯାଉଥିଲା । ଗ୍ରାମରେ ଦେବମନ୍ଦିର ପ୍ରତିଷ୍ଠା, ପୁଷ୍କରିଣୀ ଖନନ, ବିଦ୍ୟାଳୟ ସଂରକ୍ଷଣ ପ୍ରଭୃତି ସେତେବେଳେ ଧନୀର କର୍ତ୍ତବ୍ୟ ମଧ୍ୟରେ ପରିଗଣିତ ହେଉଥିଲା । ସେ ସବୁ କର୍ତ୍ତବ୍ୟ ପାଳନ ନ କଲେ ସମାଜରେ ତାଙ୍କର ନିନ୍ଦା ଅପରିହାର୍ଯ୍ୟ–ସମାଜରେ ତାଙ୍କ ଭାଗ୍ୟରେ ସମ୍ମାନ ଅଥବା ସମାଜର–ଲାଭ ଅସମ୍ଭବ ହେଉଥିଲା । ସେତେବେଳେ ଉପାଧିରେ ଅଥବା ମୋଟର୍ ଗାଡ଼ିରେ ଲୋକମାନଙ୍କ ସମ୍ମାନ ସୂଚିତ ହେଉ ନ ଥିଲା, ସେ ସମ୍ମାନ ସୂଚିତ ହେଉଥିଲା ଲୋକଙ୍କ ମୁଖବାକ୍ୟରେ । ସେତେବେଳେ ଅତିଥି, ଅଭ୍ୟାଗତ, ଭିକ୍ଷୁକ ପର୍ଯ୍ୟନ୍ତ ଆହାର କିମ୍ବା ଜଳ ଗ୍ରହଣ ନ କରିବା ପର୍ଯ୍ୟନ୍ତ ଗୃହିଣୀ ଅନ୍ନ ଗ୍ରହଣ କରୁନଥିଲେ–ଏଭଳି ସୁନ୍ଦର ପ୍ରଥାର ଆଜି କେଉଁ ବ୍ୟବହାର ହେଉଅଛି ? ଏହି ସବୁ ପରାର୍ଥରେ ସ୍ୱାର୍ଥତ୍ୟାଗ–ଏହା ସକାଶେ ବକ୍ତୃତା ଦେବାକୁ କିମ୍ବା ସାମୟିକ ପତ୍ରିକାରେ ଆଲୋଚନା କରିବାକୁ ହେଉ ନ ଥିଲା–ଉପାଧିର ଲୋଭ ଦେଖାଇବାକୁ କିମ୍ବା ଉଚ୍ଚତମ ରାଜପୁରୁଷଙ୍କ ଅସନ୍ତୋଷର ଭୟ ପ୍ରଦର୍ଶନ କରିବାକୁ ହେଉ ନ ଥିଲା । ଏହା ସମାଜର ସ୍ୱାଭାବିକ ନିୟମରେ ଲୋକମାନେ ଶିକ୍ଷା କରୁଥିଲେ ଏବଂ ଶିଖି ତାହାର ଅନୁଶୀଳନ କରୁଥିଲେ । ଏହି ହେତୁରୁ ବର୍ତ୍ତମାନ ଭଳି ସେତେବେଳେ କେହି ପୁଷ୍କରିଣୀ ଖନନ କିମ୍ବା ମାର୍ଗ ରଚନାରେ ଟଙ୍କା ଦେଇ ଉପାଧି ଲାଭର ଆଶା କରୁ ନ ଥିଲେ–କିମ୍ବା ସେହି ଦାନବାର୍ତ୍ତା ସମ୍ବାଦପତ୍ରରେ ଘୋଷିତ ହେବା ସକାଶେ ସମ୍ପାଦକଙ୍କ ଦ୍ୱାରସ୍ଥ ହେଉ ନ ଥିଲେ । ସେତେବେଳେ ଯାହା ଆମ୍ଭମାନଙ୍କର ବିଳାସ ଥିଲା, ଏତେ ବେଳେ ତାହା ଆମ୍ଭମାନଙ୍କୁ ସନ୍ଧାନ କରି ନେବାକୁ ହେବ । ଆମ୍ଭେମାନେ ଯେଉଁ ଜୀବନ ହରାଇ ଦେଇଅଛୁଁ, ସେହି ଜୀବନ ଫେରି ପାଇବା ସକାଶେ ଆମ୍ଭମାନଙ୍କୁ ଚେଷ୍ଟା କରିବାକୁ ହେବ ।

 

ପଲ୍ଲୀରେ ଆମ୍ଭମାନଙ୍କର ଆଦର୍ଶ ଥିଲା–ପରସ୍ପର ହିତ ସାଧନ । ଆଜି ଆମ୍ଭେମାନେ ବଡ଼ ବଡ଼ ବକ୍ତାଙ୍କ ମୁଖରୁ ସମବାୟ ନୀତିର ପ୍ରଶଂସା ଶୁଣୁଁ, ଦେଶରେ ସମବାୟ ନୀତିର ପ୍ରତିଷ୍ଠା କରି ଦେଶର ଲୋକମାନଙ୍କ ମଧ୍ୟରେ ଘନିଷ୍ଠତା ସ୍ଥାପନର ଓ ଦାରିଦ୍ର୍ୟ ନିବାରଣର ଚେଷ୍ଟା କରିଥାଉଁ । କିନ୍ତୁ ଏତିକି ବିସ୍ମୃତ ହେଉଁ ଯେ, ଏହି ଆଦର୍ଶରେ ଆମ୍ଭମାନଙ୍କ ସମାଜର ଉନ୍ନତି ଏକ ସମୟରେ ହୋଇଥିଲା । ଗ୍ରାମର ଦଶ ଜଣ କୃଷକ ଏକ ଦିନ ଏକଯୋଗ ହୋଇ ଜଣକର କ୍ଷେତ୍ର ଚାଷ କରନ୍ତି ଅଥବା ଶସ୍ୟ ସଂଗ୍ରହ କରନ୍ତି: ଆଉ ଅନ୍ୟଦିନ ସେହିପରି ଅନ୍ୟ ଜଣକ କ୍ଷେତ୍ରରେ କାର୍ଯ୍ୟ ହୋଇଥାଏ–ଏହା ବେଶି ଦିନର କଥା ନୁହେଁ: ପ୍ରାୟ କୋଡ଼ିଏ ବର୍ଷ ତଳର କଥା । ଏହିପରି ଦଶ ଜଣଙ୍କ ସମବେତ ଚେଷ୍ଟାରେ ଦଶ ଜଣଙ୍କ କାର୍ଯ୍ୟ ସହଜରେ ସମ୍ପନ୍ନ ହେଉଥିଲା । ସାମାଜିକ କାର୍ଯ୍ୟସମୂହରେ, ବିବାହ, ଶ୍ରାଦ୍ଧ ପ୍ରଭୃତିରେ, ‘‘ବ୍ୟବହାର ଏବଂ ଭାର ଚଳିବା’’ ପ୍ରଥା ମଧ୍ୟ ଏହି ସମବାୟ ନୀତିରେ ପରସ୍ପରର ସାହାଯ୍ୟଦାନ । ଆମ୍ଭମାନଙ୍କର ସାମାଜିକ ଆଚାର ବ୍ୟବହାରକୁ ‘‘କୁସଂସ୍କାର’’ ବୋଲି ପରିହାର ନ କରି ଶ୍ରଦ୍ଧା ସହକାରେ ସେଗୁଡ଼ିକର ସ୍ୱରୂପ ନିର୍ଦ୍ଧାରଣର ଚେଷ୍ଟା କଲେ ସେ ସମସ୍ତର ମୂଳରେ ଏହି ସମବାୟ ନୀତିର–ଏହି ପରସ୍ପର ହିତସାଧନ ଚେଷ୍ଟାର ଅସ୍ତିତ୍ୱ ଲକ୍ଷିତ ହେବ । ଆମ୍ଭେମାନେ ଲକ୍ଷ୍ୟ କରିବାର କ୍ଷମତା ହରାଇ ଆଜି ସେ ସମସ୍ତ ତ୍ୟାଗ କରିଅଛୁଁ । ଏହି ସମସ୍ତ ତ୍ୟାଗ କରି ଆଜି ବିପନ୍ନ ହୋଇ ବିଦେଶରୁ ଆମଦାନୀ ହୋଇଥିବା କୋ–ଅପରେଟିଭ୍ ସୋସାଇଟିର ପ୍ରତିଷ୍ଠାରେ ନିଜର ଦୁଃଖ ଦାରିଦ୍ର୍ୟ ଦୂର କରିବା ଆଶାରେ ଲବ୍ଧ ହେଉଅଛୁଁ ସିନା ?

 

ଉତ୍କଳର ପୂର୍ବ ବୈଶିଷ୍ଟ୍ୟ, ବିଳାସ ଏବଂ ଆଦର୍ଶ ଫେରାଇ ନ ଆଣିଲେ, ପୂର୍ବ ସମାଜ ସଂସ୍ଥାପନ ନ କଲେ ଓଡ଼ିଆଙ୍କର ଜୀବନକୁଞ୍ଜରେ ସୁମଧର ବଂଶୀଧ୍ୱନି ଆଉ ଶୁଭିବ ନାହିଁ–ଏହା ସୁନିଶ୍ଚିତ ।

 

(୭)

 

ଆଜିକାଲି ପଲ୍ଲୀ ସଂସ୍କାର ସମ୍ବନ୍ଧରେ ଗୋଟିଏ ଆପତ୍ତି ଉଠିଅଛି–ପଲ୍ଲୀରେ ଅର୍ଥୋପାର୍ଜନର କୌଣସି ଉପାୟ ନାହିଁ ବୋଲି ପଲ୍ଲୀବାସ ସମ୍ଭ୍ରାନ୍ତ ଲୋକମାନଙ୍କ ପକ୍ଷରେ ଅନୁକୂଳ ନୁହେଁ । ଏତେକାଳ ଯାହା ସମସ୍ତଙ୍କ ପକ୍ଷରେ ଅନୁକୂଳ ଥିଲା, ଆଜି ତାହା ପ୍ରତିକୂଳ ହେଲା କାହିଁକି ? ଏହାର ଉତ୍ତର ପୂର୍ବ ପ୍ରବନ୍ଧରେ ଦେଇଅଛି–ଆମ୍ଭେମାନେ ଦୁରାକାଙ୍କ୍ଷାର ମୃଗତୃଷ୍ନିକାରେ ଉଦ୍ଭ୍ରାନ୍ତ ହୋଇଅଛୁଁ–ଆଶାର ଗଣ୍ଡୀକୁ ଅସମ୍ଭବ ବୃଦ୍ଧି କରିଅଛୁଁ । ନିବୃତ୍ତିମାର୍ଗହିଁ ଯେଉଁ ଦେଶରେ ସମାଦୃତ ଥିଲା, ସେ ଦେଶର ଲୋକେ ବର୍ତ୍ତମାନ ପ୍ରବୃତ୍ତିକୁ ଅବଳ୍ଗିତ କରି ଦେଉଅଛନ୍ତି । ଏହି ହେତୁରୁ ଆମ୍ଭମାନଙ୍କ ଆୟଦ୍ୱାରା ବ୍ୟୟ ସଂସ୍ଥାନ ହେଉ ନାହିଁ । ଏ ଅବସ୍ଥାରେ ସନ୍ତୋଷ, ସୁଖ ଓ ଶାନ୍ତି ଦୁଷ୍ପ୍ରାପ୍ୟ ହେବାହିଁ ସ୍ୱାଭାବିକ । ଆମ୍ଭମାନଙ୍କର ତାହାହିଁ ଘଟିଅଛି ।

 

ଏ ସମସ୍ତ କଥା ଯେତେ କହିଲେ ମଧ୍ୟ ବିଗତ ଶତାବ୍ଦୀ ମଧ୍ୟରେ ଆମ୍ଭମାନଙ୍କ ସମାଜର ଯେଉଁ ପରିବର୍ତ୍ତନ ହୋଇଅଛି, ଦେଖୁଁ ଦେଖୁଁ ତାହା ଦୂର ହେବ ନାହିଁ । ବର୍ତ୍ତମାନ ଓ ପୂର୍ବର ପ୍ରଭେଦ ଏତିକି–ପୂର୍ବେ ଦରବାରରେ ଓଡ଼ିଆମାନେ ଜରିପୋଷାକର ସମାଦର କରୁଥିଲେହେଁ, ଉପରେ ବେଶ–ବୈଚିତ୍ର୍ୟର ପରାକାଷ୍ଠା ଦେଖାଉଥିଲେ ମଧ୍ୟ ଭିତରକୁ ଯେଉଁ ଓଡ଼ିଆ ସେହି ଓଡ଼ିଆ ଥିଲେ । କିନ୍ତୁ ବର୍ତ୍ତମାନ ଆମ୍ଭମାନଙ୍କ ଅବସ୍ଥା ଅନ୍ୟରୂପ । ବର୍ତ୍ତମାନ ବାହାରରେ ପରିବର୍ତ୍ତନ ଯେତିକି, ଭିତରେ ମଧ୍ୟ ତେତିକି କିମ୍ବା ତତୋଽଧିକ । ଏହି ହେତୁରୁ ଏକାନ୍ନବର୍ତ୍ତୀ ପରିବାର ଭାଙ୍ଗି ଯାଉଅଛି ପଲ୍ଲୀବାସ ଉଠି ଯାଉଅଛି–ଆଉ ପୂର୍ବର ‘ଗୃହସ୍ଥ’ ବୋଲି ପରିଚିତ ହେବାର ଉପାୟ ନାହିଁ, ‘ନିତି ଆଣି ନିତି ଖାଏ’ ଅବସ୍ଥା ସମସ୍ତଙ୍କର ହୋଇଅଛି । ଏ ପରିବର୍ତ୍ତନକୁ ଏକାବେଳକେ ଉପେକ୍ଷା କଲେ ଚଳିବ ନାହିଁ–ଏହାର ପ୍ରଭାବ ଏକାବେଳକେ ଲୁପ୍ତ ହେବ ନାହିଁ । ସମାଜରେ ଏହାର ପ୍ରଭାବ ମାନି, ବୁଛି କାର୍ଯ୍ୟ କରିବାକୁ ହେବ । ପଲ୍ଲୀରେ ଅର୍ଥାର୍ଜ୍ଜନର ନୂତନ ଉପାୟମାନ ଉଦ୍ଭାବନ କରିବାକୁ ହେବ । ଇଉରୋପର ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହର କଳ ବସାଇ ପଲ୍ଲୀରେ ସାନ ସାନ କାରଖାନା କରି–କୃଷିକ୍ଷେତ୍ରରେ ସୁଦ୍ଧା ବିଦ୍ୟୁତ୍ ସରବରାହ କରି ଶିଳ୍ପୋନ୍ନିତିର ବ୍ୟବସ୍ଥା ହୋଇଅଛି । ନଦୀର ସ୍ରୋତରେ ଚକ୍ର ବୁଲାଇ କଳଚାଳନା ହୋଇଥାଏ । ମାତ୍ର ଏ ସବୁ କଳ୍ପନା କାର୍ଯ୍ୟରେ ପରିଣତ କରିବାର ସମୟ ଏ ଦେଶକୁ ଏ ପର୍ଯ୍ୟନ୍ତ ଆସି ନାହିଁ । ଏହା ପୂର୍ବରୁ ପ୍ରୟୋଜନ–ପଲ୍ଲୀରେ ବହୁଶିଳ୍ପର ପ୍ରତିଷ୍ଠା । ଏହା କି ଅସମ୍ଭବ ?

 

ଭାରତରେ ଖ୍ରୀଷ୍ଟୀୟ ଧର୍ମଯାଜକମାନେ ଧର୍ମପ୍ରଚାର କେନ୍ଦ୍ର ସମୂହରେ ବିବିଧ ଶିଳ୍ପର ପ୍ରତିଷ୍ଠା କରିଅଛନ୍ତି । ସେମାନଙ୍କ ଦ୍ୱାରା ହସ୍ତଚାଳିତ ତନ୍ତଗୁଡ଼ିକର ଅନେକ ଉନ୍ନତି ସାଧିତ ହୋଇଅଛି ଓ ରେସମ ଶିଳ୍ପର ପ୍ରବର୍ତ୍ତନ ଅନେକ ସ୍ଥଳରେ ହୋଇଅଛି । ଦାର୍ଜିଲିଙ୍ଗ୍ ସହରନିକଟସ୍ଥ କାଲିମ୍ପଗ୍ରେ ଖ୍ରୀଷ୍ଟଧର୍ମଯାଜକଗଣଙ୍କର ଏଭଳି ଗୋଟିଏ ପ୍ରଚାରକେନ୍ଦ୍ର ଲେଖକ ସ୍ୱଚକ୍ଷୁରେ ଦେଖିଥିଲା । ସେଠାରେ ଜଣେ ଯାଜକ–ମହିଳା ଶିଶୁମାନଙ୍କୁ ସ୍ୱୟଂ ଶିକ୍ଷାଦାନ କରିଥାଆନ୍ତି ଏବଂ ସେହି ଶିକ୍ଷାଫଳରୁ ସେମାନେ ସ୍ୱଗୃହରେ ନାନାବିଧ ପଣ୍ୟ ଉତ୍ପାଦନ କରିବାକୁ ସମର୍ଥ ହୋଇଥାଆନ୍ତି । ଏହିପରି ରମଣୀମାନେ ଗୃହକାର୍ଯ୍ୟର ଅବସର କାଳରେ ପଣ୍ୟ ପ୍ରସ୍ତୁତ କରି ଅର୍ଥାର୍ଜ୍ଜନ କରି ପାରନ୍ତି ଏବଂ ବାଳକ ବାଳିକାମାନେ ସେହି କାର୍ଯ୍ୟରେ ସାହାଯ୍ୟ କରି ପାରନ୍ତି । ଏହି ବ୍ୟବସ୍ଥାରେ କାଲିମ୍ପଗ୍ର କୁଟୀରବାସୀମାନଙ୍କର ଯଥେଷ୍ଟ ଉପକାର ଏବଂ ବିଶେଷ ଉନ୍ନତି ହୋଇଅଛି ।

 

ଏହିଭଳି ବ୍ୟବସ୍ଥା ପୂର୍ବେ ଏ ଦେଶର ଉଟଜ ଶିଳ୍ପରେ ମଧ୍ୟ ଥିଲା l ଶିଳ୍ପୀ ନିଜ ଗୃହରେ ପଣ୍ୟ ଉତ୍ପାଦନ କରୁଥିଲା, ତାହାର ଗୃହର ଲୋକେ, ରମଣୀ ଏବଂ ବାଳକବାଳିକାମାନେ ତାହାକୁ କାର୍ଯ୍ୟରେ ସାହାଯ୍ୟ କରୁଥିଲେ । ଏଥିରେ ପଣ୍ୟସମୂହର ଉତ୍ପାଦନ ବ୍ୟୟ ଅଳ୍ପ ପଡ଼ୁଥିଲା–ଶିଳ୍ପୀ ନିଜ ଗୃହରେ ରହି ଏ ସମସ୍ତ କାର୍ଯ୍ୟ କରୁଥିବାରୁ ସମାଜର କୌଣସି ପରିବର୍ତ୍ତନ ହେଉ ନ ଥିଲା । କାଲିମ୍ପଗ୍ରେ ଧର୍ମଯାଜକମାନେ ଯେଉଁ ବ୍ୟବସ୍ଥା କରିଅଛନ୍ତି, ତାହା ମଧ୍ୟ ଏହି ବ୍ୟବସ୍ଥାର ଅନୁରୂପ । ସେହି ବ୍ୟବସ୍ଥାରେ ଯେତେବେଳେ ଲାଭ ହେଉଅଛି, ସେତେବେଳେ ସେମାନେ ଯାହା କରିଅଛନ୍ତି, ଆମ୍ଭେମାନେ ତାହା ନ କରି ପାରିବୁ କାହିଁକି ? ଏ କାର୍ଯ୍ୟ ଦେଶର ଶିକ୍ଷିତ ଲୋକଙ୍କର । ସେମାନେ ଯେବେ ପଲ୍ଲୀ ଗ୍ରାମରେ ନୂତନ ନୂତନ ଶିଳ୍ପ–ପ୍ରତିଷ୍ଠାର ବ୍ୟବସ୍ଥା କରନ୍ତି, ତହିଁରେ କେବଳ ଯେ ଶିଳ୍ପୀମାନଙ୍କର ଉନ୍ନତି ହେବ, ଏମନ୍ତ ନୁହେ, ପରନ୍ତୁ ବ୍ୟବସାୟୀମାନଙ୍କର ସୃଷ୍ଟି ଓ ପୁଷ୍ଟି ହେବ । ସମ୍ଭ୍ରାନ୍ତ ସନ୍ତାନମାନେ ସ୍ୱଗ୍ରାମରେ ବସି ଅନେକ ଶିଳ୍ପ ଅବଲମ୍ବନ କରି ପାରନ୍ତି ଏବଂ ସେହି ସମସ୍ତ ପଣ୍ୟ ସଂଗ୍ରହ କରି ବିକ୍ରୟର ବ୍ୟବସ୍ଥା କଲେ ତହିଁରେ ମଧ୍ୟ ଜୀବିକାର୍ଜନର ଯଥେଷ୍ଟ ଉପାୟ ହୋଇ ପାରିବ ।

 

ଲେଖକ ବାମଣ୍ଡା ରାଜ୍ୟର ପ୍ରାୟ ସମସ୍ତ ଗ୍ରାମ ଦେଖିଅଛି–ଗ୍ରାମର ପ୍ରାନ୍ତଭାଗରେ କପାଚାଷର କ୍ଷେତ୍ର ଏବଂ ଏଥିରୁ ଉତ୍ପନ୍ନ ତୁଳାଗୁଡ଼ିକ ବିକ୍ରୟ ନ ହୋଇ ଗ୍ରାମର ପାଣମାନଙ୍କୁ ଦିଆ ଯାଇଥାଏ । ସେମାନେ ଯେଉଁ ଲୁଗା ବୁଣନ୍ତି, ତାହା ଗ୍ରାମର ସମ୍ଭ୍ରାନ୍ତଠାରୁ ଇତରଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ସମସ୍ତେହିଁ ବ୍ୟବହାର କରିଥାଆନ୍ତି । ଏହି ଲୁଗା ବ୍ୟତୀତ ସେମାନେ ଅନ୍ୟ ଲୁଗା ପ୍ରାୟ ବ୍ୟବହାର କରନ୍ତି ନାହିଁ । ଗ୍ରାମର ଅନ୍ୟ ଅବସ୍ଥାପନ୍ନ ଲୋକଙ୍କର ମଧ୍ୟ ଏହି ଲୁଗା ନିତ୍ୟବ୍ୟବହାର୍ଯ୍ୟ, ମାତ୍ର ଆଜିକାଲିର ଶିକ୍ଷିତ ଲୋକମାନଙ୍କର ଗତି ସ୍ୱତନ୍ତ୍ର !

 

ଆଜିକାଲି ସହରରେ ପରିବା, ମାଛ, ଦୁଧ, ଫଳ ପ୍ରଭୃତି ସମସ୍ତହିଁ ଦୁର୍ମୂଲ୍ୟ । ପଲ୍ଲୀଗ୍ରାମରେ ପରିବାକ୍ଷେତ୍ର ସ୍ଥାପନ କରି, ପୁଷ୍ପରିଣୀରେ ମତ୍ସ୍ୟର ଚାଷ କରି, ଫଳର ବଗିଚା ଏବଂ ଗୋଶାଳା ସ୍ଥାପନ କରି, ଶିକ୍ଷିତ ବ୍ୟକ୍ତିମାନେ ସହରକୁ ଏଗୁଡ଼ିକ ସରବରାହ କରିବାର ବ୍ୟବସ୍ଥା କଲେ କଅଣ ଭଲ ହୁଅନ୍ତା ନାହିଁ ? ଆଫ୍ରିକାରୁ ବିଲାତକୁ ଫଳ ପ୍ରେରିତ ହୋଇଥାଏ; ସେ ବ୍ୟବସାୟ ଆଜିକାଲି ଏଭଳି ବୃହତ୍ ହୋଇଅଛି ଯେ, ଫଳ ପ୍ରେରଣ ସକାଶେ ସ୍ୱତନ୍ତ୍ର ଜାହାଜମାନ ନିର୍ମିତ ହେଉଅଛି । ଆଫ୍ରିକାର କୁଲୁ ପ୍ରଭୃତି ସ୍ଥାନରେ ଇଉରୋପୀୟମାନେ ଫଳର ପ୍ରକାଣ୍ଡ ବଗିଚାମାନ କରି ଫଳ ଆହରଣ କରି ବିଦେଶରେ ବିକ୍ରୟର ବ୍ୟବସ୍ଥା କରୁଅଛନ୍ତି । ମାତ୍ର ଆମ୍ଭମାନଙ୍କ ଦେଶରେ ଏହି ସମସ୍ତ ବ୍ୟବସ୍ଥା ମୂର୍ଖଙ୍କ ହାତରେ । ଜଣେ କହିଥିଲେ :–

 

‘‘ସ୍ୱଭାବେ କଇୟାଁ ବଙ୍କା,

ଗୁଣ ଚଢ଼ାନ୍ତେ ଧନୁ ବଙ୍କା,

ଚନ୍ଦ୍ର ବଙ୍କା ଦିନେ ଦିନେ,

ମୁର୍ଖ ବଙ୍କା ସବୁଦିନେ ।’’

 

ସୁତରାଂ ମୁର୍ଖମାନଙ୍କଦ୍ୱାରା ବ୍ୟବସାୟ ମଧ୍ୟ ଅଳ୍ପ–ଦିନରେ ବଙ୍କା ହେବାର ସୂତ୍ରପାତ ହେଲାଣି । ଶିକ୍ଷିତମାନେ ଏଥିରେ ଅବହିତ ନ ହେଲେ ସେମାନଙ୍କର ଶିକ୍ଷା ସାର୍ଥକ ହେବ ନାହିଁ ଏବଂ ସେମାନେ ମଧ୍ୟ ମୂର୍ଖଭଳି ବଙ୍କା ହୋଇଯିବେ ! ମୂର୍ଖ ବ୍ୟବସାୟୀଙ୍କ ହସ୍ତରେ ଅପକ୍ଵ–ଫଳ ସଂଗୃହୀତ ହୋଇ ଟୋକେଇରେ ଉପର୍ଯ୍ୟୁପରି ଜମା ରହି ସେଥିରୁ ଅନେକ ଫଳ ସଢ଼ି ନଷ୍ଟ ହୁଏ । ଉତ୍କଳର କେତେକ ବୃହତ୍ ଆମ୍ବତୋଟାମାନଙ୍କରୁ ଆସୁଥିବା ପର୍ଯ୍ୟାପ୍ତ ପରିମାଣ ଆମ୍ବର ପ୍ରବଳ କ୍ଷତି ଲେଖକ ସ୍ୱଚକ୍ଷୁରେ ଦେଖିଅଛି । କିନ୍ତୁ ଇଉରୋପୀୟ ବଗିଚାର ସ୍ଵତ୍ୱାଧିକାରୀମାନେ ସାନ ସାନ ଟୋକେଇରେ ଶୁଷ୍କ ତୃଣ ପାରି ଦେଇ ତାହା ମଧ୍ୟରେ କାଗଜ ଗୁଡ଼ାଇ ଫଳଗୁଡ଼ିକ ଡାକରେ ଯେପରି ପଠାଇଥାନ୍ତି, ସେପରି ବ୍ୟବସ୍ଥା ଉତ୍କଳରେ ଅନାୟାସରେ ଅନୁଷ୍ଠିତ ହୋଇ ପାରେ । ପାଳଲହଡ଼ାର ପାବୁଡ଼ି ଅଞ୍ଚଳରେ କାଗଜି, କଦଳୀ ଓ ଅପର୍ଯ୍ୟାପ୍ତ ନାଗେଶ୍ୱର ବଣ ରହିଅଛି । ନାଗେଶ୍ୱର କେଶର କେଡ଼େ ଦୁର୍ମୁଲ୍ୟ, ତାହା ସମସ୍ତେ ଜାଣନ୍ତି–ମାତ୍ର ଏହି ପ୍ରକାଣ୍ଡ ନାଗେଶ୍ୱର ବଣର ଲକ୍ଷ ଲକ୍ଷ ଫୁଲର ଅପବ୍ୟବହାର ଏହି ଲେଖକ ସ୍ୱଚକ୍ଷୁରେ ଦେଖିଅଛି । ବର୍ଷା ସମୟରେ ପର୍ବତସମୂହରୁ ପାଣି ଗଡ଼ିଆସିବା ବେଳେ ଖଇଞ୍ଚି ବସାଇ ମାଛ ଧରିବା ଭଳି ପାର୍ବତ୍ୟ ଜାତିମାନେ ପଣସମଞ୍ଜି ସଂଗ୍ରହ କରିଥାନ୍ତି, ଏହି ପଣସମଞ୍ଜି ଏକତ୍ର କରି ସହରମାନଙ୍କୁ ଆଣିଲେ କେତେ ଲାଭ ହୁଅନ୍ତା ? ସହରରେ ଯେଉଁ ସମସ୍ତ ଆଦର୍ଶର ଲୁଗା ଅଥବା ଧାତୁପାତ୍ର ଅଛି, ସେହି ସମସ୍ତ ଆଦର୍ଶର ଲୁଗା ଅଥବା ଧାତୁପାତ୍ର ପ୍ରସ୍ତୁତ କରାଇ ସହରରେ ବିକ୍ରୟରେ ବ୍ୟବସ୍ଥା ହୋଇ ପାରିବ । ମାତ୍ର ଏ ସମସ୍ତ କାର୍ଯ୍ୟ ଶିକ୍ଷିତ ଲୋକମାନଙ୍କର–ଏଥିରେ ସେମାନଙ୍କର ପରୋପକାର ଓ ଆତ୍ମୋପକାର ଉଭୟହିଁ ହେବ । ଏହା ହେଲେ ପଲ୍ଲୀ ଜନଶୂନ୍ୟ ଦାବାନଳଦଗ୍ଧ ହେବ ନାହିଁ ।

 

ଏହି ଦେଶ ଭଳି ଆୟର୍ଲଣ୍ଡରେ ମଧ୍ୟ ଉଟଜଶିଳ୍ପ ସର୍ବତ୍ର ପରିବ୍ୟାପ୍ତ ହୋଇଥିଲା ଏବଂ ଭାରତ ଆୟର୍ଲଣ୍ଡରେ ମଧ୍ୟ ବିଲାତର ବିରାଟ ଶିଳ୍ପର କଳ କାରଖାନାର ପ୍ରବଳ ପ୍ରତିଯୋଗିତାରେ ଏହି ଉଟଜଶିଳ୍ପର ଭୟଙ୍କର କ୍ଷତି ଓ ସର୍ବନାଶ ହୋଇଥିଲା । ସର୍ ହୋରେସ୍ପ୍ଳାଙ୍କେଟ୍ ଆୟର୍ଲଣ୍ଡର ଶିଳ୍ପର ଅବସ୍ଥା ବିବେଚନା କରି ସେହି ସମସ୍ତ ଉଟଜଶିଳ୍ପର ଉନ୍ନତିର ଉପାୟ ନିର୍ଦ୍ଧାରଣ କରିଥିଲେ । ସେ ସହରଗୁଡ଼ିକରେ ପ୍ରଦର୍ଶନୀର ପ୍ରତିଷ୍ଠା କରି ଶିଳ୍ପଜ ପଣ୍ୟସମୂହକୁ ସହରରେ ପରିଚିତ କରାଇଥିଲେ । ଆୟର୍ଲଣ୍ଡରେ ଶିଳ୍ପର ମୃତପ୍ରାୟ ନିର୍ଜୀବ ଦେହରେ ସେ ନବଜୀବନର ସଞ୍ଚାର କରି ଆୟର୍ଲଣ୍ଡର ସର୍ବତ୍ର ସୁପରିଚିତ ଓ ସମାଦୃତ ହୋଇଅଛନ୍ତି ।

 

ଏ ଦେଶରେ ଶିକ୍ଷିତ ସମାଜ ଯେବେ ଏହି ଅଭିଜ୍ଞତାର ସମାଦର ଓ ସଦବ୍ୟବହାର କରନ୍ତି, ତେବେ ପଲ୍ଲୀରେ ନାନା ଶିଳ୍ପର ପ୍ରତିଷ୍ଠା ହୋଇ ପାରିବ–ପଲ୍ଲୀଗ୍ରାମରେ ନାନାରୂପେ ଅର୍ଥାର୍ଜନର ଉପାୟ ହୋଇ ପାରିବ । ଏହା ହେଲେ ପଲ୍ଲୀ ପୁଣି ଜନପୂର୍ଣ୍ଣ ହେବ ଏବଂ ପଲ୍ଲୀର ପୁର୍ବାବସ୍ଥାର ସୂଚନା ଆରମ୍ଭ ହେବ ।

 

ସହରର ନେତାମାନେ ରାଜନୀତିର ଧୂଳିରେ ଅବିର ଖେଳିବାକୁ ବ୍ୟସ୍ତ–ଉପାଧି ସକାଶେ ବ୍ୟାକୁଳ । ସେମାନେ ମୂଳ କାଟି ଅଗରେ ପାଣି ସିଞ୍ଚିବାକୁ ବ୍ୟସ୍ତ ହେଉଅଛନ୍ତି କାହିଁକି ? ଜାତିର ସର୍ବନାଶ ହେଉଅଛି, ତାହାର ପ୍ରତୀକାର ପକ୍ଷରେ ସେମାନେ ପ୍ରଚେଷ୍ଟ ନୁହନ୍ତି, ସେମାନେ କେବଳ ରାଜନୀତିକ ଅଧିକାର ଲାଭର ଦୁଃସ୍ୱପ୍ନ ଦେଖୁଅଛନ୍ତି ସିନା ? ସେମାନଙ୍କର ପ୍ରତୀକ୍ଷାରେ ବସି ରହିଲେ ବୋଧ ହୁଏ ସମସ୍ତ ପଣ୍ଡ ହୋଇଯିବ । ପଲ୍ଲୀବାସୀ ସମ୍ଭ୍ରାନ୍ତ ବ୍ୟକ୍ତିବର୍ଗଙ୍କୁ ପଲ୍ଲୀରେ ଶିଳ୍ପ ପ୍ରତିଷ୍ଠା କରିବାକୁ ହେବ । ପଲ୍ଲୀର ଶିକ୍ଷିତ ସନ୍ତାନମାନଙ୍କୁ ପଲ୍ଲୀସଂସ୍କାର ସ୍ୱଧର୍ମ ଜ୍ଞାନରେ ଅବଶ୍ୟ କରିବାକୁ ହେବ–ଅପାତତଃ ନିଜର ଅସୁବିଧା ହେଲେହେଁ ଜାତୀୟ ସ୍ୱାର୍ଥ ସକାଶେ ନିଜର ସ୍ୱାର୍ଥ ବଳି ଦେବାକୁ ହେବ । ସ୍ୱାର୍ଥ ବିସର୍ଜନ କରି, ତାକୁ ବିସ୍ମୃତ ହୋଇ, ତାହା ବର୍ଜନ କରି ଦେଶ ଓ ଜାତି ପ୍ରତି ନିଜର ପ୍ରକୃତ କର୍ତ୍ତବ୍ୟ ପାଳନ କରିବାକୁ ହେବ । ଏହା ନ କଲେ ଓଡ଼ିଆ ଜାତିର ମୁଖୋଜ୍ଜଳ ହେବ ନାହିଁ–ଜାତି ବଞ୍ଚି ରହିବାକୁ ଅସମର୍ଥ ହେବ ।

 

ଆମ୍ଭେମାନେ ପଲ୍ଲୀର ଏହି ଅବସ୍ଥାର ପ୍ରତୀକାର ସକାଶେ ସମସ୍ତଙ୍କୁ ପଲ୍ଲୀବାସକୁ ପ୍ରତ୍ୟାବର୍ତ୍ତନ ସକାଶେ ଅନୁରୋଧ କରୁଅଛୁଁ । କାରଣ, ପଲ୍ଲୀର ଉନ୍ନତି ଭିନ୍ନ ଦେଶର ପ୍ରକୃତ ଉନ୍ନତି କୌଣସି କାଳେ ହେବ ନାହିଁ–ହୋଇ ପାରିବ ନାହିଁ । କଳକାରଖାନା ବ୍ୟବସାୟ ବାଣିଜ୍ୟ ସକାଶେ ଏବଂ ବିଳାସ–ବ୍ୟସନ ଅଥବା କଚେରୀ ପ୍ରଭୃତି ସକାଶେ ସହର ରହିଥିବ, ସହର ରଚିତ ହେବ; କିନ୍ତୁ ଏଥିରେ ପଲ୍ଲୀଗୁଡ଼ିକର ସର୍ବନାଶ ହେବ କାହିଁକି ? ଭାରତରୁ ବିଦାୟ ନେବା ସମୟରେ ବଡ଼ଲାଟ ଲର୍ଡ କର୍ଜନ୍ ବୋମ୍ବାଇ ସହରରେ ଯେଉଁ ବକ୍ତୃତା ଦେଇଥିଲେ, ସେଥିରେ ସେ ସ୍ପଷ୍ଟ କହିଥିଲେ, ‘‘ଯେଉଁମାନେ ଭାରତବାସୀ–ଯେଉଁମାନଙ୍କଦ୍ୱାରା ସରକାରୀ ରାଜସ୍ୱର ଅଧିକାଂଶ ପ୍ରଦତ୍ତ ହୁଏ–ଯେଉଁମାନଙ୍କ ଶ୍ରମଦ୍ୱାରା ଶସ୍ୟ ଉତ୍ପନ୍ନ ହୁଏ, ସେମାନେ ସହରର ପ୍ରାଚୁର୍ଯ୍ୟ ଅଥବା ଅପରିଚ୍ଛନ୍ନତାରେ ଅଭ୍ୟସ୍ତ ନୁହନ୍ତି; ସେମାନେ ପଲ୍ଲୀଗ୍ରାମରେହିଁ ବାସ କରନ୍ତି–ସେମାନେ ଖାଣ୍ଟି ଭାରତବାସୀ ।’’ ବଡ଼ଲାଟଙ୍କର ଏହି କଥାଗୁଡ଼ିକ ଅକ୍ଷରେ ଅକ୍ଷରେ ସତ୍ୟ ନୁହେ କି ?

 

ଭାରତ ଗଭର୍ଣ୍ଣମେଣ୍ଟଙ୍କର କୃଷିବିଷୟକ ପୁସ୍ତକରୁ ଜଣାଯାଏ, କେବଳ ବ୍ରିଟିଶଶାସିତ ଭାରତରେ କୃଷିଜ ପଣ୍ୟସମୂହର ମୂଲ୍ୟ ଦେଢ଼ଶତ କୋଟି ଟଙ୍କା । ଏତେ ଟଙ୍କାର ପଣ୍ୟ ଯେଉଁମାନେ ଉତ୍ପନ୍ନ କରନ୍ତି, ସେମାନେ–ଭାରତରେ ସେହି କୋଟି କୋଟି ଲୋକ, ପଲ୍ଲୀଗ୍ରାମରେହିଁ ବାସ କରିଥାଆନ୍ତି । ସେମାନଙ୍କ ସମ୍ବନ୍ଧରେ କି ଦେଶର ଶିକ୍ଷିତ ଲୋକମାନଙ୍କର କୌଣସି କର୍ତ୍ତବ୍ୟ ନାହିଁ ? ଏପର୍ଯ୍ୟନ୍ତ ଲେଖକ ସରକାରୀ ସାହାଯ୍ୟ ସମ୍ବନ୍ଧରେ କୌଣସି କଥା କହି ନାହିଁ; କାରଣ ଆମ୍ଭେମାନେ ସ୍ୱୟଂ ନିଜର କାର୍ଯ୍ୟ ସମ୍ପନ୍ନ କରିବାର ଯୋଗ୍ୟତା ଅର୍ଜନ ନ କଲେ ସରକାରଙ୍କ ସାହାଯ୍ୟ ଭସ୍ମରେ ଘୃତାର୍ପଣ ଭଳି ବୃଥା ହେବ । ବର୍ତ୍ତମାନ ସରକାର ପଥକର ପ୍ରଭୃତିର ଟଙ୍କା ଜିଲ୍ଲା ବୋର୍ଡ ହାତରେ ଦେଉଅଛନ୍ତି । ଜିଲ୍ଲା ବୋର୍ଡ଼ର ସଦସ୍ୟମାନେ ପଲ୍ଲୀବାସୀଙ୍କର ପ୍ରତିନିଧି । ସେମାନେ ସେହି ଅର୍ଥର ସମ୍ୟକ୍ ସଦବ୍ୟବହାର କରି ପଲ୍ଲୀବାସୀଙ୍କ ଉନ୍ନତିର କି ଉପାୟ କରିଅଛନ୍ତି ? ସେମାନଙ୍କ କାର୍ଯ୍ୟରେ କଅଣ ନାନା ତ୍ରୁଟି ପରିଲକ୍ଷିତ ହେଉ ନାହିଁ ?

 

ପଚାଶ ବର୍ଷ ପୂର୍ବେ ଉତ୍କଳର ଏ ଅବସ୍ଥା ନ ଥିଲା, ଓଡ଼ିଆ ଏଭଳି ଦୁର୍ଦଶାଗ୍ରସ୍ତ ହୋଇ ନ ଥିଲା । କେବଳ ଭାରତରେ ନୁହେ, ପୃଥିବୀର ସମସ୍ତ ଦେଶରେ ପୂର୍ବେ ଭାବର ପ୍ରବାହ ପଲ୍ଲୀର ଉତ୍ସରୁ ପ୍ରବାହିତ ହୋଇ ସମଗ୍ର ଦେଶରେ ବ୍ୟାପ୍ତ ହୋଇ ଯାଉଥିଲା । ପ୍ରାଚୀନ ଗ୍ରୀସରେ ଯେଉଁମାନେ ଦର୍ଶନଶାସ୍ତ୍ରରେ ନବଯୁଗର ପ୍ରବର୍ତ୍ତନ କରିଥିଲେ, ସେମାନେ ଦରିଦ୍ର ପଲ୍ଲୀବାସୀ । ସେମାନେ ଜୀବିକାର୍ଜନରୁ ଆହୃତ ବିରଳ ଅବସରରେ ଦର୍ଶନର ନବ ନବ ଭାବର ବିକାଶ କରିଥିଲେ । ଯୀଶୁଖ୍ରୀଷ୍ଟ ଏବଂ ତାହାଙ୍କର ଶିଷ୍ୟବର୍ଗ ମଧ୍ୟ ସହରର ଲୋକ ନ ଥିଲେ ।

 

ଭାରତରେ ନଗରର କୋଳାହଳ ଓ କଳୁଷକାଳିମା, ଲାଳସା ଓ ଲାସ୍ୟ, ପ୍ରାଚୁର୍ଯ୍ୟ ଓ ପ୍ରତିଯୋଗିତା, ସଂଗ୍ରାମ ଓ ଷଡ଼୍ଯନ୍ତ୍ର ପ୍ରଭୃତିରୁ ବହୁଦୂରରେ ତପୋବନର ଶାନ୍ତିସ୍ନିଗ୍ଧ ଆଶ୍ରମରେ ଅଧ୍ୟୟନ ଓ ଅଧ୍ୟାପନା ଚାଲୁଥିଲା; ଏହାର ଫଳ ଆଜି ସୁଦ୍ଧା ବିଶ୍ୱବାସୀଙ୍କୁ ବିମୁଗ୍ଧ କରୁଅଛି; ଆମ୍ଭମାନଙ୍କ ଦେଶରେ ଯେଉଁ ସମସ୍ତ ନବଧର୍ମର ବନ୍ୟା ପ୍ରବାହିତ ହୋଇଅଛି, ସେ ସମସ୍ତ ପଲ୍ଲୀରୁ ପ୍ରବାହିତ ।

 

ସେତେବେଳେ ଆମ୍ଭମାନଙ୍କ ପୂର୍ବପୁରୁଷମାନେ ପଲ୍ଲୀରେହିଁ ବାସ କରୁଥିଲେ, ଏହି ସକାଶେ ପଲ୍ଲୀରେହିଁ ସେମାନଙ୍କ ଦେହର ଓ ମନର କ୍ଷୁଧା ନିବୃତ୍ତର ସମସ୍ତ ଆୟୋଜନ ଥିଲା–ସମସ୍ତ ଉପାଦନ ମିଳୁଥିଲା । ବର୍ତ୍ତମାନ ଯେବେ ସେ ସବୁ ଅବସ୍ଥାର ପରିବର୍ତ୍ତନ ହୋଇଥାଏ, ଏହା ସକାଶେ ଦାୟୀ କିଏ ? ଆମ ସମସ୍ତଙ୍କ ମୁହଁରୁ ବାହାରୁଅଛି, ଜୀବନସଂଗ୍ରାମର କଠୋରତା ଓଡ଼ିଆଙ୍କୁ ପଲ୍ଲୀରୁ ସହରକୁ ତଡ଼ି ଦେଇଅଛି–ପଲ୍ଲୀରେ ଆଉ ଲୋକମାନଙ୍କର ଅର୍ଥାର୍ଜନର ଉପାୟ ହେଉ ନାହିଁ । କିନ୍ତୁ ପ୍ରତୀଚ୍ୟ ‘‘ପଲିଟିକାଲ୍ ଇକନମି’’ (ରାଜନୀତିକ ଅର୍ଥ ଶାସ୍ତ୍ର) ରେ ପଠିତ ବାକ୍ୟ ଛାଡ଼ି ଆମ୍ଭେମାନେ କଅଣ ଥରେ ଭାଳିଅଛୁଁ, କାହିଁକି ଜୀବନସଂଗ୍ରାମର କଠୋରତା ବିବର୍ଦ୍ଧିତ ହୋଇଅଛି–କାହିଁକି ଅନ୍ନପୂର୍ଣ୍ଣାଙ୍କର ଅନ୍ନମେରୁ ବିଲୀନ ହୋଇଅଛି, କାହିଁକି ଲକ୍ଷ୍ମୀଙ୍କୁ ଆଜି ମୁଷ୍ଟିଭିକ୍ଷା ସକାଶେ ଅନ୍ୟ ଦ୍ୱାରରେ ଅପେକ୍ଷା କରିବାକୁ ହେଉଅଛି ?

 

ଆମ୍ଭମାନଙ୍କ ଦେଶରେ ଜୀବନସଂଗ୍ରାମର କଠୋରତା ବୃଦ୍ଧିର କେତେଗୁଡ଼ିଏ କାରଣ ଆମ୍ଭମାନଙ୍କ ସ୍ୱକୃତ । ବିଳାସ ବ୍ୟସନରେ ଆମ୍ଭମାନଙ୍କ ବ୍ୟୟବୃଦ୍ଧି ସକାଶେ ଆମ୍ଭେମାନେହିଁ ଦାୟୀ । ଚା, ସିଗାରେଟ୍, ଗେଞ୍ଜି, ମୌଜା, ସାବୁନ, ଏସେନ୍ସ ପ୍ରଭୃତି ମନୁଷ୍ୟପକ୍ଷରେ ନିତାନ୍ତ ପ୍ରୟୋଜନୀୟ ନୁହେ–ମାତ୍ର ଏ ସମସ୍ତ ବିଳାସର ସାମଗ୍ରୀ । ଯେଉଁଗୁଡିକ ଆଜିକାଲି ଆମ୍ଭେମାନେ ‘‘ନ ହେଲେ ନ ଚଳେ’’ କରିଅଛୁଁ, ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ବିଦେଶାଗତ । ଏଗୁଡ଼ିକ ସହିତ ଆମ୍ଭମାନଙ୍କର ସାମାଜିକ ଓ ପାରିବାରିକ ଜୀବନର ସାମଞ୍ଜସ୍ୟ ସୁଦ୍ଧା ନାହିଁ । ଆମ୍ଭମାନଙ୍କର ଗୃହସଜ୍ଜା ଯେପରି ନାନା ଯୁଗର ନାନା ବସ୍ତୁର ସଂଗ୍ରହ, ଆମ୍ଭମାନଙ୍କର ଆଚାର ବ୍ୟବହାର ନାନା ସମାଜର ଭଲ ମନ୍ଦ ସମ୍ମିଳନ । ଆମ୍ଭାମାନଙ୍କର ସୌଜନ୍ୟ, ଶିଷ୍ଟାଚାର ପ୍ରଭୃତି ବୈଶିଷ୍ଟ୍ୟବିହୀନ ସନ୍ନ୍ୟସୀମାନଙ୍କର କନ୍ଥା ଭଳି ତହିଁରେ ନାନା ଲୋକର ନାନା ବର୍ଣ୍ଣର ଛିନ୍ନ କନାଖଣ୍ଡମାନ ଯୋଡ଼ି ଦିଆଯାଇଅଛି । ଏଭଳି ଗୋଟିଏ ଜାତିର ପ୍ରକୃତ ଗତି କଅଣ ହେବ ? ଯେଉଁ ଜାତି ବୈଶିଷ୍ଟ୍ୟବିହୀନ, ତାହାକୁ ସ୍ରୋତରେ ଭାସିଯାଉଥିବା ଶୈବାଳ ଭଳି ଥରେ ଏ କୂଳ, ଥରେ ଆର କୂଳରେ କଚାଡ଼ି ହୋଇ ପଡ଼ିବାକୁ ହୋଇଥାଏ–ତାହା ଭାଗ୍ୟରେ ଶ୍ରାନ୍ତି ରହିଅଛି, ଶାନ୍ତି ନାହିଁ । ପଲ୍ଲୀ ତ୍ୟାଗ କରି ସହରକୁ ଆସି ସେହି ଅବସ୍ଥା ପାଇଅଛୁଁ, ଏହାର କାରଣ ଆମ୍ଭମାନଙ୍କର ଭ୍ରାନ୍ତି । ଆଜିକାଲି ଅନେକ ଲୋକଙ୍କ ମୁହଁରୁ ଶୁଣିଅଛି, ଭାରତବାସୀଙ୍କର ସଭ୍ୟତା ବଢ଼ିଅଛି–କାରଣ, ସେମାନଙ୍କର ଚାଲି ଚଳନ ବ୍ୟୟବହୁଳ ହୋଇଅଛି–Standard of living (ଜୀବନ ଯାତ୍ରା ନିର୍ବାହର ଆଦର୍ଶ) ଉଚ୍ଚ ହେଲାଣି । ଏହି ଚାଲି ଚଳନର ଉଚ୍ଚତା ବୋଧ ହୁଏ ବାୟୁଭକ୍ଷ୍ୟ–ନିରାଲମ୍ବ ! ଆମ୍ଭମାନଙ୍କର ସେତିକି ହୋଇଅଛି ସିନା । ପେଟରେ ଅନ୍ନ ନାହିଁ–ପରିଧାନରେ ବ୍ୟୟବାହୁଲ୍ୟ; ନିଜର ବୋଲି କହିବାକୁ ଘର ନାହିଁ ଭଡ଼ାଘରେ ଗୃହସଜ୍ଜାରେ ବିଳାସ ବିକାଶର ଅଭାବ ନାହିଁ । ଏହି ଆଦର୍ଶରେ କି କୌଣସି ଜାତିର ମଙ୍ଗଳ ହୋଇ ପାରିବ !

 

ପୂର୍ବେ ପଲ୍ଲୀବାସୀ ଉତ୍କଳୀୟ ଗୃହସ୍ଥଙ୍କ ପାଳଗଦାରେ କିମ୍ବା ମରେଇରେ ଧାନ, ବଗିଚାରେ ପରିବା ଏବଂ ଗୋଶାଳାରେ ଗାଈ ୨ । ୪ ଗୋଟି ଲେଖାଏଁ ଥିଲା । ଏହି ଆଦର୍ଶ ଅବଶ୍ୟ ମଧ୍ୟବିତ୍ତ ଲୋକମାନଙ୍କର ଏ ଦେଶରେ ଧନୀଙ୍କର ସଂଖ୍ୟାଳ୍ପତା ଥିଲା–ଇଉରୋପ୍ ଭଳି ଅତି ଦରିଦ୍ର ମଧ୍ୟ ନ ଥିଲେ । ଏ ଦେଶରେ ଯେପରି milionare (ଧନାଶେଠ) ନ ଥିଲେ, ସେହିପରି ନିରନ୍ନ ନ ଥିବାରୁ work house (ଦରିଦ୍ରାଳୟ) ମଧ୍ୟ ନ ଥିଲା । ମଧ୍ୟବିତ୍ତସମ୍ପ୍ରଦାୟର ଲୋକେ ଚାକିରି ଓ ବ୍ୟବସାୟ କରୁଥିଲେ, ଦେଶ ବିଦେଶ ଭ୍ରମଣ କରୁଥିଲେ । ଏମାନେହିଁ ପୂର୍ବକାଳର ସମାଜର ମେରୁଦଣ୍ଡ ଥିଲେ l ବର୍ତ୍ତମାନ ସେହି ସମ୍ପ୍ରଦାୟର ସର୍ବାଙ୍ଗୀନ ସର୍ବନାଶ ହୋଇଅଛି, ଅର୍ଥାତ୍ ସମାଜର ମେରୁଦଣ୍ଡ ଭାଙ୍ଗି ଯାଇଅଛି । ଏ କଥା କେବଳ ଏହି ଲେଖକ ନୁହେ, ଯେଉଁ ସମସ୍ତ ବିଦେଶୀୟ ଲେଖକ ଅଥବା ଶାସକ ଏ ଦେଶର ସାମାଜିକ ଅବସ୍ଥାର ପ୍ରକୃତ ପର୍ଯ୍ୟାଲୋଚାନରେ ପ୍ରବୃତ୍ତ ହୋଇଅଛନ୍ତି, ସେମାନେ ମଧ୍ୟ ଏ କଥା ସ୍ୱୀକାର କରିଅଛନ୍ତି । ସେମାନେ କହନ୍ତି, କୃଷିଜ ପଣ୍ୟର ମୂଲ୍ୟ ବଢ଼ିଥିବାରୁ କୃଷକମାନଙ୍କର କଷ୍ଟ ନାହିଁ; ଓକିଲ, ଡାକ୍ତର, ମୁକ୍ତାର ପ୍ରଭୃତିଙ୍କର ଅର୍ଥ ବଢ଼ି ଯାଉଅଛି । କିନ୍ତୁ ମଧ୍ୟବିତ୍ତ ସମ୍ପ୍ରଦାୟର ଲୋକମାନଙ୍କ ସେମାନଙ୍କର ପୂର୍ବତନ ଅର୍ଥ–ପ୍ରଚୁର ସମୟରେ ନିର୍ମିତ ଗୃହରେ ସଙ୍କୀର୍ଣ୍ଣ ଆୟରେ ପ୍ରବର୍ଦ୍ଧମାନ ବ୍ୟୟକୁସଙ୍କୁଳନ କରି ମାନ ସମ୍ଭ୍ରମ ଅକ୍ଷୁର୍ଣ୍ଣ ରଖି ଚାଲିବାକୁ ହେଉଅଛି, ପ୍ରକୃତ କଷ୍ଟ ହେଉଅଛି ସେହିମାନଙ୍କର । କିନ୍ତୁ ଏହି କଷ୍ଟ କି ପ୍ରଧାନତଃ ଆମ୍ଭମାନଙ୍କ ପଲ୍ଲୀତ୍ୟାଗର ଫଳ ନୁହେ ? ଦୁରାଶାର ମୃଗତୃଷ୍ଣିକାତାଡ଼ିତ ହୋଇ ଆମ୍ଭେମାନେ ପଲ୍ଲୀବାସ ଭାଙ୍ଗିଦେଇ ସହରକୁ ଆସିଅଛୁଁ–ଏହା ଏ କେବଳ କଷ୍ଟଭୋଗ ସକାଶେ ନୁହେ କି ? ସହରରେ ପରସ୍ପରର ସୁଖ ଦୁଃଖରେ ସହାନୁଭୂତିଶୀଳ ହୋଇ ବାସ କରିବାକୁ ଅବସର ନ ଥାଏ, ଯେ ଯାହାର ପ୍ରବୃତ୍ତିର ଦାସରୂପେ କେବଳ ନିଜ ସକାଶେ ବାସ କରିଥାଆନ୍ତ । ଏ ଅବସ୍ଥା ସମାଜ ପକ୍ଷରେ ଭଲ ନୁହେ ।

 

ବିଲାତର ସାମାଜିକ ଅବସ୍ଥା ଏ ଦେଶର ସାମାଜିକ ଅବସ୍ଥାଠାରୁ ସ୍ୱତନ୍ତ୍ର । କିନ୍ତୁ ଭିଲାତରେ ମଧ୍ୟ ପଲ୍ଲୀର ସର୍ବନାଶରେ ସମାଜରେ ନାନାରୂପ ଅମଙ୍ଗଳ ପ୍ରବେଶ କରିଅଛି–ଏହି ସମସ୍ତ ଅମଙ୍ଗଳ ଦିନକୁଦିନ ପ୍ରବଳ ହୋଇ ଶେଷକୁ ବିକଟାକାର ଧାରଣ କରି ସମାଜର ସର୍ବନାଶ କରୁଅଛି । ଏ ଦେଶରେ ମଧ୍ୟ ସେହିପରି ନାନା ଅମଙ୍ଗଳର ଲୀଳା–ନିକେତନ ନଗରରେ ଯେ ଲୋକସଂଖ୍ୟା ବୃଦ୍ଧି ହେଉଅଛି–ପ୍ରବୃତ୍ତିର ତାଡ଼ନାରେ ମନୁଷ୍ୟ ଉଚ୍ଛୃଙ୍ଖଳ ହୋଇ ସମାଜଶାସନରେ ସଂଯତ ହେବାର ସୁଯୋଗ ସ୍ୱେଚ୍ଛାରେ ତ୍ୟାଗ କରୁଅଛି, ଏ ଅବସ୍ଥା ଜାତି ପକ୍ଷରେ କଲ୍ୟାଣକର ହୋଇ ପାରିବ ନାହିଁ ।

 

ପଲ୍ଲୀରେ ସୁଖ ଓ ଶାନ୍ତି ସହଜପ୍ରାପ୍ୟ–ସାମାଜିକ ଶାସନରେ ସଂଯମ ସୁଲଭ । ସହଜରେ ସେଠାରେ ମନୁଷ୍ୟର ସମସ୍ତ ଅଭାବ ପୂରଣ ହୋଇପାରେ । ଆମ୍ଭେମାନେ ସେହି ପଲ୍ଲୀ ତ୍ୟାଗ କରି କେଉଁ ଆଶା ଓ ବାସନାର ପୂରଣ ସକାଶେ ସହରକୁ ଆସିଅଛୁଁ ?

 

(୮)

 

ଯେଉଁମାନେ ଜୀବିତ ଥାଇ ସୁଦ୍ଧା ଜୀବନ୍ମୃତ–ଯେଉଁମାନେ ପତ୍ନୀ–ପୁତ୍ର–କନ୍ୟାଙ୍କ କ୍ଷୁଧାଶାନ୍ତି ପାଇଁ ଅନ୍ନ ଓ ପରିଧେୟ ବସ୍ତ୍ର ଯୋଗାଇବାକୁ ଅସମର୍ଥ, ସେମାନଙ୍କର ବଞ୍ଚି ରହି ଫଳ କଅଣ ? ମୃତ୍ୟୁହିଁ ସେମାନଙ୍କର ମୁକ୍ତି । ଏହି ହେତୁରୁ ମନରେ ଏହି ପ୍ରଶ୍ନ ସ୍ୱାଭାବିକ ଉଦୟ ହେଉଅଛି, ଅଧିକାଂଶ ଓଡ଼ିଆ ବଞ୍ଚି ରହିଅଛନ୍ତି କାହିଁକି ? ଯେ ବିପନ୍ନ ଓ ନିରନ୍ନ, ଯେ ବସ୍ତ୍ରହୀନ କିମ୍ବା ମର୍ଯ୍ୟାଦାହୀନ, ସେ ବଞ୍ଚିରହେ କାହିଁକି ? ‘‘ନ ବନ୍ଧୁମଧ୍ୟେ ଧନହୀନଜୀବିତଂ ।’’

 

ଓଡ଼ିଆଙ୍କର ବର୍ତ୍ତମାନ ଯେଉଁ ଅବସ୍ଥା, ଏଥିରେ ମନେ ହୁଏ, ରାଜନୀତି, ସମାଜନୀତି ପ୍ରଭୃତି ଘେନି ଆଲୋଚନା କରିବା ନିଷ୍ଫଳ । ଯେଉଁମାନେ ବଞ୍ଚିରହନ୍ତି, ସମାଜ ସେମାନଙ୍କର–ରାଜନୀତିକ ଅଧିକାର ସେମାନଙ୍କ ସକାଶେ । ଯେଉଁମାନେ ଶ୍ମଶାନ–ଶୟନକୁ ଯାଉଅଛନ୍ତି, ସେମାନଙ୍କର ଏଗୁଡ଼ିକରେ ପ୍ରୟୋଜନ କଅଣ ? ରୋମର ଇତିହାସପ୍ରସିଦ୍ଧ ନରପତି ନିରୋଙ୍କ ସମ୍ବନ୍ଧରେ ଶଳ୍ପ ଅଛି ଯେ, ରୋମ୍ନଗରୀ ଯେତେବେଳେ ଦଗ୍ଧ ହେଉଥିଲା, ସେ ସେତେବେଳେ ବଂଶୀବାଦନ କରୁଥିଲେ । ଆଜି ଆମ୍ଭମାନଙ୍କର ରାଜନୀତିକ ଆନ୍ଦୋଳନ–ସମାଜନୀତି ଘେନି ଆସ୍ଫାଳନ–ଶାସନ ସଂସ୍କାରର ଆଲୋଚନା ପ୍ରଭୃତି ଦେଖି ମୋ ମନରେ ଏହାହିଁ ଉଦିତ ହୋଇଥାଏ ।

 

ବ୍ୟବସ୍ଥାପକ ସଭାର ସଦସ୍ୟ ନିୟୋଗ ଉପଲକ୍ଷରେ ସମସ୍ତ ଦେଶବ୍ୟାପୀ ଆନ୍ଦୋଳନ ତରଙ୍ଗ ଉଠିଥିବା ଏହି ଲେଖକ ଦେଖିଥିଲା । ଅନେକ ଜମିଦାର ଓ ଭୂମ୍ୟଧିକାରୀ ଟୋପି ଉପରେ ମୟୂରପର ମାରିଲା ଭଳି ଆଭିଜାତ୍ୟ ଅଭିମାନ ସହିତ ବ୍ୟବସ୍ଥାପକ ସଭାର ସଦସ୍ୟ (M.L.A) ସମ୍ମାନ ସଂଯୁକ୍ତ କରିବାପାଇଁ ପ୍ରତି ଦ୍ୱାରରେ ବୁଲୁଥିଲେ ଏବଂ ସେମାନଙ୍କର ‘‘ଦେହି ପଦପଲ୍ଲବ ମୁଦାରମ୍’’ ରବରେ ଆକାଶ ପ୍ରତିଧ୍ୱନିତ ହୋଇ ଉଠିଥିଲା । ବ୍ୟବସ୍ଥାପକ ସଭାର ଏହି ସଦସ୍ୟଗଣଙ୍କର ମନ୍ତବ୍ୟ ଯେପରି ଶବ୍ଦବ୍ରହ୍ମରେ ଲୀନ ହୋଇଯାଏ, ତାହାର ଆଉ କୌଣସି ଚିହ୍ନ ରହେ ନାହିଁ ତହିଁରେ ଦେଶର ଦଶ ଜଣଙ୍କର ଯେ ଏହି ସଦସ୍ୟ ନିୟୋଗ ବ୍ୟାପାରରେ ବିଶେଷ ଆସ୍ଥା ରହିଅଛି, ଏ କଥା ବୋଲାଯାଇ ନ ପାରେ । ଏହି ସଭ୍ୟମାନେ କେବଳ ଦାରୁବ୍ରହ୍ମରେ ପରିଣତ ହୋଇ କଅଣ ଉତ୍କଟ ରାଜନୀତିର ଆଲୋଚନାରେ ବ୍ୟସ୍ତ ରହିବେ, ନାଁ ଯେଉଁ ଚାରୋଟି ଦ୍ରବ୍ୟ ଦେଶର ପ୍ରକୃତ ପ୍ରୟୋଜନୀୟ, ସେହି ଚାରୋଟି ଦ୍ରବ୍ୟପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ପ୍ରକୃତ ଅଳି ଜଣାଇବେ ? ସେ ଚାରୋଟି ଦ୍ରବ୍ୟ–ଅନ୍ନ, ଜଳ, ସ୍ୱସ୍ଥ୍ୟ ଓ ଶିକ୍ଷା । ଯେଉଁମାନେ ଦେଶ ପକ୍ଷରୁ ସ୍ୱାଧୀନ ଭାବରେ ଏହି ସମସ୍ତ କଥା କର୍ତ୍ତୃପକ୍ଷଙ୍କ କର୍ଣ୍ଣଗୋଚର କରିବେ, ଦେଶର ଦଶ ଜଣଙ୍କର ପ୍ରକୃତ ମର୍ମବେଦନା ଯୁକ୍ତିଯୁକ୍ତ ଭାଷାରେ ନିରପେକ୍ଷ ଭାବରେ କର୍ତ୍ତୃପକ୍ଷଙ୍କର ଗୋଚର କରି ପାରିବେ, ସେମାନଙ୍କର ଦେଶ ସହିତ ପ୍ରକୃତ ପରିଚୟ ରହିଅଛି ଏବଂ ସେମାନେ ଦେଶର ନିରନ୍ନ, ତୃଷ୍ଣାର୍ତ୍ତ, ବ୍ୟାଧିପୀଡ଼ିତ ଓ ନିରକ୍ଷର ଜନସାଧାରଣଙ୍କୁ ଭଲ କରି ଜାଣନ୍ତି ବୋଲି କହି ପାରିବୁଁ । ଏ ପ୍ରଥାରେ ମୁଖ୍ୟତଃ ନ ହେଉ ପଛକେ ଗୌଣତଃ ଅନେକ ଲାଭ ରହିଅଛି । ମାତ୍ର ଯେଉଁମାନେ ନାଏବ କିମ୍ୱା ମାନେଜରଙ୍କ ହସ୍ତରେ ନିଜର ସମ୍ପତ୍ତି ଛାଡ଼ିଦେଇ କେବଳ ବିଳାସସୁଖରେ ମଗ୍ନ, ଦେଶ ବାସୀଙ୍କୁ ଯେଉଁମାନେ ଚିହ୍ନନ୍ତି ନାହିଁ ଅଥବା ଜାଣନ୍ତି ନାହିଁ; ସେଭଳି ବ୍ୟକ୍ତିଙ୍କୁ ଆପ୍ୟାୟିତ କରିବାକୁ ଭୋଟାଧିକାରର ଅପବ୍ୟବହାର କରି ବ୍ୟବସ୍ଥାପକ ସଭାରେ ବସାଇବା ପାଇଁ ତାଙ୍କ ପାଇଁ ଭୋଟ୍ଦେବା କଦାପି ସଙ୍ଗତ ନୁହେଁ । ଦେଶମାତୃକାର ଯୂପକାଷ୍ଠରେ ନିଜ ସ୍ୱାର୍ଥପରତାକୁ ବଳି ନ ଦେଲେ ଦେଶର ପ୍ରକୃତ କାର୍ଯ୍ୟ କରିବା କଠିନ । ସ୍ୱୟଂ କର୍ମ କରିବୁଁ; କିନ୍ତୁ ଫଳ ଭଗବାନଙ୍କ ହାତରେ ରହିଥିବ, ଏହାହିଁ ହିନ୍ଦୁର ପ୍ରକୃତ ଶିକ୍ଷା ଏହି ଶିକ୍ଷା ବିସ୍ମୃତ ହେଲେ ଦେଶର ପ୍ରକୃତ କାର୍ଯ୍ୟ କରିବା ସମ୍ଭବପର ନୁହେଁ ।

 

ଉତ୍କଳୀୟ ପଲ୍ଲୀସମୂହ ଅର୍ଥାତ୍ ପ୍ରକୃତ ଉତ୍କଳ ସହିତ ଯେଉଁମାନଙ୍କର ପରିଚୟର ଅଭାବ, ସେମାନଙ୍କର ନେତୃତ୍ୱର ଅଭିମାନ କ୍ଷୁର୍ଣ୍ଣ ହେଲେ ତହିଁରେ ଦେଶବାସୀଙ୍କର ଚାଞ୍ଚଲ୍ୟର କୌଣସି କାରଣ ନାହିଁ । ଯେଉଁମାନେ ଦେଶକୁ ଚିହ୍ନନ୍ତି ନାହିଁ,–ଦେଶର ପ୍ରକୃତ ଅଭାବ ଓ ଅଭିଯୋଗ ସମ୍ବନ୍ଧରେ ଅନଭିଜ୍ଞ–ଦେଶର ପ୍ରକୃତ ଅଭାବର ପ୍ରତିକାର–ପ୍ରଚେଷ୍ଟା କରନ୍ତି ନାହିଁ, ସେମାନେ କନ୍ଫରେନ୍ସ କିମ୍ୱା ଅନ୍ୟ ଯେ କୌଣସି ସଭା ସମିତି କରୁଥାଆନ୍ତୁ, ମାତ୍ର ତହିଁରେ ଦେଶୀୟ ଲୋକଙ୍କର କୌଣସି ଯୋଗ ନ ଥିବ । କଂଗ୍ରେସ ଅଥବା କନ୍ଫରେନ୍ସ ପ୍ରଭୃତିରେ ଦେଶର ମୃଷ୍ଟିମେୟ ଈଂରାଜୀଶିକ୍ଷିତ ଏକ ସମ୍ପ୍ରଦାୟର ଅଧିକାର ଓ ସ୍ୱାର୍ଥ ଘେନି ଆନ୍ଦୋଳନ କରି ଆତ୍ମବିଜ୍ଞାନପନ ପ୍ରଚାରରେ ବ୍ୟାପୃତ ଥାଇ ‘‘ନେତା’’ ନାମ ପାଇବା ସହଜ ହୋଇ ପାରେ, ମାତ୍ର ଦେଶର ମୂଳଭିତ୍ତିସ୍ୱରୂପ ଜନସମାଜ ସହିତ ଏ ସମସ୍ତ ‘‘ନେତା’’ଙ୍କର ସମ୍ପର୍କ ଅତ୍ୟଳ୍ପ ମାତ୍ର ।

 

ଫଳତଃ ଏହି ସମସ୍ତ ଆନ୍ଦୋଳନରେ ଆଲୋଚନାର ଧାରା ପରିବର୍ତ୍ତିତ କରିବାହିଁ ଉଚିତ । ନଦୀର ପ୍ରବାହ ଯେପରି ନିର୍ଝରରୁ ଆସି କ୍ରମେ କ୍ରମେ ସାଗରରେ ପତିତ ହୋଇଥାଏ–ସାଗରରୁ ସେ ପ୍ରଭାବ ନିର୍ଝରମୁହଁ ଆଡ଼କୁ ଫେରାଇ ନେବା ଅସମ୍ଭବ ସେହିପରି ଏ ଦେଶର ରାଜନୀତିସ୍ରୋତଃ ପଲ୍ଲୀରୁ ପ୍ରବାହିତ ହୋଇ ସହରକୁ ଆସିଲେ ତାହା ସ୍ୱାଭାବିକ ହେବ । ନତୁବା ସହରର ଗୋଟିଏ ହଲ୍ରେ ବସି ପାଞ୍ଚଜଣ ନେତାରଂମନ୍ୟ ବ୍ୟକ୍ତି ଯେଉଁ କଥାଗୁଡ଼ିକ କହିଥିବେ, ପଲ୍ଲୀବାସୀ ସେଗୁଡ଼ିକ ଗ୍ରହଣ କରିବେ ନାହିଁ । ଆଉ ଏହି କଥାଗୁଡ଼ିକ ଦେଶବାସୀଙ୍କର କଥା ବୋଲି ପ୍ରଚାରିତ କରିବାର ପ୍ରଚେଷ୍ଟାରେ ସରକାର ମଧ୍ୟ ଭୁଲିଯିବେ ନାହିଁ ?

 

ନାଗରିକମାନେ ଭୁଲିଯାଇ ପାରନ୍ତି, ମାତ୍ର ସରକାର ଭୁଲିଯିବେ ନାହିଁ । ନାଗରିକମାନେ ଉତ୍କଳର ପଲ୍ଲୀଶିଳ୍ପକୁ ବିସ୍ମୃତ ହେଲେଣି, ବୋଧ ହୁଏ । ଏକ ସମୟରେ ଉତ୍କଳର ପଲ୍ଲୀଶିଳ୍ପ ପଲ୍ଲୀରେହି ନିବଦ୍ଧ ରହିଥିଲା । ଶିଳ୍ପୀ ପୁରୁଷାନୁକ୍ରମରେ ଏକହିଁ ଶିଳ୍ପରେ ଆତ୍ମନିୟୋଗ କରୁଥିଲା ବୋଲି ଶିଳ୍ପନୈପୁଣ୍ୟ ତାହା ପକ୍ଷରେ ସହଜାତ ସଂସ୍କାରରେ ପରିଣତ ହେଉଥିଲା । କଟକ ଜିଲ୍ଲାର ଘଣ୍ଟିମୁଣ୍ଡାର ଲୋଟା, ବାଲେଶ୍ୱର ରେମୁଣାର କଂସା ବାସନ, ପୁରୀ ଜିଲ୍ଲାର ବାଳକାଟିର କଂସା ଓ ପିତଳ ବାସନ, ସମ୍ବଲପୁର–ବରପାଲିର ମଠାଲୁଗା, ଗଡ଼ଜାତ ତିଗିରିଆ ଓ ନୂଆପାଟଣାର ସୂତାଲୁଗା, ଦଶପଲ୍ଲା–ବେଲପଡ଼ା ଅଥବା ଖଣ୍ଡପଡ଼ା–କଣ୍ଟିଲୋର କଂସା ବାସନ; ତାଳଚେରର ପ୍ରୟୋଜନୀୟ ଲୁହା ଦ୍ରବ୍ୟ ସମସ୍ତହିଁ ପଲ୍ଲୀଶିଳ୍ପ; ଏକ ଏକ ଶିଳ୍ପରେ ବହୁ ଶିଳ୍ପୀ ପ୍ରତିପାଳିତ ହେଉଥିଲେ ଏବଂ ସେମାନଙ୍କର ପଣ୍ୟର ବ୍ୟବସାୟ କରି ବହୁ ବ୍ୟବସାୟୀଙ୍କର ଦିନାତିପାତ ହେଉଥିଲା; ଗ୍ରାମସମୂହର ଶ୍ରୀବୃଦ୍ଧି ହେଉଥିଲା–ସମସ୍ତେ କେବଳ କୃଷିକାର୍ଯ୍ୟ ଉପରେ ନିର୍ଭର କରୁ ନ ଥିଲେ ।

 

ବର୍ତ୍ତମାନ ଉତ୍କଳର ପଲ୍ଲୀଶିଳ୍ପ ବିଲୁପ୍ତ ହୋଇ ନାହିଁ–ବିଲୁପ୍ତ ହୋଇ ନାହିଁ ବୋଲି ତାହାର ଜୀବନୀଶକ୍ତିର ପରିଚୟ ମିଳେ । ଏଥିରୁ ବୁଝାଯିବ, ଚେଷ୍ଟା କରି ସେହି ସମସ୍ତ ଶିଳ୍ପର ଶ୍ରୀବୃଦ୍ଧି ସାଧନ କଲେ କିମ୍ୱା କାଳୋପଯୋଗୀ ନୂତନ ପଲ୍ଲୀଶିଳ୍ପର ପ୍ରତିଷ୍ଠା କଲେ ଉତ୍କଳର ନଷ୍ଟଶିଳ୍ପର ପୁନରୁଦ୍ଧାର ହେବା ସ୍ୱାଭାବିକ । ଗଡ଼ଜାତର ମାଣିଆବନ୍ଦ ଅଥବା କଟକ ଜିଲ୍ଲାର ଗୁଲନଗରରେ ଯେଉଁ ପାଟ ଲୁଗା ପ୍ରସ୍ତୁତ ହୁଏ, ତାହାକୁ ଆଧୁନିକ କାଳର ଓ ରୁଚିରଉପଯୋଗୀ କରିବାକୁ ଆଉ ଟିକିଏ ଶ୍ରମ ଏବଂ ବୁଦ୍ଧି ପ୍ରାଖର୍ଯ୍ୟ ଆବଶ୍ୟକ । ଏହି ହେତୁରୁ ଉତ୍କଳୀୟ ପଲ୍ଲୀ ପ୍ରସ୍ତୁତ ପାଟ ଲୁଗାର ଆଦର ଯଥେଷ୍ଟ ପରିମାଣରେ ନ ହୋଇ, ଏହି ରେସମ ଲୁଗା ମୁର୍ଶିଦାବାଦ ଏବଂ ମାନ୍ଦ୍ରାଜ ଅଞ୍ଚଳରୁ ପ୍ରଭୂତ ପରିମାଣରେ ଆସୁଅଛି । କଳାହାଣ୍ଡି, ବଉଦ ପ୍ରଭୃତିରେ ଯେଉଁ କୋଷାପୋକ ବଢ଼ାଯାଆନ୍ତି, ସେହି କୋଷାରୁ ମଠା ଲୁଗା ପ୍ରସ୍ତୁତ କରାଯାଏ । ସୂକ୍ଷ୍ମ ରେସମ ଲୁଗା ସକାଶେ କୋଷ–କୀଟ ସ୍ଥାନ ବିଶେଷରେ ପୋଷା ହେଉଥିଲେ ମଧ୍ୟ ଏହି କୋଷା ଗୁଡ଼ିକ ପ୍ରଭୂତ ପରିମାଣରେ ବିଦେଶକୁ ରପ୍ତାନୀ ହୋଇଥାଏ, ସୁତରାଂ ଉତ୍କଳରେ ରେସମ ଲୁଗା ବୁଣିବାର ପ୍ରଭୂତ ଆଗ୍ରହ ଦେଖାଯାଏ ନାହିଁ । ଉତ୍କଳର ଏହି କୋଷା ମାନ୍ଦ୍ରାଜ ଅଞ୍ଚଳରେ, ବିଶେଷତଃ ଉତ୍କଳର ଗଞ୍ଜାମ ଅଞ୍ଚଳରେ ପ୍ରସିଦ୍ଧି ଲାଭ କରିଅଛି । ରାଜନୀତିକ ଉତ୍କଳରେ ଏହି ଚେଷ୍ଟା–ସଫଳତା କାମନା ସମସ୍ତଙ୍କ ପକ୍ଷରେ ବିଧେୟ ନୁହେ କି ? ପାଟ ଲୁଗାର କାର୍ଯ୍ୟ ନ ବଢ଼ିଲେ କୋଷ–କୀଟ ପୋଷିବା ବୃତ୍ତି ମଧ୍ୟ ବଢ଼ିବ ନାହିଁ । ଏହି ସମସ୍ତ ଶିଳ୍ପ ପରସ୍ପର ସାପେକ୍ଷ ।

 

ବହୁ ବର୍ଷ ପୂର୍ବେ କଟକ ନଗରରେ ଯେଉଁ କୃଷି–ଶିଳ୍ପ–ପ୍ରଦର୍ଶନୀ ହୋଇଥିଲା, ତହିଁରେ ଦଶପଲ୍ଲାର ବେଲପଡ଼ା ଗ୍ରାମର କଂସାରିଙ୍କ ନିର୍ମିତ ଚାହାପାନର ଆଧୁନିକ ରୀତିରେ ସମସ୍ତ ବାସନ ପ୍ରଦର୍ଶିତ ହୋଇଥିଲା । ଉତ୍ତରାଖଣ୍ଡର ମୋରାଦାବାଦର ଅତ୍ୟୁତ୍କୃଷ୍ଟ କଂସାବାସନକୁ ଏହି ବାସନର ଗଠନପ୍ରଣାଳୀ ଏବଂ ଔଜ୍ଜ୍ୱଲ୍ୟ ପରାସ୍ତ କରି ଦେଇ ପାରେ ବୋଲି ଏହି କ୍ଷୁଦ୍ର ଲେଖକର ବିଶ୍ୱାସ; ମାତ୍ର ପ୍ରଦର୍ଶନୀ ଉତ୍ତାରୁ ଆଉ ସେ ଦ୍ରବ୍ୟ ପ୍ରତି କାହାରି ଆଗ୍ରହ ଦେଖାଗଲା ନାହିଁ । ଆମ ଦେଶର ରାଜ୍ୟେଶ୍ୱର ଓ ଭୁମ୍ୟଧିକାରିବର୍ଗ ଅତି ସାମାନ୍ୟ ପଦାର୍ଥ ସକାଶେ ସୁଦ୍ଧା କଲିକତା ସହରର ମୁଖାପେକ୍ଷୀ । ସାମାନ୍ୟ ପ୍ରାୟୋଜନରେ ସୁଦ୍ଧା କଲିକତା ସହରକୁ ଏମାନେ ପତ୍ର ଲେଖିବାକୁ ଓ ଟେଲିଗ୍ରାମ୍କରିବାକୁ ସର୍ବଦା ବ୍ୟସ୍ତ । ସେମାନଙ୍କର ଚେଷ୍ଟା ଓ ପ୍ରକୃତ ଉତ୍ସାହ ଲାଭ କଲେ ଉତ୍କଳ ତାଙ୍କର ବିଶିଷ୍ଟ ପ୍ରୟୋଜନ ନ ହେଉ, ଦୈନନ୍ଦିନ ପ୍ରୟୋଜନୀୟ ସମସ୍ତ ଦ୍ରବ୍ୟ ଯୋଗାଇ ପାରିବ ବୋଲି ଲେଖକର ବିଶ୍ୱାସ । ମାତ୍ର ଶତ ଚିତ୍କାରରେ ସୁଦ୍ଧା ଏ ଚୈତନ୍ୟୋଦୟ ଅସମ୍ଭବ ବୋଧ ହେଉଅଛି ସିନା !

 

ପୁରୀଜିଲ୍ଲାର ଅନେକାଂଶରେ ଏବଂ କଟକ ଓ ବାଲେଶ୍ୱର ଜିଲ୍ଲାର କେତେକାଂଶରେ ଅନେକ ଖର୍ଜୁର ବୃକ୍ଷ ରହିଅଛି । ଏହି ସମସ୍ତ ଜିଲ୍ଲାରେ ଖର୍ଜୁର ବୃକ୍ଷର ଆଧିକ୍ୟ, ପୁଣି ଅନେକାଂଶରେ ପ୍ରଚୁର ଇକ୍ଷୁଚାଷ ହୁଏ । ଅର୍ଥ ଓ ଅଭିଜ୍ଞତା ଅଭାବରୁ ପ୍ରଜାମାନେ ଭଲ ଗୁଡ଼ ତିଆରି କରିବାକୁ ଅସମର୍ଥ । ଆବଶ୍ୟକତାର ବ୍ୟବସ୍ଥା ହେଲେ ପ୍ରଜାମାନେ ପରିଷ୍କୃତ ଚିନି ନ ହେଉ ପଛକେ, ସାଧାରଣ ଚଳଣସହ ଚିନି ତିଆରି କରି ପାରିବେ, ଏହା ନିଶ୍ଚିତ । ଗଞ୍ଜାମର ଆସ୍କାଠାରେ ବ୍ରହ୍ମପୁର ନିମଖଣ୍ଡିନିବାସୀ ଶ୍ରୀଯୁକ୍ତ ସାହୁକାର ସ୍ୱର୍ଗତ ପରମାନନ୍ଦ ସାହୁଙ୍କର ଯେଉଁ ପ୍ରକାଣ୍ଡ ଚିନି କଳ ଅଛି, ତାହାଭଳି ଗୋଟିଏ ଚିନିକଳ ବସାଇବାକୁ ଓ ତହିଁକୁ ଇକ୍ଷୁ ଯୋଗାଇବାକୁ ବହୁ ଅର୍ଥ ଓ ଅଭିଜ୍ଞତାର ପ୍ରୟୋଜନ । ଉତ୍କଳୀୟ ବୃତ୍ତୀଶ୍ୱରମାନଙ୍କ ପକ୍ଷରେ ଏଭଳି କାର୍ଯ୍ୟ ସହଜ ହେଲେ ହେଁ, ସେଥିରେ ମନ ବଳାଇବା ଦୁଷ୍କର । ମାତ୍ର ବାମଣ୍ଡାର କ୍ଷୁଦ୍ର ଚିନିକଳ ଭଳି ଅନେକ କଳ ଏ ଦେଶରେ ବସି ପାରେ । ଏଥିରେ ଅଳ୍ପ ବ୍ୟୟ ଓ ଅଳ୍ପ ପରିଶ୍ରମ ଲୋଡ଼ା । ଉତ୍କଳର ପ୍ରତ୍ୟେକ ରାଜ୍ୟେଶ୍ୱର ଓ ବୃତ୍ତୀଶ୍ୱରଙ୍କ ପକ୍ଷରେ ଏହା ସହଜସାଧ୍ୟ ହେଲେ ହେଁ ସେମାନେ ନୀରବ ଓ ନିଶ୍ଚେଷ୍ଟ ।

 

ଉତ୍କଳର ପ୍ରତ୍ୟେକ ଗ୍ରାମରେ ଅନେକ ତୈଳବିକ୍ରେତା ବିଦ୍ୟମାନ । ସେମାନେ ସଂଘବଦ୍ଧ ହୋଇ ସମବାୟ–ନୀତିରେ କାର୍ଯ୍ୟ କଲେ ଲାଭବାନ୍ହେବାର ବିଶେଷ ସମ୍ଭାବନା । ଏହା ହେଲେ ଦେଶରେ ଖାଣ୍ଟି ତେଲର ଅଭାବ ରହନ୍ତା ନାହିଁ ।

 

ଅନୁଗୋଳ, କନ୍ଧମାଳ, ତାଳଚେର, ପାଳଲହଡ଼ା ଓ ମୟୁରଭଞ୍ଜ ପ୍ରଭୃତିରେ ଅନେକ ପ୍ରକାର ବେତର ଓ ବାଉଁଶର ପେଡ଼ି ପ୍ରସ୍ତୁତ ହୁଏ । ଏଗୁଡ଼ିକର କ୍ରମୋନ୍ନତି ବାଞ୍ଚନୀୟ । ଅନୁଗୋଳ ଓ କନ୍ଧମାଳରେ ଠିକ୍ବିଦେଶୀୟ Trunk (ଟ୍ରଙ୍କ) ଭଳି ଉତ୍କୃଷ୍ଟ ପେଡ଼ି ତିଆରି ହୁଏ–ତାହା ଯେ କୌଣସି ପ୍ରଦର୍ଶନୀରେ ପୁରସ୍କୃତ ହେବାର ଯୋଗ୍ୟ । କଟକର ଉପକଣ୍ଠବର୍ତ୍ତୀ ଖାନନଗରରେ ବେତର ନାନାରୂପ ଦ୍ରବ୍ୟ ପ୍ରସ୍ତୁତ ହେଉଅଛି । ମାତ୍ର ସେମାନଙ୍କୁ ଆଧୁନିକ ରୁଚିର ଉପଯୋଗୀ କରିବାକୁ ଏଥିରେ ଶିକ୍ଷିତ ମସ୍ତିଷ୍କ ଲଗା ହେଲେ ଅନେକ ପ୍ରକାର ଉତ୍କୃଷ୍ଟ ଦ୍ରବ୍ୟ ପ୍ରସ୍ତୁତ ହୋଇ ପାରେ । ନିକଟରେ ଡମପଡ଼ା, ରାଜହଂସ, ବାଗଲପୁର ପ୍ରଭୃତିର ଜଙ୍ଗଲରେ ଅପର୍ଯ୍ୟାପ୍ତ ବେତଗଛ ଅଛି ।

 

ଆଠଗଡ଼ ଛଅଗାଁ ଅଞ୍ଚଳର କାଇଞ୍ଚ ପେଡ଼ି ଗୋଟିଏ ବିଶିଷ୍ଟ ଦ୍ରବ୍ୟ । ଏଥି ପ୍ରତି ଆମ୍ଭମାନଙ୍କ ଦୃଷ୍ଟି ନାହିଁ, ମାତ୍ର ବିଲାତର ମହାଜନମାନଙ୍କର ଦୃଷ୍ଟି ଏହା ଉପରେ ପଡ଼ିଲାଣି ଏବଂ କାଇଞ୍ଚ ନିର୍ମିତ ଅନେକ ସୁନ୍ଦର ଦ୍ରବ୍ୟ ଏଥିମଧ୍ୟରେ ବିଲାତ ପଠା ଗଲାଣି । ପାଳଲହଡ଼ାରେ ଯେଉଁ ପ୍ରକାଣ୍ଡ ନାଗେଶ୍ୱରବଣ ରହିଅଛି, ସେହି ଅସଂଖ୍ୟ ନାଗେଶ୍ୱରଫୁଲରୁ ସୁଗନ୍ଧ ଦ୍ରବ୍ୟ ଓ ଅତର ପ୍ରଭୃତି କାଢ଼ିବାକୁ ଉତ୍କଳୀୟମାନେ କେବେ ସଚେଷ୍ଟ ହେବେ, ତାହା ବିଧାତାଙ୍କୁ ଗୋଚର ! ମାତ୍ର ଗଞ୍ଜାମ ଅଞ୍ଚଳରେ ସୁପ୍ରସିଦ୍ଧ ‘‘ଉଦ୍ୟାନଖଣ୍ଡ’’ରୁ ବିଦେଶୀୟମାନେ ଆସି କେତକୀ ଫୁଲର ନିର୍ଯ୍ୟାସ ବାହାର କରି ନେଇ ଯାଉଅଛନ୍ତି, ଏହା ଏହି ଲେଖକ ସ୍ୱଚକ୍ଷୁରେ ଦେଖିଅଛି ।

 

ଏ ଦେଶରେ ଦୁଗ୍ଧର ବ୍ୟବସାୟ ମଧ୍ୟ ବିଶେଷ ପ୍ରୟୋଜନୀୟ ବ୍ୟବସାୟ । ଦୁଗ୍ଧ ଯୋଗାଇବା ଉପରେ ଏ ଦେଶର ଭବିଷ୍ୟଦ୍ବଂଶୀୟଙ୍କର ସ୍ୱାସ୍ଥ୍ୟ ନିର୍ଭର କରୁଅଛି । ସହର ନିକଟସ୍ଥ ପଲ୍ଲୀଗ୍ରାମ ସମୂହରେ ଏହି ବ୍ୟବସାୟ ଭଲରୂପେ ଚଳି ପାରେ । କଲିକତାରେ ଅବସ୍ଥାନ ସମୟରେ ଲେଖକ ଅନୁସନ୍ଧାନ କରି ଜାଣିଥିଲା–କେବଳ ବାରାସତ ସବ୍ଡିଭିଜନର ପଲ୍ଲୀଗ୍ରାମସମୂହରୁ ପ୍ରତ୍ୟହ ୩୦୦ ମହଣ ଦୁଗ୍ଧ କଲିକତାକୁ ଆସିଥାଏ । ଅନ୍ୟାନ୍ୟ ପଲ୍ଲୀ କେତେ ଯୋଗାଉଅଛି, ତାହାର ଇୟତ୍ତା ନାହିଁ । କଟକର କାଠଯୋଡ଼ି ନଦୀର ଅପର ପାର୍ଶ୍ୱସ୍ଥିତ ଗୋଡ଼ିସାହି, ଷଣ୍ଢପୁର, ବିଦ୍ୟାଧରପୁର, ବାଆଁରା ଏବଂ ପଟିଆ ଅଞ୍ଚଳରେ କେତେକ ଗ୍ରାମରୁ ଯେତିକି ଦୁଗ୍ଧ ଓ ଛେନା ଗଉଡ଼ମାନେ ଅନୁଗ୍ରହ କରି କଟକ ସହରକୁ ଯୋଗାଇଥାଆନ୍ତି, ତାହା ସମୁଦ୍ରକୁ ଶଙ୍ଖେ ପାଣି ଭଳି । ମାତ୍ର ଗୋପାଳନ ଓ ଦୁଗ୍ଧର ବ୍ୟବସାୟ ରୀତିମତ କରିବାକୁ କାହାରି ପ୍ରବୃତ୍ତି ନାହିଁ ।

 

ଏଭଳି କ୍ଷୁଦ୍ର ବ୍ୟବସାୟ ସମ୍ୱନ୍ଧରେ କଟକର ଅଲିସାବଜାର ନିବାସୀ ଜଣେ ମୁସଲମାନଙ୍କର ଦୃଢ଼ ଅଧ୍ୟବସାୟ ଉତ୍କଳର ପ୍ରତ୍ୟେକ ଶିକ୍ଷିତ, ଅଶିକ୍ଷିତ ବ୍ୟକ୍ତିଙ୍କର ଅନୁକରଣଯୋଗ୍ୟ । ତାଙ୍କର ନାମ ମହମ୍ମଦ୍ ଖାନୁ । ପଚାଶ ଟଙ୍କା ମୂଳଧନରେ ସେ ବିଡ଼ିର ବ୍ୟବସାୟ ଆରମ୍ଭ କରିଥିଲେ । ବ୍ୟବସାୟ ଆରମ୍ଭର ପ୍ରାୟ ଛଅ ମାସ ମଧ୍ୟରେ ତାଙ୍କର ମୂଳଧନ ନିଃଶେଷ ହୋଇ ନିଜର ଗୃହ ସାମଗ୍ରୀ ମଧ୍ୟ ବିକ୍ରୟ ହୋଇଗଲା; ସୁତରାଂ ତାଙ୍କର ଗ୍ରାସାଚ୍ଛାଦନର ମଧ୍ୟ ଉପାୟ ରହିଲା ନାହିଁ । ଆମ୍ଭେମାନେ ଏପରି ଅବସ୍ଥାରେ କଅଣ କରିଥାଆନ୍ତୁ ? ଆମ୍ଭମାନଙ୍କ ମଧ୍ୟରୁ ଜଣେ ଏପରି ହୋଇଥିଲେ ତାକୁ ଶତ ଧିକ୍କାର ଦେଇ ତାହାର ବୁଦ୍ଧିର ଅଜସ୍ର ନିନ୍ଦା କରି ଅନ୍ୟମାନଙ୍କୁ ଉପଦେଶ ଦେଇଥାନ୍ତୁ–ଭବିଷ୍ୟତ୍ରେ ଯେପରି ଏଭଳି କେହି ନ କରନ୍ତି । ମାତ୍ର ମହମ୍ମଦ୍ଖାନୁଙ୍କର ଧୈର୍ଯ୍ୟ ଓ ଅଧ୍ୟବସାୟ ତାଙ୍କୁ ନିବୃତ୍ତ କରି ପାରିଲା ନାହିଁ । ସେ ପୁନଶ୍ଚ ଋଣ କରି ନାଗପୁର ଗଲେ, ସେଠାରୁ ବ୍ୟବସାୟର ସୂତ୍ର ୧୫ ଦିନ ମଧ୍ୟରେ ଶିଖି ଆସିଲେ । ସେ ମୂର୍ଖ–ଲେଖି ଜାଣନ୍ତି ନାହିଁ, ସାମାନ୍ୟ ପ୍ରକାର ପଢ଼ି ଜାଣନ୍ତି ମାତ୍ର । କିନ୍ତୁ ‘‘ବିଦ୍ୟା କିମର୍ଥଂ ଯଦି ନାସ୍ତି ବୁଦ୍ଧିଃ’’ ଏହି ନୀତିବଚନ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ସାର୍ଥକ ହୋଇଗଲା । ବୁଦ୍ଧି ପ୍ରାଖର୍ଯ୍ୟରେ ବିଧାତା ତାଙ୍କର ସହାୟ ହେଲେ । ଯାହାର ଗ୍ରାସାଚ୍ଛାଦନର କ୍ଷମତା ଏକାବେଳକେ ଅନ୍ତର୍ହିତ ହୋଇଥିଲା, ତାଙ୍କର ବ୍ୟବସାୟ ୮ । ୧୦ ବର୍ଷ ମଧ୍ୟରେ ଏକପ୍ରକାର ଭାରତବ୍ୟାପୀ ହୋଇଅଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କଟକ ଜିଲ୍ଲାର କେତେକ ପଲ୍ଲୀଗ୍ରାମରେ ସେ ବିଡ଼ିର କାରଖାନା ଏବଂ ଏଜେନ୍ସି ସ୍ଥାପନ କରି ଶତ ଦରିଦ୍ର ମୁସଲମାନମାନଙ୍କର ପୂର୍ଣ୍ଣ ସହାୟ ହୋଇଅଛନ୍ତି । ବଙ୍ଗୀୟ ବିଧବା ଅନେକଙ୍କର ମଧ୍ୟ ଏହି କାର୍ଯ୍ୟରେ ଉଦରପୋଷଣ ହେଉଅଛି । କଟକରେ ପ୍ରତ୍ୟେହ ବେତନ ବ୍ୟତୀତ ପ୍ରାୟ ଦେଢ଼ଶତ ଲୋକଙ୍କ ଗ୍ରାସାଚ୍ଛାଦନର ଭାର ତାଙ୍କ ଉପରେ ନ୍ୟସ୍ତ । ଚାଉଳର ମହାର୍ଘତା ସମୟରେ ଅନେକ ଦରିଦ୍ର ମୁସଲମାନ୍ପରିବାର କେବଳ ତାଙ୍କ ସକାଶେ ବଞ୍ଚି ଯାଇଅଛନ୍ତି, ଏ କଥା ଅତିରଞ୍ଜିତ ନୁହେ । ତାଙ୍କ କାରଖାନାର ବିଡ଼ି ସମୂହ ଭାରତବର୍ଷର ପ୍ରାୟ ସମସ୍ତ ଅଞ୍ଚଳକୁ ଯାଉଅଛି–ସୁଦୂର ବ୍ରହ୍ମ ଏବଂ ଅନ୍ୟାନ୍ୟ ବ୍ରିଟିଶ୍ଉପନିବେଶ ସମୂହକୁ ପ୍ରେରିତ ହେଉଅଛି । ପ୍ରତ୍ୟହ ସାଢ଼େ ତିନି ଲକ୍ଷ ବିଡ଼ି ତାଙ୍କ କାରଖାନାରୁ ବିକ୍ରୟାର୍ଥ ପ୍ରେରିତ ହୋଇଥାଏ । ତାଙ୍କ କାରଖାନା ପରିଦର୍ଶନ କଲେ ଆଶ୍ଚର୍ଯ୍ୟ ଓ ଚମତ୍କୃତ ହେବାକୁ ହୋଇଥାଏ । ଏହି ବିଡ଼ି ପ୍ରସ୍ତୁତ ବ୍ୟାପାରର ଭିନ୍ନ ଭିନ୍ନ ଅଙ୍ଗର କାର୍ଯ୍ୟପ୍ରଣାଳୀ ହୃଦୟକୁ ମୁଗ୍ଧ କରିଦିଏ–ସଙ୍ଗେ ସଙ୍ଗେ କେତେ ଦରିଦ୍ର ପରିବାରର ଭରଣପୋଷଣର ବ୍ୟବସ୍ଥା ହୋଇଅଛି, ଏହା ଦେଖି ଶିକ୍ଷିତ ସମାଜ ଯାହାଙ୍କୁ ମୂର୍ଖ ବୋଲି କହିବେ, ସେହି ଅସୀମ ଧୈର୍ଯ୍ୟଶୀଳ, ଶାନ୍ତ ଶିଷ୍ଟ ଓ ବିନୀତ ମହମ୍ମଦ୍ ଖାନୁଙ୍କ ପରହିତୈଷଣା ଓ ସ୍ୱଦେଶପ୍ରେମ କଥା ଭାଳି ହୃଦୟ ତାଙ୍କଠାରେ ଅବନମିତ ହୁଏ । ଏହି ଜଣେ ଲୋକଙ୍କଦ୍ୱାରା ଦେଶର ଓ ଦଶଲୋକଙ୍କର ଯେଉଁ ଉପକାର ହୋଇଅଛି ଓ ହେଉଅଛି, ଶତ କିମ୍ୱା ସହସ୍ର ଶିକ୍ଷିତ ବ୍ୟକ୍ତିଙ୍କ ଦ୍ୱାରା ଏଭଳି ହେବା ଅସମ୍ଭବ । ଏହାଙ୍କର ଜୀବନଚରିତ ଗୋଟିଏ ଗ୍ରନ୍ଥରେ ଶେଷ ହେବାର ନୁହେ । ଶିକ୍ଷିତମାନେ ଏହାଙ୍କ କାର୍ଯ୍ୟକଳାପ ଯେକୌଣସି ମୁହୂର୍ତ୍ତରେ ଦେଖି ଆଶ୍ଚର୍ଯ୍ୟାନିତ୍ୱ ହେବେ ।

 

ଶିଳ୍ପ ନ ହେଲେ ସଂସାର ଚଳିବ ନାହିଁ । ଭାରତରେ ଏପରି ଦିନ ଥିଲା, ଯେଉଁ ଦିନ ଏହି ଗୃହଶିଳ୍ପରେ ଭାରତବାସୀର ସମସ୍ତ ଅଭାବ ମୋଚନ ହେଉଥିଲା । ଏ ଦେଶରେ ପୂର୍ବକାଳରେ ଧୂମୋଦ୍ଗାରୀ ବାଷ୍ପଯନ୍ତ୍ର–ପରିଚାଳକ ଶିଳ୍ପ–କେନ୍ଦ୍ର ପ୍ରତିଷ୍ଠିତ ହୋଇ ନ ଥିଲା, ଅଥବା ବିଦ୍ୟୁଚାଳିତ ମୋଟରଯନ୍ତ୍ର–ପରିଚାଳନରେ ନିଯୁକ୍ତ ହୋଇ ନ ଥିଲା । ଏ ଦେଶରେ ଗୃହଶିଳ୍ପ ସତ୍ୟ ସତ୍ୟହିଁ ଗୃହଶିଳ୍ପ । ଏ ଦେଶର ଶିଳ୍ପରେ କେବଳ ପଲ୍ଲୀବାସୀଙ୍କର ଅଧିକାର ରହିଥିଲା, ପଲ୍ଲୀଗ୍ରାମର ପର୍ଣ୍ଣକୁଟୀରରେ ଶିଳ୍ପୀହସ୍ତରେ ଅତି ସାମାନ୍ୟ ଆଡ଼ମ୍ୱରରେ ଭାରତବାସୀର ପ୍ରୟୋଜନୀୟ ଶିଳ୍ପଜ ପଣ୍ୟ ପ୍ରସ୍ତୁତ ହେଉଥିଲା । ପଲ୍ଲୀଗ୍ରାମହିଁ ସେତେବେଳେ ଭାରତବାସୀଙ୍କ ଆଶ୍ରୟ ଓ କର୍ମଭୂମି ଥିଲା, ସହରରେ କେବଳ ପଣ୍ୟବୀଥିକାର ଓ କ୍ରୟ ବିକ୍ରୟର କୋଳାହଳହିଁ ଶ୍ରୁତ ହେଉଥିଲା । ବର୍ତ୍ତମାନ ଆଉ ସେ ଦିନ ନାହିଁ । ବର୍ତ୍ତମାନ ସହରହିଁ ଶିକ୍ଷିତ ଭାରତବର୍ଷର ଆଶ୍ରୟ; ସୁତରାଂ ନାନା କାରଣରୁ ପଲ୍ଲୀଗ୍ରାମର ଶିଳ୍ପ କାରଖାନା ସମସ୍ତ ଭାଙ୍ଗିଯାଇଅଛି ଓ ଯାଉଅଛି ।

 

ଆମ୍ଭମାନଙ୍କ ଗୃହଶିଳ୍ପ କହିଲେ ଆମ୍ଭେମାନେ ଏକାବେଳକେ ଘରର ଶିଳ୍ପ, ଗୃହସ୍ଥର ପ୍ରୟୋଜନ ଅନୁରୂପ ଗୃହସ୍ଥର ସ୍ୱହସ୍ତନିର୍ମିତ ଶିଳ୍ପହିଁ ବୁଝୁ । ବର୍ତ୍ତମାନ ଗୃହଶିଳ୍ପ ଇଂରାଜୀରେ ଯାହାକୁ ହୋମ ଇଣ୍ଡଷ୍ଟ୍ରୀ (Home Industry) କହନ୍ତି, ତାହା କେତେକ ପରିମାଣରେ ସାନ ସାନ ଉଟଜ ସ୍ୱଦେଶୀ ଶିଳ୍ପକୁ ବୁଝାଇଥାଏ । ପୂର୍ବକାଳରେ ଲୋକେ ଅର୍ଥଶାଳୀ ନ ହେଲେ ଘର ପଇସାରେ ପରପାଖରୁ ବିଳାସଦ୍ରବ୍ୟ କିଣୁ ନ ଥିଲେ । ସ୍ୱପ୍ରୟୋଜନୀୟ ସମସ୍ତ ଦ୍ରବ୍ୟ ଘରେ ତିଆରି କରିବାରେ ପ୍ରତ୍ୟେକ ଲୋକ ଅସାଧାରଣ ଦକ୍ଷତା ଦେଖାଉଥିଲେ । ମାତ୍ର Home Industry ଶବ୍ଦରେ ବିସ୍ତୃତି ସୁପରିଷ୍ଫୁଟ । ଉଟଜଶିଳ୍ପ ନାନା ଉପାୟରେ ପ୍ରସ୍ତୁତ ହୋଇ ବଜାରରେ ବିକ୍ରୟ ହେଲେ କେବଳ ଗରିବ କାହିଁକି, ମଧ୍ୟବିତ୍ତ ଲୋକଙ୍କର ଦାରୁଣ ଅନ୍ନକଷ୍ଟ ସମସ୍ୟାର ଗୋଟିଏ ସମାଧାନ ହେବ । ଗାର୍ହସ୍ଥ୍ୟ ଶିଳ୍ପଜ ପଣ୍ୟ ଯେବେ ବିକ୍ରୟହୁଏ, ତାହାହେଲେ ଯେଉଁ ସମୟରେ ଚାଷୀମାନଙ୍କର କ୍ଷେତରେ କାର୍ଯ୍ୟ ନ ଥିବ, ସେତେବେଳେ ସେମାନେ ଘରେ ବସି ଏହି ସମସ୍ତ ପଣ୍ୟ ପ୍ରସ୍ତୁତ କରି ପାରିବେ । ଗରିବ ଅବୀରା କିମ୍ୱା ବିଧବାମାନଙ୍କର ଏଥିରେ ଜୀବନୋପାୟ ହୋଇ ପାରିବ । ଜାପାନର ଉଟଜଶିଳ୍ପ ଦ୍ୱାରା ସେମାନଙ୍କର ପ୍ରକୃତ ଆୟର ଅର୍ଦ୍ଧେକ ବୃଦ୍ଧି କରନ୍ତି–ନତୁବା ସେମାନଙ୍କର ଜୀବନଯାତ୍ରା ନିର୍ବାହ କରିବା ଅସମ୍ଭବ, ଏ କଥା କେତେ ବର୍ଷ ପୂର୍ବେ ଗୋଟିଏ ସମ୍ବାଦପତ୍ରରେ ପଢ଼ିଥିଲି । ଏ ଦେଶରେ ଋତୁବିପର୍ଯ୍ୟୟରେ କୃଷିର ଯେପରି ଗୋଳମାଳ ଘଟିଥାଏ, କୃଷକଙ୍କର ଯେପରି ଦୁର୍ଗତି ହୁଏ, ତହିଁରେ ସେମାନେ ଯେବେ ଗୃହଶିଳ୍ପର ସେବା କରି କିଛି ପାଆନ୍ତି, ତାହାହେଲେ ଏହି ଦୁର୍ଗତି ନିବାରଣ ସମ୍ଭବପର ସିନା ? ଦ୍ୱିତୀୟତଃ ଏ ଦେଶରେ ଏକାନ୍ନବର୍ତ୍ତୀ ପରିବାରପ୍ରଥା ଯେପରି ଦ୍ରୁତ ଭାବରେ ଭାଙ୍ଗିଯାଉଅଛି, ଜୀବନସଂଗ୍ରାମର ତୀବ୍ରତା ଯେପରି ବୃଦ୍ଧି ପାଉଅଛି, ସେଥିରେ ଲୋକେ ବିଧବା କିମ୍ୱା ଶିଶୁମାନଙ୍କ ସକାଶେ କିଛି ସଞ୍ଚୟ କରି ପାରୁ ନାହାନ୍ତି । ଏପରି ଅବସ୍ଥାରେ ଗୃହଶିଳ୍ପ ପ୍ରତିଷ୍ଠାର ପ୍ରୟୋଜନୀୟତା ଅତ୍ୟନ୍ତ ଅଧିକ ।

 

‘‘କୁଲା, ଛାଞ୍ଚୁଣି, ଚକ୍ମକି ମୁଣି, ଦାଆ, କୋଡ଼ି କାଙ୍କ, ଛିଣ୍ଡା ମଶୁଣି’’ସମ୍ବଳ ଦରିଦ୍ର ପଲ୍ଲୀବାସୀଙ୍କ ଉପରେ ନାଗରିକ ମାନଙ୍କର ଶୁଭଦୃଷ୍ଟି ପଡ଼ିବ କି ?

 

(୯)

 

ଉତ୍କଳର ସମଗ୍ର ଅଞ୍ଚଳରେ ପଲ୍ଲୀ–ପରିଷତ୍ ସ୍ଥାପନ ଏକାନ୍ତ ବାଞ୍ଛନୀୟ । ପଲ୍ଲୀବାସୀ ପ୍ରତ୍ୟେକଙ୍କ ମଧ୍ୟରେ ଅନୁସନ୍ଧିତ୍ସା ଜନ୍ମାଇ ସ୍ଥାନୀୟ ତଥ୍ୟୋଦ୍ଘାଟନ ପାଇଁ ସ୍ୱାଧୀନ ଚେଷ୍ଟାର ପ୍ରବର୍ତ୍ତନା କଳ୍ପରେ ଏହିଭଳି ପଲ୍ଲୀପରିଷତ୍ସ୍ଥାପନର ସୂତ୍ରପାତ କରିବା ଉଚିତ ନୁହେ କି ? ନାଗରିକମାନଙ୍କ ମଧ୍ୟରେ ବିରଳ, ଏଭଳି ଅନେକ ବିଷୟ ପଲ୍ଲୀବାସୀଙ୍କ ନିକଟରୁ ଜାଣିବାର, ଶିଖିବାର ଏବଂ ଅନୁକରଣ କରିବାର ରହିଅଛି । ଅନନ୍ତ କାଳ ନଗରସୁଲଭ ସଭ୍ୟତା ମଧ୍ୟରେ ନିମଜ୍ଜିତ ହେଲେ ହେଁ ଏହାର ସନ୍ଧାନ ପାଇବା ଅସମ୍ଭବ । ପଲ୍ଲୀର ପିକଭାଷିତ, ଲତାଶୀର୍ଷ ତରୁଣତୋରଣ, ତୃଣାଚ୍ଛାଦିତ ମୁକ୍ତ ଭୂମିତଳ, ନିରକ୍ଷର କୌପୀନଧାରୀର କମନୀୟକଣ୍ଠନିଃସୃତ ଗୀତି, ସ୍ୱଚ୍ଛନ୍ଦବନଜାତ ଶାକାନ୍ନ ପରିଷଦର ଅଭ୍ୟର୍ଥନାର ଉପାଦେୟ ଉପକରଣ ହେବ; ଏହି ମୌଳିକ ଉପଚାରରେହିଁ ପରିଷଦର ପୂର୍ଣ୍ଣ ତୃପ୍ତି ସାଧିତ ହେବ ।

 

ପଲ୍ଲୀବାସୀଗଣ ଅନୁସନ୍ଧାନ କଲେ ଜାଣି ପାରିବେ, କେତେ ପଲ୍ଲୀ–ପିକର ସରସ କାକଳୀ ସେହି କାନନଗୃହକୁ ମୁଖରିତ କରି ଅଲକ୍ଷିତରୂପେ ବନ୍ଦ ହୋଇ ଯାଇଅଛି, କେତେ ଆଦର୍ଶ ଆତ୍ମତ୍ୟାଗ, ପୁଣ୍ୟାତ୍ମାଙ୍କର ପ୍ରେମାଶ୍ରୁପାତ, ସତୀତ୍ୱର ବିଜୟ କାହାଣୀ ସେମାନଙ୍କର ବାସଭୂମିକୁ ପବିତ୍ର କରି ରଖିଅଛି, ବହିର୍ଜଗତ୍ବର୍ତ୍ତମାନ ପର୍ଯ୍ୟନ୍ତ ତାହାର ବିନ୍ଦୁମାତ୍ର ପରିଚୟ ପାଇ ନାହିଁ । ଏହି ସମସ୍ତ ଅଶେଷ ହିତକରୀ ଅଜ୍ଞାତ ଆଖ୍ୟାୟିକାର ଉଦ୍ଧାର କାର୍ଯ୍ୟ ପ୍ରତି ପଲ୍ଲୀରେ ଆରମ୍ଭ ହେଲେ ଉତ୍କଳ ଅଚିରରେ ବରଣୀୟ ହେବ, ସନ୍ଦେହ ନାହିଁ ।

 

ଜ୍ଞାନ–ପିପାସୁ ଭିନ୍ନ ଦେଶବାସୀ କେତେ ଆତ୍ମତ୍ୟାଗ ସ୍ୱୀକାର କରି ଏବଂ ପ୍ରତିକୂଳ ଅବସ୍ଥା ମଧ୍ୟରୁ ଆମ୍ଭମାନଙ୍କ ଚିରଅବହେଳିତ ଜାତୀୟ ଇତିହାସର ଯେଉଁ ଅସମ୍ପୂର୍ଣ୍ଣ କେତୋଟି ପୃଷ୍ଠା ସଙ୍କଳନ କରି ରଖିଅଛନ୍ତି, ତାହା ବର୍ତ୍ତମାନ ଆମ୍ଭମାନଙ୍କୁ ତୃପ୍ତିଦାନ ନ କଲେ ହେଁ ତହିଁ ପାଇଁ ସାଧୁବାଦ ଅବିସଂବାଦିତରୂପେ ସେହିମାନଙ୍କର ପ୍ରାପ୍ୟ । ନାନା ଭ୍ରମସଙ୍କୁଳ ସେହି ସମସ୍ତ ଇତିହାସର ନାନା ସଂସ୍କାର ପଲ୍ଲୀ–ପରିଷଦର ସଂଗୃହୀତ ଉପକରଣର ସୂକ୍ଷ୍ମାତିସୂକ୍ଷ୍ମ ପରିଦର୍ଶନ ଉପରେ ପ୍ରଧାନତଃ ନିର୍ଭର କରୁଥିବ । ବିସ୍ଲେଷଣ ଅପେକ୍ଷା ବିଶ୍ଳିଷ୍ଟର ଆହରଣ ନାନା କାରଣରୁ ଅଗ୍ରଗଣ୍ୟ କର୍ତ୍ତବ୍ୟ ମଧ୍ୟରେ ପରିଗଣିତ ହେଉଅଛି । ପରିବର୍ତ୍ତନର ଖରସ୍ରୋତରେ ଉପକରଣସମୂହ ଭାସିଯାଉଅଛି । ଏକ କିମ୍ୱା ଦୁଇ ହସ୍ତରେ ନୁହେ, ସହସ୍ର ସହସ୍ର ହସ୍ତଦ୍ୱାରା ସେଗୁଡ଼ିକୁ ଧରି ରଖିବାକୁ ହେବ, ଗୋଟିଏ ପରିଷତ୍ ନୁହେ, ସହସ୍ର ସହସ୍ର ପରିଷତ୍ ସେଗୁଡ଼ିକୁ ଗୋଟାଇ ଆଣିବ; ତେବେ ଅଭୀଷ୍ଟ ପୂର୍ଣ୍ଣମାତ୍ରାରେ ସିଦ୍ଧ ହେବାର ସମ୍ଭାବନା । ବିଶେଷଜ୍ଞମାନଙ୍କର ବିଚାର–ପ୍ରତୀକ୍ଷାରେ ବସି ରହିବା ପଲ୍ଲୀବାସୀ ମାନଙ୍କ ପକ୍ଷରେ କେତେବେଳେ ହେଁ ଶ୍ରେୟଃ ନୁହେ । ଯାହାର ଯେତିକି ସାଧ୍ୟ, ତାହା ପ୍ରତି ସେହିପରି ଭାର ପ୍ରଦାନ କରିବାହିଁ ସୁଧୀସମ୍ମତ । ଶ୍ରମିକର ସ୍ୱେଦଜଳରେ ଯେଉଁ ବିରାଟ ସୌଧ ରଚିତ ହୁଏ, ତାହାର ରଚନାକୌଶଳ ସ୍ଥପତିର ଅଭିଜ୍ଞତା ଉପରେ ନିର୍ଭର କରିଥାଏ । ଶ୍ରମିକର ତତ୍ପ୍ରତି ଦୃଷ୍ଟିଦାନ ଅନାବଶ୍ୟକ । ପଲ୍ଲୀପରିଷତ୍ପକ୍ଷରେ ଜ୍ଞାନର ବିରାଟ ମନ୍ଦିର ନିର୍ମାଣ ସକାଶେ କ୍ଷେତ୍ରରୁ ଇଷ୍ଟକ ଓ ପ୍ରସ୍ତର ଆହରଣହିଁ କର୍ତ୍ତବ୍ୟ ମଧ୍ୟରେ ପରିଗଣିତ ହେବ ।

 

ପଲ୍ଲୀବାସୀଙ୍କ ସମ୍ମୁଖରେ ଯେଉଁ ଶସ୍ୟସମୃଦ୍ଧ କ୍ଷେତ୍ର ବିସ୍ତୃତ ରହିଅଛି ତହିଁର ଉପକରଣ ଆହରଣ କଲେ ପରିଷଦ୍ଭଣ୍ଡାର ଅଚିରରେ ପୂର୍ଣ୍ଣ ହୋଇଯିବ । ଭଗ୍ନମନ୍ଦିରର ଦୁଇଖଣ୍ଡି ଜୀର୍ଣ୍ଣ ଇଷ୍ଟକ, ପିତୃପିତାମହଗଣଙ୍କ ପୂର୍ବକାଳୀନ ଭାବର ଅଭିବ୍ୟକ୍ତିମୂଳକ ବଂଶଖଣ୍ଡା ଅଭ୍ୟନ୍ତରରେ ରକ୍ଷିତ ଜୀର୍ଣ୍ଣଲିପି, କୀଟଦଷ୍ଟ ତାଳପତ୍ର ପୋଥି ପ୍ରଭୃତି କିଛି ହିଁ ପରିଷଦ ପକ୍ଷରେ ଦୁଷ୍ପ୍ରାପ୍ୟ ନୁହେ । ଲୋକପ୍ରବାଦ ଯେଉଁ ସମସ୍ତ ସ୍ଥାନ ଚିହ୍ନିତ କରି ଦେଇ କାଳର ଧ୍ୱଂସକ୍ରିୟାକୁ ବର୍ତ୍ତମାନ ସୁଦ୍ଧା ବ୍ୟର୍ଥ କରି ଦେଇଅଛି, ପଲ୍ଲୀ ପରିଷଦର ଶ୍ୟେନଦୃଷ୍ଟି ତାହା ଉପରେ ସର୍ବାଗ୍ରେ ପତିତ ହେବାହିଁ ବାଞ୍ଛନୀୟ । ଏହାରି ଫଳରୁ ଏଭଳି କୌଣସି ଅମୂଲ୍ୟ ନିଦର୍ଶନର ସନ୍ଧାନ ମିଳିଯିବ, ଯଦ୍ଦ୍ଵାରା ଇତିହାସର ଗୋଟିଏ ନୂତନ ଅଧ୍ୟାୟର ସୂଚନା ହୋଇପାରେ । କୃଷକମାନଙ୍କର ଲଙ୍ଗଳଗାରରୁ ହିଁ ଉତ୍କଳ ଇତିହାସର ସୂଚନା, ଏହା କହିବା ବୋଧହୁଏ ଅସଙ୍ଗତ ନୁହେ । ଏହି ଲଙ୍ଗଳଗାରରୁ ଆହୁରି କେତେ ଐତିହାସିକ ଶସ୍ୟ ଉତ୍ପାଦନ ହୋଇ ପାରିବ; ତାହା କିଏ କହି ପାରେ ? କୃଷକମାନଙ୍କୁ ରୀତିମତ ବୁଝାଇଦେଲେ ସମୟନିର୍ଣ୍ଣାୟକ କେତେ ମୁଦ୍ରା, କେତେ ଶାସନ, କେତେ ଇଷ୍ଟକ ଓ ଶିଳାଲିପି, ନିତ୍ୟ ବ୍ୟବହାର୍ଯ୍ୟ ପାତ୍ର, ଅଳଙ୍କାର ପ୍ରଭୃତି ବାହାରି ପାରେ । ଚଉଦ୍ୱାରର କପାଳେଶ ଦୁର୍ଗର ଉପକଣ୍ଠବର୍ତ୍ତୀ ଅଞ୍ଚଳରେ ଆଜିଯାଏ ସୁଦ୍ଧା ଶଅରମାନେ କ୍ଷୁଦ୍ର କ୍ଷୁଦ୍ର ସୁବର୍ଣ୍ଣମୁଦ୍ରା ପାଉଥିବାର ଏହି ଲେଖକ ଦେଖିଅଛି । ଆମ୍ଭମାନଙ୍କ ରତ୍ନଗର୍ଭା ମାତୃଭୂମିର ଅତି ପୂର୍ବକାଳର ଇତିବୃତ୍ତର ଉପକରଣ ଶେଷ ହୋଇ ଯାଇଛି, ଏହା ମନରେ ଧରିବା ଅସଙ୍ଗତ । ପ୍ରଗାଢ ଅନୁରାଗସହକାରେ ପଲ୍ଲୀବାସୀଗଣ ଚେଷ୍ଟା କଲେ ବର୍ତ୍ତମାନ ସୁଦ୍ଧା ଅନେକ ଉପକରଣ ଆବିଷ୍କୃତ ହୋଇ ପାରିବ । ଶିକ୍ଷିତ, ଅର୍ଦ୍ଧଶିକ୍ଷିତ, ନିରକ୍ଷର ସମସ୍ତ ଶ୍ରେଣୀର ପଲ୍ଲୀବାସୀଙ୍କର ସମବେତ ଚେଷ୍ଟା ଜାତୀୟ ଇତିହାସର ପୃଷ୍ଠା ଉଜ୍ଜ୍ୱଳ କରିବା ସକାଶେ ଦୃଢ଼ ହେଲେ କେବଳ ପୁରାତତ୍ତ୍ୱ କାହିଁକି, ବୈଜ୍ଞାନିକ ଆଲୋଚନାର ଉପଯୋଗୀ ଉପକରଣ ମଧ୍ୟ ମିଳି ପାରିବ । ଖଣିଜ ଦ୍ରବ୍ୟର ସନ୍ଧାନ କରିବାକୁ ହେଲେ ପ୍ରତ୍ୟେକ ସ୍ଥାନର ମୃତ୍ତିକା ଏବଂ ମୃତ୍ତିକାଜାତ ବିଭିନ୍ନ ପ୍ରକାର ଦ୍ରବ୍ୟର ପରୀକ୍ଷା ଆବଶ୍ୟକ ହୋଇଥାଏ । ଅପର୍ଯ୍ୟାପ୍ତ ଲୌହମଳ କିମ୍ୱା ପ୍ରସ୍ତର ଉପରେ କଠିନ କୃଷ୍ଣ ଆବରଣସ୍ତର ଦେଖି ସେଠାରେ ଲୌହଖଣିର ଅସ୍ତିତ୍ୱ ନିର୍ଣ୍ଣୟ କରିବା ସ୍ୱାଭାବିକ । ଉପଯୁକ୍ତ ବ୍ୟକ୍ତିଙ୍କ କର୍ଣ୍ଣକୁ ଏହି ବିଷୟ ନେଇ ପହଞ୍ଚାଇଦେଲେ ସେ ଦିନେ ଲୌହଖଣି ଆବିଷ୍କାର କରି ଦେଶର ଧନାଗମର ଉପାୟ କରି ପାରିବେ । ବିଶୁଦ୍ଧପ୍ରାୟ ତଡ଼ାଗାଦିର ବିବରଣ ଧାରାବାହିକରୂପେ ପ୍ରତ୍ୟେକ ଗ୍ରାମରୁ ଲିପିବଦ୍ଧ ହେଲେ ଉତ୍ତମ ପାନୀୟ ଜଳ ସଂସ୍ଥାନର ଉପାୟଦ୍ୱାରା ଶତ ଶତ ଜୀବନ ରକ୍ଷିତ ହୋଇପାରେ । ଉପଯୁକ୍ତ ବ୍ୟକ୍ତି ଓ ପରିବାରର ପରିଚୟ ସଙ୍କଳିତ ହେଲେ କେତେଗୁଡ଼ିଏ ସାଧାରଣ ଅଭାବର କଥା ପୁନଃପୁନଃ କହିବା ସକାଶେ ନିତାନ୍ତ ପରିଚିତ ସ୍ଥାନାନଭିଜ୍ଞ କେତେଗୁଡ଼ିଏ ବ୍ୟକ୍ତିଙ୍କ ବଦଳରେ ନିଜ ନିଜ ପଲ୍ଲୀସଂସ୍କାର କଥା ଯଥାସ୍ଥାନରେ ଉପସ୍ଥାପିତ କରିବାକୁ ସେମାନଙ୍କୁ ଆହ୍ୱାନ କରାଯାଇ ପାରିବ । ଏବମ୍ବିଧ ନାନାକାରଣରୁ ପଲ୍ଲୀପରିଷଦର ପ୍ରତିଷ୍ଠା ଓ ଗ୍ରାମ୍ୟ ବିବରଣାଦି ସଂଗ୍ରହର ପ୍ରୟୋଜନୀୟତା ସମର୍ଥିତ ହୋଇ ପାରିବ ନାହିଁ କି ?

 

ଭାରତବର୍ଷରେ ପ୍ରତୀଚ୍ୟ ପ୍ରଥାନୁବର୍ତ୍ତନରେ ସହରର ସଂଖ୍ୟା ବର୍ଦ୍ଧିତ ହେଉଅଛି ସତ୍ୟ, କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରତବର୍ଷ ପଲ୍ଲୀପ୍ରାଣ । ଯେଉଁ ସମସ୍ତ କ୍ଷୁଦ୍ର ସହରର ଜନସଂଖ୍ୟା ପାଞ୍ଚ ହଜାରରୁ ଅଧିକ ନୁହେଁ, ସେଭଳି ସହର ମଧ୍ୟ ଭାରତବର୍ଷରେ ଅଧିକ ନାହିଁ ଏବଂ ଏ ଦେଶରେ ଜନସଂଖ୍ୟାର ଏକ ଦଶମାଂଶ ମଧ୍ୟ ସହରରେ ବାସ କରନ୍ତି ନାହିଁ । ବିଲାତରେ ଜନସଂଖ୍ୟା ଏକ ତୃତୀୟାଂଶ ସହରବାସୀ ଏବଂ ଏକ ଲକ୍ଷ ଲୋକଙ୍କ ବାସ, ଏଭଳି ସହର ସମଗ୍ର ଭାରତରେ ୨୮ କିମ୍ୱା ୩୦ ରୁ ବେଶୀ ନୁହେ । ଭାରତରେ ୩୩ କୋଟୀ ଲୋକଙ୍କ ମଧ୍ୟରେ ୮୦ ଲକ୍ଷ ସହରବାସୀ, ଅନ୍ୟ ସମସ୍ତେ ହିଁ ପଲ୍ଲୀଗ୍ରାମରେ ବାସ କରିଥାଆନ୍ତି । ଯେଉଁମାନେ ସହରରେ ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ପଲ୍ଲୀବାସୀ–କାର୍ଯ୍ୟବ୍ୟପଦେଶରେ ସହରର ରହିଥାଆନ୍ତି, ଛୁଟି ହେଲେ ସ୍ୱଗ୍ରାମକୁ ଯାଆନ୍ତି । ଏ ଅବସ୍ଥାରେ ପଲ୍ଲୀଗ୍ରାମର ସଂସ୍କାର ନ ହେଲେ ଦେଶର ପ୍ରକୃତ ଉନ୍ନତିର ଆଶା କାହିଁ ? ଆଜିକାଲି ସମସ୍ତେ କାର୍ଯ୍ୟରେ ବିଲାତର ନଜୀର୍ ଦେଖାଇବାକୁ ହୋଇଥାଏ । ବିଲାତରେ ଲୋକେ ପୂର୍ବେ କହୁଥିଲେ, ସହରର ପ୍ରତିଷ୍ଠା ଓ ପଲ୍ଲୀର ସର୍ବନାଶ ବର୍ତ୍ତମାନ ଯୁଗରେ ଅବଶ୍ୟମ୍ଭାବୀ । କିନ୍ତୁ ଗତ ଯୁଦ୍ଧ ସମୟରୁ ସେହି ଧାରଣାର ଅସାରତ୍ୱ ପ୍ରତିପନ୍ନ ହୋଇଅଛି । ଏହି ହେତୁରୁ ବିଲାତରେ ଲୋକଙ୍କ ଦୃଷ୍ଟି ପୁନଶ୍ଚ ପଲ୍ଲୀପ୍ରତି ପତିତ ହୋଇଅଛି । ଅବଜ୍ଞାତ କୃଷିର ଉନ୍ନତି କଳ୍ପରେ ଲୋକେ ଓ ସରକାର ପୁନଶ୍ଚ ଚେଷ୍ଟା କରିଅଛନ୍ତି–ଯହିଁରେ ଲୋକେ ପୁଣି ପଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରନ୍ତି–ବିଳାସକେନ୍ଦ୍ର ଓ ବ୍ୟୟବହୁଳ ସହରରୁ ପୁନଶ୍ଚ ପଲ୍ଲୀର ପ୍ରଲୋଭନଶୂନ୍ୟ ସ୍ନିଗ୍ଧ ବକ୍ଷକୁ ଫେରି ଆସନ୍ତି–କୃଷିକାର୍ଯ୍ୟରେ ଲୋକେ ମନୋଯୋଗ କରିବା ବିଷୟରେ ଏବଂ ବିଲାତର କଳକାରଖାନାର ପଣ୍ୟର ଉପାଦାନ ସ୍ୱଦେଶରେ ଉତ୍ପନ୍ନ ହୋଇ ପାରିବ, ସେ ବିଷୟରେ ସରକାର ବହୁ ଚେଷ୍ଟା କରୁଅଛନ୍ତି । ବିଲାତରେ ଦୀର୍ଘକାଳ ସହରରେ ବାସ କରି ଏବଂ ସହରର ବିଳାସରେ ଅଭ୍ୟସ୍ତ ହୋଇ ଲୋକେ ଆଉ ପଲ୍ଲୀଗ୍ରାମକୁ ସୁଖ ପାଆନ୍ତି ନାହିଁ ବୋଲି ପ୍ରତିଗ୍ରାମରେ ବାୟସ୍କୋପ୍, ଚିତ୍ରଶାଳା ପଶୁଶାଳା, ଥିଏଟର୍ ଓ ପାଠାଗାର ପ୍ରଭୃତିର ପ୍ରତିଷ୍ଠା କରିବାର କଳ୍ପନା ହେଉଅଛି । ଆମ୍ଭମାନଙ୍କ ଦରିଦ୍ର ଦେଶରେ ଏ ସମସ୍ତର କୌଣସି ପ୍ରୟୋଜନ ନାହିଁ । ଆମ୍ଭମାନଙ୍କ ପଲ୍ଲୀଗ୍ରାମରେ ସ୍ୱାସ୍ଥ୍ୟର ଓ ଗତାୟତ ପଥର ଉନ୍ନତି ବିଧାନ କଲେ ଏବଂ ଶିକ୍ଷାର ଓ ଚିକିତ୍ସାର ଉପାୟ ହେଲେ ଲୋକେ ଗ୍ରାମ ତ୍ୟାଗ କରିବେ ନାହିଁ, ଏହା ସୁନିଶ୍ଚିତ । ଶିକ୍ଷିତ ଲୋକେ ଗ୍ରାମରେ ଥିଲେ ଗ୍ରାମର ଉନ୍ନତି ମଧ୍ୟ ସ୍ୱାଭାବିକ ନିୟମରେ ହେବ–ଅର୍ଥନୀତିର ନିୟମରେ ଗ୍ରାମରେ ଶିଳ୍ପ ପ୍ରତିଷ୍ଠା ମଧ୍ୟ ଅନିବାର୍ଯ୍ୟ ହେବ । ପଲ୍ଲୀପ୍ରାଣଉତ୍କଳରେ ଓଡ଼ିଆମାନେ ଧନୀ ନିର୍ଦ୍ଧନ ନିର୍ବିଶେଷରେ ଯେତେକାଳ ପଲ୍ଲୀରେ ବାସ କରୁଥିଲେ, ସେତେକାଳ ପଲ୍ଲୀର ଏଭଳି ଦୁର୍ଦ୍ଦଶା ହୋଇ ନ ଥିଲା । ସେମାନେ ପଲ୍ଲୀତ୍ୟାଗ କରିଥିବାରୁ ପଲ୍ଲୀର ସର୍ବନାଶ ହୋଇଅଛି । ଧନରେ ଓ ମାନରେ ଯେଉଁମାନେ ପ୍ରଧାନ ହୋଇ ଅଛନ୍ତି, ସେହିମାନେ ହିଁ ଗ୍ରାମ ତ୍ୟାଗ କରିଅଛନ୍ତି, ସେହି ହେତୁରୁ ଗ୍ରାମର ଏହି ଦୁର୍ଦଶା । ଯେଉଁ ସ୍ଥାନରେ ଏହା ହୋଇ ନାହିଁ, ସେହି ସ୍ଥାନରେ ଦେବାୟତନ ଓ ପାଠଗୋଷ୍ଠୀ ପ୍ରତିଷ୍ଠିତ ହୋଇଅଛି–ଚିକିତ୍ସାର ସୁବ୍ୟବସ୍ଥା ହୋଇଅଛି ।

 

ମନୋଯୋଗ ଅଭାବରେ ଆମ୍ଭେମାନେ ସୁଭଲ ଉପକରଣର ସଦ୍ବ୍ୟବହାର କରିବାକୁ ପଶ୍ଚାତ୍ପଦ । ଜିଲ୍ଲା ବୋର୍ଡ ପ୍ରତିବର୍ଷ ପୁଷ୍କରିଣୀ ଖନନ ସକାଶେ ଯେଉଁ ଟଙ୍କା ମଞ୍ଜୁର କରିଥାଆନ୍ତି, ଅଧିକାଂଶ ସ୍ଥଳରେ ତାହା ଖରଚ ହୋଇପାରେ ନାହିଁ । ଅଥଚ ପ୍ରାୟ ଅଧିକାଂଶ ଗ୍ରାମରେ ଜଳକଷ୍ଟ; ପଙ୍କାବଶେଷ ଅପରିଷ୍କୃତ ଜଳପାନ କରି ଗ୍ରାମବାସୀ ମୃତ୍ୟୁମୁଖକୁ ଅଗ୍ରସର । ଗ୍ରାମରେ ପ୍ରବେଶ କଲେ ମନେ ହେବ, ବାଉଁଶ ଏବଂ ଅନ୍ୟାନ୍ୟ ଗଛର ଜଙ୍ଗଲରେ ସୂର୍ଯ୍ୟାଲୋକ ପ୍ରବେଶ କରି ପାରେ ନାହିଁ–ବିରଳ ବାୟୁ ସଞ୍ଚାରରେ ଶ୍ୱାସରୋଧର ଉପକ୍ରମ ହୋଇଥାଏ । ଅଥଚ ଜିଲ୍ଲା ବୋର୍ଡ ଗ୍ରାମସମୂହରେ ଜଙ୍ଗଲ କଟାଇବାକୁ ପ୍ରସ୍ତୁତ ରହିଅଛନ୍ତି । ଉଦ୍ୟୋଗୀ ହୋଇ ବୋର୍ଡରୁ ଟଙ୍କା ନେବେ, ଏଭଳି ଉତ୍ସାହ ସୁଦ୍ଧା କାହାରି ନାହିଁ । ଗ୍ରାମ୍ୟ ପୁଷ୍କରିଣୀ ପଙ୍କୋଦ୍ଧାର ସକାଶେ ବୋର୍ଡ ଟଙ୍କା ଦେଲେ ହେଁ ପୁଷ୍କରିଣୀର ୫ । ୭ ଜଣ ଅଂଶୀଦାର ବାହାରି ପଙ୍କୋଦ୍ଧାର ପଣ୍ଡ କରି ଦେବେ–ଦୁଇ ଜଣଙ୍କର ପାନୀୟ ଓ ନିତ୍ୟବ୍ୟବହାର୍ଯ୍ୟ ଭଲ ଜଳ ପ୍ରତି ଶ୍ରଦ୍ଧା, ତିନି ଜଣଙ୍କର ମାଛ ଖାଇବାକୁ ଲୋଭ ଏବଂ ଦୁଇ ଜଣଙ୍କର କୃଷିକ୍ଷେତ୍ରରେ ‘‘ବୋରଝାଞ୍ଜି’’ ଦଳ ସାରରୂପେ ପକାଇବାର ଲୋଭ ସମ୍ୱରଣ ଅସାଧ୍ୟ ! ସୁତରାଂ ସାତ ଜଣ ଏକତ୍ର ହୋଇ ପଙ୍କୋଦ୍ଧାର କରାଇବେ କିପରି ? ଏହା ଜାତିର ଅବନତିର ଦ୍ୟୋତକ । କିନ୍ତୁ ଏହି ଅବନତିର ପ୍ରତୀକାର ନ ହେଲେ କେବଳ ଗ୍ରାମ ଯେ ଉତ୍ସନ୍ନ ହୋଇଯିବ, ଏତିକି ନୁହେ–ଯେଉଁ ମଧ୍ୟବିତ୍ତ ସମ୍ପ୍ରଦାୟ ଆମ୍ଭମାନଙ୍କ ସମାଜର ମେରୁଦଣ୍ଡ, ସେହି ସମାଜହିଁ ବିଲୁପ୍ତ ହେବ–ଓଡ଼ିଆଙ୍କର ସର୍ବନାଶ ହେବ । ଏହାର ପ୍ରତୀକାର ଓଡ଼ିଆଙ୍କୁ କରିବାକୁ ହେବ ।

 

ବୋର୍ଡର ଟଙ୍କାରେ ପୁଷ୍କରିଣୀ ସଂସ୍କାର ହେଲେ ଯହିଁରେ କେହି ସେହି ପାଣି କଳୁଷିତ ନ କରନ୍ତି, ସେ ଆଡ଼କୁ ଗ୍ରାମର ଲୋକମାନଙ୍କର ଦୃଷ୍ଟି ରଖିବା ନିତାନ୍ତ ପ୍ରୟୋଜନ, କାରଣ ଉପକାର ଅପକାର ବୋର୍ଡର ନୁହେ–ଗ୍ରାମସ୍ଥ ଲୋକଙ୍କର । ବୋର୍ଡ ଜଙ୍ଗଲ ସଫା କରିଦେଲେ ଯହିଁରେ ସେହି ଜମିରେ ପୁନଶ୍ଚ ଜଙ୍ଗଲ ନ ହୁଏ, ତାହା ଗ୍ରାମବାସୀଙ୍କୁ କରିବାକୁ ହେବ–ଯାହାଙ୍କର ଜମି, ତାହାଙ୍କୁ ତାହା ସର୍ବଦା ପରିଷ୍କୃତ ରଖିବାକୁ ହେବ । ପଡ଼ିଆ ଜମିର ଜଙ୍ଗଲ କଟାଇ ସଫା କରିବା ପୁଣି ଅର୍ଥର ଅପବ୍ୟୟ–ତେବେ ଜମି ସଫା କରିବାକୁ ହେଲେ ସେ ଜମିରେ ଔଷଧର ଗଛ, ପରିବା, କପା ପ୍ରଭୃତି ଲଗାଇ ଦେବା ଉଚିତ । ଏକ ଆଡ଼େ ଜମି ସଫା ରହିବ, ଅନ୍ୟ ଆଡ଼େ କିଛି କିଛି ଲାଭ ମଧ୍ୟ ହୋଇ ପାରିବ । ଗ୍ରାମର ପ୍ରଧାନମାନେ ଚେଷ୍ଟା କଲେ ନୂତନ ନୂତନ ଫସଲର ବ୍ୟବସ୍ଥା ହୋଇ ପାରିବ । ଗ୍ରାମର ଶିକ୍ଷିତ ବ୍ୟକ୍ତିଙ୍କର ଉପଦେଶରେ ଧାନର ପ୍ରକାରଭେଦ ଓ ଫଳ ଆମଦାନି ହୋଇ ପାରିବ–କୃଷିର ଉନ୍ନତି ଓ ଶିଳ୍ପର ପ୍ରତିଷ୍ଠା ହୋଇ ପାରିବ । ଏହା ହେଲେ ଗ୍ରାମସମୂହ ସ୍ୱାସ୍ଥ୍ୟIଗାର ଓ ସୁଖମୟ ହେବ ।

 

ଏ ସମସ୍ତ କାର୍ଯ୍ୟରେ ଗ୍ରାମରେ ଧନୀ, ଦରିଦ୍ର, ଅଭଦ୍ର, ଭଦ୍ର, ସମସ୍ତଙ୍କ ମନରେ ଯେଉଁ ସହଯୋଗିତାର ଭାବ ଉତ୍ପନ୍ନ ହେବ, ତାହାହିଁ ଜାତୀୟ ସମ୍ପଦ; କାରଣ–ତହିଁରେ ଲୋକେ ପ୍ରକୃତ ସ୍ୱୟତ୍ତଶାସନର ଶିକ୍ଷା ଲାଭ କରିବେ । କେଉଁ ରାସ୍ତାର ସଂସ୍କାର ଅଧିକ ପ୍ରୟୋଜନ–କେଉଁ ପୁଷ୍କରିଣୀର ପଙ୍କୋଦ୍ଧାରରେ ଗ୍ରାମବାସୀଙ୍କର ସର୍ବପେକ୍ଷା ଅଧିକ ଉପକାର, ତାହା କେବଳ ‘‘ମଙ୍ଗରାଜେ’’ କିମ୍ୱା ‘‘ଦଳବେହେରାଏ’’ ଏକାକୀ ସାବ୍ୟସ୍ତ କରିବେ ନାହିଁ–ଗ୍ରାମର ଧନୀ, ଗରିବ ସମସ୍ତେ ହିଁ ଏକ ସଙ୍ଗରେ ବସି ବିଚାର କରି ସ୍ଥିର କରିବେ । ସୁତରାଂ ଜଣକର କିମ୍ୱା ଏକ ସମ୍ପ୍ରଦାୟର ସ୍ୱାର୍ଥସିଦ୍ଧି ହେବ ନାହିଁ–ଗ୍ରାମର ସମସ୍ତଙ୍କର କିମ୍ୱା ଅଧିକାଂଶ ଲୋକଙ୍କର ଉପକାର ହେବ । ବର୍ତ୍ତମାନ ଗ୍ରାମବାସୀ ନିଜର ଗୃହକୁହିଁ ଆପଣାର ବୋଲି ଜାଣେ, ମାତ୍ର ସେତେବେଳେ ସମଗ୍ର ଗ୍ରାମକୁ ନିଜର ବୋଲି ବୁଝିବ–ସେହି ଭାବ କ୍ରମରେ ବିସ୍ତୃତ ହୋଇ ଜିଲ୍ଲାରେ ଓ ଜିଲ୍ଲାରୁ ପ୍ରଦେଶରେ ବ୍ୟାପ୍ତ ହେବ; ଏହା ଉତ୍ତାରୁ ‘‘ମୋହର ଦେଶ’’ ବୋଲି କହିବା ସଙ୍ଗତ ହେବ ସିନା ? ବର୍ତ୍ତମାନ ‘ମୋହର ଦେଶ’ ସ୍ୱପ୍ନ ଦର୍ଶକର ବିଳିବିଳା ସିନା ।

 

ଗ୍ରାମରେ ସ୍ୱାୟତ୍ତଶାସନ ଆମ୍ଭମାନଙ୍କର କରାୟତ୍ତ । ସେଥିରେ ଆମ୍ଭମାନଙ୍କର ପ୍ରକୃତ ସ୍ୱାବଲମ୍ବନ ଓ ସ୍ୱାୟତ୍ତ–ଶାସନ ଶିକ୍ଷା ହେବ । ସରକାର ଯେଉଁ ସମସ୍ତ ପଲ୍ଲୀରେ ସ୍ୱାୟତ୍ତ–ଶାସନ ପ୍ରତିଷ୍ଠା କରିବାକୁ ଉଦ୍ଯୋଗୀ ହୋଇଅଛନ୍ତି ତାହା ସଫଳ ହେବ । ସେ ଅଧିକାର ସରକାର ଦେବାକୁ ପ୍ରସ୍ତୁତ ଏବଂ ଉଦ୍ଯୋଗୀ, ମାତ୍ର ଆମ୍ଭେମାନେ ନେଇ ପାରୁ ନାହୁଁ । ଏହା ଆମ୍ଭମାନଙ୍କ ପକ୍ଷରେ ଲଜ୍ଜାର ଏବଂ କଳଙ୍କର କଥା ନୁହେ କି ?

 

ଏଥି ଉତ୍ତାରୁ ଗ୍ରାମବାସୀମାନଙ୍କ ମଧ୍ୟରେ ସହଯୋଗିତାର ଭାବ ବର୍ଦ୍ଧିତ ହେଲେ ଗ୍ରାମର ମକଦ୍ଦମାଗୁଡ଼ିକ ଗ୍ରାମରେହିଁ ନିଷ୍ପତ୍ତି ହେବ, ସୁତରାଂ ମାମଲତାକରଙ୍କ ଚକ୍ରାନ୍ତରେ ପଡ଼ି ସର୍ବସ୍ୱାନ୍ତ ହେବାକୁ ପଡ଼ିବ ନାହିଁ । ପୂର୍ବକାଳରେ ଗ୍ରାମ୍ୟ ପଞ୍ଚାୟତଙ୍କ ଦ୍ୱାରା ମାମଲା ନିଷ୍ପତ୍ତି ହେଉଥିଲା, ଏହା କାହାରିକୁ ଅବିଦିତ ନୁହେଁ ।

 

ସମବାୟ ନୀତିରେ ଗ୍ରାମରେ ବାଙ୍କ୍ର ପ୍ରତିଷ୍ଠା ହେଲେ ଗ୍ରାମବାସୀମାନେ ମହାଜନଙ୍କର ସ୍ୱେଚ୍ଛା–ସୁଧ କବଳରୁ ମଧ୍ୟ ଉଦ୍ଧାର ଲାଭ କରିବେ–ମହାଜନଙ୍କ ଅତ୍ୟାଚାରରୁ ମନୁଷ୍ୟତା ହରାଇେବ ନାହିଁ ।

 

ଏ ସମସ୍ତ ସମ୍ପନ୍ନ ହେଲେ ଓଡ଼ିଆମାନେ ପୁଣି ସୁସ୍ଥଶରୀରରେ ‘ଅୠଣୀ ଓ ଅପ୍ରବାସୀ’ ହୋଇ ଗ୍ରାମରେ ବାସ କରି ପାରିବେ; ସମାଜର ଶୃଙ୍ଖଳା ନଷ୍ଟ ହେବ ନାହିଁ; ପ୍ରତୀଚ୍ୟର ଆଦର୍ଶରେ ଆମ୍ଭେମାନେ ନିଜର ବୈଶିଷ୍ଟ୍ୟ ହରାଇବୁ ନାହିଁ । ଆମ୍ଭମାନଙ୍କ ଗ୍ରାମ ଓ ଗୃହ ପୁନଶ୍ଚ ସୁଖଶାନ୍ତିର–ସ୍ୱାସ୍ଥ୍ୟସମ୍ପଦର କେନ୍ଦ୍ର ହେବ । ଓଡ଼ିଆ ବିନାଶର ମୁଖରୁ ମୁକ୍ତିଲାଭ କରି ପୁଣି ଜଗତରେ ଆତ୍ମପ୍ରତିଷ୍ଠା ପାଇଁ ଅବକାଶ ପାଇବ ।

 

ଉତ୍କଳର ଦରିଦ୍ରମାନେହିଁ ଜାତିର ମୂଳଭିତ୍ତି ଅଥବା ମୂଳଦୁଆ, ଏହା ସମସ୍ତେ ଜାଣନ୍ତି; ମାତ୍ର ସୋମନଙ୍କ ଆଡ଼କୁ କାହାରି ଦୃଷ୍ଟି ନାହିଁ । ଲେଖକର ପ୍ରାଣର ଭାଷା, ମର୍ମର ନିବେଦନ ସମସ୍ତେ ଅବହିତ ଚିତ୍ତରେ ଗ୍ରହଣ କରନ୍ତୁ । ବକ୍ତାମାନଙ୍କ ଭଳି ଶବ୍ଦ ଶମ୍ବୁକର ମାଳା ଲମ୍ବାଇ ଦେବାର ଶକ୍ତି ଏହି ଅଯୋଗ୍ୟ ଲେଖକର ନାହିଁ । ଧନୀ ଓ ପଦସ୍ଥମାନେ ସମସ୍ତ ଆତ୍ମଅହଙ୍କାର ଚୂର୍ଣ୍ଣ କରି ଉତ୍କଳୀୟ ଦରିଦ୍ରନାରାୟଣଙ୍କ ସହିତ ଏକପ୍ରାଣ ହୋଇ ସେମାନଙ୍କ ସୁଖ ଦୁଃଖରେ ପ୍ରକୃତ ସହାନୁଭୂତି ଦେଖାଇ ସୋମନଙ୍କୁ ଏକତ୍ର ସମବେତ କରି ସାହଚର୍ଯ୍ୟରେ ଉଦ୍ଦୀପିତ କରନ୍ତୁ । ସେମାନଙ୍କ ସହିତ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବରେ ନ ମିଶିଲେ, ସେମାନଙ୍କ ପିଣ୍ଡାରେ ବସି ତାଙ୍କଠାରୁ ଦୁଃଖକାହାଣୀ ଶୁଣି ହୃଦୟ ଦ୍ରବ ନ କଲେ, ସେମାନଙ୍କ ଛିଣ୍ଡା କନା ପ୍ରତି ସସ୍ନେହ ଦୃଷ୍ଟି ନ ଦେଲେ, ବକ୍ତାମାନଙ୍କର ସ୍ୱଦେଶ ପ୍ରୀତିର ପ୍ରବଳ ଉର୍ଚ୍ଛ୍ୱାସପୂର୍ଣ୍ଣ ବକ୍ତୃତା ସମୂହ କେବଳ ଶବ୍ଦବ୍ରହ୍ମରେ ପରିଣତ ହେବ ସିନା ? କଂଗ୍ରେସ୍, କନ୍ଫରେନ୍ସ୍ନାମକ ମାଗି ଆଣିବା ବସ୍ତୁମାନ କେବଳ ‘‘ଇଣ୍ଡିଆନ୍ନେଶନ୍’’ (ଭାରତୀୟ ଜାତି) ଗଠନ କରିବାର ବ୍ୟସ୍ତତାର ଫଳ ସିନା ? ମଣ୍ଡପରେ ଥରେ ‘‘ଭାଇ, ଭାଇ’’ ବୋଲି ଚିତ୍କାର କରି ପଛକୁ କୌଣସି ଦରିଦ୍ର ଭାଇଙ୍କ ସଙ୍ଗରେ ସମ୍ପର୍କ ନ ରଖିବା ଜାତୀୟତାର କେଉଁ ସୋପାନ ? ପ୍ରବଞ୍ଚନା, ପ୍ରତାରଣା, କୂଟତର୍କ, ବକ୍ରୋକ୍ତି, ବ୍ୟାଜସ୍ତୁତି ପ୍ରଭୃତି ଆଧୁନିକ ସଭ୍ୟତାର ଭୂଷଣ ସ୍ୱରୂପ, ଅତ୍ର ସନ୍ଦେହୋନାସ୍ତି । ମଣ୍ଡପରେ ସଭାପତିଙ୍କ ଅଭିଭାଷଣ ରୂପ ତଥ୍ୟ–ରତ୍ନ–ମଞ୍ଜୂଷାର ଉଦ୍ଘାଟନରେ ସମବେତ ଜନସଂଘ ବାରମ୍ବାର ଉଦ୍ବେଳିତ, ଅନୁପ୍ରାଣିତ, ଉଦ୍ଦୀପିତ, ସମ୍ମୋହିତ, ଆତ୍ମଦୋଷ ଉପଲବ୍ଧିରେ ଦୁଃଖିତ ଓ ଲଜ୍ଜିତ ହେବା ମୁହୂର୍ତ୍ତକ ପାଇଁ ସିନା ? ପରକ୍ଷଣରେ ଆଶାର ସ୍ୱପ୍ନ, ଜାତୀୟତାର ପ୍ରତିଷ୍ଠା ଓ ପରିପୃଷ୍ଟି ସମସ୍ତ ଅନ୍ଧକାରରେ ପର୍ଯ୍ୟବସିତ ହୁଏ ସିନା । ଦରିଦ୍ରସେବା ସକାଶେ ହୃଦୟ ମଧ୍ୟରୁ ଉତ୍ତେଜନା–ଦ୍ରୁତ ସ୍ପନ୍ଦନ ଏବଂ ଆତ୍ମଗ୍ଲାନି ପୂର୍ବଭଳି ଆଉ ଥାଏ ଟିକି ?

 

(୧୦)

 

ପଲ୍ଲୀ ପରିତ୍ୟାଗରେହିଁ ଓଡ଼ିଆଙ୍କର ସର୍ବନାଶ ହୋଇଅଛି । ଯେଉଁ ପଲ୍ଲୀରେ ଅଭାବ ସୀମାବଦ୍ଧ, ଆକାଙ୍କ୍ଷା ଅନତିବିସ୍ତୃତ ଏବଂ ଆଦର୍ଶ ଅନୁଚ୍ଚ ଥିଲା ସେ ପଲ୍ଲୀ ଏତେବେଳେ ପରିତ୍ୟ କ୍ତ । ପଲ୍ଲୀତ୍ୟାଗ ସହିତ ସୁଖ, ଶାନ୍ତି ଓ ସାମାଜିକ ସ୍ୱାସ୍ଥ୍ୟ ଚାଲି ଯାଇଅଛି । ଉଦରାନ୍ନ ସଂସ୍ଥାନ ସକାଶେ ପ୍ରାଣପଣ ପରିଶ୍ରମରେ–ଉଦୟାସ୍ତ ବ୍ୟାକୁଳତାରେ ସୁଖ ଓ ଶାନ୍ତି ତିଷ୍ଠି ନ ପାରେ । ଅଥଚ ଯେଉଁମାନେ ଶିକ୍ଷିତ ଓ ସମୃଦ୍ଧ, କେବଳ ସେହିମାନେହିଁ ପଲ୍ଳୀତ୍ୟାଗ କରିଥାଆନ୍ତି । ଯେଉଁମାନଙ୍କର ପଲ୍ଲୀତ୍ୟାଗର ସଂସ୍ଥାନ ନାହିଁ, କେବଳ ସେମାନେହିଁ ପଡ଼ି ରହନ୍ତି । ଗ୍ରାମର ଦେବାଳୟରେ ଆଉ ଆରତି ହେଉ ନାହିଁ, ଗ୍ରାମର ଗୃହ ଭାଙ୍ଗି ପଡ଼ୁଅଛି, ଗ୍ରାମ୍ୟ ପୁଷ୍କରିଣୀ ଜଳଜ ଗୁଳ୍ମ ଓ ଶୈବାଳାଚ୍ଛନ୍ନ–ଗ୍ରାମ ନାନାବିଧ ରୋଗରେ ଆକାରସ୍ୱରୂପ ହୋଇଅଛି । ସମାଜ ନାହିଁ, ସୁତରାଂ ସମାଜର ଶାସନ ନାହିଁ । ଯେଉଁ ଟଙ୍କାରେ ଭୂସ୍ୱାମୀ କଲିକତାକୁ ମୋଟର୍ଗାଡ଼ିପାଇଁ ଅର୍ଡ଼ର ପଠାଉଅଛନ୍ତି, ଅଥବା ଭଲ ଘୋଡ଼ା କିଣିବା ସକାଶେ ଆଗ୍ରିମ ବଇନା ଦେଉଅଛନ୍ତି, ସେ ଟଙ୍କାରେ ଚାରୋଟି ପୁଷ୍କରିଣୀ ଖୋଳା ହୋଇ ପାରନ୍ତା । ସମାଜର ଯେଉଁମାନେ ଅଳଙ୍କାର, ସେମାନେ ଦେଶତ୍ୟାଗୀ ଅଥବା ଗ୍ରାମତ୍ୟାଗୀ; ଯେଉଁମାନେ ଗ୍ରାମରେ ରହନ୍ତି, ସେମାନେ ଶିକ୍ଷାହୀନ, କ୍ଷମତାହୀନ, ସେମାନଙ୍କ ସକାଶେ ପଲ୍ଲୀସମାଜ ପଲ୍ଲୀର ଶୈବାଳଚ୍ଛାନ୍ନ ପୁଷ୍କରିଣୀ ଭଳି ଦୁର୍ଦ୍ଦଶାଗ୍ରସ୍ତ ହୋଇଥାଏ । ଯେଉଁ ସ୍ୱାୟତ୍ତଶାସନ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କର କୀର୍ତ୍ତି–ଯାହାପାଇଁ ଆମ୍ଭମାନଙ୍କୁ କାହାରି ଦ୍ୱାରରେ ହାତ ପତାଇବାକୁ ହୁଅନ୍ତା ନାହିଁ, ସେ ସ୍ୱାୟତ୍ତ୍ୱଶାସନ ଆମ୍ଭେମାନେ ହେଳାରେ ହରାଇଅଛୁ–ତୁଚ୍ଛ ଜ୍ଞାନ କରି ତାହା ନଷ୍ଟ କରିଅଛୁଁ । ଆଜି ଆମ୍ଭେମାନେ କଥା କଥାକେ କହିଥାଉଁ:–ଆମ୍ଭେମାନେ ପଥକର ଦେଉଛୁଁ, ଅତଏବ ଜଳସଂସ୍ଥାନ, ଜଳନିର୍ଗମନ, ମାର୍ଗନିର୍ମାଣ ଏ ସମସ୍ତ ସରକାର କରିବେ, ପ୍ରାଥମିକ ଶିକ୍ଷାଦାନର ଭାର ମଧ୍ୟ ସରକାରଙ୍କ ଉପରେ । କିନ୍ତୁ ଆଜି ସରକାର ପଥକର ବନ୍ଦ କରି ଦେଲେ କଅଣ ଆମ୍ଭେମାନେ ଏ ସମସ୍ତ କରି ପାରିବୁଁ ? ଯେଉଁ ବ୍ୟବସ୍ଥାରେ ଆମ୍ଭେମାନେ ପଦ୍ଧତିବଦ୍ଧ ହୋଇ ଏ ସମସ୍ତ କାର୍ଯ୍ୟ କରନ୍ତୁ, ସେ ବ୍ୟବସ୍ଥା ଆମ୍ଭେମାନେହିଁ ନଷ୍ଟ କରିଅଛୁଁ–ସେ ପ୍ରବୃତ୍ତି ଆଉ ନାହିଁ, ସେ ଆଦର୍ଶ ଆଜି ଅନାଦୃତ । ଏ ସମସ୍ତ କାର୍ଯ୍ୟ ଗ୍ରାମବାସୀମାନେହିଁ କରୁଥିଲେ, କେହି ସ୍ୱୟଂ ଶ୍ରମ କରି କେହି ବା ସମୟ ଦେଇ ଗ୍ରାମର କଲ୍ୟାଣକର କାର୍ଯ୍ୟ କରୁଥିଲେ । ସେତେବେଳେ ପଲ୍ଲୀ ସମାଜ ଥିଲା; ସୁତରାଂ ସମାଜର ବ୍ୟବସ୍ଥାରୁ ଗ୍ରାମ୍ୟ ଅଭାବ ଗ୍ରାମରେହିଁ ଦୂର ହେଉଥଲା । ଧନୀମାନେ ପୁଷ୍କରିଣୀ ପ୍ରତିଷ୍ଠା କରି, ବନ୍ଧ ବନ୍ଧାଇ ପୁଣ୍ୟାର୍ଜନ କରୁଥିଲେ, ଗ୍ରାମର ମଙ୍ଗଳବିଧାନ କରୁଥିଲେ । ସେମାନଙ୍କ ଆଦର୍ଶରେ ମଧ୍ୟବିତ୍ତ ସମାଜ ମଧ୍ୟ ସ୍ୱ ସ୍ୱ ଶକ୍ତିବଳରୁ ସେହିପରି ଆଦର୍ଶ ଦେଖାଇ ନିଜକୁ ଧନ୍ୟ ଜ୍ଞାନ କରୁଥିଲେ । ଏକାନ୍ନବର୍ତ୍ତୀ ପରିବାର ଥିଲା, ଏହି ହେତୁରୁ ଅନାଥାଶ୍ରମର ପ୍ରୟୋଜନ ନ ଥିଲା । ସମାଜର ଶାସନ ଥିଲା, ସୁତରାଂ ଅଦାଲତକୁ ଲୋକେ ଧାଉଁ ନ ଥିଲେ । ଓକିଲ କିମ୍ପା ବାରିଷ୍ଟର ଜଳୌକା ଭଳି ସମାଜର ରକ୍ତଶୋଷଣ କରି ପରାଙ୍ଗ–ପୁଷ୍ଟ ହେଉ ନ ଥିଲେ ।

 

ପୂର୍ବେ ପ୍ରାୟ ପ୍ରତିଗ୍ରାମରେ ପାଠଶାଳା ଥିଲା । ଗ୍ରାମ୍ୟ ଜମିଦାରଙ୍କର କିମ୍ବା ଉଚ୍ଚବଂଶୀୟ କୌଣସି ଲୋକଙ୍କର ବାହାର ଘରେ (Out house) ବା ଚଉପାଢ଼ିରେ ପାଠଶାଳା ବସୁଥିଲା । ଛାତ୍ରଦତ୍ତ ବେତନ ଆଦାୟ ହେଉ ନ ହେଉ, ଗ୍ରାମର ଲୋକେ ଚାନ୍ଦା ଉଠାଇ ଶିକ୍ଷକଙ୍କ ଅଭାବ ପୂରଣ କରି ଦେଉଥିଲେ । ଏଥି ସକାଶେ କେହି ଜିଲ୍ଲା ବୋର୍ଡ଼ରେ ଦରଖାସ୍ତ ଦେଇ ନିଶ୍ଚିତ ହୋଇ ରହୁ ନ ଥିଲେ । ଏହି ସ୍ୱାୟତ୍ତଶାସନ ନଷ୍ଟ କରି ଦେଇ ଆମ୍ଭେମାନେ ରାଜନୀତିକ ସ୍ୱାୟତ୍ତଶାସନ ପାଇବା ସକାଶେ ଚିତ୍କାର କରୁଅଛୁଁ–ଓ ତାହା ନ ପାଇ ଅକାରଣରେ ଅଭିମାନ କରୁଅଛୁଁ ।

 

ଆମ୍ଭେମାନେ ଆକାଙ୍କ୍ଷାର ପରିସର ବଢ଼ାଇଅଛୁ । ସମସ୍ତ ଡାକ୍ତର, ଓକିଲ, ଜଜ୍, ମାଜିଷ୍ଟ୍ରେଟ୍ ହେବାକୁ ଆଶା କରୁଅଛନ୍ତି । ବର୍ଣ୍ଣାଶ୍ରମ ଚାଲି ଯାଇଅଛି–ଜାତିଗତ ବ୍ୟବସ୍ଥା ଯାଇଅଛି–ସମାଜରେ ଯାହାର ଯେଉଁ ନିର୍ଦ୍ଧିଷ୍ଟ ସ୍ଥାନ ଥିଲା, ତାହା ଆଉ ନାହିଁ । ସମସ୍ତ ବିଶୃଙ୍ଖଳ ହୋଇଅଛି, ଏହା ବଡ଼ ବିଷମ ଅବସ୍ଥା । ଉଚ୍ଚଶିକ୍ଷା ପାଇଁ ସମସ୍ତେ ବ୍ୟାକୁଳ, କିନ୍ତୁ ଚାକିରି କେତେଗୋଟା ରହିଅଛି ? ଓକାଲତି ଓ ଡାକ୍ତାରୀ ପ୍ରଭୃତିରେ କେତେଜଣଙ୍କର ଅନ୍ନସଂସ୍ଥାନ ହୋଇଥାଏ ? ଉଚ୍ଚଶିକ୍ଷା ସମସ୍ତଙ୍କ ସକାଶେ ନୁହେ । ଯେଉଁ ବିଲାତର ଆଦର୍ଶ ଅନୁକରଣ କରିବାକୁ ଆମ୍ଭେମାନେ ବ୍ୟସ୍ତ, ସେହି ବିଲାତରେ ମଧ୍ୟ ଉଚ୍ଚଶିକ୍ଷା କେବଳ ଅବସ୍ଥାପନ୍ନମାନଙ୍କ ସକାଶେ ଏବଂ ଯେଉଁ ଦରିଦ୍ରସନ୍ତାନ ଅସାଧାରଣ ପ୍ରତିଭାରେ ବୃତ୍ତିଲାଭ କରି ପାରନ୍ତି, ସେମାନଙ୍କ ସକାଶେ ଅଭିପ୍ରେତ । ଆଉ ସମମସ୍ତେ ଏ ଦେଶରେ ପୂର୍ବକାଳରେ ଯେଉଁପରି ଥିଲା, ସେହିପରି କୃଷିକାର୍ଯ୍ୟ କରନ୍ତି–ବ୍ୟବସାୟ କରନ୍ତି, ସେମାନଙ୍କ ପକ୍ଷରେ ପ୍ରାଥମିକ ଶିକ୍ଷା ଯଥେଷ୍ଟ ବୋଲି ବିବେଚିତ ହୋଇଥାଏ । ଦେଶ ଯେବେ କୃଷକଶୂନ୍ୟ, ବ୍ୟବସାୟହୀନ ହୁଏ, ତେବେ କେବଳ ଓକିଲ, ବାରିଷ୍ଟର, ଅମଲା, ଡାକ୍ତର ଘେନି ସମାଜ ଚାଲିବ ଟିକି ? ଆଜିକାଲି ଆମ୍ଭମାନଙ୍କ ଦେଶରେ ମୂଲିଆ ଓ ବଢ଼େଇ ପ୍ରଭୃତି ମିଳୁ ନାହାନ୍ତି । ମୂଲିଆ ମୂଲ ସହରରେ ଦଶ ଅଣା, ବଢ଼େଇ ମୂଲ ବାର ଅଣାରୁ ଏକ ଟଙ୍କା ପର୍ଯ୍ୟନ୍ତ । ଏମାନଙ୍କୁ ସାଧ୍ୟ ସାଧନା କରି କାର୍ଯ୍ୟରେ ନିଯୁକ୍ତ କରିବାକୁ ହୋଇଥାଏ । ମାତ୍ର ୧୫ । ୨୦ ଟଙ୍କା ମାସିକ ବେତନର ଚାକିରି ସକାଶେ ଉଚ୍ଚଶିକ୍ଷିତ ୧୦ ଜଣ ଦରଖାସ୍ତ ଦେଇ ଅନୁଗ୍ରହ ଲାଭ ସକାଶେ ବ୍ୟାକୁଳ । ଏହାର କାରଣ କଅଣ ? ଏହା ଚିନ୍ତା କଲେ ହୃଦୟରେ ଦୁଃଖ ଓ ଅବସାଦ ଗଭୀରଭାବରେ ମୁଦ୍ରିତ ହୋଇଯିବ ନାହିଁକି ? ସମାଜର ସ୍ତର ବିଭାଗ ଥିଲା, ଆମ୍ଭେମାନେ ସ୍ୱେଚ୍ଛାରେ ସେହି ବିଭାଗ ହରାଇ ଦେଇଅଛୁଁ, ସମାଜର ଶୃଙ୍ଖଳା ନଷ୍ଟ କରି ନିଜେ ନିଜର ସର୍ବନାଶ କରିଅଛୁଁ, ଏହି ହେତୁରୁ ସମାଜ ଆଜି ଦାରିଦ୍ର୍ୟ–ଦୁଃଖରେ କାତର । ବିବାହ ସମୟରେ ଆମ୍ଭେମାନେ ପୁତ୍ର ବିକ୍ରୟ କରୁଅଛୁଁ । ଶିକ୍ଷିତ ସମାଜରେ ଯେଉଁ ସମସ୍ତ ବ୍ୟବହାର ଅବାଧରେ ଚାଲୁଅଛି, ଆଇନକବଳରୁ ଛାଡ଼ ପାଉଥିଲେହେଁ ପାପ–ପୁଣ୍ୟର ଆଦର୍ଶରେ ଦେଖିଲେ ସେଗୁଡ଼ିକ ପାପ ବୋଲି ବିବେଚିତ ହେବ । ଆଶା ମେଣ୍ଟୁ ନାହିଁ–ଅର୍ଥହିଁ ପରମାର୍ଥ ହୋଇଅଛି, ସେହି ହେତୁରୁ ଏତେ ଦୁର୍ଦ୍ଦଶା । ଅର୍ଥର ପ୍ରଲେପରେ ସମସ୍ତ ପାପର କଳଙ୍କ–କାଳିମା ଅନାୟାସରେ ଘୋଡ଼ାଇ ଦିଆଯାଉଅଛି । ଆମ ସମାଜର ଏହି ଦୁର୍ଦ୍ଦଶା ପ୍ରତୀଚ୍ୟ ପ୍ରଦେଶ ଭଳି ହେଲାଣି ।

 

ଆମ୍ଭେମାନେ ଦେଶର ଦାରିଦ୍ର୍ୟ–ସମସ୍ୟାର ସମାଧାନ କଳ୍ପେ ଯେଉଁ ଶିଳ୍ପପ୍ରତିଷ୍ଠା କରିବାକୁ ଇଚ୍ଛୁକ, ତାହା ମଧ୍ୟ ବିଦେଶୀୟ ଆଦର୍ଶରେ । ଉଚ୍ଚଶିଳ୍ପ ନଷ୍ଟ କରି ଆମ୍ଭମାନେ ବଡ଼ ବଡ଼ କଳ–କାରଖାନା ସ୍ଥାପିତ କରିବାକୁ ଇଚ୍ଛୁକ–ଅଳ୍ପରେ ଆମ୍ଭମାନଙ୍କ ମନ ସନ୍ତୁଷ୍ଟ ହେଉ ନାହିଁ । ଏଭଳି କଳ–କାରଖାନାରେ ବିଲାତରେ ଯେ ସୁଫଳ ଫଳିଅଛି, ଏ ଦେଶରେ ତାହା ଫଳି ପାରିବ ନାହିଁ । ଏ ଦେଶରେ ଅନେକ ଅନ୍ତରାୟ ଅଛି । ମୂଳଧନର ଅଭାବ, ନବୀନ ଶିଳ୍ପ ପକ୍ଷରେ ଉନ୍ନତି ସାଧନର ସମୟସାପେକ୍ଷତା, ଆମ୍ଭମାନଙ୍କ ଆଦର୍ଶ ଶିକ୍ଷାର ଅଭାବ, ଏ ସମସ୍ତ ରହିଅଛି; ଏତଦ୍ବ୍ୟତୀତ ଏ ଦେଶର ପ୍ରାକୃତିକ ଅବସ୍ଥା ଅତିକ୍ରମ କରିବା କି ସମ୍ଭବପର ? ମୂଳଧନର ଅଭାବପାଇଁ ଦାୟୀ ଆମ୍ଭେମାନେ । ଆମ୍ଭେମାନେ ବିଳାସୀ–ମୂଳଧନ ସଂଗ୍ରହ କରି ପାରିବୁଁ କିପରି ? ଯେଉଁ ଜାତି କେବଳ ବିଳାସର ଉପକରଣ କିଣିବାକୁ ବିଦେଶକୁ ବର୍ଷକେ ୪୫ କୋଟି ଟଙ୍କା ଦିଏ, ସେ ଜାତି ବ୍ୟବସାୟ ସକାଶେ ମୂଳଧନ ସଂଗ୍ରହ କରିବ କାହୁଁ ?

 

ଆମ୍ଭମାନଙ୍କୁ ପୁଣି ପଲ୍ଲୀକୁ ଫେରିବାକୁ ହେବ–ପୁନଶ୍ଚ ପୁରାତନ ଆଦର୍ଶ ଗ୍ରହଣ କରିବାକୁ ହେବ । ବିଳାସ ତ୍ୟାଗ କରି ସରଳଭାବରେ ଜୀବନଯାପନ କରିବାକୁ ହେବ । ଇଂଲଣ୍ଡ ଏତେ ଦିନରେ ନିଜର ଭ୍ରମ ବୁଝିଅଛି, ପରିତ୍ୟକ୍ତ ପଲ୍ଲୀକୁ ପୁନଶ୍ଚ ଜନପୂର୍ଣ୍ଣ କରିବାର ଚେଷ୍ଟା କରୁଅଛି–ଅବଜ୍ଞାତ କୃଷିର ଉନ୍ନତି ସାଧନପାଇଁ ଚେଷ୍ଟା କରୁଅଛି । ପଲ୍ଲୀବାସୀ ସହରର ବିଳାସ–ଆସ୍ୱାଦ ପାଇଅଛନ୍ତି ବୋଲି ବିଲାତରେ ପଲ୍ଲୀସମୂହରେ ସହରର ଆସ୍ୱାଦ ଦେବାର ବ୍ୟବସ୍ଥା ହେଉଅଛି । ପଲ୍ଲୀରେ ପାଠାଗାର, ଥିଏଟର୍, ବାୟସ୍କୋପ୍, ସଭାଗୃହ ପ୍ରଭୃତି ସ୍ଥାପନ କରିବାର କଳ୍ପନା ହେଉ ଅଛି । ଏ ଦେଶରେ ଏ ସମସ୍ତ ଅନାବଶ୍ୟକ । ଏ ଦେଶରେ ପଲ୍ଲୀର ସ୍ୱାସ୍ଥ୍ୟ ଯେପରି ଭଲ ରହେ. ସେ ଆଡ଼କୁ ଦୃଷ୍ଟି ପକାଇଲେ–ଲୋକମାନଙ୍କ ସହିତ ସରକାର ସହଯୋଗିତା କଲେ–ଗ୍ରାମରେ ପାଠଶାଳା ଓ ଚିକିତ୍ସାଳୟର ବ୍ୟବସ୍ଥା କଲେହିଁ ଯଥେଷ୍ଟ ହେବ; କିନ୍ତୁ ସର୍ବପ୍ରଥମରେ ଆବଶ୍ୟକ–ଆମ୍ଭମାନଙ୍କ ଉଦ୍ୟୋଗ ଓ ଚେଷ୍ଟା–ଯେଉଁ ଆଦର୍ଶ ତ୍ୟାଗ କରିଅଛୁଁ, ସେହି ଆଦର୍ଶର ସମାଦର । ଯେବେ ବିଳାସ ପରିହାର, ପୂର୍ବାଦର୍ଶବରଣ କରି ଆକାଙ୍କ୍ଷାକୁ ସୀମାବଦ୍ଧ କରି ସମାଜ ଶାସନ ସଂସ୍ଥାପିତ କରି ମିତାଚାରୀ ହୋଇ ଅୠଣୀ ଓ ଅପ୍ରବାସୀ ହୋଇ ନିଜ ବାସରେ ସୁଖର ଓ ଶାନ୍ତିର ସନ୍ଧାନ କରି ପାରିବୁଁ, ତେବେ ଓଡ଼ିଆଙ୍କର ଏବଂ ଓଡ଼ିଶାର ଭବିଷ୍ୟତ୍ସମୁଜ୍ଜ୍ୱଳ–ନୋହିଲେ ଦାରିଦ୍ର୍ୟର ନିପୀଡ଼ନରେ ସର୍ବନାଶ ଅନିବାର୍ଯ୍ୟ ।

 

ଓଡ଼ିଶାର ଏତେବେଳେ ଆଉ ସେଦିନ ନାହିଁ । ଓଡ଼ିଶାର ଶୌର୍ଯ୍ୟ, ବୀର୍ଯ୍ୟ, ସୁଖ ସମ୍ପଦ, ଶିଳ୍ପ ବାଣିଜ୍ୟ ଆଜି ମୃତ । ଓଡ଼ିଶା ଆଜି ପୂର୍ବଗୌରବର ଶ୍ମଶାନ । ଯେଉ ଓଡ଼ିଶାର ପଣ୍ୟ ଏକକାଳରେ ଦେଶ ବିଦେଶରେ ସମାଦୃତ ହେଉଥିଲା, ଯେଉଁ ଓଡ଼ିଶାରେ ବିଦେଶୀ ଆସି ଭାଗ୍ୟଲକ୍ଷ୍ମୀଙ୍କର ପ୍ରସାଦପୁଞ୍ଜରେ ‘ଦରିଦ୍ର ତୋଡ଼’ ହେଉଥିଲେ, ଯେଉଁ ସ୍ୱର୍ଣ୍ଣପ୍ରସୂ ଓଡ଼ିଶାର ସମ୍ପଦ ଅନେକ ଜାତିଙ୍କ ମନରେ ଈର୍ଷାର ଉଦ୍ରେକ କରୁଥିଲା, ସେ ଓଡ଼ିଶା ଆଜି ନିଷ୍ପ୍ରଭ । ଯାହାର ବିଜୟବାହିନୀ ଦିନେ ଗୋଦାବରୀ ଓ କାଞ୍ଚୀ ପ୍ରଭୃତି ସ୍ଥାନରେ ଉତ୍କଳର ଜୟସ୍ତମ୍ଭ ସ୍ଥାପନ କରିଥିଲେ, ଯାହାର ବାଲେଶ୍ୱର ଭଳି ବନ୍ଦର ତରଣୀମାନଙ୍କ ଗୁଣସମୂହରେ ଅରଣ୍ୟସମ ପ୍ରତୀୟମାନ ହେଉଥିଲା, ଯେଉଁ ଦେଶର ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ବୈଶିଷ୍ଟ୍ୟମୟ ଥିଲା–ସେହି ଓଡ଼ିଶା ସେହି କୃତ୍ରିମ ଓ ପ୍ରାକୃତିକ ସୁଷମାପରିପୂର୍ଣ୍ଣ ଓଡ଼ିଶାର ଆଉ ସେ ଶ୍ରୀ ନାହିଁ–ସେ ସମ୍ପଦ ନାହିଁ । ଓଡ଼ିଶାର ଆଉ ସେ ସ୍ୱାସ୍ଥ୍ୟ ନାହିଁ । –ସେ ସୁଖ ନାହିଁ–ଓଡ଼ିଆ ଆଜି ଅନ୍ନ ଓ ସ୍ୱାସ୍ଥ୍ୟର କାଙ୍ଗାଳୀ । ଭାବପ୍ରବଣ ହୃଦୟ ଓ କଳ୍ପନାକୁଶଳ ମସ୍ତିଷ୍କ ସୁଦ୍ଧା ଦିନକୁ ଦିନ ଅନ୍ତର୍ହିତ ହୋଇ ଯାଉଛି ।

 

ଜନୈକ ମନୀଷାସମ୍ପନ୍ନ ମହାତ୍ମା କହିଥିଲେ, ଭଗବାନ୍ଶ୍ୟାମଳ–ଶସ୍ୟଶୋଭିତ ପଲ୍ଲୀଭୂମିର ସୃଷ୍ଟି କରିଅଛନ୍ତି ଏବଂ ସୟତାନ ଜନତା–କଲ୍ଲୋଳ–ମୁଖରିତ କୁଟୀରସୌଧସମନ୍ୱିତ ସହରର ମୂଳଭିତ୍ତି ସ୍ଥାପନ କରିଅଛି । ଏ କଥାଟି ସର୍ବଦା ସତ୍ୟ । ପଲ୍ଲୀଭୂମିର ପଲ୍ଲବ–ପୁଷ୍ପ–ସମନ୍ୱିତ ଛାୟରବହୁଳ ସ୍ଥାନରେ କେବଳ ପିକର କୁହୂରବ କିମ୍ବା ଭ୍ରମରଗୁଞ୍ଜନ ଶ୍ରୁତ ହୁଏ, କେବଳ ସ୍ୱାଧୀନ ପବନ ଅବାଧଗତିରେ ଶାନ୍ତିର ସ୍ନିଗଧ୍ସୁଧା ବିତରଣ କରେ, ସେଠାର ଉନ୍ମୁକ୍ତ ଭାବ ମାନବର ମାନସକ୍ଷେତ୍ରକୁ ପ୍ରଶସ୍ତ ଓ ପବିତ୍ର କରିଦିଏ । ନିର୍ଜନରେ ବସି ମନୁଷ୍ୟ ଆତ୍ମଚିନ୍ତା କରିବାକୁ ଅବସର ପାଇଥାଏ, ପରସ୍ପର ପରସ୍ପରକୁ ଜାଣିବାକୁ ଓ ବୁଝିବାକୁ ସମର୍ଥ ହୁଏ । ପଲ୍ଲୀଗ୍ରାମରେ ପରସ୍ପର ପରସ୍ପର ସହିତ ଭାବର ଆଦାନପ୍ରଦାନ କରିବାକୁ ମନୁଷ୍ୟ ଯେତେ ସୁବିଧା ପାଇଥାଏ, ସହରରେ ସେ ପରିମାଣରେ ପାଏ ନାହିଁ । ସହରରେ ସମସ୍ତେହିଁ କଠୋର କର୍ମମୟ ଜୀବନ ଅତିବାହିତ କରନ୍ତି । ସେଠାରେ ସ୍ୱାର୍ଥର ସଂଘାତରେ ମନୁଷ୍ୟ ଚିତ୍ତର ଉଚ୍ଚ ସ୍ଫୁର୍ତ୍ତି ପାଇ ପାରେ ନାହିଁ; ସ୍ୱାର୍ଥସାଧନ ସକାଶେ ସେଠାରେ ସମସ୍ତେ ସଂହତ ସୁତରାଂ ସ୍ୱାର୍ଥ କଥା ବ୍ୟତୀତ ଅନ୍ୟ କଥା ପ୍ରତି ଲୋକେ କାନ ଡେରନ୍ତି ନାହିଁ । ପଲ୍ଲୀରେ ଯେଉଁ ଶାନ୍ତି ଓ ସ୍ୱାଧୀନତା ରହିଅଛି, ସହରରେ ସ୍ୱାର୍ଥ ସନ୍ଧାନର ଉତ୍କଟ ଆସ୍ଫାଳନରେ ସେ ଶାନ୍ତି ଓ ସ୍ୱାଧୀନତା ସ୍ଥାନ ପାଇବା ଅସମ୍ଭବ । ଏହି ହେତୁରୁ ସେ କହିଅଛନ୍ତି–ପଲ୍ଲୀ ଭଗବାନଙ୍କର ଓ ସହର ସୟତାନର ରାଜ୍ୟ ।

 

କିନ୍ତୁ ଯାହା ଯେତିକି ପବିତ୍ର, ତାହା ବିକୃତ ହେଲେ ସେତିକି ଭୀଷଣ ଓ ଅମଙ୍ଗଳଜନକ ହୋଇଥାଏ । ଶିବ କୁପିତ ହେଲେ କ୍ରତୁଧ୍ୱଂସୀ ହୋଇଉଠନ୍ତି, ଦେବତା ରୁଷ୍ଟ ହେଲେ ଦାନବ ଅପେକ୍ଷା ଭୀଷଣ ହୁଅନ୍ତି, କୁଳକାମିନୀ ଚଞ୍ଚଳା ହେଲେ କୁଳଟା ହୁଏ, ହବି ନଷ୍ଟ ହେଲେ ବିଷ୍ଠା ଅପେକ୍ଷା ନ୍ୟତ୍କାରଜନକ ହୋଇଥାଏ । ମନୁଷ୍ୟ ଅଧଃପତିତ ହେଲେ ପଶୁଠାରୁ ଅଧମ ହୁଏ । ସେହିପରି ପଲ୍ଳୀଭୂମି ବିକୃତ ହେଲେ ତାହା ନରକ ଅପେକ୍ଷା ଭୀଷଣତର ହୁଏ । ଆମ୍ଭମାନଙ୍କ ଦୁର୍ଭାଗ୍ୟଫଳରେ ବାଲେଶ୍ୱର ଜିଲ୍ଲାର ପଲ୍ଲୀଭୂମି ବିକୃତ ହୋଇ ଯାଇଅଛି । ଜନନୀ ଦୁଷ୍ଟା ହୋଇ ରାକ୍ଷସରେ ପରିଣତା ହୋଇଅଛି । ବାଲେଶ୍ୱରର କେତେକ ପଲ୍ଲୀରେ ସେହି ଶ୍ୟାମଶୋଭା ରହିଅଛି, କିନ୍ତୁ ତାହାର ସେହି ଶ୍ୟାମତ୍ୱରେ ଯେପରି ଶ୍ମଶାନର ଘନାନ୍ଧକାର ଘୋଟି ରହିଅଛି । ତରୁଲତା ବର୍ତ୍ତମାନ ପୁଷ୍ପପଲ୍ଲବରେ ସୁଶୋଭିତ ହେଲେହେଁ ସେଥିରେ ଯେପରି ବନାନୀର ଭୀଷଣତା ଆସି ଆଶ୍ରୟ ନେଲାଣି । ପଲ୍ଲୀକୁଞ୍ଜରେ ପିକ ରାବୁଅଛି ଓ ଭ୍ରମର ଗୁଞ୍ଜନ ଶୁଭୁଅଛି; ମାତ୍ର ସେହି କୁହୁଧ୍ୱନି ଏବଂ ଗୁଞ୍ଜନ ବର୍ତ୍ତମାନ ଶିବାକୁଳର ଅଶିବ ଆରାବରେ ବୁଡ଼ି ଯାଉଅଛି । ପ୍ରଦୋଷରେ ଶୁଭସଙ୍ଖ କ୍ଷୀଣସ୍ୱରରେ ଶୁଭୁଛି, ମାତ୍ର ଶୋକାର୍ତ୍ତ ଓ ରୋଗାର୍ତ୍ତର ଆର୍ତ୍ତନାଦରେ ସେହି କ୍ଷୀଣ ଜମ୍ବୁନାଦ କେଉଁଆଡ଼େ ଉଭେଇଯାଉଛି । ପ୍ରାନ୍ତରରେ ମୃଦୁମନ୍ଦ–ସମୀରଣ ସ୍ନିଗ୍ଧତା ବିତରଣ କରୁତିଲେହେଁ ସେହି ସ୍ନିଗ୍ଧତାର ଅନ୍ତରାଳରେ ମାଲେରିଆ ଓ ଆମାଶୟର ବିଷ ଲୁକ୍କାୟିତ ରହିଅଛି । ବାହ୍ୟ ପ୍ରକୃତିରେ ଏହି ବିକୃତପ୍ରଭାବ ପଲ୍ଲୀବାସୀଙ୍କର ଅନ୍ତଃପ୍ରକୃତିରେ ସଂକ୍ରାମିତ ହୋଇ ତାଙ୍କୁ ବିକୃତ କରିଦେଉଅଛି । ଦାନବତା କୁଟିଳତା ଆସି ପଲ୍ଲୀବାସୀଙ୍କର ସ୍ୱର୍ଗୀୟ ସରଳତାରେ ଗରଳ ଢାଳି ଦେଉଅଛି । ଆତ୍ମୀୟତାର ଆଦର ଓ ସ୍ନେହାକର୍ଷଣ ମକଦ୍ଦମା ମାମଲାର କଲ୍ଲୋଳ–କୋଳାହଳ ନିକଟରେ ଆତ୍ମସମର୍ପଣ କରୁଅଛି । ହିଂସା ଏବଂ ଦ୍ୱେଷ ପରହିତୈଷଣାକୁ ସ୍ଥାନ ଭ୍ରଷ୍ଟକରି ଦେଉଅଛି । ଏହିଭଳି ଅନ୍ୟାନ୍ୟ ଅଂଶର ପଲ୍ଲୀସମୂହ ମଧ୍ୟ ଭିନ୍ନ ଭିନ୍ନ ଭାବରେ ବିକୃତ । ପ୍ରାୟ ସମସ୍ତ ଅଞ୍ଚଳରେ କ୍ଷମତାପ୍ରିୟତା ବିଶ୍ୱଜନୀନତାକୁ ଗ୍ରାସ କରି ପକାଉଅଛି । ପରପୀଡ଼ନପ୍ରିୟତା ଅନେକ ସ୍ଥାନରେ ଆଶ୍ରିତ–ପ୍ରତିପାଳନ–ପ୍ରବୃତ୍ତିକୁ ଗ୍ରାସ କଲାଣି । ଗ୍ରାମର ଆଖଡ଼ାଘର କିମ୍ବା ଭାଗବତ ଘରେ ଆଉ ଭାଗବତ କିମ୍ବା ପୁରାଣ ପାଠର ଅବସର ନାହିଁ, ସେଠାରେ ଓକିଲ ମୁକ୍ତାର ଓ ଟରଣୀଙ୍କ କୂଟ ତର୍କର ଆଲୋଚନା କିମ୍ବା ହାକିମଙ୍କର ‘‘ରାୟନକଲ’’ ପାଠ ହେଉଅଛି । ଆଜିକାଲି ଯେ ଯେତିକି ପରପୀଡ଼କ, ସେ ସେତିକି ସମ୍ଭ୍ରାନ୍ତ, ଯେ ଯେଉଁ ପରିମାଣରେ ନିରୀହ, ସେ ସେତିକି ନିର୍ଯ୍ୟାତନପିଷ୍ଟ । ଗୁରୁ କିମ୍ବା ପୁରୋହିତ ବସିବା ଆସନ ପାଉ ନାହାନ୍ତି, ମାମଲାର ପରାମର୍ଶଦାତା କିମ୍ବା ସାକ୍ଷୀମାନଙ୍କର ସଂଗ୍ରହକର୍ତ୍ତାହିଁ ସର୍ବୋଚ୍ଚ ଆସନପ୍ରାପ୍ତିର ଅଧିକାରୀ । ଆଜିକାଲି ପଲ୍ଲୀଭୂମିର ଏହି ଦାରୁଣ ଅବନତି ଓଡ଼ିଆଙ୍କର ଜାତୀୟ ଜୀବନକୁ ଅବନ୍ନତ ଓ ଅବସନ୍ନ କରି ଦେଉଅଛି । ଓଡ଼ିଆମାନେ ରୋଗ, ଶୋକ, ସଂକୀର୍ଣ୍ଣତା ଓ ସ୍ୱାର୍ଥପରତାରେ ଧ୍ୱଂସପୁର ଅଭିମୁଖରେ ପ୍ରଚଣ୍ଡ ବେଗରେ ଧାବିତ, ଏହା ଅସ୍ୱୀକାର କରିବାର ବାଟ ଅଛି କି ? ଲେଖକ କ୍ଷୋଭ ଓ ଦୁଃଖରେ ନିତାନ୍ତ ପ୍ରୟୋଜନୀୟ ବୁଝି ଏହି କଥାଗୁଡ଼ିକ ଲେଖିଲା । କାରଣ, ରୋଗର ନିଦାନ ଓ ପ୍ରାବଲ୍ୟ ସମ୍ୟକରୂପେ ଅବଧାରିତ ନ ହେଲେ ଉପଯୁକ୍ତ ଔଷଧ ପ୍ରୟୋଗ ସମ୍ଭବପର ନୁହେ । ମାତ୍ର କି ପ୍ରକାରରେ ପଲ୍ଲୀଗ୍ରାମର ପ୍ରକୃତ ଉନ୍ନତି ହେବ, କି ଉପାୟରେ ହାହାକରମୁଖରିତ ପଲ୍ଲୀଭୂମିକୁ ହାସ୍ୟନିନାଦିତ ସ୍ଥାନରେ ପରିଣତ କରିବାକୁ ହେବ, ତାହାହିଁ ବର୍ତ୍ତମାନ ଶିକ୍ଷିତ ସମାଜର କର୍ତ୍ତବ୍ୟ ମଧ୍ୟରେ ପରିଗଣିତ ହେବା ଏକାନ୍ତ ଆବଶ୍ୟକ ।

 

ଯେଉଁ ଭାବରେ ପଲ୍ଲୀଜୀବନ ଓ ପଲ୍ଲୀବାସର ଉନ୍ନତି ବ୍ୟବସ୍ଥା ହେଉ ପଛକେ, ଇଦାନୀନ୍ତନ ପଲ୍ଲୀଗ୍ରାମ ବିରୁଦ୍ଧରେ ଯେଉଁ ସମସ୍ତ ଅଭିଯୋଗ ଉପସ୍ଥାପିତ ହେଲା, ସେ ସବୁର ପ୍ରତୀକାର ନ ହେଲେ ପଲ୍ଲୀଗ୍ରାମର ଉନ୍ନତି ହେବ ନାହିଁ । ବିଲାତରେ କବି ଗୋଲଡ୍ସ୍ମିଥ୍ଙ୍କର ‘‘ପରିତ୍ୟକ୍ତ–ପଲ୍ଲୀ’’ (Deserted village) ରୁ ଦୁଇ ଚାରି ପଙ୍କ୍ତି ଅନୁବାଦ କିମ୍ବା ଆବୃତ୍ତି କଲେ ପଲ୍ଲୀ–ଜନନୀର ଉନ୍ନତି ହେବ ନାହିଁ । ସାଧାରଣତଃ ଯେଉଁ ସମସ୍ତ ଅଭାବ ଓ ଅଭିଯୋଗର କଥା ଶ୍ରୁତ ହୁଏ, ସେଗୁଡ଼ିକର ପ୍ରତୀକାର କରିବାକୁହିଁ ହେବ ।

 

ଅନେକ ପଲ୍ଲୀଗ୍ରାମ ଦୁଷ୍ଟ ପରପୀଡ଼କମାନଙ୍କର ଲୀଳାଭୂମି ହୋଇଅଛି, ଏହା ଲେଖକ ଦେଖିଅଛି । ପଲ୍ଲୀ ଦୁଷ୍ଟ ଲୋକଙ୍କର କର୍ମକେନ୍ଦ୍ର ହୋଇଥିବାରୁ ଅନେକ ସ୍ଥାନରେ ଅନେକ ଲୋକେ ଗ୍ରାମ ପରିତ୍ୟାଗ କରି ଅନ୍ୟତ୍ର ଯିବାକୁ ମହାବ୍ୟସ୍ତ । ସେମାନଙ୍କ ଦଳରେ ନ ମିଶିଲେ ନିରୀହ ଲୋକର ଗ୍ରାମରେ ରହିବା ଅସମ୍ଭବ । ଦୁରନ୍ତ ଲୋକଙ୍କର ଅତ୍ୟାଚାରରେ ଲୋକମାନେ ଗ୍ରାମ ପରିତ୍ୟାଗ କରିବାକୁ ବାଧ୍ୟ ହେଉଅଛନ୍ତି । ଟିକିଏ ଅନୁସନ୍ଧାନ କଲେ ଏହାର ଯାଥାର୍ଥ ସୁପରିଷ୍ଫୁଟ । ଚୋରକୁ ଚୋର କହିଲେ କିମ୍ବା ଦୁଷ୍ଟକୁ ଦୁରନ୍ତ କହିଲେ ମାନହାନି ଦାବୀ ମକଦ୍ଦମାରେ ମୁଦାଲା ହେବାକୁ ହେବ, ଏହା ଜାଣି କେଉଁ ନିରୀହ ଓ ଭଦ୍ରବ୍ୟକ୍ତି ଏହା କହିବାକୁ ସାହାସୀ ହେବେ ? ଦୁଷ୍କର୍ମ କରିବାକୁ ଲୋକେ ସହଜରେ ଦଳବଦ୍ଧ ହୋଇ ପାରନ୍ତି, କିନ୍ତୁ ଦୁଷ୍କର୍ମକାରୀମାନଙ୍କର ଦଣ୍ଡବିଧାନ ସକାଶେ ଲୋକେ ସହଜରେ ଏକତ୍ର ହେବାକୁ ସାହସୀ ହୋଇ ନ ଥାନ୍ତି । କିନ୍ତୁ ଯେଉଁଠାରେ ଦୁରନ୍ତ ଲୋକେ ଦଳବଦ୍ଧ ହୋଇ ଲୋକପୀଡ଼ନ କରନ୍ତି, ସେଠାରେ ଭଦ୍ରଲୋକମାନଙ୍କର ଏକତ୍ର ହୋଇ ସେମାନଙ୍କୁ ଦମନ କରିବା ଏକାନ୍ତ ଆବଶ୍ୟକ; ଏ କଥା ଆମ୍ଭେମାନେ ବିସ୍ମୃତ ହେଉଁ । ଲେଖକ ଜାଣେ, କୌଣସି ଗୋଟିଏ ବିଶିଷ୍ଟ ଗ୍ରାମରେ ଗୋଟିଏ ଜାଲିୟାତ୍ଦଳ ଗଠିତ ହୋଇଥିଲା । ସେମାନେ ଟଙ୍କା ପଇସା ପାଇଲେ ଦଲୀଲ ଜାଲ୍କରି ଦେଉଥିଲେ ଓ ମିଥ୍ୟା ମାମଲା ଓ ମିଥ୍ୟା ପ୍ରମାଣ ସଜାଇ ଦେବାରେ ଅଭ୍ୟସ୍ତ ହୋଇଥିଲେ । ନିକଟବର୍ତ୍ତୀ ଅନେକ ଗ୍ରାମରେ ଭଦ୍ର ଏବଂ ନିରୀହ ବ୍ୟକ୍ତିବର୍ଗ ଏହା ଜାଣି ସେହି ଦଳସ୍ଥ ଲୋକମାନଙ୍କୁ ଘୃଣା କରୁଥିଲେ, କିନ୍ତୁ ଭୟରେ ସେମାନଙ୍କ ବିରୁଦ୍ଧରେ କଥା କହିବା ଅନୁଚିତ ମଣୁଥିଲେ । ଅବଶ୍ୟ ସେହି ଦୁରନ୍ତ ଦଳ ବିରୁଦ୍ଧରେ ପ୍ରମାଣ ପାଇବା କଠିନ, କାରଣ ସେମାନେ ଧେଣ୍ଡୁରାପିଟି ଏ ସମସ୍ତ କରୁ ନ ଥିଲେ । ପ୍ରଭୁଙ୍କ କୃପାରୁ କିଛି ଦିନ ଉତ୍ତାରୁ ଏ ଦଳ ଭାଙ୍ଗିଗଲା । କୌଣସି କୌଣସି ଗ୍ରାମର ଲୋକେ ବାହାରକୁ ଅତ୍ୟନ୍ତ ଭଦ୍ର ବୋଲି ଜଣା ପଡ଼ିଲେହେଁ ନୀତିହୀନତାରେ ଦସ୍ୟୁ ତସ୍କରଠାରୁ ଅଧମ, ଏହା ଲେଖକ ସ୍ୱଚକ୍ଷୁରେ ଦେଖିଅଛି ।

 

ଆଜିକାଲି ଲୋକର ଯାହା ଆୟ, ସେଥିରେ ବନ୍ଧୁମର୍ଯ୍ୟାଦା ଓ ସାମାଜିକତା ରକ୍ଷା କରି, ଲୁଗା ପିନ୍ଧି, ପୃଷ୍ଟିକର ଖାଦ୍ୟ ସକାଶେ କିଛି ବଳେ ନାହିଁ । ବଡ଼ ବଡ଼ ସହରର ସଂକୀର୍ଣ୍ଣ ସ୍ଥାନରେ ଅସ୍ୱାସ୍ଥ୍ୟକର ବାୟୁ ମଧ୍ୟରେ ଶିକ୍ଷିତ ଲୋକଙ୍କୁ ବାସ କରିବାକୁ ହେଉଅଛି ଏବଂ ଖାଣ୍ଟିଦ୍ରବ୍ୟ ପରିବର୍ତ୍ତରେ ମିଶ୍ରଣ ଓ ଭେଲର ଦୌରାତ୍ମ୍ୟ ପରିପୂର୍ଣ୍ଣ ମାତ୍ରାରେ ଅନୁଭବ କରି ଅଜୀର୍ଣ୍ଣ, ଅମ୍ଲୁଶୂଳ ଓ କ୍ଷୟରୋଗରେ ଜୀବନ ଅକାଳରେ ପୃଥିବୀରୁ ଅପସୃତ ହେଉ ଅଛି । କେବଳ ସରକାରୀ ସ୍ୱାସ୍ଥ୍ୟବିଭାଗର କର୍ମଚାରୀବୃନ୍ଦଙ୍କ ଉର୍ବର ମସ୍ତିଷ୍କପ୍ରସୂତ ମତବାଦ (theory) ର ପୁନରାବୃତ୍ତି କରି କାଗଜ ପତ୍ରରେ ଓ ଲଫାପା ଦୁରସ୍ତରେ ଆତ୍ମରକ୍ଷାର ଉଦ୍ଭାବନଦ୍ୱାରା କଅଣ ହୋଇ ପାରେ ? ପ୍ରତିକୂଳ ଅବସ୍ଥାରେ ପ୍ରତୀକାରର ଉପାୟ ସମସ୍ତଙ୍କୁ ଅଳ୍ପାଧିକ ଅନୁଧାବନ କରିବାକୁହିଁ ହେବ ।

 

(୧୧)

 

ମନୁଷ୍ୟତ୍ୱର ମହନୀୟ ପ୍ରକାଶର ଅନ୍ୟ ନାମ ପ୍ରୀତି । ବୁଦ୍ଧିପ୍ରତିଭା ନୁହେ ଶୌର୍ଯ୍ୟ–ବୀର୍ଯ୍ୟ ନୁହେ–ପ୍ରୀତି । ଯେଉଁ ମାନବ ସମାଜରେ ଯେତେଟିକ ପ୍ରୀତି ଓ ମୈତ୍ରୀର ଉଦୋଧନ ହୋଇଅଛି, ସେହି ମାନବ ସମାଜ ସେହି ପରିମାଣରେ ବଡ଼ ହୋଇଅଛି । ରାଜ୍ୟଜୟର ତୁଳନା କଲେ ଅରଣ୍ୟରେ ଅପ୍ରତିଦ୍ୱନ୍ଦୀରୂପେ ରାଜତ୍ୱ କରୁଥିବା ଜୀବଖାଦକ ବ୍ୟାଘ୍ର ସର୍ବଶ୍ରେଷ୍ଠ । ଆକାଶରେ ଉଡ଼ିବା ଚିଲ କିମ୍ବା ଇଗଲ ପକ୍ଷୀ ଭଳି କିଏ ଶତ୍ରୁ ଜୟରେ ଅଧିକ ପାରଦର୍ଶୀ ? ସମୁଦ୍ର ଅତିକ୍ରମ କରିବା ବିଷୟରେ ତିମି ମତ୍ସ୍ୟହିଁ ସର୍ବଜୟା ସମ୍ରାଟ୍ । ସୁତରାଂ ପ୍ରୀତିକୁ ବାଦ ଦେଲେ ମାନବତାର ପରିମାଣ ଅସମ୍ଭବ । ଯେଉଁଠାରେ ସ୍ନେହ ଓ ପ୍ରୀତି ରହିଅଛି, ସେଠାରେ ମନୁଷ୍ୟୟତ୍ୱର ପରିଚୟ ଅଛି, ଯେଉଁଠାରେ ନାହିଁ ସେଠାରେ ଅମନୁଷ୍ୟତ୍ୱହିଁ ସମଧିକ ପ୍ରକଟିତ ।

 

ଆମ୍ଭମାନଙ୍କ ମର୍ମକଥା ବିଶ୍ଲେଷଣ କଲେ ଏତିକି ବୋଲାଯିବ, ସୁଖଠାରୁ ଶାନ୍ତି ଭଲ । ପଲ୍ଲୀକୁ ଦେଖିବାକୁ ହେଲେ ଏହି ଶାନ୍ତିର ତୁଳାଦଣ୍ଡରେ ମାପିବା ଉଚିତ । ଏହା ଦେଖିବାକୁ ହେବ ଯେ, ଅତି ସାଧାରଣ ଗୃହସ୍ଥରୂପେ ଆମ୍ଭମାନଙ୍କର କେତେଟିକ ଶାନ୍ତି ଏହି ପଲ୍ଲୀ ହୃଦୟରେ ଅନ୍ତର୍ନିହିତ ରହିଅଛି । ଯେବେ ଶାନ୍ତିର ପରିଚୟ ପାଉଁ, ତେବେ ପଲ୍ଲୀଜୀବନ ନିକଟରେ ଆତ୍ମନିବେଦନ କରିବୁଁ; ନଚେତ୍ ନବନାଗରିକତା ଆଡ଼କୁ ପ୍ରତ୍ୟାବର୍ତ୍ତନ କରି ଉଦ୍ଦାମ ଜୀବନ ଯାପନରେ ଶରୀର ଢାଳି ଦେବୁଁ ।

 

ଶାନ୍ତିର କଥା କହିବାକୁ ହେଲେ ଅଶାନ୍ତିର କଥା କହିବା ଉଚିତ । ଆଜିକାଲିକର ନାଗରିକ ଜୀବନରେ ସୁଖ ରହିଅଛି, ଐଶ୍ୱର୍ଯ୍ୟ ମଧ୍ୟ ସୁପ୍ରଚୁର । କିନ୍ତୁ ସୁଖଲାଭ ସକାଶେ ଆକାଙ୍କ୍ଷା ଯେତେ ତୀବ୍ର, ଲାଭ କରିବାର ଶକ୍ତି ସେ ଭଳି ଉଗ୍ର ନୁହେ । ପୁଞ୍ଜିଏ ଭାତ ମୁହଁରେ ଅଥବା ନାକରେ ଆଖିରେ ଗୁଞ୍ଜି ଦେଇ ଯେତେବେଳେ କାର୍ଯ୍ୟ ତାଡ଼ନାରେ ମନୁଷ୍ୟ ପ୍ରାଣପ୍ରଣେ କାର୍ଯ୍ୟ ସ୍ଥଳକୁ ଧାଇଁ ଥାଏ, ସେତେବେଳେ ତାହାର ରୋଲସ୍ ରଏସ୍ ମୋଟରବିହାରୀଙ୍କ ଭଳି ମୋଟର ଚଢ଼ିବାର ଆକାଙ୍କ୍ଷା ହୋଇଥାଏ, ମାତ୍ର ସେହି ଆଶାପୂର୍ଣ୍ଣ କରିବାରଶକ୍ତି ତାହାର ନାହିଁ । ନଗରରେ ସୁଖଠାରୁ ଅସୁଖ ଅଧିକ । ବିଲାତରେ ଫ୍ୟାସନର ଦାସତ୍ୱ କରି କରି ମନୁଷ୍ୟ ପ୍ରାଣାନ୍ତ ହେଉଅଛନ୍ତି, ଏହା ସମସ୍ତେ ଅବଗତ । ଅତଏବ ସୁଖଠାରୁ ଶାନ୍ତି ଭଲ ଏହା ସ୍ୱୀକାର କରିବାକୁ ଅଧିକ ଯୁକ୍ତିଜାଲ ବଢାଇବା ନିଷ୍ପ୍ରୟୋଜନ ମାତ୍ର ।

 

ଅସ୍ୱସ୍ତିର କଥା ଗୋଟିଏ ବିଷୟରେ ସୁପରିସ୍ଫୁଟ । ତାହା ଜୀବନଯୁଦ୍ଧ ଅର୍ଥାତ୍ ବଞ୍ଚିବା ପାଇଁ ଯୁଦ୍ଧ କରିବା । ଇଂରାଜୀରେ ଯାହାକୁ Struggle for exeistence କହି ଥାଆନ୍ତି । ପ୍ରାଣ ରଖିବାକୁ ଯେବେ ପ୍ରାଣାନ୍ତ ହୁଏ, ତେବେ ପ୍ରାଣ ରଖି ଲାଭ କଅଣ ? ପ୍ରାଣାନ୍ତ ହେବାହିଁ ଅସ୍ୱସ୍ତି କିମ୍ବା ଅଶାନ୍ତି । ଜାତିର ନିଷ୍କର୍ମ ସଂଖ୍ୟା ବଢି ଯାଉଅଛି, ଦାରିଦ୍ର୍ୟର ନିଷ୍ପେଷଣରେ ମନୁଷ୍ୟ ପିଷ୍ଟ, ଅଥଚ ଅନାବଶ୍ୟକୀୟ ଅଭାବର ସୃଷ୍ଟି କରି ଧନୀମାନେ ଲକ୍ଷ ଲକ୍ଷ ମୁଦ୍ରା ସେହି ଅଭାବ ପୂରଣ ସକାଶେ ଢାଳି ଦେଇଥାନ୍ତି ।

 

ମାତ୍ର ପଲ୍ଲୀର ପ୍ରାଣ–ଶ୍ୟାମାୟିତ, ସ୍ନିଗ୍ଧ ଏବଂ ଦକ୍ଷିଣାନିଳ ଭଳି ସୁଖସେବ୍ୟ । ସ୍ନେହଦ୍ୱାରା ତାହା ପରିତୃପ୍ତ । ପଲ୍ଲୀ ଜୀବନରେ ସମାରୋହ ନାହିଁ; କିନ୍ତୁ ମିତ୍ରତାଜନିତ ହୃଦ୍ୟତା ରହିଅଛି ଏବଂ ପୂର୍ବେ ଭଲଭାବରେ ରହିଥିଲା । ଏ କାଳରେ ତାହା ଏକ ପ୍ରକାର ଅନ୍ତର୍ହିତ ହେବାକୁ ବସିଲାଣି । ଗତ ୩୦ । ୩୫ ବର୍ଷ ପୂର୍ବେ ପଲ୍ଲୀର ଅଧିବାସି ବର୍ଗଙ୍କ ମନରେ ଏହା ସ୍ଥାନ ପାଉ ନ ଥିଲା ଯେ, ସେମାନେ ଅସହାୟ କିମ୍ବା ସେମାନଙ୍କୁ ଜୀବନ ଯୁଦ୍ଧରେ କ୍ଷତବିକ୍ଷତ ହେବାକୁ ହେବ । ପଲ୍ଲୀର ଜୀବନ କିଭଳି ମଧୁରତାରେ ଅତିବାହିତ ହେଉଥିଲା ଏବଂ ସ୍ଥଳବିଶେଷରେ ଆଜିକାଲି ମଧ୍ୟ ହେଉଅଛି, ତାହା ଲେଖକର ଗୋଟିଏ ଗ୍ରାମର ସାମାନ୍ୟ ଅଭିଜ୍ଞତାରୁ ସ୍ପଷ୍ଟୀକୃତ ହେବ ।

 

ଗୋଟିଏ ଗ୍ରାମର ବ୍ରାହ୍ମଣ ସାହିର ଅପର ପାର୍ଶ୍ୱରେ ବାଉରି ସାହି । ବାଉରି ଅସ୍ପୃଶ୍ୟ ଜାତି ବୋଲି ସାଧାରଣରେ ବିବେଚିତ ହେଲେହେ ଦରିଦ୍ର ଓ ଶ୍ରମିକ ଜାତି । ଏହି ବାଉରି ସାହିରେ ୨୦ । ୩୦ ଘର ବାଉରି ରହିଅଛନ୍ତି । ବ୍ରାହ୍ମଣସାହିର କୌଣସି ଧନ୍ବାନ ବ୍ରାହ୍ମଣଙ୍କର ପତ୍ନୀ ତାହାଙ୍କର କନ୍ୟା ଏବଂ ପୁତ୍ରବଧୁମାନଙ୍କୁ ଡ଼ାକି କହିଲେ, ‘‘ଆଜି ଲାଉର ଦଅଣା ଅଧିକ କରି ରାନ୍ଧିଦିଅ ଏବଂ ମଞ୍ଜିବଡ଼ିଗୁଡ଼ିକ ଭାଜିଦିଅ । ନିତିଆ ବୋହୁର ୭ମାସ ହୋଇଗଲାଣି, ତାହାର ବଡ଼ ଅରୁଚି, ତାହା ସକାଶେ ଟିକିଏ ପାଣିକଖାରୁ ଶାକର ରାନ୍ଧିଦେବ ।’’ ଏହି ଉତ୍ତାରୁ ମଧ୍ୟାହ୍ନରେ ସେହି ଐଶ୍ଚର୍ଯ୍ୟବାନଙ୍କର ଗୃହିଣୀ ଥାଳିରେ ସେହି ସମସ୍ତ ସଯତ୍ନ ରନ୍ଧନର ବ୍ୟଞ୍ଜନଗୁଡ଼ିକନେଇ ବାଉରୀସାହିକୁ ଯାଇ ଡାକିଲେ, ‘‘ପାଣୁଆ ମା, ଲୋ ସାଧବୀ, ସରଆଈ ଲୋ !’’ ସେମାନଙ୍କୁ ଡାକି ସମସ୍ତ ବ୍ୟଞ୍ଜନ ପରିବେଷଣ କରିଦେଲେ; ନିତିଆବୋହୁ ମଧ୍ୟ ପାଣିକଖାରୁ ଶାକର ପାଇଲା । ଏହାହିଁ ପଲ୍ଲୀର ପ୍ରାଣ–ସମ୍ପଦ, ଏହି ସ୍ନେହ ମମତାହିଁ ମାନବତାର ଅମୃତ ସିନା । ପଲ୍ଲୀରେ ଅ ଅନାବଶ୍ୟକ ସମାରୋହ ନ ଥିଲା; କିନ୍ତୁ ଏହି ସ୍ନେହ ପ୍ରୀତି ଅଜସ୍ରଭାବରେ ରହିଥିଲା । ମନୁଷ୍ୟ ସୁଖଦୁଃଖରେ ପରସ୍ପରକୁ ଡାକି କଥା କହୁଥିଲେ । ଏହି ହେତୁରୁ ଜୀବନଯୁଦ୍ଧର ଭୟଙ୍କର ଅନୁଭୂତି ସେପରି ହେଉ ନ ଥିଲା । ସେତେବେଳେ ପରମ ମହିମାମୟ ଏବଂ ମାଧୁର୍ଯ୍ୟପୂର୍ଣ୍ଣ ଅନୁଭୁତିରେ ପଲ୍ଲୀ ପୂର୍ଣ୍ଣ ରହିଥିଲା । ଆଜିକାଲିର ଜଗତ୍ସଂସାରରେ ଏହି ଦିନର ପ୍ରତିଷ୍ଠା ହେଲେ, ବିଶ୍ୱମାନବତାକୁ ପୂର୍ଣ୍ଣରୂପେ ଉଦ୍ଧାର କରିବା ଅସମ୍ଭବ ହେବ ନାହିଁ ଅଧିକନ୍ତୁ ପଶୁତ୍ତ୍ୱର ମୋଚନ ହେବ । ସାନ ହେଉ, ଆଡ଼ମ୍ବରବିହୀନ ହେଉ, ନିଃସଙ୍ଗ ହେଉ, ଏହି ପ୍ରାଣମୟୀ ପ୍ରୀତିମୟୀ ପଲ୍ଲୀ ଲକ୍ଷ୍ମୀଙ୍କର ପୁନରୁଜ୍ଜୀବନ କାମ୍ୟ ନୁହେ କି ? ଏହା ହେଲେ ଏହି ଅଶାନ୍ତ ବିପ୍ଳବବିଧୂନିତ ବିଶ୍ୱରେ ଗୋଟିଏ ଶାନ୍ତିର ଆଶ୍ୱାସ ପ୍ରଶ୍ୱାସରୂପେ ବୋହିଯିବା ସିନା ।

 

ଭାରତର ଚଉଦପଣ ଲୋକେ ଗ୍ରାମରେ ବାସ କରନ୍ତି । ଆଦିମଯୁଗରୁ ଭାରତର ଲୋକେ ଗ୍ରାମରେ ବାସ କରି ଆସୁଅଛନ୍ତି । ସହରରେ ରାଜା, ରାଜପୁରୁଷ, ମନ୍ତ୍ରୀ, ରାଜପରିଷଦ, ବ୍ୟବସାୟୀ, ମହାଜନ ପ୍ରଭୃତି ରହୁଥିଲେ । ଗ୍ରାମର ଲୋକେ ସେମାନଙ୍କର ସୁଖ ଦୁଃଖ ଘେନି ଗ୍ରାମରେ ପଡ଼ି ରହୁଥିଲେ । ସମୟରେ ରଜାଙ୍କୁ କର ଦେଉଥିଲେ ଏବଂ ଗ୍ରାମର ସର୍ବପ୍ରକାର ବ୍ୟବସ୍ଥା ପଞ୍ଚାୟତମାନେ କରୁଥିଲେ । ଏ ସବୁ କଥା ଏତେଦିନ ଅନ୍ଧକାରରେ ପଡ଼ି ରହିଥିଲା, କିନ୍ତୁ କେତେକ ଦିନ ହେଲା ଦେଶର ନେତୃବର୍ଗଙ୍କର ଏ ଦିଗକୁ ନଜର ଯାଇଅଛି । ସେମାନଙ୍କ ମନ୍ତବ୍ୟରେ ଗ୍ରାମ ସଂଗଠନର କଥା Rural reconstruction ରୂପେ ଆତ୍ମପ୍ରକାଶ କରିଅଛି ।

 

କିନ୍ତୁ ସନ୍ଦୀଗ୍ଧମନା ବ୍ୟକ୍ତିମାନେ ପଚାରୁଅଛନ୍ତି, ହଠାତ୍ଗ୍ରାମ ଉପରେ ଏଡ଼େ ମାୟା ଏତେଦିନ ଉତ୍ତାରୁ ଆଜି ଦେଖାଗଲା କାହିଁକି ? ଜଳାଭାବ, ମାଲେରିଆ, ପୋତା ଓ ପଟୁ ପଡ଼ିଯାଇ ଥିବା ନଦୀ ନାଳ, ଖାଲ, ବିଲ, ଋଣଗ୍ରସ୍ତ କୃଷକର ଦୁର୍ଦ୍ଦଶା ପ୍ରଭୃତି ଅସଂଖ୍ୟ ପ୍ରକାର ଦୁଃଖ ଓ ବ୍ୟାଧିରେ ଗ୍ରାମର ପ୍ରାଣଶକ୍ତି କ୍ଷୁର୍ଣ୍ଣ ହୋଇ ଯାଇଥିଲେହେଁ ଏତେଦିନ ପର୍ଯ୍ୟନ୍ତ ସେ ଦିଗକୁ ଦୃଷ୍ଟି ପଡ଼ି ନଥିଲା କାହିଁକି ? ଏହି ଦୃଷ୍ଟି ଦାନର ମୂଳରେ ଆନ୍ତରକିତା ଅଛି କି ନାହିଁ ଏ ସନ୍ଦେହ କାହିଁକି ଉପସ୍ଥିତ ହୁଏ ? ଏ ସମ୍ବନ୍ଧରେ ଅନେକଥର ଶୁଣାଯାଏ ଯେ, ଗୋବରଗଦା ଓ ପଙ୍କ କାଦୁଅ ମଧ୍ୟରେ ଦରିଦ୍ରମାନଙ୍କର ଯେଉଁ ଚାଳ କୁଡ଼ିଆ ଗୁଡ଼ିକ ବିରାଜମାନ, ସେଗୁଡ଼ିକ ଉଠାଇ ଦେଇ ତାହା ସ୍ଥାନରେ ଆଦର୍ଶ ପଲ୍ଲୀ କିମ୍ବା ‘‘ମଡ଼େଲ୍ବସ୍ତି’’ ଗଠନର କଳ୍ପନା ହେଉଅଛି । ଯେଉଁ ସମସ୍ତ ଗ୍ରାମ୍ୟ ଝିଅବୋହୁମାନଙ୍କର ଅଧ ପାଅ କିମ୍ବା ଏକ ପାଅ ବାଟ ଦୂରର କୂପ କିମ୍ବା ପୁଷ୍କରିଣୀରୁ ପାଣି ଆଣିବାକୁ ହୋଇଥାଏ, ସେହି ସମସ୍ତ ଗାଉଁଲି ଲୋକମାନଙ୍କୁ ସାବୁନ ପାଣିରେ ଲୁଗା କାଚିବା ଅଥବା ଗୁହାଳ ସମସ୍ତ ଫିନାଇଲ ଦେଇ ଧୋଇ ସ୍ୱାସ୍ଥ୍ୟରକ୍ଷା କରିବା ସକାଶେ ଉପଦେଶ ବିନାମୂଲ୍ୟରେ ପ୍ରଦତ୍ତ ହେଉଅଛି । ଯେଉଁମାନେ ଛିଣ୍ଡା କରିଆ ପିନ୍ଧି ଅଣ୍ଟାଏ ପାଣିରେ ଛିଡ଼ା ହୋଇ ସଡ଼ା ପାଣିରେ ଝୋଟ କାଚନ୍ତି, ଅଥବା ପାଣିରେ ତିନ୍ତି ଓ ଖରାରେ ଜଳି ପୋଡ଼ି ହଳ କରନ୍ତି କିମ୍ବା ଧାନ କାଟନ୍ତି, ସେମାନଙ୍କୁ ‘ଲଣ୍ଠନ୍ ଲେକ୍ଚର’ (Lanthern lecture) ଦେଇ ମଶାରି ବ୍ୟବହାରର ଉପଯୋଗିତାର ଉପଦେଶ ‘ଖଇରାତ’ ହେଉଅଛି । ଯେଉଁମାନେ ଦୁଇବେଳ ପେଟ ପୂରାଇ ଖାଇବାକୁ ପାଆନ୍ତି ନାହିଁ, ସେମାନଙ୍କୁ ପ୍ରାଥମିକ ଶିକ୍ଷା ଦେଇ ସ୍ୱାସ୍ଥ୍ୟରକ୍ଷା କିମ୍ବା ହାଇଜିନ୍ରେ ପଣ୍ଡିତ ବନାଇବାର ସାଧୁ ଚେଷ୍ଟା ହେଉଅଛି । ହାଟ କିମ୍ବା ଗ୍ରାମରେ ଶସ୍ୟର ମୂଲ୍ୟ ଟଙ୍କାକ ସ୍ଥାନରେ ଚାରିଅଣା ହୋଇଅଛି ବୋଲି ଯେଉଁମାନେ ଟଙ୍କାର ମୁହଁ ଦେଖୁ ନାହାନ୍ତି ସେମାନଙ୍କୁ ଯୌଥପ୍ରଥାରେ କୁଟୀରଶିଳ୍ପର ପୁନରୁଦ୍ଧାର ସକାଶେ ଆହ୍ୱାନ କରାଯାଉଅଛି । ଅପରଂ କିଂ ଭବିଷ୍ୟତି !

 

ଦରିଦ୍ର ଋଣଭାରଗ୍ରସ୍ତ ଅନଶନକ୍ଲିଷ୍ଟ, ମାଲେରିଆ ଜର୍ଜରିତ ଗ୍ରାମବାସୀମାନଙ୍କୁ ଯେବେ ପ୍ରକୃତରେ ବଞ୍ଚାଇବାର ଇଚ୍ଛା ଜାଗ୍ରତ ହୋଇଥାଏ, ତାହା ହେଲେ ଏହି ସମସ୍ତ ଉଦ୍ଭଟ କଳ୍ପନା ଛାଡ଼ି ବାସ୍ତବ ଜଗତକୁ ଓହ୍ଲାଇ ଆସିବାକୁ ହେବ । ଜମିଦାରଙ୍କୁ ଗ୍ରାମକୁ ଯାଇ ବାସ କରିବାକୁ ହେବ, ଜମିଦାରୀ ସ୍ୱୟଂ ବୁଝିବାକୁ ହେବ, ଦରିଦ୍ର ପ୍ରଜାର ସୁଖ ଦୁଃଖ କଥା, ଅଭାବ ଅଭିଯୋଗ କଥା ଶୁଣି ସଙ୍ଗେ ସଙ୍ଗେ ପ୍ରତୀକାର କରିବାକୁ ହେବ । ବୃକ୍ଷରୋପଣ, ପୁଷ୍କରିଣୀ ପ୍ରତିଷ୍ଠା, ଜଳସତ୍ର, ଅନ୍ନସତ୍ର ସ୍ଥାପନ ପ୍ରଭୃତି ସଦନୁଷ୍ଠାନସମୂହ ସାଧ୍ୟ ଓ ସମ୍ଭବାନୁସାରେ ପୁନରୁଜ୍ଜୀବିତ କରିବାକୁ ହେବ । ଏବଂ ଏ ସମସ୍ତ ବିଷୟରେ ସରକାରଙ୍କୁ ଜମିଦାରମାନଙ୍କର ସହାୟତା କରିବାକୁ ହେବ । ଏ କାଳରେ ଜମିଦାରମାନଙ୍କର ଆର୍ଥିକ ଅବସ୍ଥା ସଙ୍ଗତିପନ୍ନ ନୁହେ, ଏ କଥା ସ୍ମରଣ ରଖି ସେମାନଙ୍କୁ ଉପଯୁକ୍ତ କ୍ଷେତ୍ରରେ ପ୍ରାପ୍ୟ ଛାଡ଼ ଦେବାକୁ ହେବ । ଏ ସମସ୍ତ କ୍ଷତ୍ରରେ ସହଯୋଗ ଓ ସାହଚର୍ଯ୍ୟ ସକାଶେ ସରକାର ପକ୍ଷରୁ ଆନ୍ତରିକ ଆହ୍ୱାନ ଅତ୍ୟାବଶ୍ୟକ । ପୂଜାପାର୍ବଣରେ ଆମ୍ଭମାନଙ୍କ ଦେଶର ବ୍ରାହ୍ମଣ ପଣ୍ଡିତବର୍ଗ ଯେପରି ଦେବତାଙ୍କର ପ୍ରୀତ୍ୟର୍ଥରେ ଖାଣ୍ଟି ଦେଶୀୟ ଉପଚାର ଓ ଉପକରଣ ନ ହେଲେ ଗ୍ରହଣ କରନ୍ତି ନାହିଁ, ସେଭଳି ଦୃଢ଼ସଙ୍କଳ୍ପ ହୋଇ ଦେଶଜାତ ପଣ୍ୟର ବ୍ୟବହାରକୁ ଧର୍ମକାର୍ଯ୍ୟରେ ଅନ୍ତର୍ଗତ ବୋଲି ଗ୍ରହଣ କରିବାକୁ ହେବ । ଏ ସମସ୍ତ ଚଳିଗଲେ ଏ ଦେଶର କୁଟୀରଶିଳ୍ପର ନବଜୀବନ ଲାଭ ସମ୍ଭବପର । ମେଗାସ୍ଥିନିସ୍ ବହୁ ପ୍ରାଚୀନଯୁଗରେ ଏ ଦେଶରେ ସେ ଦେଶର Trade guild (ବ୍ୟବସାୟି ବା ହାଟୁଆସମାଜ) ର ଅନୁରୂପ ଯେଉଁ caste guild (ଜାତି ଭାଇ ସମାଜ) ଦେଖି ମୁଗ୍ଧ ହୋଇଥିଲେ, ସେହି ଜାତି ମାତ୍ରର ହିଁ ବିଶିଷ୍ଟ ବିଶିଷ୍ଟ ପେଶାର ପୁନରୁଦ୍ଧାର ହେଲେ ପୁଣି ଦେଶ ବଞ୍ଚିଯିବ, ଗ୍ରାମ ଓ ଜାତି ବଞ୍ଚିଯିବ । ଏ ସମସ୍ତ ହେଲା ଉତ୍ତାରୁ ଅବୈତନିକ ପ୍ରାଥମିକ ଶିକ୍ଷା ବାଧ୍ୟତାମୂଳକ ହେଉ ଅଥବା ହାଇଜିନ୍ (ସ୍ୱାସ୍ଥ୍ୟରକ୍ଷା) ଶିକ୍ଷା ଦିଆଯାଉ, ତାହା ସର୍ବାଂଶରେ ଶ୍ରେୟଃ ।

 

(୧୨)

 

ପଲ୍ଲୀ ଗ୍ରାମର ଅସ୍ୱାସ୍ଥ୍ୟକରତା ନିବନ୍ଧନ ଆମ୍ଭମାନଙ୍କ ଦେଶର ଓ ସମାଜର ଯେ କେତେ କ୍ଷତି ହେଉଅଛି, ତାହା ଅନେକେହିଁ ଉପଲବ୍ଧ କରିବାକୁ ଅସମର୍ଥ । ଦୁର୍ଭାଗ୍ୟକ୍ରମେ ଏ ବିଷୟରେ ସମସ୍ତଙ୍କର ଚୌତନ୍ୟଶକ୍ତି ଉଦ୍ବୁଦ୍ଧ ହେଉ ନାହିଁ । ପଲ୍ଲୀଗ୍ରାମସ୍ଥ ଲୋକଙ୍କର ଯେତେବେଳେ ପୁତ୍ର, କନ୍ୟା, ଜାମାତା, ସ୍ୱାମୀ ପ୍ରଭୃତି ମରିଯାଆନ୍ତି, ସେତେବେଳେ ସେମାନେ କେବଳ ଅଦୃଷ୍ଟକୁ ଧିକ୍କାର ଦେଇ ନିରସ୍ତ ହୁଅନ୍ତି, କିନ୍ତୁ ସେମାନେ ଏକଥା ଏକାବେଳକେ ସ୍ମରଣ କରନ୍ତି ନାହିଁ ଯେ ସ୍ଥଳବିଶେଷରେ ପୁରୁଷକାରଦ୍ୱାରା ଅଦୃଷ୍ଟର ପରିବର୍ତ୍ତନ ସାଧିତ ହୋଇଥାଏ । ଶାସ୍ତ୍ରକାର କହିଅଛନ୍ତି, ଯେପରି ଗୋଟିଏ ମାତ୍ର ଚକଦ୍ୱାରା କୌଣସି ଯାନର ଗତି ହୋଇ ନ ଥାଏ, ଯାନକୁ ଠିକଭାବରେ ଚଳାଇବାକୁ ହେଲେ ଯୋଡ଼ିଏ ଚକର ପ୍ରୟୋଜନ; ସେହିପରି ଜୀବନରକ୍ଷା କରିବାକୁ ହେଲେ ଯେପରି ଦୈବ ସେହିପରି ପୁରୁଷକାରର ମଧ୍ୟ ପ୍ରୟୋଜନ । ପୁରୁଷକାର ବ୍ୟତୀତ ଦୈବ ସିଦ୍ଧ ହୁଏ ନାହିଁ । ମତ୍ସ୍ୟପୁରାଣରେ ଲିଖିତ ଅଛି ଯେ ମତ୍ସ୍ୟରୂପୀ ଭଗବାନଙ୍କ ନିକଟରେ ଦୈବ ଏବଂ ପୁରୁଷକାର ମଧ୍ୟରେ କିଏ ଶ୍ରେଷ୍ଠ ଏହି ପ୍ରଶ୍ନ ମନୁ ପଚାରିଥିଲେ । ଏହାର ଉତ୍ତରରେ ମତ୍ସ୍ୟରୂପୀ ଭଗବାନ କହିଥିଲେ ଯେ, ଯେଉଁମାନେ ମଙ୍ଗଳାଚାରଯୁକ୍ତ ଏବଂ ନିତ୍ୟଉତ୍ଥାନଶୀଳ ସେମାନଙ୍କର ଯେବେ ଦୈବ ଅର୍ଥାତ୍ ଅଦୃଷ୍ଟ ପ୍ରତିକୂଳ ଥାଏ, ତାହାହେଲେ ସେହି ଦୈବର ବଳ ପୁରୁଷକାରଦ୍ୱାରା ନଷ୍ଟ ହୋଇଯାଏ । ଅର୍ଥାତ୍ ଯେଉଁମାନେ ସମାଜର ଓ ଦେଶର ମଙ୍ଗଳକର କାର୍ଯ୍ୟରେ ଆତ୍ମନିୟୋଗ କରନ୍ତି, ଏବଂ ଦେଶର ଓ ସମାଜର ଉନ୍ନତିସାଧନସକାଶେ ସର୍ବଦା ଚେଷ୍ଟା କରନ୍ତି, ସେମାନଙ୍କର ଅଦୃଷ୍ଟରେ ଯେବେ ଦୁଃଖ କଷ୍ଟ ଥାଏ, ତାହାହେଲେ ସୁଦ୍ଧାସେମାନଙ୍କର କୃତକର୍ମ ଫଳରୁ ସେହି ଅଦୃଷ୍ଟ ଲିଖିତ ଦୁଃଖ ମଧ୍ୟ ଖଣ୍ଡିତ ହୋଇଯାଏ । ଯେଉଁମାନେ ଶାସ୍ତ୍ରର ଦ୍ୱାହି ଦେଇ କେବଳ ‘‘କପାଳଂ କପାଳଂ କପାଳଂ ହିମୂଳଂ’’ ବୋଲି ରୋଦନ କରନ୍ତି, ଏବଂ ନିଶ୍ଚେଷ୍ଟ ହୋଇ ବସି ରହନ୍ତି, ସେମାନେ ଶାସ୍ତ୍ରର ଉପଦେଶକୁ ଅତ୍ୟନ୍ତ ଭ୍ରମ ପୂର୍ଣ୍ଣରୂପେ ବୁଝିଥାଆନ୍ତି । ଶାସ୍ତ୍ର ଦୈବକୁ ବଳବାନ୍ କହିଲେ ମଧ୍ୟ ଏ କଥା ସ୍ପଷ୍ଟ କହିଅଛନ୍ତି ଯେ, କେବଳ ଦୈବ ଉପରେ ନିର୍ଭର କରି ରହିବା ଅନୁଚିତ । ଯେଉଁମାନେ ଦେଶର ଓ ସମାଜର ମଙ୍ଗଳକାମୀ ଏବଂ ଉନ୍ନତି ସକାଶେ ଉଚ୍ଛୂକ, ସେମାନଙ୍କର ପୁରୁଷକାର ପ୍ରତି ଯତ୍ନ କରିବା ସର୍ବତୋଭାବରେ ବିଧେୟ ।

 

ମିଶର, ହଙ୍ଗ୍କଙ୍ଗ୍ଏବଂ ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ଦେଖାଯାଇଅଛି ଯେ ମନୁଷ୍ୟର ଚେଷ୍ଟାଦ୍ୱାରା ସେ ସ୍ଥାନମାନଙ୍କରୁ ମାଲେରିଆ ଏକାବେଳକେ ନିର୍ବାସିତ ହୋଇଅଛି । ପାନାମା କେନାଲ ଅଞ୍ଚଳରେ କିଛିକାଳ ପୂର୍ବେ ମାଲେରିଆର ପ୍ରକୋପ ଅତ୍ୟଧିକ ଥିଲା । ପାନାମା ଯୋଜନାରେ କେନାଲ ଖନିତ ହେବା ଉତ୍ତାରୁ ସେହି ଅଞ୍ଚଳରୁ ମାଲେରିଆ ଏବଂ ପୀତଜ୍ୱର (Yellow fever) ବାହିତ ହୋଇ ନାନା ଦେଶରେ ବିସର୍ପିତ ହୋଇଗଲା; କିନ୍ତୁ ବର୍ତ୍ତମାନ ମାନବର ଚେଷ୍ଟା ଏବଂ ବ୍ୟବସ୍ଥା ପ୍ରଭାବରୁ ସେହି ଅଞ୍ଚଳରୁ ମାଲେରିଆ ଓ ପୀତଜ୍ୱର ନିର୍ବାସିତ ହୋଇଅଛି । ଇଂଲଣ୍ଡର ଏସେକ୍ସ ଅଞ୍ଚଳରେ ଏକ ସମୟରେ ମାଲେରିୟା ଏତେ ପ୍ରବଳହୋଇଥିଲା ଯେ ଅନ୍ୟ ଅଞ୍ଚଳରୁ ସେଠାକୁ ଲୋକେ ଗଲେ ସେମାନେ ଅଧିକ ଦିନ ବଞ୍ଚୁ ନ ଥିଲେ । ବର୍ତ୍ତମାନ ସେ ଅଞ୍ଚଳରେ ମାଲେରିଆର ଚିହ୍ନ ମାତ୍ର ନାହିଁ । ଜଳ ନିର୍ଗମନର ସୁବ୍ୟବସ୍ଥା କରି ଏହି ସ୍ୱାସ୍ଥ୍ୟୋନ୍ନତି ସଂଘଟିତ ହୋଇଅଛି । କପାଳର ଦୁଃଖ ଯେବେ ଅଖଣ୍ଡନୀୟ ହୁଅନ୍ତା, ତାହାହେଲେ ଲୋକେ ମାଲେରିଆ ପ୍ରପୀଡ଼ିତ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ ମାଲେରିଆରେ ପଡ଼ନ୍ତି ନାହିଁ ଏବଂ ମରନ୍ତି ନାହିଁ କାହିଁକି ? ଜ୍ୟୋତିଷଶାସ୍ତ୍ର କହୁଅଛି, ବ୍ୟାଧିପୀଡ଼ିତ ସ୍ଥାନରେ ବାସ କଲେ ସାମାନ୍ୟ ରିଷ୍ଟରେ ମଧ୍ୟ ଲୋକେ ମୃତ୍ୟୁମୁଖରେ ପତିତ ହୁଅନ୍ତି ।

 

ଦେଶରୁ ମାଲେରିଆ ନିର୍ବାସିତ ହେବା ସକାଶେ ସମବେତ ଚେଷ୍ଟାର ଅତ୍ୟନ୍ତ ପ୍ରୟୋଜନ । ନତୁବା ଆମ୍ଭେମାନେ ସମସ୍ତେ ଅକାଳ ମୃତ୍ୟୁପଥର ଯାତ୍ରୀ ହେବୁଁ ଏହା ନିଶ୍ଚିତ । ସମସ୍ତଙ୍କର ବ୍ୟକ୍ତିଗତ ପ୍ରାଧାନ୍ୟଲାଭର ଲୋଭ ତ୍ୟାଗ କରି, ଦଳଗତ ହିଂସା ବିଦ୍ୱେଷ ତ୍ୟାଗ କରି ଆତ୍ମରକ୍ଷା ସକାଶେ ସମବେତ ଆତ୍ମନିୟୋଗ ଅତ୍ୟାବଶ୍ୟକ । ଏହା ସକାଶେ କାର୍ପଣ୍ୟ ନ କରି ସଂଘବଦ୍ଧ ଭାବରେ ଅର୍ଥବିନିୟୋଗର ପ୍ରୟୋଜନ । ଦେଶର ଧନୀ ଓ ମଧ୍ୟବିତ୍ତ ସମ୍ପ୍ରଦାୟ ଯେଉଁମାନେ ସହରର ଅଧିବାସୀ, ସେମାନେ ଯେବେ ପୁରୁଷାନୁକ୍ରମେ ମାଲେରିଆରୁ ନିଷ୍କୃତିଲାଭ ସକାଶେ ଇଚ୍ଛୁକ ହୁଅନ୍ତି, ତେବେ ଏହି କାର୍ଯ୍ୟରେ ଆତ୍ମନିୟୋଗ କରନ୍ତୁ । ଏହି ବିଷୟରେ କାର୍ଯ୍ୟ କରିବାକୁ ହେଲେ ପାର୍ଶ୍ୱବର୍ତ୍ତୀ କେତେଗୁଡ଼ିଏ ଗ୍ରାମ ଘେନି ଗୋଟିଏ ଗୋଟିଏ ମଣ୍ଡଳୀ ଗଠିତ କରିବାକୁ ହେବ, ଯୋଗ୍ୟଲୋକଦ୍ୱାରା କେଉଁଭାବରେ କାର୍ଯ୍ୟ ପରିଚାଳିତ ହେବ ତାହାର ବ୍ୟବସ୍ଥା ଆବାଶ୍ୟକ ହେବ । ଏକଥା ସବୁବେଳେ ସ୍ମରଣ ରଖିବା ଆବଶ୍ୟକ ଯେ, ସାଧାରଣର ମଙ୍ଗଳ ନ ହେଲେ ବ୍ୟକ୍ତିଗତ ମଙ୍ଗଳ ସାଧନ ଅସମ୍ଭବ ମାତ୍ର । ସ୍ୱାସ୍ଥ୍ୟର ଉନ୍ନତି ନ ହେଲେ ଅନ୍ୟ ସମସ୍ତ ଉନ୍ନତିର ଆକାଙ୍କ୍ଷା ସ୍ୱପ୍ନରେ ପର୍ଯ୍ୟବସିତ ହୁଏ ।

 

ମାଲେରିଆ ବ୍ୟାଧିର ନିର୍ବାସନ ସଙ୍ଗେ ସଙ୍ଗେ ପଲ୍ଲୀବାସୀମାନଙ୍କର ଜୀବିକାର୍ଜ୍ଜନର ଉପାୟ ଚିନ୍ତା ମଧ୍ୟ ଅତ୍ୟନ୍ତ ପ୍ରୟୋଜନୀୟ । ପଲ୍ଲୀଗ୍ରାମରେ କୃଷିହିଁ ଏକମାତ୍ର ଜୀବିକାର୍ଜ୍ଜନର ଉପାୟ । ମାତ୍ର ସେହି କୃଷିର ମାର୍ଗ ଦିନକୁଦିନ ଅତ୍ୟନ୍ତ ସଙ୍କୀର୍ଣ୍ଣ ହୋଇ ଯାଉଅଛି । ଅନେକ ସ୍ଥାନରେ ଜମି ଅପେକ୍ଷା ଜମିର ଗ୍ରାହକସଂଖ୍ୟା ଅତ୍ୟନ୍ତ ବୃଦ୍ଧି ପାଉଅଛି । ବହୁ କୃଷକଙ୍କର ନିଜସ୍ୱ ଜମି ଏତେ ଅଳ୍ପ ହୋଇଯାଇଅଛି ଯେ, ତହିଁରେ କୃଷିକାର୍ଯ୍ୟ କରି ସେମାନଙ୍କର ବର୍ଷକର ଉଦରାନ୍ନର ସଂସ୍ଥାନ କରିବା କଠିନ । ଜମିମାନ ଅନେକ ଖଣ୍ଡରେ ବିଭକ୍ତ ହୋଇ ଦରିଦ୍ର କୃଷକଙ୍କ ସଂଖ୍ୟା ବୃଦ୍ଧି ପାଉଅଛି । ଏକଆଡ଼େ ଏହି ବ୍ୟାପାର, ଅନ୍ୟଆଡ଼େ ଲୋକ ସଂଖ୍ୟାର ହ୍ରାସ ହେବାରୁ ଅନେକ ଗ୍ରାମ ଉତ୍ସନ୍ନ ହୋଇ ଯାଉଅଛି, ଅନେକ ଜମି ପଡ଼ିଆସ୍ୱରୂପ ପଡ଼ି ରହିଅଛି । ପଡ଼ିଆ ଜମିଗୁଡ଼ିକ ଅରଣ୍ୟାକୀର୍ଣ୍ଣ ହେବାରୁ ତାହାକୁ ଚାଷର ଉପଯୋଗୀ କରିବା ବ୍ୟୟସାଧ୍ୟ ହୋଇଅଛି । ସେହି ସମସ୍ତ ସ୍ଥାନ ପରିଷ୍କାର କରି କୃଷକର ଉପଯୋଗୀ କରିବାକୁ ବହୁଳ ଅର୍ଥର ପ୍ରୟୋଜନ । ଅନେକେ ଅନୁମାନ କରିଥାଆନ୍ତି ଯେ, ଜମିଦାରମାନଙ୍କ ଦ୍ୱାରା ଏହି କାର୍ଯ୍ୟ ସାଧିତ ହୋଇ ପାରେ, ମାତ୍ର ଏହା ବିଷମ ଭ୍ରମ । ଆମ୍ଭେମାନେ ଅନେକ ସମୟରେ ଜମିଦାରମାନଙ୍କର ଆର୍ଥିକ ଅବସ୍ଥା ସମ୍ବନ୍ଧରେ ଅତ୍ୟନ୍ତ ଭ୍ରାନ୍ତ ଧାରଣା ପୋଷଣ କରିଥାଉଁ । ଅନେକେ ନାମମାତ୍ର ଜମିଦାରଙ୍କର ଅବସ୍ଥା ସଙ୍ଗତସମ୍ପନ୍ନ ପ୍ରଜାଙ୍କ ଅପେକ୍ଷା ଅତ୍ୟନ୍ତ ହୀନ । ଅନେକ ଜମିଦାର ବାହାରର ଠାଣି ଠିକ୍ ଭାବରେ ରଖିଲେ ମଧ୍ୟ ଏକାବେଳକେ ନିଃସ୍ୱ, ପୁଣି ଅନେକ ଜମିଦାର ବାହାରର ଜମିଦାରିଆ ଠାଣି ରଖିବାକୁ ସୁଦ୍ଧା ଅସମର୍ଥ, ଏହି ପ୍ରକାର ଜମିଦାରଙ୍କ ଦ୍ୱାରା ଏହି ପଡ଼ିଆ ଜମିଗୁଡ଼ିକର ଉଦ୍ଧାର ସାଧନ ଅସମ୍ଭବ । ବିଶେଷତଃ ସେହି ସମସ୍ତ ପଡ଼ିଆ ଜମିର ଉଦ୍ଧାର ସାଧନ କରିବାକୁ ହେଲେ ଯେଉଁ ପରିମାଣ ଅର୍ଥବ୍ୟୟର ପ୍ରୟୋଜନ, ତହିଁରେ ସେହି ଜମିଗୁଡ଼ିକ ପ୍ରଜାମାନଙ୍କୁ ସଲାମି ନେଇ ଚାଷ କରିବାକୁ ଅନୁମତି ଦେଲେ, ବ୍ୟୟିତ ଅର୍ଥର ସୁଧ ସୁଦ୍ଧା ମିଳିବା କଠିନ । ପୁଣି ପାର୍ଶ୍ୱବର୍ତ୍ତୀ ଜମିର ଦର ଅନୁସାରେ ଖଜଣା ଧାର୍ଯ୍ୟ ନ କଲେ ପ୍ରଜା ନିକଟରୁ ସେହି ଖଜଣା ଆଦାୟ ହେବା ଅସମ୍ଭବ; ସୁତରାଂ ଜମିଦାରମାନେ ସେହି ସମସ୍ତ ଅରଣ୍ୟାବୃତ ଜମିଗୁଡ଼ିକ ପରିଷ୍କାର କରିବାକୁ ଅନିଚ୍ଛୁକ । ଅନେକ ପ୍ରଜା ଜମି ପାଇବା ସକାଶେ ବ୍ୟାକୁଳ ସତ୍ୟ, କିନ୍ତୁ ସେମାନଙ୍କର ସେଭଳି ଅରଣ୍ୟାବୃତ ଜମିକୁ ଚାଷୋପଯୋଗୀ କରିବାର ସାମର୍ଥ୍ୟ ନାହିଁ ବୋଲି ସେମାନେ ମଧ୍ୟ ପଡ଼ିଆ ଜମିଗୁଡ଼ିକ ଅପେକ୍ଷାକୃତ ଅଳ୍ପ ଖଜଣାରେ ପଟ ନେବାକୁ ଅନିଚ୍ଛକ । ମାତ୍ର ଏହି ସମସ୍ତ ପଡ଼ଆ ଜମିଗୁଡ଼ିକର ଉଦ୍ଧାର ସାଧନର ଉପାୟ କଅଣ ?

 

ଲେଖକର ବିଶ୍ୱାସ ଯେ, ମଧ୍ୟବିତ୍ତ ସନ୍ତାନଗଣ ଯେବେ ସମ୍ମିଳିତ ହୋଇ ଏହିପରି କାର୍ଯ୍ୟରେ ଆତ୍ମନିୟୋଗ କରନ୍ତି, ତାହା ହେଲେ ଏ ବିଷୟରେ କିୟତ୍ ପରିମାଣରେ ସୁବିଧା ହୋଇ ପାରିବ । ଅନୁନ୍ନତ ଜାତିମାନଙ୍କୁ ଘେନି ମଧ୍ୟବିତ୍ତ ସମ୍ପ୍ରଦାୟ ସଂଘବଦ୍ଧ ଓ ସମ୍ମିଳିତଭାବରେ ଏଥିରେ ଚେଷ୍ଟା କରିବା ଉଚିତ ।

 

ଦ୍ୱିତୀୟତଃ କୃଷିର ଉନ୍ନତିସାଧନ କରିବାକୁ ହେଲେ ଶିକ୍ଷିତ ସନ୍ତାନବର୍ଗଙ୍କର କୃଷିକାର୍ଯ୍ୟରେ ଆତ୍ମନିୟୋଗ କର୍ତ୍ତବ୍ୟ । ଅବଶ୍ୟ ଏ ଦେଶର ଲୋକଙ୍କୁ ପାଶ୍ଚାତ୍ୟପଦ୍ଧତି ଅନୁସାରେ କୃଷିକାର୍ଯ୍ୟ ପରିଚାଳନ କରିବାକୁ ଉପଦେଶ ଦେବା ଉଷୁଆଁ ଧାନରୁ ଗଜା ବାହାରିବା ଭଳି । କିନ୍ତୁ ଅଧୁନା ବୈଜ୍ଞାନିକ ଅନୁସନ୍ଧାନ ଫଳରୁ କୃଷିସମ୍ପର୍କୀୟ ଯେଉଁ ସମସ୍ତ କଲ୍ୟାଣକର ତଥ୍ୟ ଆବିଷ୍କୃତ ହୋଇଅଛି, ଆମ୍ଭମାନଙ୍କ ଦେଶୀୟ ପ୍ରଥା ସହିତ ସାମଞ୍ଜସ୍ୟ ବିଧାନ କରି ତାହା ଗ୍ରହଣ କରିବା ଏକାନ୍ତ କର୍ତ୍ତବ୍ୟ । ଶିକ୍ଷିତ ସନ୍ତାନବର୍ଗ ଏହି କୃଷିକାର୍ଯ୍ୟରେ ଆତ୍ମନିୟୋଗ କଲେ ଏ କାର୍ଯ୍ୟ ସହଜରେ ସାଧିତ ହେବ ।

 

ଆମ୍ଭମାନଙ୍କ ଦେଶରେ ଏକ ସମୟରେ ଫଳାହାର ବିଶେଷ ଅସାଧାରଣ ବ୍ୟାପାର ନ ଥିଲା । ତାହା ପୂର୍ବେ ଲୋଭନୀୟ ବ୍ୟାପାର ସ୍ୱରୂପ ଥିଲା, ବର୍ତ୍ତମାନ ସୁଦ୍ଧା ରହିଅଛି, କିନ୍ତୁ ପୂର୍ବର ଫଳାହାର ସହିତ ବର୍ତ୍ତମାନର ଫଳାହାର ସଙ୍ଗେ ସ୍ୱର୍ଗ ମର୍ତ୍ତ୍ୟର ପ୍ରଭେଦ । ବର୍ତ୍ତମାନ ବ୍ରାହ୍ମଣଭୋଜନ ସକାଶେ ଫଳାହାରର ବ୍ୟବସ୍ଥା–ପୁରି, ମିଠେଇ, ତରକାରୀ ପ୍ରଭୃତିରେ ପର୍ଯ୍ୟବସିତ; କିନ୍ତୁ ପୂର୍ବେ ବାସ୍ତବ ଫଳାହାରହିଁ ଥିଲା । ସେତେବେଳେ ବ୍ରାହ୍ମଣମାନଙ୍କର ଫଳାହାର ବ୍ୟବସ୍ଥାରେ ସେମାନେ କେବଳ ଫଳହିଁ ଖାଉଥିଲେ ଏବଂ ତାହା ସହିତ ଦଧି ଓ ମିଷ୍ଟାନ୍ନ ଆହାର କରି ‘ମଧୁରେଣ ସମାପୟେତ୍’ କରୁଥିଲେ । ବର୍ତ୍ତମାନ ଆଉ ସେଦିନ ନାହିଁ । ଏହାରି ଫଳରୁ ଆମ୍ଭମାନଙ୍କୁ ଅନେକ ରୋଗ ଭୋଗ କରିବାକୁ ହେଉଅଛି, ଅନେକ ମାନବଜୀବନ ଅକାଳରେ କାଳଗ୍ରାସରେ ପତିତ ହେଉଅଛି । ପ୍ରଧାନ କଥା ଏହି ଯେ, ତଟକା ଫଳ ଭଳି ମାନବର ହିତକର ଖାଦ୍ୟ ଆଉ କିଛି ନାହିଁ । ପୂର୍ବେ ଲୋକମାନେ ତଟକା ଗଛପାଚିଲା ଫଳ ଖାଉଥିଲେ ବୋଲି ଦୀର୍ଘଜୀବୀ ହେଉଥିଲେ । ବର୍ତ୍ତମାନ ସମୟରେ ଲୋକଙ୍କର ରସନା ବିରାଡ଼ି, ମୂଷା, ଗୋରୁ, ଶୂକର ଓ ସାପ ପ୍ରଭୃତି ମୃତ ଜନ୍ତୁମାନଙ୍କର ଚର୍ବିମିଶ୍ରିତ ଘୃତରେ ପ୍ରସ୍ତୁତ ପୁରି ଏବଂ ଅଖାଦ୍ୟ ମିଷ୍ଟାନ୍ନ ଭୋଜନ ସକାଶେ ଯେଉଁପରି ଳାଳାୟିତ ହୁଏ, ସେ କାଳର ଲୋକଙ୍କର ତାହା ହେଉ ନ ଥିଲା; ଏହି ହେତୁରୁ ସେମାନେ ଏକାଳର ଲୋକଙ୍କ ଭଳି ଅମ୍ଳ,, ଅଜୀର୍ଣ୍ଣ, ଉଦରମୟ ପ୍ରଭୃତି ରୋଗର ଯନ୍ତ୍ରଣାରେ କାତର ହେଉ ନ ଥିଲେ । ଫଳାହାର ସମ୍ବନ୍ଧରେ ଜଣେ ପ୍ରବୀଣ ଓ ବହୁଦର୍ଶୀ ଡାକ୍ତରଙ୍କର ମନ୍ତବ୍ୟ ସଂକ୍ଷେପରେ ଏଠାରେ ପ୍ରଦତ୍ତ ହେଲା l ଡାକ୍ତର ମହାଶୟ କହିଅଛନ୍ତି, ଅମ୍ଳରସଯୁକ୍ତ ଫଳ ଖାଇଲେ ଲୋକଙ୍କର ବିଶେଷଭାବରେ ଉପକାର ହୋଇଥାଏ । ଫଳର ଅମ୍ଳରସ ଜଠରାଗ୍ନି (Gastric juice) କୁ ଉଦ୍ଦୀପ୍ତ କରିଥାଏ । ପରିପାକ ସକାଶେ ଏହାର ପ୍ରୟୋଜନୀୟତା ଅତ୍ୟନ୍ତ ଅଧିକ । ଦ୍ୱିତୀୟତଃ ତଟକା ସୁପକ୍ୱ ଫଳର ଅମ୍ଳରସ ପାକସ୍ଥଳୀର ପରିପାକ କାର୍ଯ୍ୟ ସାଧକ ଅମ୍ଳର ଅଭାବକୁ ବିଶେଷ ଭାବରେ ପୂର୍ଣ୍ଣ କରିଥାଏ, ସୁତରାଂ ଯେଉଁମାନଙ୍କର ପରିପାକଶକ୍ତିର ଅଭାବ ଅର୍ଥାତ୍ ଯେଉଁମାନଙ୍କର ଜଠରସ୍ଥ ରସରେ ହାଇଡ୍ରୋକ୍ଳୋରିକ୍ ଏସିଡ଼୍ର ଅଭାବ, ସେମାନଙ୍କ ପକ୍ଷରେ ଫଳ ଆହାର ଭଳି ଉପକାର ଆଉ କାହିଁ ରେ ନାହିଁ । ଜଠରସ୍ଥ ରସରେ ଯେଉଁ ଅମ୍ଳ ଥାଏ, ତାହା ପାଚକ ରସସାର(ପେପ୍ ସିନ) କୁ ଉଦ୍ଦ୍ରିକ୍ତ କରି ଭୁକ୍ତାନ୍ନକୁ ପରିପାକ କରିଦିଏ–ତଟକା ଫଳର ଅମ୍ଳରସରେ ସେହି ଗୁଣଟିକ ଅତ୍ୟନ୍ତ ଅଧିକ ପରିମାଣରେ ରହିଅଛି; ସୁତରାଂ ଯେତେଥର ଯାହା ଖାଇବ, ସେତେଥର ଭୋଜନ ସମୟରେ କିଛି ଫଳ ଖାଇବାହିଁ କର୍ତ୍ତବ୍ୟ ।

 

ସାଧାରଣ ଲୋକଙ୍କର ଗୋଟିଏ ବିଶ୍ୱାସ ରହିଅଛି ଯେ, ଯେଉଁମାନଙ୍କର ବାତବ୍ୟାଧି ଏବଂ ଇଉରିକ୍ ଏସିଡ଼୍ (ମୁତ୍ରାମ୍ଲ) ଘଟିତ ରୋଗ ଅଛି, ଖଟାଫଳ ଖାଇଲେ ସେମାନଙ୍କର ଅପକାର ହୋଇଥାଏ ମାତ୍ର ଏହା ବିଷମ ଭ୍ରମ । ବୈଜ୍ଞାନିକମାନେ ଦେଖାଇଅଛନ୍ତି ଯେ, ଫଳର ରସରେ ପଟାସ୍ ଏବଂ ସୋଡା ଅଛି; ତାହା ଦେହରୁ ଇଉରିକ୍ ଏସିଡ଼୍କୁ ଦୂର କରିଦିଏ; ସୁତରାଂ ଫଳ ଖାଇଲେ ସେହିପରି ବ୍ୟାଧିଗ୍ରସ୍ତ ଲୋକଙ୍କର ଅପକାର ହେବା ଦୂରେ ଥାଉ, ଅନେକ ଉପକାର ହୋଇଥାଏ । କ୍ଷୁଦ୍ର କ୍ଷୁଦ୍ର ସୁଗୋଲ ଫଳରେ ଯେଉଁ ଅମ୍ଳ ଓ ଶର୍କରା ଅଛି, ତହିଁରେ ଅନ୍ତ୍ର (Intestine) ର କାର୍ଯ୍ୟକାରୀ ଶକ୍ତି ବର୍ଦ୍ଧିତ ହୋଇଥାଏ, କିନ୍ତୁ ତହିଁରେ କୌଣସି ପ୍ରକାର ପ୍ରଦାହ ଉତ୍ପନ୍ନ ହୁଏ ନାହିଁ । ମଳନିଃସାରକ ଔଷଧ ମାତ୍ରହିଁ ଅନ୍ତ୍ରର ପ୍ରଦାହ ଉତ୍ପନ୍ନ କରେ, ସୁତରାଂ ତାହା ଅଧିକ ଦିନ ବ୍ୟବହାର କଲେ ନାନାବିଧ ଉଦରାମୟ ଜାତ ହୁଏ । ଭଇଞ୍ଚିକୋଳି, କଣ୍ଟେଇକୋଳି, ନଅରକୋଳି ଖାଇଲେ ମଧ୍ୟ ଉପକାର ହେବ । ମାତ୍ର ଏ ଗୁଡ଼ିକର ମଞ୍ଜିଗୁଡ଼ିକ କାଢ଼ି ପକାଇ ଦେବାକୁ ହେବ ।

 

(୧୩)

 

ଏକ ଏକ ଯୁଗରେ ଗୋଟିଏ ଗୋଟିଏ ଭାବପ୍ରବାହ ବିଶେଷ ବଳ ଭାବରେ ପୃଥିବୀରେ ପ୍ରବାହିତ ହୋଇଥାଏ, ସେହି ଯୁଗଧର୍ମ ଅଳ୍ପାଧିକ ପରିମାଣରେ ପୃଥିବୀର ସର୍ବତ୍ର ସୁପରିସ୍ଫୁଟ ହୋଇଥାଏ । ବର୍ତ୍ତମାନ ଯୁଗରେ ଯେଉଁ ଭାବଟି ପୃଥିବୀର ସର୍ବତ୍ର ବିକାଶ ଲାଭ କରିଅଛି, ତାହା ଦେଶପ୍ରୀତି । ଇଉରୋପ, ଆମେରିକା, ଆଫ୍ରିକା, ଏସିଆ, ସକଳ ମହାଦେଶ ଏକ ନବଜାଗରଣର ଅରୁଣାଲୋକରେ ଉଜ୍ଜ୍ୱଳ ହୋଇ ଉଠିଅଛି । ସମସ୍ତେହିଁ ସ୍ୱଦେଶର ଗରିମାରେ ପ୍ରଭାବାନ୍ୱିତ ହୋଇ ଉଠୁଅଛନ୍ତି । ସମସ୍ତଙ୍କର ଯେପରି ନିଦ୍ରା ଭାଜିଅଛି, ସମସ୍ତେହିଁ ଯେପରି ନୂତନ ଭୂଷଣରେ ଅଳଙ୍କୃତ ହୋଇ ବାହାରକୁ ବାହାରିବା ସକାଶେ ଉନ୍ମୁଖ ।

 

ମାତ୍ର ଏହି ଅତିକ୍ଷୁଦ୍ର ଓଡ଼ିଶା ପ୍ରଦେଶର ଲୋକମାନଙ୍କର ପଦାକୁ ବାହାରିବାର ପରିପୂର୍ଣ୍ଣ ଇଚ୍ଛା ଥିଲେହେଁ ସେମାନଙ୍କର ବାହାରିବାର ଉପାୟ ନାହିଁ । ଆମ୍ଭମାନଙ୍କ ଅନ୍ତରାୟଗୁଡ଼ିକର ଇୟତ୍ତା ନାହିଁ । ଉତ୍ସବପ୍ରାଙ୍ଗଣରେ ପ୍ରବେଶଲାଭ କରିବାକୁ ହେଲେ ଧର୍ମ, ଜ୍ଞାନ, ଅର୍ଥ ଏବଂ ଐକ୍ୟ ଆବଶ୍ୟକ–ମାତ୍ର ଆମ୍ଭମାନଙ୍କର ସେ ସମସ୍ତ କାହିଁ ? କିନ୍ତୁ ଏହି ସମସ୍ତ ଆବଶ୍ୟକୀୟ ଦ୍ରବ୍ୟଲାଭ ପୂର୍ବରୁ ଆଉ ଗୋଟିଏ ଦ୍ରବ୍ୟର ପ୍ରୟୋଜନ–ତାହା ସ୍ୱାସ୍ଥ୍ୟ ଓ ବଳ । ଉତ୍ସବପ୍ରାଙ୍ଗଣ ପର୍ଯ୍ୟନ୍ତ ଯିବା ସକାଶେ ଯେଉଁ ଦୈହିକ ଶକ୍ତିର ଆବଶ୍ୟକ, ତାହା ଆମ୍ଭମାନଙ୍କର କାହିଁ ? କୌଣସି ବସନ ଭୂଷଣରେ ଆମ୍ଭମାନଙ୍କର କୋଟରଗତ ନିଷ୍ପ୍ରଭ ଚକ୍ଷୁ, ରକ୍ତହୀନ ମୁଖ ଓ କଙ୍କାଳସାର ଦେହକୁ ସୁଶୋଭନ କରି ପାରୁ ନାହୁଁ–ଉତ୍ସବକୁ ଯିବୁଁ କିପରି ?

 

ଦେଶର ଚତୁର୍ଦିଗରେ ଯେଉଁ ସମସ୍ତ ସଦନୁଷ୍ଠାନର ସୂତ୍ରପାତ ହେଉଅଛି, ତାହା ଦେଖିଲେ ମନରେ ଆନନ୍ଦ ସଞ୍ଚାର ହେବାହିଁ ସ୍ୱାଭାବିକ । ବିଜ୍ଞାନପ୍ରଚାରର ପନ୍ଥା ସୁବିସ୍ତୀର୍ଣ୍ଣ ହେଉଅଛି । ସମାଜର କୁ–ଆଚାରଗୁଡ଼ିକ ଦୂରୀଭୂତର ଚେଷ୍ଟା ଏବଂ ରାଜନୀତି କ୍ଷେତ୍ରରେ ଉଚ୍ଚାଧିକାରଲାଭର ପ୍ରୟାସ ଏ ସମସ୍ତହିଁ ଆବଶ୍ୟକ; ଏସମସ୍ତ ଚେଷ୍ଟା ଓ ଯତ୍ନରେ ଯେଉଁ ଚିନ୍ତା, ଶ୍ରମ ଓ ଅର୍ଥବ୍ୟୟ ହୁଏ, ତାହା ସାର୍ଥକ, ଏଥିରେ କିଛିମାତ୍ର ସନ୍ଦେହ ନାହିଁ । ଯେତିକି ଯତ୍ନଲଭ୍ୟ, ଯାହା କିଛି ପାଇବା ସକାଶେ ଆମ୍ଭେମାନେ ପ୍ରୟାସୀ ତାହା ଅର୍ଜନ ଏବଂ ଭୋଗ କରିବାପାଇଁ ଏ ଦେଶର ସୁସ୍ଥ, ସବଳ ଏବଂ ଦୀର୍ଘାୟୁ ସନ୍ତାନ ଆବଶ୍ୟକ । କିନ୍ତୁ ହାୟ ! ଉତ୍କଳର ସ୍ୱାସ୍ଥ୍ୟ ଆଡ଼କୁ ଅନାଇଲେ ଆତଙ୍କ ଉପସ୍ଥିତ ହୁଏ ।

 

ଉତ୍କଳର ପଲ୍ଲୀର ସେ ସୌନ୍ଦର୍ଯ୍ୟ, ସେ ଉଚ୍ଚହାସ୍ୟ, ସେ କ୍ରୀଡ଼ା କଳରୋଳ, ସେ ଆତ୍ମୀୟସ୍ୱଜନପରିପୂର୍ଣ୍ଣ ପ୍ରଫୁଲ୍ଲ ସଂସାର, ସେ ଜୀବନ୍ତ ଜୀବନ, ସେ ଆନନ୍ଦ ଉତ୍ସବ, ସେ ପୂଜା ପାର୍ବଣ ପ୍ରଭୃତି କେଉଁ ଆଡ଼େ ଉଭେଇଗଲା ? ଉତ୍କଳର ପଲ୍ଲୀଗ୍ରାମ–ଯାହା ଦିନେ ଉତ୍ସବର ଆନନ୍ଦଭବନ ଥିଲା, ଯେଉଁଠାରେ ଦିନେ ବାଳକର କଳରୋଳରେ, ଯୁବକର ସଙ୍ଗୀତରେ, ବୃଦ୍ଧର କ୍ରୀଡ଼ାରେ ଆନନ୍ଦର ଅସୀମ ପ୍ରସ୍ରବଣ ଉନ୍ମୁକ୍ତ ଥିଲା, ଯେଉଁଠାରେ ଦିନେ କୁଳବଧୂଗଣ ସୁସ୍ଥ, ସୁନ୍ଦର ଦେହରେ ସବଳ ଶିଶୁଙ୍କୁ କ୍ରୋଡ଼ରେ ଧାରଣ କରି ‘‘ଆ ଜହ୍ନମାମୁଁ ଶରଦଶଶୀ’’ କହି ମଧୁରକଣ୍ଠରେ ଆକାଶର ଦେବତାକୁ ମୁଗ୍ଧ କରୁଥିଲେ, ନାରୀଗଣଙ୍କର ବ୍ରତ, ଦେବାର୍ଚ୍ଚନା, ଗୁରୁସେବାରେ ଦେବାଭାବ ଜାଗ୍ରତ ହେଉଥିଲା, ଯୁବକ ଓ ପୌଢ଼ମାନଙ୍କର ଦୋଳଉତ୍ସବର ହୋରିଖେଳରେ, କୀର୍ତ୍ତନ, ଯାତ୍ରା, ପଟୁଆର ପ୍ରଭୃତିରେ ଅନନ୍ତ ସ୍ଫୁର୍ତ୍ତି ମୁଖରିତ ହୋଇ ଉଠୁଥିଲା, ସେହି ପଲ୍ଲୀଗ୍ରାମ ଆଜି ନିରାନନ୍ଦର ଛାୟାରେ ଅନ୍ଧକାରାଚ୍ଛନ୍ନ ହୋଇଅଛି ସିନା ? ସେଠାରେ ଆଜି ଲୋକସଂଖ୍ୟା ବିରଳ ! ଯେଉଁମାନେ ବଞ୍ଚି ରହିଅଛନ୍ତି, ସେମାନେ କଙ୍କାଳସାର, ମ୍ରିୟମାଣ–ଆନନ୍ଦ ଓ ସ୍ଫୁର୍ତ୍ତିର ଚିହ୍ନି ମାତ୍ର ପଲ୍ଲୀଗ୍ରାମରେ ନାହିଁ–ଏହା ଶ୍ମଶାନର ପୂର୍ବାଭାଷ ମାତ୍ର ।

 

କିନ୍ତୁ ଏହା ମଧ୍ୟ ଜାଣିବା ଉଚିତ ଯେ, ଏହି ଅନ୍ଧକାର ମଧ୍ୟରେ ଭଗବଦ୍ଗୀତାରେ ଶ୍ରୀକୃଷ୍ଣ ଆଲୋକ ଦେଖାଇ ଯୁଦ୍ଧଭୂମିର କଳରୋଳ ମଧ୍ୟରେ ତାହାଙ୍କର ବାଣୀ ଉଚ୍ଚାରଣ କରୁଅଛନ୍ତି:–

 

‘‘ମା କ୍ଳୈବ୍ୟଂ ଗଚ୍ଛ କୌନ୍ତେୟ ! ନୈତତ୍ତ୍ୱଯ୍ୟୁପପଦ୍ୟତେ,

କ୍ଷୁଦ୍ରଂ ହୃଦୟଦୌର୍ବଲ୍ୟଂ ତ୍ୱକ୍ତ୍ୱୋଭିଷ୍ଟ ପରନ୍ତପ ।’’

 

କ୍ଳୈବ୍ୟ ପରିହାର କରିବାକୁ ହେବ, କ୍ଷୁଦ୍ର ହୃଦୟଦୌର୍ବଲ୍ୟ ପରିତ୍ୟାଗ କରିବାକୁ ହେବ, ନିଜର ଗୋଡ଼ଉପରେ ଭରା ଦେଇ ଉଠି ଠିଆ ହେବାକୁ ହେବ । ଆମ୍ଭମାନଙ୍କର ଦେଶ ଓ ଜାତି ଉଭେଇ ଯିବାକୁ ବସିଅଛି, ତାକୁ ଉଠାଇ ରଖିବାକୁ ବର୍ତ୍ତମାନ ଆମ୍ଭମାନଙ୍କର ଐକାନ୍ତିକ ସାଧନା ଆବଶ୍ୟକ । ସାଧନାରେ ସିଦ୍ଧି ସୁନିଶ୍ଚିତ ।

 

ମାଲେରିଆ ଜ୍ୱର ଓଡ଼ିଶାରେ ସ୍ଥାୟୀ ହେବାକୁ ବସିଲାଣି । ବିସୂଚିକା ଓ ବସନ୍ତ (ଶୀତଳାଦେବୀ) ସାମୟିକ ବଳି ସଂଗ୍ରହରେ ଲାଗି ଅଛନ୍ତି । ଏସବୁରୁ ପରିତ୍ରାଣ ପାଇବା ସକାଶେ କି ଶିକ୍ଷିତ, କି ଅଶିକ୍ଷିତ, ସମସ୍ତଙ୍କର ସଂଘବଦ୍ଧଭାବରେ ଚେଷ୍ଟା ଆବଶ୍ୟକ, ଏଥିରେ ମତଦ୍ୱୈଧ ହୋଇ ନ ପାରେ । ମାତ୍ର ଶିକ୍ଷିତ ଯେଉଁମାନେ, ସେମାନେ ଅଶିକ୍ଷିତଙ୍କୁ ପଚାରନ୍ତି ନାହିଁ, ଅଶିକ୍ଷିତମାନେ ଶିକ୍ଷିତଙ୍କ ନିକଟକୁ ତାଚ୍ଛଲ୍ୟ ଓ ଅବହେଳା ପ୍ରାପ୍ତି ଆଶଙ୍କାରେ ଯିବାକୁ ଭୟ ଓ ସଂକୋଚ ବୋଧ କରନ୍ତି । ସୁତରାଂ ଏହାର ପ୍ରତୀକାର କଅଣ ?

 

ମାଲେରିଆର ପ୍ରତ୍ୟକ୍ଷ କାରଣ ସମ୍ବନ୍ଧରେ ବର୍ତ୍ତମାନ ବିଜ୍ଞାନ ସ୍ଥିରସିଦ୍ଧାନ୍ତରେ ଉପନୀତ ହୋଇଅଛନ୍ତି । ଏହି ଶବ୍ଦଟି ଇଟାଲୀୟ । ଏହାର ଧାତୁଗତ ଅର୍ଥ ମନ୍ଦପବନ । (Malus–ମନ୍ଦ, Air–ପବନ) । ବୈଜ୍ଞାନିକ ମତରେ ଜୀବାଣୁ ପ୍ରଭୃତିଙ୍କର ଚିକିତ୍ସା ପ୍ରଭୃତି ଯାହା ହେଉ ପଛକେ, ମନ୍ଦ ପବନରୁ ରକ୍ଷା ପାଇବା ସକାଶେ ସଂଘବଦ୍ଧ ଚେଷ୍ଟା ଆବଶ୍ୟକ । ଏହି ଦୂଷିତ ଅଥବା ବିଷାକ୍ତ ବାୟୁରୁ ସମସ୍ତ ରୋଗର ଉତ୍ପତ୍ତି । ଏହା ଦେଶରୁ କେଉଁ ଚେଷ୍ଟା ଦ୍ୱାରା ଦୂର ହୋଇ ପାରେ, ତାହା ସୁଧୀ ମାନଙ୍କର ହିଁ ବିବେଚ୍ୟ ସିନା ।

 

ଗ୍ରାମର ଅଧିବାସୀବର୍ଗ ଯେବେ ମାଲେରିଆ ଦମନରେ ଅଭିଳାଷୀ ହୁଅନ୍ତି, ତାହାହେଲେ ସର୍ବପ୍ରଥମରେ ସେମାନଙ୍କର ମନର ଏକାଗ୍ରତା ଆବଶ୍ୟକ ଏବଂ ସେମାନଙ୍କୁ ପରସ୍ପର ମଧ୍ୟରେ ଦଳଗତ ବିରୋଧ ଓ ସ୍ୱାର୍ଥପରତା ପ୍ରଭୃତି ବିସ୍ମୃତ ହେବାକୁ ହେବ । ଗ୍ରାମ ମଧ୍ୟରେ ବୁଦ୍ଧିମାନ୍, ବଳିଷ୍ଠ ଓ କ୍ଲେଶସହିଷ୍ଣୁ ଅଳ୍ପ ସଂଖ୍ୟକ କେତେକ ଜଣଙ୍କ ଉପରେ ସାଧାରଣତଃ ସକଳ ବିଷୟର ଭାର ଅର୍ପଣ କରିବାକୁ ହେବ । ଯେଉଁ ସମସ୍ତ ଜଳାଶୟ ଗୁଳ୍ମ ଓ ଅରଣ୍ୟାବୃତ, ସେହି ସମସ୍ତ ପୁଷ୍କରିଣୀର ସଂସ୍କାର ଆବଶ୍ୟକ । କିନ୍ତୁ ପଲ୍ଲୀଗ୍ରାମର ପୁଷ୍କରିଣୀ ସଂସ୍କାର ବର୍ତ୍ତମାନ ଏକପ୍ରକାର ଦୁଃସାଧ୍ୟ ହୋଇଅଛି । ଅନେକ ପୁଷ୍କରିଣୀର ଅଧିକାରୀ ବର୍ତ୍ତମାନ ନିଃସ୍ୱ–ସେମାନଙ୍କର ସଂସ୍କାର କରିବାର ସାମର୍ଥ୍ୟ ନାହିଁ । ଏପରି ସ୍ଥଳରେ ଗ୍ରାମର ଅନ୍ୟ ଅଧିବାସିବର୍ଗ ଅପରର ପୁଷ୍କରିଣୀ ସଂସ୍କାର ସକାଶେ କେବେହେଁ ଅର୍ଥବ୍ୟୟ ସ୍ୱୀକାର କରିବେ ନାହିଁ । ପୁଷ୍କରିଣୀର ଅଧିକାରୀମାନେ ସୁଦ୍ଧା ଅପରର ସାହାଯ୍ୟ ନେବାକୁ ପ୍ରସ୍ତୁତ ହୁଅନ୍ତି ନାହିଁ । ଅନେକ ସ୍ଥଳରେ ଗୋଟିଏ ପୁଷ୍କରିଣୀରେ ଅନେକଙ୍କର ଭାଗ ରହିଥିବାରୁ କେହି ସୁଦ୍ଧା ତାହାର ଉନ୍ନତିକଳ୍ପରେ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ବର୍ତ୍ତମାନ ଯୁକ୍ତିତର୍କପାଇଁ ଦିନ ନାହିଁ; ଯେଉଁ ପୁଷ୍କରିଣୀର ସଂସ୍କାର ଗ୍ରାମର ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ, ତାହା ସମସ୍ତଙ୍କୁ ମିଶି କରିବାକୁ ହେବ; ସେଥିରେ ଭାଗର ତର୍କ, ହିନ୍ଦୁ ଓ ମୁସଲମାନମାନ ବିଷୟକ ତର୍କ କରିବାକୁ ଆଉ ଅବସର କାହିଁ ? ପୁଷ୍କରିଣୀ ଅସଂସ୍କୃତ ରହିଲେ ତାହାର ବିଷମୟ ଫଳ ଗ୍ରାମସ୍ଥ ସମସ୍ତଙ୍କୁ ସମାନଭାବରେ ଭୋଗ କରିବାକୁ ପଡ଼ିବ; ସୁତରାଂ ପୁଷ୍କରିଣୀ ସଂସ୍କାରର ଭାର ସମସ୍ତଙ୍କୁ ନେବାକୁ ହେବ । ମାତ୍ର କେଉଁ ପୁଷ୍କରିଣୀର ସଂସ୍କାରଆବଶ୍ୟକ, କେଉଁ ଜଳାଶୟକୁ ଜଳ ପୂର୍ଣ୍ଣ କରିବା ପ୍ରୟୋଜନ, କେଉଁ ସ୍ଥାନରେ ପୟଃପ୍ରଣାଳୀ ଗଠନ କରିବାକୁ ହେବ, କେଉଁଠାରେ ମାଲେରିଆ ଜୀବାଣୁର ନିବାସ, ଏହି ସମସ୍ତ ବିଷୟରେ ସାଧାରଣ ଜ୍ଞାନ ଉପରେ ନିର୍ଭର କରି ଗ୍ରାମବାସୀମାନଙ୍କର କୌଣସି କାର୍ଯ୍ୟରେ ପ୍ରବୃତ୍ତ ହେବାର ସାହସ ନ ହେବା ସଙ୍ଗତ ଓ ସ୍ୱାଭାବିକ । ଗ୍ରାମବାସୀମାନଙ୍କର ଦ୍ୱିତୀୟ ଅସୁବିଧା ଅର୍ଥର ଅନଟନ । ଯେପରି ପଲ୍ଲୀସଂସ୍କାରର ଭାର ଏକ ଦିଗରେ ପଲ୍ଲୀବାସୀଙ୍କ ଉପରେ ନ୍ୟସ୍ତ, ସେହିପରି ଅପର ଦିଗରେ ଯେଉଁମାନେ କୃତବିଦ୍ୟ, ଜ୍ଞାନବୃଦ୍ଧ, ବିଶେଷଜ୍ଞ, ସେମାନେ ପଲ୍ଲୀରୁ ପଳାଇ ସହରକୁ ଆସି ଅର୍ଥ ସଞ୍ଚୟ କଲେ ସେମାନଙ୍କର ସକଳ କର୍ତ୍ତବ୍ୟ ସମ୍ପାଦିତ ହେବ ନାହିଁ । ସହରରେ ଥାଇ ସୁଦ୍ଧା ସେମାନଙ୍କୁ ପଲ୍ଲୀ ଆଡ଼କୁ ଦୃଷ୍ଟି ରଖିବାକୁ ହେବ । ପଲ୍ଲୀବାସୀଙ୍କର ଉଦ୍ୟମ ଓ ଚେଷ୍ଟା ସହିତ ନଗରପ୍ରବାସୀମାନଙ୍କର ସହାନୁଭୂତି ଓ ଜ୍ଞାନର ସମ୍ମେଳନ କରିବାକୁ ହେବ । ଏହି ସମ୍ମେଳନରେ ଦେଶର ସକଳ ଆଶା ଓ ଭରସା ନିହିତ ରହିଅଛି ।

 

ବର୍ତ୍ତମାନ ଯୁଗଧର୍ମ ଆଡ଼କୁ ଲକ୍ଷ୍ୟ କଲେ ଏବଂ ଚତୁର୍ଦିଗରେ ଘୂର୍ଣ୍ଣାୟମାନ କାଳଚକ୍ର ଉପରେ ଦୃଷ୍ଟି ନିକ୍ଷେପ କଲେ ଆଶାରେ ପ୍ରାଣପରିପୂର୍ଣ୍ଣ ହୋଇ ଉଠେ । ମନେ ହୁଏ, ଯେଉଁ ଦିନ ଉତ୍କଳବାସୀ ବିଳାସ–ବ୍ୟସନର କୁହୁକରୁ ମୁକ୍ତ ହେବେ ଏବଂ ଉତ୍କଳର ପଲ୍ଲୀଲକ୍ଷ୍ମୀ ପରିପୂର୍ଣ୍ଣ ପୂର୍ଣ୍ଣିମାର ଅଗାଧ ଅନନ୍ତ ଜ୍ୟୋସ୍ନାସମୁଦ୍ର ମଧ୍ୟରେ ବସି ପଲ୍ଲୀବାସୀଙ୍କର ପୂଜା ଗ୍ରହଣ କରିବେ, ସେଦିନ ଅନତିଦୂର । ସେଦିନ ଦୂରବର୍ତ୍ତୀ ନୁହେ, ଯେ ଦିନ ଏହି ଅସଂଖ୍ୟ ସ୍ରୋତସ୍ୱତୀ–ବିଭୂଷିତା, ଦିଗନ୍ତପ୍ରସାରୀ ହରିତ କ୍ଷେତ୍ରବିମଣ୍ଡିତା, ଅଗଣ୍ୟ ପକ୍ଷିକାକଳୀମୁଖରିତା, ବିବିଧ ପୁଷ୍ପ ଫଳପୂର୍ଣ୍ଣତରୁ–ରାଜି–ସମଳଙ୍କୃତା ଉତ୍କଳମାତା ସୁସ୍ଥ ଓ ସବଳ ସନ୍ତାନଗଣଙ୍କୁ କ୍ରୋଡ଼ରେ ଧାରଣ କରି ଗୌରବାନ୍ୱିତା ହେବେ । ସେଦିନ କଳ୍ପନାର କୁହେଳିରେ ଆଚ୍ଛନ୍ନ ନୁହେଁ, ଯେଉଁଦିନ ଓଡ଼ିଆ ବିଦ୍ୟା, ଜ୍ଞାନ, ସ୍ୱାସ୍ଥ୍ୟ ଓ ଶାରୀରିକ ବଳରେ ନିଜର ମସ୍ତକକୁ ଉନ୍ନତ କରି ରଖିପାରିବ । ସେଦିନ ଅବଶ୍ୟ ଆସିବ, ଯେଉଁ ଦିନ ହୃଦୟର ଅନ୍ତଃସ୍ଥଳରେ ଓଡ଼ିଆ ଅନୁଭବ କରିବ ଯେ, ଓଡ଼ିଶାର ପାଣିରେ ଓ ମାଟିରେ ବିଧାତାଙ୍କର ଆଶୀର୍ବାଦ ନିହିତ ରହିଅଛି, କେବଳ ଆମ୍ଭମାନଙ୍କ ମନେ ରଖିବାକୁ ହେବ; ଆମ୍ଭେମାନେ ମନୁଷ୍ୟ; ଆମ୍ଭମାନଙ୍କୁ ମନୁଷ୍ୟ ଭଳି ବଞ୍ଚି ରହିବାକୁ ହେବ । ମନୁଷ୍ୟ ଭଳି ମରିବାକୁ ହେବ । ଆମ୍ଭେମାନେ ସମସ୍ତ ଜୀବନଯାକ ଜୀବନ୍ମୃତ ହୋଇ ରହିବାର କାମନା କରୁ ନାହିଁ ।

Image